Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 13-14

ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ ।
ନିର୍ମମୋ ନିରହଂକାରଃ ସମଦୁଃଖସୁଖଃ କ୍ଷମୀ ।।୧୩।।
ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ ।
ମୟ୍ୟର୍ପିତମନୋବୁଦ୍ଧିର୍ଯୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।୧୪।।

ଅଦ୍ୱେଷ୍ଟା - ଦ୍ୱେଷଭାବ ରହିତ; ସର୍ବଭୂତାନାଂ - ସମସ୍ତ ଜୀବଙ୍କ ପ୍ରତି; ମୈତ୍ରଃ - ବନ୍ଧୁଭାବାପନ୍ନ; କରୁଣଃ - ଦୟାଳୁ, ଏବ - ନିଶ୍ଚିତଭାବେ; ଚ - ଏବଂ; ନିର୍ମମଃ - ମମତାଶୂନ୍ୟ; ନିରହଙ୍କାରଃ -ଅହଙ୍କାରଶୂନ୍ୟ; ସମ- ସମଭାବରେ; ଦୁଃଖ -ଦୁଃଖ; ସୁଖଃ-ସୁଖ; କ୍ଷମୀ - କ୍ଷମାଶୀଳ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ସତତଂ - ସର୍ବଦା; ଯୋଗୀ -ଭକ୍ତିରେ ଯୁକ୍ତ; ଯତାତ୍ମା- ଜିତେନ୍ଦ୍ରିୟ; ଦୃଢ଼ନିଶ୍ଚୟଃ -ଦୃଢ଼ ସଂକଳ୍ପ; ମୟି - ମୋ’ଠାରେ; ଅର୍ପିତ -ସମର୍ପିତ; ମନଃ-ମନ; ବୁଦ୍ଧିଃ - ବୁଦ୍ଧି; ଯଃ -ଯିଏ; ମଦ୍‌ଭକ୍ତଃ - ମୋର ଭକ୍ତ; ସଃ ମେ ପ୍ରିୟଃ- ସେ ମୋର ପ୍ରିୟ ।

Translation

BG 12.13-14: ଯେଉଁମାନେ କୌଣସି ଜୀବଙ୍କ ପ୍ରତି ଦ୍ୱେଷ ଭାବ ରଖନ୍ତି ନାହିଁ, ଯେଉଁମାନେ ମିତ୍ରଭାବାପନ୍ନ ଏବଂ ଦୟାଳୁ ଅଟନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେମାନେ ଆସକ୍ତିରହିତ ଓ ଅହଂକାରଶୂନ୍ୟ, ସୁଖ ଓ ଦୁଃଖରେ ସମଭାବାପନ୍ନ ଏବଂ ସର୍ବଦା କ୍ଷମାଶୀଳ ଅଟନ୍ତି । ସେମାନେ ସର୍ବଦା ସନ୍ତୁଷ୍ଟ, ଅବିଚଳ ଭକ୍ତିରେ ମୋ ସହିତ ଯୁକ୍ତ, ଆତ୍ମସଂଯମୀ, ଦୃଢ଼ମନା ଏବଂ ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଆନ୍ତି ।

Commentary

ତାଙ୍କ ସାକାର ସ୍ୱରୂପର ଭକ୍ତିକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ, ଶ୍ଲୋକ ୧୩-୧୯ରେ, ତାଙ୍କ ପ୍ରିୟ ଭକ୍ତମାନଙ୍କର ଲକ୍ଷଣ ବର୍ଣ୍ଣନା କରିବାକୁ ଯାଉଛନ୍ତି ।

ସମସ୍ତ ଜୀବଙ୍କ ପ୍ରତି ଦ୍ୱେଷ ଭାବ ରହିତ - ଭକ୍ତମାନେ ଏହା ବୁଝିପାରି ଥାଆନ୍ତି ଯେ ପ୍ରତ୍ୟେକ ଜୀବ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି । ତେଣୁ କାହା ପ୍ରତି ଦ୍ୱେଷଭାବ ପୋଷଣ କରିବା ଅର୍ଥ ଭଗବାନଙ୍କ ପ୍ରତି ଦ୍ୱେଷ ଭାବ ରଖିବା । ସୁତରାଂ, ତାଙ୍କର ବିରୁଦ୍ଧାଚାରଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ଭକ୍ତମାନେ ଦ୍ୱେଷ କରନ୍ତି ନାହିଁ ।

ମୈତ୍ରୀ ଏବଂ ଅନୁକମ୍ପା - ସମସ୍ତେ ସେହି ଜଣେ ଭଗବାନଙ୍କର ସନ୍ତାନ ହୋଇଥିବା ଦୃଷ୍ଟିରୁ, ଭକ୍ତି ପରସ୍ପର ମଧ୍ୟରେ ମୈତ୍ରୀ ଭାବ ଉତ୍ପନ୍ନ କରିଥାଏ । ପର-ଆପଣା ଭାବନା ସମାପ୍ତ ହୋଇ ଯାଇଥାଏ । ଏହା ଭକ୍ତ ମାନଙ୍କଠାରେ ଅନ୍ୟମାନଙ୍କ ପ୍ରତି ବନ୍ଧୁତ୍ୱ ଭାବ ଏବଂ ଅନ୍ୟମାନଙ୍କର କଷ୍ଟ ପ୍ରତି ଅନୁକମ୍ପା ଉତ୍ପନ୍ନ କରେ ।

ଆସକ୍ତିରହିତ ଏବଂ ଅହଂକାରଶୂନ୍ୟ - ଭକ୍ତିର ସବୁଠାରୁ ବଡ଼ ଶତ୍ରୁ ଅହଂକାର ଅଟେ । ଦୀନତାର ଅଭ୍ୟାସ ଦ୍ୱାରା ହିଁ ବ୍ୟକ୍ତି ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥାଏ । ଉଚ୍ଚ କକ୍ଷର ଭକ୍ତମାନେ ସ୍ୱାଭାବିକ ଭାବରେ ନମ୍ର ହୋଇଥାଆନ୍ତି ଏବଂ ଅହଂକାର, କର୍ତ୍ତୁତ୍ୱାଭିମାନ ତଥା ନିଜକୁ ଶରୀର ମନେ କରିବାର ଭ୍ରମରୁ ମୁକ୍ତ ରହନ୍ତି ।

ସୁଖ ଓ ଦୁଃଖରେ ସମଭାବାପନ୍ନ - ଭକ୍ତମାନେ ବିଶ୍ୱାସ କରନ୍ତି ଯେ କେବଳ କର୍ମ କରିବାର ଅଧିକାର ସେମାନଙ୍କର ଅଛି, କର୍ମର ଫଳ ଭଗବାନଙ୍କ ହାତରେ । ତେଣୁ ଯାହାବି ଫଳ ମିଳେ, ସେମାନେ ତାହାକୁ ଈଶ୍ୱରଙ୍କର ଇଚ୍ଛା ଭାବରେ ସ୍ୱୀକାର କରି ସମଭାବାପନ୍ନ ରହନ୍ତି ।

ସର୍ବଦା କ୍ଷମାଶୀଳ - ଭକ୍ତ କେବେ ବି ନିଜର ମାନସିକ ସନ୍ତୋଷ ପାଇଁ ଦୋଷୀମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ । ଅନ୍ୟମାନଙ୍କ ପ୍ରତି ଏପରି ନକାରାତ୍ମକ ଭାବନା ନିଜର ଭକ୍ତିଭାବକୁ ନଷ୍ଟ କରିଦେଇଥାଏ । ତେଣୁ ଉଚ୍ଚ କକ୍ଷର ସାଧକମାନେ ସେପରି ଚିନ୍ତନକୁ ମନରୁ ତ୍ୟାଗ କରି ଦୋଷୀମାନଙ୍କୁ ଦଣ୍ଡିତ କରିବାର ଦାୟିତ୍ୱ ଭଗବାନଙ୍କ ଉପରେ ନ୍ୟସ୍ତ କରିଥାଆନ୍ତି ।

ସର୍ବଦା ସନ୍ତୁଷ୍ଟ - ସନ୍ତୋଷ ଅଧିକ ବସ୍ତୁ ସଂଗ୍ରହ ଦ୍ୱାରା ନୁହେଁ, ବରଂ କାମନାର ପରିସରକୁ ସଂକୁଚିତ କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ ।  ଭକ୍ତମାନେ ଯେହେତୁ ଭୌତିକ ବସ୍ତୁକୁ ସୁଖର ଉତ୍ସ ଭାବରେ ବିବେଚନା କରନ୍ତି ନାହିଁ, ସେମାନଙ୍କୁ ଯାହା ବି ମିଳିଥାଏ, ସେଥିରେ ସେମାନେ ସନ୍ତୁଷ୍ଟ ରହନ୍ତି ।

ଭକ୍ତିରେ ମୋ ସହିତ ନିତ୍ୟ ଯୁକ୍ତ - ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଯୋଗର ଅର୍ଥ ଯୁକ୍ତ ହେବା । ଭକ୍ତମାନେ ଯୋଗୀ ଅଟନ୍ତି କାରଣ ସେମାନଙ୍କର ଚେତନା ଭଗବାନଙ୍କଠାରେ ନିମଗ୍ନ ଥାଏ । ଏହି ନିମଗ୍ନତା ସାମୟିକ ନ ହୋଇ ଅବିଚଳିତ ଓ ନିରନ୍ତର ହୋଇଥାଏ, କାରଣ ସେମାନେ ଭଗବାନଙ୍କ ସହିତ ନିତ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି ।

ଆତ୍ମସଂଯମୀ - ଭକ୍ତମାନେ ପ୍ରେମମୟୀ ଭକ୍ତିରେ ମନକୁ ଭଗବାନଙ୍କଠାରେ ଅନୁରକ୍ତ କରିଥାନ୍ତି । ତେଣୁ ସେମାନଙ୍କର ମନ ସଂସାରରୁ ବିରକ୍ତ ରହିଥାଏ । ଏହିପରି ଭାବରେ, ସେମାନେ ମନ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରିଥାଆନ୍ତି ।

ଦୃଢ଼ ନିଶ୍ଚୟ - ଏକ ସଂକଳ୍ପବଦ୍ଧ ବୁଦ୍ଧି ବ୍ୟକ୍ତିକୁ ଦୃଢମନା କରାଇଥାଏ । ଭକ୍ତ ନିଜର ବୁଦ୍ଧିକୁ, ଶାସ୍ତ୍ର ଏବଂ ଗୁରୁଙ୍କଠାରୁ ପାଇଥିବା ଜ୍ଞାନ ସହିତ ଯୋଡ଼ି ଦେଇଥାଏ, ଯଦ୍ୱାରା ତା’ର ସଂକଳ୍ପ ଏତେ ସୁଦୃଢ଼ ହୋଇଯାଏ ଯେ ସମଗ୍ର ସଂସାର ତା’ର ବିରୋଧ କଲେ ମଧ୍ୟ ସେମାନେ ନିଜ ଜାଗାରୁ ଇତସ୍ତତଃ ହୋଇ ନ ଥାନ୍ତି ।

ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ - ଆତ୍ମା ନିଜର ଅନ୍ତର୍ନିହିତ ସ୍ୱଭାବ ଅନୁଯାୟୀ ଭଗବାନଙ୍କର ଦାସ ଅଟେ । ଏହି ଜ୍ଞାନରେ ପ୍ରବୁଦ୍ଧ ହୋଇ ଆମେ ଭଗବାନଙ୍କ ପ୍ରତି ସମର୍ପିତ ହୋଇଯିବା ସ୍ୱାଭାବିକ । ଶରଣାଗତିରେ ମନ ଓ ବୁଦ୍ଧିର ସ୍ଥାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ସେମାନେ ଶରଣାଗତ ହୋଇଯାଆନ୍ତି, ଅବଶିଷ୍ଟ ବ୍ୟକ୍ତିତ୍ୱ - ଶରୀର, କର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ, ସାଂସାରିକ ପରିଗ୍ରହ ଏବଂ ଆତ୍ମା ସ୍ୱାଭାବିକ ଭାବରେ ତାଙ୍କ ସେବାରେ ସମର୍ପିତ ହୁଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଭକ୍ତଙ୍କ ଠାରେ ଏହିସବୁ ଗୁଣ ପ୍ରକାଶିତ ହୋଇଥାଏ, ସେମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!