ମତ୍କର୍ମକୃନ୍ମତ୍ପରମୋ ମଦ୍ଭକ୍ତଃ ସଙ୍ଗବର୍ଜିତଃ ।
ନିର୍ବୈରଃ ସର୍ବଭୂତେଷୁ ଯଃ ସ ମାମେତି ପାଣ୍ଡବ ।।୫୫।।
ମତ୍-କର୍ମ-କୃତ୍- ମୋ ନିମିତ୍ତ କର୍ମ କରି; ମତ୍ ପରମଃ- ମୋତେ ସର୍ବଶ୍ରେଷ୍ଠ ମନେ କରି; ମତ୍-ଭକ୍ତଃ - ମୋର ସେବାରେ ନିଯୁକ୍ତ; ସଙ୍ଗବର୍ଜିତ- ଆସକ୍ତି ରହିତ; ନିର୍ବୈରଃ- ଦ୍ୱେଷ ରହିତ; ସର୍ବଭୁତେଷୁ- ସମସ୍ତ ଜୀବ ପ୍ରତି ; ଯଃ- ଯେ; ସ-ସେ; ମାଂ -ମୋ ପାଖକୁ; ଏତି-ଆସେ; ପାଣ୍ଡବ- ହେ ପାଣ୍ଡୁପୁତ୍ର ।
BG 11.55: ଯେଉଁମାନେ ତାଙ୍କର କର୍ମ କେବଳ ମୋ ନିମିତ୍ତ କରନ୍ତି, ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି ଏବଂ ମୋର ଭକ୍ତି କରନ୍ତି, ଯେଉଁମାନେ ଆସକ୍ତିରୁ ମୁକ୍ତ ଥାଆନ୍ତି ଏବଂ କୌଣସି ଜୀବଙ୍କ ପ୍ରତି ଦ୍ୱେଷ କରନ୍ତି ନାହିଁ, ଏପରି ଭକ୍ତମାନେ ନିଶ୍ଚିତ ଭାବେ ମୋ ପାଖକୁ ଆସନ୍ତି ।
ମତ୍କର୍ମକୃନ୍ମତ୍ପରମୋ ମଦ୍ଭକ୍ତଃ ସଙ୍ଗବର୍ଜିତଃ ।
ନିର୍ବୈରଃ ସର୍ବଭୂତେଷୁ ଯଃ ସ ମାମେତି ପାଣ୍ଡବ ।।୫୫।।
ଯେଉଁମାନେ ତାଙ୍କର କର୍ମ କେବଳ ମୋ ନିମିତ୍ତ କରନ୍ତି, ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି ଏବଂ ମୋର ଭକ୍ତି କରନ୍ତି, ଯେଉଁମାନେ ଆସକ୍ତିରୁ ମୁକ୍ତ ଥାଆନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ନବମ ଅଧ୍ୟାୟର ଶେଷରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ଠାରେ ମନ କେନ୍ଦ୍ରିତ କରିବାକୁ ଓ ତାଙ୍କର ଶରଣାଗତ ହେବାକୁ କହିଥିଲେ । ସେହି ଭକ୍ତିକୁ ବଢ଼ାଇବା ପାଇଁ, ସେ ନିଜ ସମ୍ବନ୍ଧରେ ଅଧିକ ରହସ୍ୟ ଉନ୍ମୋଚନ କରିବାକୁ ଇଚ୍ଛା କରିଥିଲେ, ଯାହା ସେ ଦଶମ ଓ ଏକାଦଶ ଅଧ୍ୟାୟରେ କରିଛନ୍ତି । ପୂର୍ବ ଶ୍ଳୋକରେ ସେ ଭକ୍ତିମାର୍ଗର ଶ୍ରେଷ୍ଠତା ଉପରେ ପୁଣି ଗୁରୁତ୍ୱାରୋପ କଲେ । ବର୍ତ୍ତମାନ ସେ ଅନନ୍ୟ ଭକ୍ତିର ପାଞ୍ଚଗୋଟି ଗୁଣକୁ ବର୍ଣ୍ଣନା କରି ଅଧ୍ୟାୟର ଉପସଂହାର କରୁଛନ୍ତି:
ସେମାନେ ତାଙ୍କର ସମସ୍ତ କର୍ମ ମୋ ଉଦ୍ଦେଶ୍ୟରେ କରନ୍ତି । ଉତ୍ତମ ଭକ୍ତମାନେ ତାଙ୍କର କର୍ମକୁ ଭୌତିକ ଓ ଆଧ୍ୟାତ୍ମିକ ଭାବରେ ବିଭକ୍ତ କରି ନ ଥାନ୍ତି । ସେମାନେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ କରିଥାନ୍ତି । ଏହିପରି ଭାବରେ, ତାଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କୁ ଅର୍ପିତ ହୋଇଥାଏ ।
ସନ୍ଥ କବିର କହିଛନ୍ତି:
ଜହଁ ଜହଁ ଚଲୂଁ କରୂଁ ପରିକ୍ରମା, ଜୋ ଜୋ କରୂଁ ସୋ ସେବା
ଜବ ସୋଊଁ କରୂଁ ଦଣ୍ଡବତ, ଜାନୂଁ ଦେବ ନ ଦୂଜା ।
“ ମୁଁ ଯେତେବେଳେ ଚାଲି ଚାଲି ଯାଉଥାଏ, ମୁଁ ଭାବେ ମୁଁ ଭଗବାନଙ୍କର ପରିକ୍ରମା କରୁଛି; ମୁଁ ଯେତେବେଳେ କାମ କରେ, ମୁଁ ଭାବେ ମୁଁ ଭଗବାନଙ୍କର ସେବା କରୁଛି; ମୁଁ ଯେତେବେଳେ ଶୋଇପଡ଼େ, ମୁଁ ଭାବେ ମୁଁ ତାଙ୍କୁ ଦଣ୍ଡବତ୍ ପ୍ରଣାମ କରୁଛି । ଏହିପରି ଭାବରେ, ତାଙ୍କୁ ଅର୍ପଣ ନ କରି ମୁଁ କୌଣସି କାର୍ଯ୍ୟ କରେନାହିଁ ।
ସେମାନେ ମୋ ଉପରେ ନିର୍ଭରଶୀଳ - ଯେଉଁମାନେ ଭଗବାନଙ୍କର ନିକଟତର ହେବା ପାଇଁ ନିଜ ଆଧ୍ୟାତ୍ମିକ ସାଧନା ଉପରେ ନିର୍ଭର କରନ୍ତି, ସେମାନେ ଭଗବାନଙ୍କ ଉପରେ ଅନନ୍ୟ ଭାବରେ ନିର୍ଭରଶୀଳ ନ ଥାନ୍ତି । କିନ୍ତୁ ଭଗବାନ ତାଙ୍କ କୃପା ଦ୍ୱାରା ହିଁ ପ୍ରାପ୍ତ ହୋଇଥାନ୍ତି , ଆଧ୍ୟାତ୍ମିକ ସାଧନ ଦ୍ୱାରା ନୁହେଁ । ତାଙ୍କର ଅନନ୍ୟ ଭକ୍ତମାନେ ତାଙ୍କୁ ପ୍ରାପ୍ତ କରିବା ପାଇଁ ନିଜ ଭକ୍ତି ଉପରେ ମଧ୍ୟ ନିର୍ଭର କରି ନ ଥାନ୍ତି । ବରଂ ସେମାନେ ଭଗବାନଙ୍କ କୃପା ଉପରେ ତାଙ୍କର ସମସ୍ତ ଆସ୍ଥା ସ୍ଥାପନ କରନ୍ତି ଏବଂ ତାଙ୍କର ଭକ୍ତିକୁ ଭଗବାନଙ୍କର କୃପା ଆକର୍ଷିତ କରିବା ପାଇଁ ଏକ ମାଧ୍ୟମ ଭାବରେ ବିବେଚିତ କରିଥାନ୍ତି ।
ସେମାନେ ମୋର ଭକ୍ତି କରନ୍ତି - ମୋର ଭକ୍ତମାନେ ଅନ୍ୟ ଆଧ୍ୟାତ୍ମିକ ସାଧନ ଯଥା ସାଂଖ୍ୟ ଇତ୍ୟାଦିର ଜ୍ଞାନ ଆହରଣ, ଅଷ୍ଟାଙ୍ଗ ଯୋଗ ସାଧନ, ଯଜ୍ଞ ଆୟୋଜନ ଇତ୍ୟାଦିର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ସେମାନେ କେବଳ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଥାଆନ୍ତି ଏବଂ ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରେ ତାଙ୍କର ପ୍ରିୟତମ ଭଗବାନଙ୍କୁ ଦର୍ଶନ କରିଥାଆନ୍ତି ।
ସେମାନେ ଆସକ୍ତି ରହିତ ଅଟନ୍ତି - ଭକ୍ତିରେ ମନକୁ ଲଗାଇବାକୁ ପଡିଥାଏ । ମନକୁ ସଂସାରରୁ ହଟାଇବା ଦ୍ୱାରା ହିଁ ଏହା ସମ୍ଭବ ହୋଇଥାଏ । ତେଣୁ ଅନନ୍ୟ ଭକ୍ତମାନେ ସମସ୍ତ ପ୍ରକାରର ସାଂସାରିକ ଆସକ୍ତିରୁ ମୁକ୍ତ ହୋଇ, କେବଳ ଭଗବାନଙ୍କ ଠାରେ ହିଁ ତାଙ୍କର ମନକୁ କେନ୍ଦ୍ରୀଭୂତ କରିଥାଆନ୍ତି ।
ସମସ୍ତ ପ୍ରାଣୀଙ୍କ ପ୍ରତି ସେମାନେ ଦ୍ୱେଷଭାବ ରହିତ - ହୃଦୟରେ ଯଦି ଦ୍ୱେଷ ଭରି ରହିଥାଏ, ତେବେ ତାହା ଭଗବାନଙ୍କ ପ୍ରତି ଅନନ୍ୟ ରହି ପାରିବ ନାହିଁ । ତେଣୁ ଅନନ୍ୟ ଭକ୍ତମାନେ, ତାଙ୍କର କ୍ଷତି କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ମନରେ ଦ୍ୱେଷ ଭାବ ପୋଷଣ କରନ୍ତି ନାହିଁ । ତା’ ପରିବର୍ତ୍ତେ, ଭଗବାନ ସମସ୍ତଙ୍କ ହୃଦୟରେ ନିବାସ କରୁଛନ୍ତି ବିଚାର କରି, ସେମାନେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରୁଥବା ବ୍ୟକ୍ତିର କର୍ମକୁ ଭଗବତ୍ ପ୍ରଣୋଦିତ ମନେ କରିଥାନ୍ତି ଏବଂ ତାଙ୍କୁ କ୍ଷମା କରି ଦିଅନ୍ତି ।