ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋଦ୍ୱିଜତେ ଚ ଯଃ ।
ହର୍ଷାମର୍ଷଭୟୋଦ୍ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।୧୫।।
ଯସ୍ମାତ୍ - ଯାହାଙ୍କଠାରୁ; ନ-ନୁହେଁ; ଉଦ୍ୱିଜତେ - ଉଦ୍ବିଗ୍ନତା ପ୍ରାପ୍ତ ହୁଏ; ଲୋକଃ- ଲୋକମାନେ; ଲୋକାତ୍ - ଲୋକଙ୍କ ଠାରୁ; ନ-ନୁହେଁ; ଉଦ୍ୱିଜତେ - ବ୍ୟଥିତ; ଚ -ଏବଂ; ଯଃ - ଯିଏ; ହର୍ଷ -ହର୍ଷ ; ଅମର୍ଷ -ବିଷାଦ; ଭୟ-ଭୟ; ଉଦ୍ବେଗୈଃ - ଉଦ୍ବେଗରୁ; ମୁକ୍ତଃ - ମୁକ୍ତ; ଯଃ-ଯିଏ; ସଃ-ସେ; ଚ-ଏବଂ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।
BG 12.15: ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।
ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋଦ୍ୱିଜତେ ଚ ଯଃ ।
ହର୍ଷାମର୍ଷଭୟୋଦ୍ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।୧୫।।
ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆତ୍ମା ସ୍ୱଭାବତଃ ପବିତ୍ର ଏବଂ ବିଶୁଦ୍ଧ ଅଟେ । କିନ୍ତୁ ସମସ୍ୟା ଏହା ଯେ ସେ ଅଶୁଦ୍ଧ ମନ ଦ୍ୱାରା ଆବୃତ୍ତ ହୋଇଯାଇଛି । ସେହି ସବୁ ମଳୀନତା ଅପସରି ଗଲେ, ଆତ୍ମାର ଗରିମାମୟ ଗୁଣ ସ୍ୱତଃ ଉଦ୍ଭାସିତ ହୋଇଥାଏ । ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ;
ଯସ୍ୟାସ୍ତି ଭକ୍ତିର୍ ଭଗବତ୍ୟକିଞ୍ଚନା ସର୍ବେର୍ ଗୁଣୈସ୍ତତ୍ର ସମାସତେ ସୁରାଃ,
ହରାବଭକ୍ତସ୍ୟ କୁତୋ ମହଦ୍-ଗୁଣା ମନୋରଥେନାସତି ଧାବତୋ ବହିଃ । (୫-୧୮-୧୨)
“ଯେଉଁମାନେ ପରମାତ୍ମାଙ୍କଠାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନଙ୍କଠାରେ ସ୍ୱର୍ଗର ଦେବତାମାନଙ୍କର ସମସ୍ତ ଅଦ୍ଭୁତ ଗୁଣ ବିକଶିତ ହୋଇଥାଏ । କିନ୍ତୁ ଯେଉଁମାନେ ଭକ୍ତି କରନ୍ତି ନାହିଁ, ମନ ରୂପକ ରଥରେ ବସି ଘୂରି ବୁଲୁଥାଆନ୍ତି । (ଯେତେ ସବୁ ଆତ୍ମ-ସଂଶୋଧନର ଉପାୟ ଅଭ୍ୟାସ କଲେ ମଧ୍ୟ) ।” ଏଠାରେ ଶ୍ରୀକୃଷ୍ଣ, ତାଙ୍କ ଭକ୍ତଙ୍କଠାରେ ବିକଶିତ ହେଉଥିବା ଅନ୍ୟ ଗୁଣମାନଙ୍କର ବର୍ଣ୍ଣନା କରୁଛନ୍ତି ।
ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି - ଭକ୍ତି ହୃଦୟକୁ ଦ୍ରବିତ ଓ କୋମଳ କରେ, ତେଣୁ ଭକ୍ତମାନେ ସ୍ୱାଭାବିକ ଭାବରେ ସମସ୍ତଙ୍କ ପ୍ରତି ବ୍ୟବହାରରେ ଭଦ୍ର ଓ ନମ୍ର ହୁଅନ୍ତି । ଏତଦ୍ବ୍ୟତିତ, ସେମାନେ ସମସ୍ତଙ୍କୁ ଭଗବାନଙ୍କର କ୍ଷୁଦ୍ର ଅଂଶ ମନେକରି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖନ୍ତି । ତେଣୁ ସେମାନେ କାହାର ଅନିଷ୍ଟ କରିବା କଥା ଚିନ୍ତା କରି ପାରନ୍ତି ନାହିଁ ।
କାହା ଦ୍ୱାରା କ୍ଷୁବ୍ଧ ହୁଅନ୍ତି ନାହିଁ - ଭକ୍ତମାନେ କାହାର ଅନିଷ୍ଟ କରନ୍ତି ନାହିଁ, ତା’ର ଅର୍ଥ ଏହା ନୁହେଁ ଯେ ଅନ୍ୟମାନେ ତାଙ୍କର ଅନିଷ୍ଟ କରିବେ ନାହିଁ । ସାରା ପୃଥିବୀର ମହାପୁରୁଷମାନଙ୍କର ଇତିହାସ ଏହା ଦର୍ଶାଇ ଥାଏ ଯେ ସେମାନଙ୍କର କଲ୍ୟାଣକର କାର୍ଯ୍ୟ ଏବଂ ସିଦ୍ଧାନ୍ତ ଯେଉଁମାନଙ୍କୁ ଆତଙ୍କିତ କରିଥାଏ, ସେମାନେ ସେହି ମହାପୁରୁଷମାନଙ୍କୁ ନାନା ପ୍ରକାରରେ ଉତ୍ପୀଡ଼ିତ କରିଥାନ୍ତି । ତଥାପି ମହାପୁରୁଷମାନେ ସେମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି । କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, “ହେ ପିତା! ସେମାନଙ୍କୁ କ୍ଷମା କରିଦିଅନ୍ତୁ, କାରଣ ସେମାନେ କ’ଣ କରୁଛନ୍ତି ତାହା ସେମାନଙ୍କୁ ଜଣାନାହିଁ ।” (ଲ୍ୟୁକ୍ ୨୩.୩୪)
ହର୍ଷ ଓ ବିଷାଦ ସମତୁଲ୍ୟ - ଭକ୍ତମାନେ ଶାସ୍ତ୍ରଜ୍ଞାନରେ ସମୃଦ୍ଧ ଥାଆନ୍ତି । ତେଣୁ ସେମାନେ ଜାଣନ୍ତି ଯେ ଗ୍ରୀଷ୍ମ ଏବଂ ଶୀତ ଋତୁ ପରି ଉଭୟ ହର୍ଷ ଏବଂ ବିଷାଦ ଜୀବନର ପ୍ରବାହରେ ଅବଶ୍ୟମ୍ଭାବୀ ଅଟେ । ସେଥିପାଇଁ ସେମାନଙ୍କର ଅଜସ୍ର ସକାରାତ୍ମକ ବିଚାର ଦ୍ୱାରା, ସେମାନେ ଉଭୟ କ୍ଷେତ୍ରରେ ଭଗବାନଙ୍କ କୃପାର ଦର୍ଶନ କରି ସମସ୍ତ ପରିସ୍ଥିତିକୁ ତାଙ୍କର ଭକ୍ତି ବୃଦ୍ଧି କରିବାରେ ବ୍ୟବହାର କରିଥାଆନ୍ତି ।
ଭୟ ଓ ଉତ୍କଣ୍ଠା ମୁକ୍ତ - ଭୟ ଓ ଉତ୍କୃଣ୍ଠାର କାରଣ ଆସକ୍ତି ଅଟେ । ଯେଉଁ ସାଂସାରିକ ବସ୍ତୁ ପ୍ରତି ଆମେ ଆସକ୍ତ, ତା’ର ପ୍ରାପ୍ତି ନିମନ୍ତେ ଆମ ମନ ବ୍ୟାକୁଳ ବା ଉତ୍କଣ୍ଠିତ ରହିଥାଏ ଏବଂ ତା’ର ବିୟୋଗ ଆଶଙ୍କାରେ ଆମ ମନ ଭୟଭୀତ ରହିଥାଏ । ଭୌତିକ ବସ୍ତୁ ପ୍ରତି ଆମର ଆସକ୍ତି ସମାପ୍ତ ହୋଇଯିବା କ୍ଷଣି ଆମେ ଉତ୍କଣ୍ଠା ଓ ଭୟଶୂନ୍ୟ ହୋଇଯାଏ । ଭକ୍ତମାନଙ୍କର କେବଳ ଆସକ୍ତି ସମାପ୍ତ ହୋଇ ନ ଥାଏ, ବରଂ ସେମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥିବା କାରଣରୁ, ନିଜକୁ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ଅନୁଭବ କରିଥାଆନ୍ତି ।