Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 8

ଅହଂ ସର୍ବସ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତତେ ।
ଇତି ମତ୍ୱା ଭଜନ୍ତେ ମାଂ ବୁଧା ଭାବସମନ୍ୱିତାଃ ।।୮।।

ଅହଂ- ମୁଁ; ସର୍ବସ୍ୟ - ସମସ୍ତଙ୍କର; ପ୍ରଭବଃ - ଉତ୍ପତ୍ତିସ୍ଥଳ; ମତ୍ତଃ - ମୋ’ଠାରୁ ସର୍ବଂ - ସମସ୍ତେ; ପ୍ରବର୍ତତେ - ଉତ୍ପନ୍ନ ହୁଅନ୍ତି; ଇତି - ଏହିପରି; ମତ୍ୱା - ଜାଣି; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋର; ବୁଧାଃ - ପଣ୍ଡିତମାନେ; ଭାବ -ସମନ୍ୱିତାଃ - ଶ୍ରଦ୍ଧା ଏବଂ ଭକ୍ତିଯୁକ୍ତ ହୋଇ ।

Translation

BG 10.8: ମୁଁ ସମଗ୍ର ସୃଷ୍ଟିର ଉଦ୍‌ଗମ ସ୍ଥଳ । ସବୁ କିଛି ମୋ ପରେ ଉତ୍ପନ୍ନ ହୁଅନ୍ତି । ଯେଉଁ ବିଜ୍ଞବ୍ୟକ୍ତି ଏହା ଜାଣନ୍ତି, ସେ ପୂର୍ଣ୍ଣ ବିଶ୍ୱାସ ଓ ଭକ୍ତିଯୁକ୍ତ ହୋଇ ମୋର ଉପାସନା କରନ୍ତି ।

Commentary

ଶ୍ଲୋକ ଆରମ୍ଭରେ ଶ୍ରୀକୃଷ୍ଣ କହୁଛନ୍ତି, ଅହଂ ସର୍ବସ୍ୟ ପ୍ରଭବୋ, ଅର୍ଥାତ୍ “ମୁଁ ହିଁ ସର୍ବୋଚ୍ଚ ଅନ୍ତିମ ସତ୍ୟ ଏବଂ ସର୍ବ କାରଣକାରଣ ଅଟେ ।” ଭଗବଦ୍ ଗୀତାରେ ସେ ଏକାଧିକ-ବାର ଏହାର ପୁନରାବୃତ୍ତି କରିଛନ୍ତି, ଶ୍ଲୋ ୭.୭, ୭.୧୨, ୧୦.୫ ଏବଂ ୧୫.୧୫ । ଅନ୍ୟ ଗ୍ରନ୍ଥ ମାନଙ୍କରେ ମଧ୍ୟ ଏହାକୁ ଦୃଢତାର ସହିତ ଘୋଷଣା କରା ଯାଇଅଛି । ଋକ୍‌ବେଦରେ ଉଲ୍ଲେଖ କରାଯାଇଛି:

ଯଂ କାମୟେ ତଂ ତଂ ଉଗ୍ରଂ କ୍ରିଷ୍ଣୋମି ତଂ ବ୍ରହ୍ମାଣଂ ତଂ ଋଷିଂ ତଂ ସୁମେଧ୍‌ସମ୍ । (୧୦.୧୨୫.୫)

ମୁଁ ଯାହାକୁ ଭଲ ପାଏ, ତାହାକୁ ଅତ୍ୟନ୍ତ ଶକ୍ତିଶାଳୀ କରେ; ମୁଁ ତାଙ୍କୁ ନାରୀ ବା ପୁରୁଷ ରୂପ ଦିଏ; ମୁଁ ତାଙ୍କୁ ଜ୍ଞାନୀ ମହାତ୍ମା କରେ; ମୁଁ ଜୀବକୁ ବ୍ରହ୍ମା ପଦ ପ୍ରାପ୍ତ କରିବାର ଯୋଗ୍ୟତା ପ୍ରଦାନ କରେ ।” ଯେଉଁ ବିଜ୍ଞ ବ୍ୟକ୍ତି ଏହି ସତ୍ୟକୁ ଉପଲବ୍ଧି କରନ୍ତି, ସେ ପୂର୍ଣ୍ଣ ବିଶ୍ୱାସର ସହିତ ପ୍ରେମମୟ ଭକ୍ତିରେ ଭଗବାନଙ୍କର ଉପାସନା କରନ୍ତି ।

ଅତଏବ, ଶ୍ରୀକୃଷ୍ଣ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଜଗତର ସର୍ବୋଚ୍ଚ ଅଧ୍ୟକ୍ଷ ଅଟନ୍ତି । କିନ୍ତୁ ବିଶ୍ୱ ପରିଚାଳନା ଭଗବାନଙ୍କର ପ୍ରମୁଖ କାର୍ଯ୍ୟ ନୁହେଁ । ଚୈତନ୍ୟ ମହାପ୍ରଭୁ କହନ୍ତି:

ସ୍ୱୟଂ ଭଗବାନେର କର୍ମ ନହେ ଭାର-ହରଣ (ଚୈତନ୍ୟ ଚରିତାମୃତ, ଆଦି ଲୀଳା)

ଶ୍ରୀକୃଷ୍ଣ ପ୍ରତ୍ୟକ୍ଷ ଭାବରେ ବିଶ୍ୱର ସୃଷ୍ଟି, ସ୍ଥିତି ଏବଂ ଲୟ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି ନାହିଁ । ଶ୍ରୀକୃଷ୍ଣଙ୍କର ପ୍ରମୁଖ କାର୍ଯ୍ୟ ହେଲା, ତାଙ୍କର ଦିବ୍ୟଧାମ ଗୋଲକରେ, ବିମୁକ୍ତ ଜୀବ ମାନଙ୍କ ସହିତ ରସମୟ ଲୀଳା କରିବା । ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ନିଜର ସ୍ୱରୂପ ବିସ୍ତାର  କାରଣୋଦକଶାୟୀ ବିଷ୍ଣୁ ରୂପରେ କରିଥାଆନ୍ତି, ଯାହାଙ୍କୁ ମହାବିଷ୍ଣୁ କହନ୍ତି ।

ଭଗବାନଙ୍କର ଏହି ମହାବିଷ୍ଣୁ ରୂପ, ଅନନ୍ତ ଭୌତିକ ଜଗତର ସମାହାର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଅଧ୍ୟକ୍ଷ ଅଟନ୍ତି । ମହାବିଷ୍ଣୁଙ୍କୁ ପ୍ରଥମ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ପ୍ରଥମ ବିସ୍ତୃତି) । ସେ କାରଣ ସାଗରରେ ଶୟନ କରିଥାଆନ୍ତି ଏବଂ ତାଙ୍କର ପ୍ରତ୍ୟେକ ଲୋମକୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥାଏ । ତାପରେ ସେ ଗର୍ଭୋଦକଶାୟୀ ବିଷ୍ଣୁଙ୍କ ରୂପ ଧାରଣ କରି ପ୍ରତ୍ୟେକ ବ୍ରହ୍ମାଣ୍ଡର ନିମ୍ନ ଦେଶରେ ନିବାସ କରନ୍ତି, ଯାହାଙ୍କୁ ଦ୍ୱିତୀୟ ପୁରୁଷ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ଦ୍ୱିତୀୟ ବିସ୍ତୃତି) ।

ଗର୍ଭୋଦକଶାୟୀ ବିଷ୍ଣୁଙ୍କଠାରୁ ବ୍ରହ୍ମା ଜାତ ହୁଅନ୍ତି । ସେ ସୃଷ୍ଟି ପ୍ରକ୍ରିୟାର ନିୟମନ କରିଥାଆନ୍ତି - ବିଶ୍ୱର ସମସ୍ତ ସ୍ଥୁଳ ଓ ସୂକ୍ଷ୍ମ ବସ୍ତୁର ସୃଷ୍ଟି, ପ୍ରକୃତିର ନିୟମ, ସମସ୍ତ ସୌର ଓ ଗ୍ରହମଣ୍ଡଳରେ ବାସ କରୁଥିବା ସମସ୍ତ ଜୀବର ପରିଚାଳନା ଇତ୍ୟାଦି । ସେଥିପାଇଁ ଅନେକ ସମୟରେ ବ୍ରହ୍ମାଙ୍କୁ ବିଶ୍ୱର ସୃଷ୍ଟି କର୍ତ୍ତା ମଧ୍ୟ କୁହାଯାଏ । କିନ୍ତୁ, ପ୍ରକୃତରେ ସେ ଦ୍ୱିତୀୟ ସୃଷ୍ଟି କର୍ତ୍ତା ଅଟନ୍ତି ।

ପୁନଶ୍ଚ, ଗର୍ଭୋଦକଶାୟୀ ବିଷ୍ଣୁ ନିଜର ଅନ୍ୟ ଏକ ସ୍ୱରୂପ, କ୍ଷୀରୋଦକଶାୟୀ ବିଷ୍ଣୁ, ପ୍ରକଟ କରନ୍ତି ଏବଂ ଯିଏ ପ୍ରତ୍ୟେକ ବ୍ରହ୍ମାଣ୍ଡର ଊର୍ଦ୍ଧ୍ୱ ଭାଗରେ ସ୍ଥିତ କ୍ଷୀର ସାଗରରେ ନିବାସ କରନ୍ତି । କ୍ଷୀରୋଦକଶାୟୀ ବିଷ୍ଣୁଙ୍କୁ ତୃତୀୟ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ତୃତୀୟ ବିସ୍ତୃତି) । ସେ ବିଶ୍ୱର ଊର୍ଦ୍ଧ୍ୱ ଭାଗରେ ନିବାସ କରନ୍ତି, ତା ସହିତ ସେ ପରମାତ୍ମା ରୂପରେ ବିଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ଜୀବର ସମସ୍ତ କର୍ମକୁ ନିରୀକ୍ଷଣ କରନ୍ତି, ତାର ହିସାବ ରଖନ୍ତି ଏବଂ ଯଥା ସମୟରେ ତାର କର୍ମଫଳ ପ୍ରଦାନ କରନ୍ତି । ସେଥିପାଇଁ ତାଙ୍କୁ ବିଶ୍ୱର ପାଳନ କର୍ତ୍ତା କୁହାଯାଏ ।

ଏଠାରେ ଉଲ୍ଲେଖ କରାଯାଇ ଥିବା ଭଗବାନ ବିଷ୍ଣୁଙ୍କର ତିିନୋଟି ସ୍ୱରୂପ, ଶ୍ରୀକୃଷ୍ଣଙ୍କଠାରୁ ପୃଥକ ନୁହନ୍ତି । ତେଣୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ବିଶ୍ୱର ସମସ୍ତ ଦୈବିକ ଓ ଭୌତିକ ସୃଷ୍ଟି ତାଙ୍କ ଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ଅବତାରୀ ମଧ୍ୟ କୁହାଯାଏ (ସମସ୍ତ ଅବତାରମାନଙ୍କର ଉତ୍ସ) । ଶ୍ରୀମଦ୍ ଭାଗବତମ୍ କହୁଛି :

ଏତେ ଚାଂଶ କଲାଃ ପୁଂସଃ କ୍ରିଷ୍ଣସ୍ତୁ  ଭଗବାନ ସ୍ୱୟମ୍ । (୧.୩.୨୮)

ଭଗବାନଙ୍କର ସମସ୍ତ ସ୍ୱରୂପ ତାଙ୍କର ବିସ୍ତୃତି ଅଟନ୍ତି ବା ଶ୍ରୀକୃଷ୍ଣଙ୍କ ବିସ୍ତୃତିର ବିସ୍ତୃତି ଅଟନ୍ତି । ମୂଳ ରୂପ ଶ୍ରୀକୃଷ୍ଣ ଅଟନ୍ତି । ଏଣୁ ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି:

ଯସ୍ୟୈକନିଶ୍ୱସିତ କାଲମଥାବଲମ୍ବ୍ୟ
ଜୀବନ୍ତି ଲୋମବିଲଯା ଜଗଦଣ୍ଡନାଥାଃ
ବିଷ୍ଣୁର୍ମହାନ୍ ସୈହୟସ୍ୟ କଲାବିଶେଷୋ
ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି । (ବ୍ରହ୍ମ ସଂହିତା ୫:୪୮)

“ଭଗବାନ ମହାବିଷ୍ଣୁ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ତାଙ୍କ ଶରୀରର ଲୋମକୂପମାନଙ୍କରୁ ଅନନ୍ତ ବ୍ରହ୍ମାଣ୍ଡ ପ୍ରକଟିତ ହୋଇଥାଏ ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଜଣେ ଶଙ୍କର, ବ୍ରହ୍ମା ଓ ବିଷ୍ଣୁ ରହିଥାଆନ୍ତି । ପୁଣି ଯେତେବେଳେ ସେ ଶ୍ୱାସ ତ୍ୟାଗ କରନ୍ତି, ସମସ୍ତ ବ୍ରହ୍ମାଣ୍ଡ ତାଙ୍କଠାରେ ଲୀନ ହୋଇଯାଏ । ମୁଁ ସେହି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛି ଯାହାର ସ୍ୱରୂପ ମହାବିଷ୍ଣୁ ଅଟନ୍ତି । ବର୍ତ୍ତମାନ, ଭକ୍ତମାନେ ତାଙ୍କର କିପରି ଉପାସନା କରନ୍ତି, ସେ ବିଷୟରେ ଶ୍ରୀକୃଷ୍ଣ କହିବାକୁ ଯାଉଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!