Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 20

ଅହମାତ୍ମା ଗୁଡ଼ାକେଶ ସର୍ବଭୂତାଶୟସ୍ଥିତଃ ।
ଅହମାଦିଶ୍ଚ ମଧ୍ୟଂ ଚ ଭୂତାନାମନ୍ତ ଏବ ଚ ।।୨୦।।

aham ātmā guḍākeśha sarva-bhūtāśhaya-sthitaḥ
aham ādiśh cha madhyaṁ cha bhūtānām anta eva cha

ଅହଂ-ମୁଁ; ଆତ୍ମା - ଆତ୍ମା; ଗୁଡ଼ାକେଶ - ହେ ନିଦ୍ରାଜୟୀ ଅର୍ଜୁନ!; ସର୍ବ-ଭୂତ- ସମସ୍ତଜୀବ; ଆଶ୍ରୟ-ସ୍ଥିତଃ - ଅନ୍ତରରେ ଅବସ୍ଥିତ; ଅହଂ -ମୁଁ; ଆଦିଃ - ଆରମ୍ଭ; ଚ- ଏବଂ; ମଧ୍ୟଂ - ମଧ୍ୟ; ଚ -ଏବଂ; ଭୂତାନାମ୍ - ସମସ୍ତ ଜୀବଙ୍କର; ଅନ୍ତଃ - ଶେଷ; ଏବ - ନିଶ୍ଚିତ-ଭାବେ; ଚ- ଏବଂ ।

Translation

BG 10.20: ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରେ । ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ ।

Commentary

ଶ୍ରୀକୃଷ୍ଣ ଏଠାରେ ଘୋଷଣା କରୁଛନ୍ତି ଯେ, ସେ ଜୀବ ଠାରୁ ଦୂରରେ ନାହାଁନ୍ତି - ବାସ୍ତବରେ ସେ ନିକଟତମ ଠାରୁ ନିକଟରେ ଅଛନ୍ତି । ସନାତନ ଆତ୍ମା ଜୀବର ହୃଦୟ ଆକାଶରେ ଅବସ୍ଥାନ କରନ୍ତି । ବେଦ କହେ: ଯ ଆତ୍ମନି ତିଷ୍ଠତି “ଭଗବାନ ଆମ ଆତ୍ମାରେ ଅବସ୍ଥାନ କରନ୍ତି ।”ଭିତରେ ରହି ସେ ଆତ୍ମାକୁ ଚୈତନ୍ୟତା ଏବଂ ନିତ୍ୟତା ପ୍ରଦାନ କରିଥାଆନ୍ତି । ସେ ଯଦି ନିଜର ଶକ୍ତିକୁ ବିଯୁକ୍ତ କରିଦେବେ ତା’ହେଲେ ଆତ୍ମା ସ୍ୱୟଂ ଜଡ଼ ହୋଇ କ୍ଷୟ ହୋଇଯିବ । ଆମେସବୁ ଜୀବ ନିତ୍ୟ ଚେତନ ଅଟେ, କିନ୍ତୁ ନିଜ ଶକ୍ତି ବଳରେ ନୁହେଁ; ପରମ ଚେତନ ଓ ପରମ ଅନାଦି ଭଗବାନ ଆମ ଭିତରେ ରହି ଏହି ଶକ୍ତି ଆମକୁ ପ୍ରଦାନ କରିଥାଆନ୍ତି । ତେଣୁ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସମସ୍ତଙ୍କ ହୃଦୟରେ ସେ ନିବାସ କରନ୍ତି ।

ଆମର ଆତ୍ମା ଭଗବାନଙ୍କର ଶରୀର ଅଟେ, ଯିଏ ଆତ୍ମାର ଆତ୍ମା ଅଟନ୍ତି । ଭାଗବତ କହେ:

ହରିର୍ହି ସାକ୍ଷାଦଭଗବାନ ଶରୀରିଣାମାତ୍ମା ଝଷାଣାମିବ ତୋୟମୀପ୍‌ସିତମ୍ (୫.୧୮.୧୩)

“ଭଗବାନ ସମସ୍ତ ପ୍ରାଣୀଙ୍କର ଆତ୍ମାର ଆତ୍ମା ଅଟନ୍ତି ।” ପୁଣି ଭାଗବତରେ, ଶୁକଦେବ ଯେତେବେଳେ ଏକଥା କହିଲେ ଯେ ଗୋପୀମାନେ ସେମାନଙ୍କର ସନ୍ତାନମାନଙ୍କୁ ଛାଡ଼ି ବାଳକୃଷ୍ଣଙ୍କର ଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ପରିକ୍ଷୀତ ପ୍ରଶ୍ନ କରିଥିଲେ:

ବ୍ରହ୍ମନ୍ ପରୋଦ୍‌ଭବେ କୃଷ୍ଣେ ଇୟାନ୍ ପ୍ରେମା କଥମ୍ ଭବେତ୍ (୧୦.୧୪.୪୯)

ହେ ମୁନିବର! ସଂସାରରେ ସବୁ ମା’ଙ୍କର ଆସକ୍ତି ସେମାନଙ୍କ ସନ୍ତାନମାନଙ୍କ ପ୍ରତି ରହିଥାଏ । ଗୋପୀମାନଙ୍କର ନିଜ ସନ୍ତାନ ଅପେକ୍ଷା ଅଧିକ ଆସକ୍ତି ଶ୍ରୀକୃଷ୍ଣଙ୍କ ପ୍ରତି ରହିଥିଲା କିପରି? ଶୁକଦେବ ଉତ୍ତର ଦେଉଛନ୍ତି:

କୃଷ୍ଣମେନମବେହି ତ୍ୱମାତ୍ମାନମଖିଲାତ୍ମନାମ୍ (ଭାଗବତମ୍ ୧୦.୧୪.୫୫)

“ଭଗବାନ ଶ୍ରୀକୃଷ୍ଣ ବିଶ୍ୱର ସମସ୍ତ ପ୍ରାଣୀଙ୍କର ପରମ ଆତ୍ମା ଅଟନ୍ତି । ଜୀବ କଲ୍ୟାଣ ଉଦ୍ଦେଶ୍ୟରେ, ସେ ନିଜର ଯୋଗମାୟା ଶକ୍ତି ବଳରେ ମନୁଷ୍ୟ ରୂପରେ ଆବିର୍ଭୂତ ହୋଇଛନ୍ତି ।”

ଶ୍ରୀକୃଷ୍ଣ ପୁଣି କହୁଛନ୍ତି ଯେ, ସେ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟନ୍ତି । ସେମାନେ ତାଙ୍କଠାରୁ ଉତ୍ପନ୍ନ ହୋଇଛନ୍ତି, ତେଣୁ ସେ ତାଙ୍କର ଆଦି ଅଟନ୍ତି । ସୃଷ୍ଟିର ସମସ୍ତ ଜୀବନ ତାଙ୍କ ଶକ୍ତି ଦ୍ୱାରା ସ୍ଥିତ, ତେଣୁ ସେ ସେମାନଙ୍କର ମଧ୍ୟ ଅଟନ୍ତି । ମୁକ୍ତି ଲାଭ କରି ଜୀବ ତାଙ୍କର ଦିବ୍ୟ ଧାମକୁ ଯାଇ ଚିରଦିନ ପାଇଁ ତାଙ୍କ ସହିତ ରହିଥାଏ । ସୁତରାଂ,ଭଗବାନ ସମସ୍ତ ଜୀବଙ୍କର ଅନ୍ତ ଅଟନ୍ତି । ବେଦ ଭଗବାନଙ୍କର ଅନେକ ପରିଭାଷା କରିଥାଏ, ତନ୍ମଧ୍ୟରୁ ଗୋଟିଏ ହେଲା :

ଯତୋ ବା ଇମାନି ଭୂତାନି ଜାୟନ୍ତେ, ଯେନ ଜାତାନି ଜୀବନ୍ତି,
ଯତ୍‌ପ୍ରୟନ୍ତ୍ୟ ଭିସଂବିଶନ୍ତି । (ତୈତିରୀୟ ଉପନିଷଦ ୩.୧.୧.)

            “ଭଗବାନ ସେ ଅଟନ୍ତି ଯାହାଙ୍କଠାରୁ ସମସ୍ତ ପ୍ରାଣୀ ଉତ୍ପନ୍ନ ହୋଇଛନ୍ତି; ଯାହାଙ୍କଠାରେ ସମସ୍ତ ପ୍ରାଣୀ ସ୍ଥିତ ରହିଥାଆନ୍ତି; ଯାହାଙ୍କ ଠାରେ ସମସ୍ତ ପ୍ରାଣୀ ଲୀନ ହୋଇଥାଆନ୍ତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!