Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 34

ଦ୍ରୋଣଂ ଚ ଭୀଷ୍ମଂ ଚ ଜୟଦ୍ରଥଂ ଚ
କର୍ଣ୍ଣଂ ତଥାନ୍ୟାନପି ଯୋଧବୀରାନ୍ ।
ମୟା ହତାଂସ୍ତ୍ୱଂ ଜହି ମା ବ୍ୟଥିଷ୍ଠା
ଯୁଧ୍ୟସ୍ୱ ଜେତାସି ରଣେ ସପତ୍ନାନ୍ ।।୩୪।।

ଦ୍ରୋଣଂ ଚ - ଦ୍ରୋଣ ଏବଂ; ଭୀଷ୍ମଂ ଚ - ଭୀଷ୍ମ ଏବଂ; ଜୟଦ୍ରଥଂ ଚ - ଜୟଦ୍ରଥ ଏବଂ; କର୍ଣ୍ଣଂ ଚ - କର୍ଣ୍ଣ ଏବଂ; ତଥା - ସେହିପରି; ଅନ୍ୟାନ୍ୟ- ଅନ୍ୟ; ଅପି - ମଧ୍ୟ; ଯୋଧବୀରାନ୍ - ବିଶିଷ୍ଟ ଯୋଦ୍ଧାମାନଙ୍କୁ; ମୟା - ମୋ’ଦ୍ୱାରା; ହତାନ୍ - ମରି ସାରିଛନ୍ତି; ତ୍ୱଂ - ତୁମେ; ଜହି - ହତ୍ୟା କର; ମା -ନାହିଁ; ବ୍ୟଥିଷ୍ଠା - ବ୍ୟତିବ୍ୟସ୍ତ; ଯୁଧ୍ୟସ୍ୱ - ଯୁଦ୍ଧକର; ଜେତାସି- ବିଜୟୀ ହୁଅ; ରଣେ - ଯୁଦ୍ଧରେ; ସପତ୍ନାନ୍ - ଶତ୍ରୁମାନଙ୍କୁ ।

Translation

BG 11.34: ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ଜୟଦ୍ରଥ, କର୍ଣ୍ଣ ଏବଂ ଅନ୍ୟ ବୀର ଯୋଦ୍ଧାଗଣ ମୋ ଦ୍ୱାରା ନିହତ ହୋଇସାରିଛନ୍ତି । ତେଣୁ କିଛି ଅନୁଶୋଚନା ନ କରି ତାଙ୍କୁ ବଧ କର । କେବଳ ଯୁଦ୍ଧ କର ଏବଂ ଯୁଦ୍ଧରେ ତୁମେ ଶତ୍ରୁ ଉପରେ ବିଜୟ ଲାଭ କରିବ ।

Commentary

କୌରବ ପକ୍ଷର ଅନେକ ମହାରଥୀ ଏହା ପୂର୍ବରୁ ଯୁଦ୍ଧରେ ଅପରାଜେୟ ଥିଲେ । ଜୟଦ୍ରଥ ବରପ୍ରାପ୍ତ କରିଥିଲେ ଯେ ଯଦି କିଏ ତାଙ୍କର ମସ୍ତକ ଛେଦନ କରି ଧରାଶାୟୀ କରିଦିଏ, ତେବେ ତାଙ୍କ ନିଜର ମସ୍ତକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । କର୍ଣ୍ଣଙ୍କର ‘ଶକ୍ତି’ ନାମକ ଏକ ଅସ୍ତ୍ର ଥିଲା, ଯାହା ତାଙ୍କୁ ଇନ୍ଦ୍ରଙ୍କ ଠାରୁ ପ୍ରାପ୍ତ ହୋଇଥିଲା । ଏହି ଅସ୍ତ୍ର ସେ ଯାହା ନାମ ସ୍ମରଣ କରି ବ୍ୟବହାର କରିବେ, ସେ ନିଶ୍ଚିତ ରୂପେ ନିହତ ହେବ । କିନ୍ତୁ ଏହା କେବଳ ଥରେ ମାତ୍ର ବ୍ୟବହାର କରାଯାଇପାରିବ । ତେଣୁ କର୍ଣ୍ଣ ତାହାକୁ ଅର୍ଜୁନଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସୁରକ୍ଷିତ ରଖିଥିଲେ । ଦ୍ରୋଣାଚାର୍ଯ୍ୟ ଯେ କୌଣସି ଅସ୍ତ୍ର ବ୍ୟବହାର କରିବା ଏବଂ ସେ ସବୁକୁ ନିଷ୍ଫଳ କରିବାର ବିଦ୍ୟା, ଭଗବାନଙ୍କର ଅବତାର, ପର୍ଶୁରାମଙ୍କ ଠାରୁ ପ୍ରାପ୍ତ କରିଥିଲେ । ଭୀଷ୍ମ ଇଚ୍ଛାମୃତ୍ୟୁର ବରପ୍ରାପ୍ତ କରିଥିଲେ । ତଥାପି ଯଦି ଭଗବାନ ଇଚ୍ଛା କରିବେ ସେମାନେ ସମସ୍ତେ ଯୁଦ୍ଧରେ ନିହତ ହୁଅନ୍ତୁ, ତେବେ କେହି ତାଙ୍କୁ ରକ୍ଷା କରି ପାରିବେ ନାହିଁ ।

ଗୋଟିଏ ପ୍ରବାଦ ଅଛି:

ବିନ୍ଧ୍ୟ ନ ଈନ୍ଧନ ପାଇୟେ, ସାଗର ଯୁଡଇ ନ ନୀର
ପରଇ ଉପସ କୁବେର ଘର, ଜ୍ୟୋଁ ବିପକ୍ଷ ରଘୁବୀର ।

“ପ୍ରଭୁ ରାମ ଯଦି ତୁମ ବିରୁଦ୍ଧରେ ଯିବାକୁ ସ୍ଥିର କରନ୍ତି, ତୁମେ ବିନ୍ଧ୍ୟାଚଳ ଅରଣ୍ୟରେ ରହିଲେ ମଧ୍ୟ ଧୁନି କରିବା ପାଇଁ ଜାଳେଣି ପାଇବ ନାହିଁ; ସମୁଦ୍ର କୂଳରେ ବାସ କରି ମଧ୍ୟ ତୁମ ବ୍ୟବହାର ପାଇଁ ଜଳର ଅଭାବ ହେବ, ଏବଂ ଧନର ଦେବତା କୁବେରଙ୍କ ଘରେ ବାସ କଲେ ମଧ୍ୟ ତୁମକୁ ଖାଇବାକୁ ମିଳିବ ନାହିଁ ।” ଠିକ୍ ସେହିପରି, ଭଗବାନ ଯଦି କାହାର ମୃତ୍ୟୁ ଇଚ୍ଛା କରନ୍ତି, ତେବେ ସୁରକ୍ଷାର କେତେ ବେଶୀ ଆୟୋଜନ ଥିଲେ ମଧ୍ୟ, ସେ ତାଙ୍କର ମୃତ୍ୟୁକୁ ଏଡାଇ ପାରିବେ ନାହିଁ । ଶ୍ରୀକୃଷ୍ଣ କହୁଛନ୍ତି, ଯୁଦ୍ଧର ଫଳାଫଳ ସେ ସ୍ଥିର କରି ସାରିଛନ୍ତି । କିନ୍ତୁ ସେ ଚାହାଁନ୍ତି, ଅର୍ଜୁନ ତାହାକୁ ହାସଲ କରିବାର ଏକ ମାଧ୍ୟମ ହୋଇ ବିଜେତାର ଗୌରବରେ ମଣ୍ଡିତ ହୁଅନ୍ତୁ । ଭକ୍ତ ଯେପରି ଭଗବାନଙ୍କର ଯଶ ବୃଦ୍ଧି କରିବାକୁ ଇଚ୍ଛା କରିଥାଏ, ଭଗବାନ ମଧ୍ୟ ସେହିପରି ଭକ୍ତର ଯଶ ବୃଦ୍ଧି ପାଇଁ ଚେଷ୍ଟା କରନ୍ତି । ଅତଏବ, ଶ୍ରୀକୃଷ୍ଣ ନିଜର ଖ୍ୟାତି ଇଚ୍ଛା କରୁ ନ ଥିଲେ, ସେ ଇଚ୍ଛା କରୁଥିଲେ ଯୁଦ୍ଧ ପରେ ଯେପରି ଲୋକେ କହିବେ, “ଅର୍ଜୁନ ଏତେ ବୀରତ୍ୱର ସହିତ ଯୁଦ୍ଧ କରି ପାଣ୍ଡବମାନଙ୍କ ପାଇଁ ବିଜୟ ଆଣିଦେଲେ ।”

ଆଧ୍ୟାତ୍ମିକ ଜୀବନରେ ମଧ୍ୟ, ଅନେକ ସମୟରେ ସାଧକମାନେ ନିଜର କ୍ରୋଧ, ଲୋଭ, ଈର୍ଷା, ବାସନା, ଅହଂକାର ଆଦିକୁ ତ୍ୟାଗ କରି ନ ପାରି ହତୋତ୍ସାହିତ ହୋଇ ପଡ଼ନ୍ତି । ସେତେବେଳେ ତାଙ୍କର ଆଧ୍ୟାତ୍ମିକ ଗୁରୁୁ ତାଙ୍କୁ ଉତ୍ସାହିତ କରିଥାନ୍ତି, “ନିରାଶ ହୁଅ ନାହିଁ । ସଂଘର୍ଷ କର ଏବଂ ତୁମ ମନର ଶତ୍ରୁଙ୍କୁ ତୁମେ ଜିଣିପାରିବ, କାରଣ ତୁମର ସଫଳତା ଭଗବାନ ଇଚ୍ଛା କରନ୍ତି । ତୁମର ଉଦ୍ୟମ ନିମିତ୍ତ ମାତ୍ର ଅଟେ, ଭଗବାନ ତାଙ୍କ କୃପା ଦ୍ୱାରା ତୁମକୁ ବିଜୟୀ କରିବେ ।”

ଭଗବାନଙ୍କର ଆହ୍ୱାନ ପ୍ରତି ଅର୍ଜୁନଙ୍କର ପ୍ରତିକ୍ରିୟା କ’ଣ ଥିଲା, ତାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣିତ ହୋଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!