ବୁଦ୍ଧେର୍ଭେଦଂ ଧୃତେଶ୍ଚୈବ ଗୁଣତସ୍ତ୍ରିବିଧଂ ଶୃଣୁ ।
ପ୍ରୋଚ୍ୟମାନମଶେଷେଣ ପୃଥକ୍ତ୍ୱେନ ଧନଞ୍ଜୟ ।।୨୯।।
ବୁଦ୍ଧେଃ-ବୁଦ୍ଧିର ; ଭେଦଂ-ଭେଦ; ଧୃତେଃ-ନିଷ୍ଠାର; ଚ-ଏବଂ; ଏବ-ନିଶ୍ଚିତଭାବେ; ଗୁଣତଃ ତ୍ରିବିଧଂ-ପ୍ରକୃତିର ତ୍ରିଗୁଣ ଅନୁଯାୟୀ; ଶୃଣୁ- ଶୁଣ; ପ୍ରୋଚ୍ୟମାନମ୍- ଯେପରି ମୁଁ କହିଛି; ଅଶେଷେଣ- ବିସ୍ତୃତଭାବେ; ପୃଥକ୍ତ୍ୱେନ-ସ୍ପଷ୍ଟ ଭାବରେ; ଧନଞ୍ଜୟ- ହେ ଧନର ବିଜେତା ଅର୍ଜୁନ ।
BG 18.29: ହେ ଅର୍ଜୁନ ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।
Start your day with a nugget of timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ନଅଗୋଟି ଶ୍ଳୋକରେ, ଶ୍ରୀକୃଷ୍ଣ କର୍ମର ଉପାଦାନଗୁଡ଼ିକ ସମ୍ବନ୍ଧରେ ଆଲୋଚନା କଲେ ଏବଂ ଦର୍ଶାଇଲେ ଯେ, ଏହି ତିନୋଟି ଉପାଦାନ ମଧ୍ୟରୁ ପ୍ରତ୍ୟେକଟି ତିନି ଶ୍ରେଣୀରେ ବିଭକ୍ତ । ବର୍ତ୍ତମାନ ସେ କର୍ମର ଗୁଣବତ୍ତା ଏବଂ ପରିମାଣକୁ ପ୍ରଭାବିତ କରୁଥିବା ଦୁଇଟି କାରକ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସେମାନେ କର୍ମକୁ କେବଳ ପ୍ରେରିତ କରନ୍ତି ନାହିଁ, ତା ସହିତ ତାକୁ ନିୟନ୍ତ୍ରିତ ଏବଂ ନିର୍ଦ୍ଦେଶିତ ମଧ୍ୟ କରିଥାନ୍ତି । ସେ ଦୁଇଟି ହେଲା ବୁଦ୍ଧି ଓ ସଂକଳ୍ପ । ବୁଦ୍ଧି ବିଚାର କରିବାର ବିଭାଗ ଅଟେ ଯାହା ଠିକ୍ ବା ଭୁଲ୍ ନିର୍ଦ୍ଧାରିତ କରିଥାଏ । ଧୃତିର ଅଭିପ୍ରାୟ ସମସ୍ତ କଷ୍ଟ ଓ ବାଧାବିଘ୍ନ ସତ୍ତ୍ୱେ ନିରବଚ୍ଛିନ୍ନ ଭାବରେ କର୍ମ କରିବାର ଆନ୍ତରିକ ସଂକଳ୍ପ । ତ୍ରିଗୁଣ ଭିତ୍ତିରେ ଉଭୟ ତିନି ଶ୍ରେଣୀୟ ଅଟନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ଦୁଇଟି ବିଭାଗ ଏବଂ ତାଙ୍କର ତ୍ରିବିଧ ବିଭକ୍ତିକରଣ ବିଷୟରେ ବର୍ଣ୍ଣନା କରୁଛନ୍ତି ।