Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 18-19

ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।
ଶୀତୋଷ୍ଣସୁଖଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ।।୧୮।।
ତୁଲ୍ୟନିନ୍ଦାସ୍ତୁତିର୍ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।
ଅନିକେତଃ ସ୍ଥିରମତିର୍ଭକ୍ତିମାନ୍‌ମେ ପ୍ରିୟୋ ନରଃ ।।୧୯।।

ସମଃ -ସମାନ; ଶତ୍ରୌ - ଶତ୍ରୁମାନଙ୍କ ପାଇଁ; ଚ -ଏବଂ; ମିତ୍ରେ -ବନ୍ଧୁମାନଙ୍କ ପାଇଁ; ଚ-ଏବଂ; ତଥା -ତଥା; ମାନ-ସମ୍ମାନ; ଅପମାନୟୋଃ - ଅପମାନ; ଶୀତ-ଶୀତ; ଉଷ୍ଣ-ଗ୍ରୀଷ୍ମ; ସୁଖ-ସୁଖରେ; ଦୁଃଖେଷୁ -ଦୁଃଖରେ; ସମଃ -ସମଭାବାପନ୍ନ; ସଙ୍ଗ ବିବର୍ଜିତଃ - ସମସ୍ତ ସଙ୍ଗରୁ ମୁକ୍ତ; ତୁଲ୍ୟ -ସମାନ; ନିନ୍ଦା-ନିନ୍ଦା; ସ୍ତୁତି - ପ୍ରଶଂସା; ମୌନୀ- ନୀରବ; ସନ୍ତୁଷ୍ଟଃ - ସନ୍ତୁଷ୍ଟ; ଯେନ-କେନ - ଯେ କୌଣସି ପ୍ରକାରେ;ଚିତ୍ -ଯଦି; ଅନିକେତଃ - ବାସସ୍ଥାନ ପ୍ରତି ଅନାସକ୍ତି; ସ୍ଥିର- ସ୍ଥିର; ମତିଃ - ବୁଦ୍ଧି; ଭକ୍ତିମାନ୍ -ଭକ୍ତିଯୁକ୍ତ; ମେ-ମୋର; ପ୍ରିୟଃ -ପ୍ରିୟ; ନରଃ -ମନୁଷ୍ୟ ।

Translation

BG 12.18-19: ଯେଉଁମାନେ ମିତ୍ର ଏବଂ ଶତ୍ରୁଙ୍କ ପ୍ରତି ସମଭାବ ପ୍ରଦର୍ଶନ କରନ୍ତି; ଯେଉଁମାନେ ମାନ ଓ ଅପମାନ, ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖରେ ସମଭାବାପନ୍ନ ରହନ୍ତି; କୁସଙ୍ଗରୁ ଦୂରରେ ରହନ୍ତି; ଯେଉଁମାନେ ନୀରବ ରହି ସାଧନାରତ ଥାଆନ୍ତି; ଯାହା କିଛି ତାଙ୍କୁ ଉପଲବ୍ଧ, ସେଥିରେ ସନ୍ତୁଷ୍ଟ ରହନ୍ତି; ବାସସ୍ଥାନ ପ୍ରତି ଆସକ୍ତ ହୁଅନ୍ତି ନାହିଁ; ଯାହାର ବୁଦ୍ଧି ଦୃଢ଼ ଭାବରେ ମୋଠାରେ ସ୍ଥିର ଥାଏ ଏବଂ ଯେଉଁମାନଙ୍କର ମୋ ପ୍ରତି ପ୍ରଗାଢ଼ ଭକ୍ତି ଥାଏ, ସେହିପରି ବ୍ୟକ୍ତିଗଣ ମୋର ଅତିପ୍ରିୟ ଅଟନ୍ତି ।

Commentary

ଶ୍ରୀକୃଷ୍ଣ ଏଠାରେ ଭକ୍ତମାନଙ୍କର ଅନ୍ୟ ଦଶଟି ଗୁଣ ବର୍ଣ୍ଣନା କରୁଛନ୍ତି ।

ମିତ୍ର ଓ ଶତ୍ରୁଙ୍କ ପ୍ରତି ସମଭାବ - ଭକ୍ତମାନେ ସମସ୍ତଙ୍କ ପ୍ରତି ସକାରାତ୍ମକ ଭାବନା ରଖିଥାନ୍ତି ଏବଂ କାହା ପ୍ରତି ଶତ୍ରୁତା ବା ମିତ୍ରତାର ଭାବନାରେ ଭାସି ଯାଆନ୍ତି ନାହିଁ । ଏ ସମ୍ପର୍କରେ ପ୍ରହ୍ଲାଦଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ଅଛି । ଏକଦା ତାଙ୍କ ପୁତ୍ର ବିରୋଚନଙ୍କର ତାଙ୍କ ଗୁରୁପୁତ୍ର ସୁଧନ୍ୱାଙ୍କ ସହିତ ଯୁକ୍ତିତର୍କ ହେଲା । ବିରୋଚନ କହିଲେ, ମୁଁ ତୁମଠାରୁ ଶ୍ରେଷ୍ଠ କାରଣ ମୁଁ ଜଣେ ରାଜପୁତ୍ର ଅଟେ । ସୁଧନ୍ୱା ଦାବିକଲେ, “ମୁଁ ଶ୍ରେଷ୍ଠ, କାରଣ ମୁଁ ଏକ ଋଷିପୁତ୍ର ଅଟେ ।” ଉଭୟ ଯୁବକ ଥିଲେ ଏବଂ ଆବେଗବଶତଃ, ସେମାନେ ବାଜି ଲଗାଇଲେ,  “ଯିଏ ଶ୍ରେଷ୍ଠ ସାବ୍ୟସ୍ତ ହେବ, ସେ ଜୀବିତ ରହିବ ଏବଂ ଅନ୍ୟ ଜଣକ ମୃତ୍ୟୁ ବରଣ କରିବ ।” ଏବେ ବିଚାରପତି କିଏ ହେବେ? ସୁଧନ୍ୱା ବିରୋଚନଙ୍କୁ କହିଲେ, “ତୁମ ପିତା ପ୍ରହ୍ଲାଦ ବିଚାରପତି ହେବେ ।” ବିରୋଚନ ଆଶ୍ଚର୍ଯ୍ୟ ହେଲେ, “ସତରେ! କିନ୍ତୁ ତୁମେ ଅଭିଯୋଗ କରିବ ଯେ ସେ ପକ୍ଷପାତିତା କଲେ ।” “ନା, ମୋ ପିତା ଋଷି ଅଙ୍ଗିରା କହନ୍ତି ଯେ ତୁମ ପିତା ପ୍ରହ୍ଲାଦ ନ୍ୟାୟପରାୟଣ ଅଟନ୍ତି, ଏବଂ ଶତ୍ରୁ ବା ମିତ୍ରଙ୍କ ମଧ୍ୟରେ କେବେ ହେଲେ ଭେଦଭାବ କରନ୍ତି ନାହିଁ ।”

ଦୁହେଁ ପ୍ରହ୍ଲାଦଙ୍କ ପାଖକୁ ଗଲେ । ବିରୋଚନ କହିଲେ “ହେ ପିତା! ମୁଁ ଏବଂ ସୁଧନ୍ୱାଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ?” ପ୍ରହ୍ଲାଦ କହିଲେ, “ ଏ ପ୍ରଶ୍ନ କାହିଁକି ଉଠିଲା?” “ପିତାଜୀ! ଆମେ ବାଜି ଲଗାଇଛୁ, ଯିଏ ଶ୍ରେଷ୍ଠ ପ୍ରମାଣିତ ହେବ, ସେ ଜୀବିତ ରହିବ ଏବଂ ଅନ୍ୟ ଜଣକ ମୃତ୍ୟୁବରଣ କରିବ ।” ପ୍ରହ୍ଲାଦ ସ୍ମିତହାସ୍ୟ କରି ଉତ୍ତର ଦେଲେ, “ତୁମ ବନ୍ଧୁ ସୁଧନ୍ୱା ଶ୍ରେଷ୍ଠ ଅଟନ୍ତି, କାରଣ ସେ ତୁମ ପିତାଙ୍କ ଗୁରୁପୁତ୍ର ଅଟନ୍ତି ।” ପ୍ରହ୍ଲାଦ ତାଙ୍କ ସେବକମାନଙ୍କୁ ଆଜ୍ଞାଦେଲେ, “ମୋ ପୁତ୍ରକୁ ଫାଶୀ ଖୁଣ୍ଟକୁ ନେଇ ଫାଶୀ ଦିଅ ।”

ସେହି ସମୟରେ, ସୁଧନ୍ୱା ହସ୍ତକ୍ଷେପ କରି ପ୍ରହ୍ଲାଦଙ୍କୁ କହିଲେ, “ଅପେକ୍ଷା କର ।” “ମୋର ଏକ ଦ୍ୱିତୀୟ ପ୍ରଶ୍ନ ଅଛି, ମୁଁ ଆପଣଙ୍କଠାରୁ ଶ୍ରେଷ୍ଠ କି? ପ୍ରହ୍ଲାଦ ଉତ୍ତର ଦେଲେ “ମୁଁ ଦୈତ୍ୟ ପରିବାରରେ ଜନ୍ମ ନେଇଛି, କିନ୍ତୁ ଆପଣ ଋଷିପୁୂତ୍ର ଏବଂ ମୋର ଗୁରୁପୁତ୍ର ଅଟନ୍ତି । ତେଣୁ ଆପଣ ଶ୍ରେଷ୍ଠ ଅଟନ୍ତି ।” ସୁଧନ୍ୱା ପୁଣି କହିଲେ, “ସେ କ୍ଷେତ୍ରରେ, ଆପଣ ମୋର ଆଦେଶ ମାନିବେ କି ?” “ହଁ ନିଶ୍ଚିତ ଭାବେ” ପ୍ରହ୍ଲାଦ ଉତ୍ତର ଦେଲେ । “ତାହେଲେ, ବିରୋଚନଙ୍କୁ ମୁକ୍ତ କରନ୍ତୁ” ସୁଧନ୍ୱା କହିଲେ । ପ୍ରହ୍ଲାଦ ତାଙ୍କ ସେବକମାନଙ୍କୁ କହିଲେ, “ତାଙ୍କୁ ମୁକ୍ତ କର ।” ଏହା ସେ ଠିକ୍ ସେହିପରି କହିଥିଲେ, ଯେପରି “ତାଙ୍କୁ ଫାଶିଖୁଣ୍ଟକୁ ନିଅ” କହିଥିଲେ ।

ସ୍ୱର୍ଗର ଦେବତାଗଣ ତାଙ୍କ ଦରବାରରେ ପୁଷ୍ପବୃଷ୍ଟି କଲେ ଏବଂ ପ୍ରହ୍ଲାଦଙ୍କ ନ୍ୟାୟର ଉଚ୍ଚ ପ୍ରଶଂସା କଲେ । ନ୍ୟାୟ ପ୍ରତି ତାଙ୍କର ମନୋଭାବ ସ୍ୱାଭାବିକ ଥିଲା, କାରଣ ପ୍ରହ୍ଲାଦ ଭଗବାନଙ୍କର ଜଣେ ଉତ୍ତମ ଭକ୍ତ ହୋଇଥିବାରୁ ସେ ଶତ୍ରୁ, ମିତ୍ର, ପରିଜନ, ବନ୍ଧୁବାନ୍ଧବ, ଆତ୍ମୀୟ ଏବଂ ବାହାରର ବ୍ୟକ୍ତି ସମସ୍ତଙ୍କ ପ୍ରତି ସମାନ ଭାବ ପୋଷଣ କରୁଥିଲେ ।

ମାନ ଓ ଅପମାନରେ ସମଭାବାପନ୍ନ । ପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି, ଭକ୍ତମାନେ ମାନ ଓ ଅପମାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହା, ଜଣେ ବ୍ୟକ୍ତି କୌଣସି ଅନୈତିକ ସଂପର୍କ ସ୍ଥାପନ କରିବା ପରି ଅଟେ । ଆରମ୍ଭରେ ଅନ୍ୟବ୍ୟକ୍ତିମାନେ କ’ଣ କହିବେ ବୋଲି ସେ ସତର୍କ ଥାଏ । କିନ୍ତୁ ଯେତେବେଳେ ସମ୍ପର୍କ ନିବିଡ଼ ହୁଏ, ସେ ତା’ର ଅସମ୍ମାନ ପ୍ରତି ଖାତିର କରେନାହିଁ । ସେହିପରି ଭକ୍ତ ହୃଦୟରେ ଦିବ୍ୟ ପ୍ରେମର ଶିଖା ଏପରି ଉଦୀପ୍ତ ରହିଥାଏ ଯେ ତାଙ୍କ ପାଇଁ ସାଂସାରିକ ମାନ ବା ଅପମାନର କୌଣସି ମହତ୍ତ୍ୱ ନ ଥାଏ ।

ଶୀତ ଓ ଉଷ୍ଣ, ଆନନ୍ଦ ଓ ଦୁଃଖରେ ସମଭାବ - ଭକ୍ତମାନେ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ ରହନ୍ତି । ସେମାନେ ଜାଣନ୍ତି ଯେ କୌଣସିଟି ମଧ୍ୟ ସ୍ଥାୟୀ ନୁହେଁ । ଦିନ ଓ ରାତି ପରି ଏମାନେ ଯାଆନ୍ତି ଏବଂ ଆସନ୍ତି । ତେଣୁ ଭଗବାନଙ୍କ ଠାରୁ ଧ୍ୟାନ ହଟାଇ ସେସବୁ ପ୍ରତି ଧ୍ୟାନ ଦେବାକୁ ସେମାନେ ଆବଶ୍ୟକ ମନେ କରନ୍ତି ନାହିଁ । ରାମକୃଷ୍ଣ ପରମହଂସଙ୍କ ଜୀବନର ଏକ ଘଟଣା ମହାପୁରୁଷମାନଙ୍କର ଏହି ଗୁଣକୁ ଦର୍ଶାଇଥାଏ । ବୃଦ୍ଧ ବୟସରେ ତାଙ୍କ ଗଳାରେ କର୍କଟ ରୋଗ ହୋଇଥିଲା । ଲୋକମାନେ ତାଙ୍କୁ କହିଲେ, ମା’ କାଳୀଙ୍କୁ ପ୍ରାର୍ଥନା କରି, ଆପଣଙ୍କୁ ଆରୋଗ୍ୟ କରିଦେବାକୁ ଅନୁରୋଧ କରନ୍ତୁ । ସେ କହିଲେ “ମୋର ମନ ମା’ କାଳୀଙ୍କ ପ୍ରତି ପ୍ରେମରେ ପୂର୍ଣ୍ଣ ରହିଛି । ମୁଁ କାହିଁକି ତାକୁ ମା’ କାଳୀଙ୍କ ଠାରୁ ହଟାଇ, ଶରୀରର ଏହି କୁତ୍ସିତ କର୍କଟ ରୋଗରେ ଲଗାଇବି ? ଯାହା ଭଗବାନଙ୍କର ଇଚ୍ଛା, ତାହା ହେବାକୁ ଦିଅ ।”

କୁସଙ୍ଗରୁ ଦୂରରେ ରହିବା - ବ୍ୟକ୍ତି ବା ବସ୍ତୁ ସହିତ ସମ୍ପର୍କ ଯୋଡ଼ିବାକୁ ସଙ୍ଗ କୁହାଯାଏ । ସଙ୍ଗ ଦୁଇ ପ୍ରକାର ଅଟେ । ଯେଉଁ ସମ୍ପର୍କ ଆମକୁ ସଂସାର ଦିଗକୁ ନେଇଯାଏ, ତାକୁ କୁସଙ୍ଗ କୁହାଯାଏ ଏବଂ ଯେଉଁ ସମ୍ପର୍କ ଆମ ମନକୁ ସଂସାରରୁ ହଟାଇ ଭଗବାନଙ୍କ ଆଡ଼କୁ ନେଇଯାଏ ତାହାକୁ ସତ୍‌ସଙ୍ଗ  କୁହାଯାଏ । ଯେହେତୁ ଭକ୍ତମାନେ ସଂସାରର ସୁଖକୁ ପସନ୍ଦ କରନ୍ତି ନାହିଁ, ତେଣୁ ସେମାନେ ସ୍ୱାଭାବିକ ଭାବେ କୁସଙ୍ଗରୁ ଦୂରରେ ରହନ୍ତି ଏବଂ ସତ୍‌ସଙ୍ଗରେ ନିୟୋଜିତ ରହନ୍ତି ।

ପ୍ରଶଂସା ଓ ନିନ୍ଦା ପ୍ରତି ସମଭାବ - ଯେଉଁମାନେ ବାହ୍ୟ ଜଗତ ଦ୍ୱାରା ପ୍ରେରିତ ହୋଇଥାଆନ୍ତି, ସେମାନଙ୍କ ପାଇଁ ଅନ୍ୟମାନଙ୍କର ନିନ୍ଦା ବା ପ୍ରଶଂସା ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଭକ୍ତମାନେ ତାଙ୍କ ନିଜର ନୀତି ଏବଂ ମୂଲ୍ୟବୋଧ ଦ୍ୱାରା ଅଭ୍ୟନ୍ତରରୁ ପ୍ରେରିତ ହୋଇଥାଆନ୍ତି । ତେଣୁ ଅନ୍ୟମାନଙ୍କର ପ୍ରଶଂସା ବା ନିନ୍ଦା ତାଙ୍କର ଆଚରଣରେ କୌଣସି ପାର୍ଥକ୍ୟ ସୃଷ୍ଟି କରେନାହିଁ ।

ନୀରବରେ ସାଧନାରତ - କୁଆ ଏବଂ ହଂସର ରୁଚି ସମ୍ପୂର୍ଣ୍ଣ ବିପରୀତ ଅଟେ । କୁଆ ଅଳିଆ ଗଦା ପ୍ରତି ଆକର୍ଷିତ ହେଉଥିବା ବେଳେ, ସୁନ୍ଦର ହଂସଟି ଶାନ୍ତ ହ୍ରଦ ପ୍ରତି ଆକର୍ଷିତ ହୋଇଥାଏ । ସେହିପରି ସାଂସାରିକ ମନୁଷ୍ୟମାନଙ୍କର ମନ ଭୌତିକ ବିଷୟର ଚର୍ଚ୍ଚାରୁ ରସାସ୍ୱାଦନ କରିଥାଏ । କିନ୍ତୁ ସନ୍ଥ ସଦୃଶ ଭକ୍ତମାନେ ଶୁଦ୍ଧ ଅନ୍ତଃକରଣ ଯୁକ୍ତ ହୋଇଥିବା ଦୃଷ୍ଟିରୁ ସାଂସାରିକ ଆଳାପ-ଆଲୋଚନା ସେମାନଙ୍କୁ ଅଳିଆଗଦା ସଦୃଶ ଅସନା ମନେ ହୋଇଥାଏ । ଏହାର ଅର୍ଥ ନୁହେଁ ଯେ ସେମାନେ କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ । ହଂସ ହ୍ରଦଆଡ଼କୁ ଆକର୍ଷିତ ହେବା ପରି ସେମାନଙ୍କର ମନ ଭଗବାନଙ୍କର ନାମ, ରୂପ, ଲୀଳା, ଗୁଣ ଆଦି ବିଷୟ ପ୍ରତି ଆକର୍ଷିତ ହୋଇଥାଏ ।

ଯାହା କିଛି ମିଳେ, ସେଥିରେ ତୃପ୍ତ - ଭକ୍ତର ଆବଶ୍ୟକତା ଶରୀର ପୋଷଣ ନିମନ୍ତେ ସର୍ବନିମ୍ନ ଯେତିକି ଆବଶ୍ୟକ, ସେତିକିରେ ସୀମିତ ରହିଥାଏ । ସନ୍ଥ କବୀର ତାଙ୍କ ଦୋହାରେ ଏହାକୁ ପ୍ରକାଶ କରିଛନ୍ତି ।

ମାଲିକ ଇତନା ଦୀଜିୟେ, ଯାମେ କୁଟୁମ୍ବ ସମାୟ ।
ମୈ ଭୀ ଭୂଖା ନ ରହୂଁ, ସାଧୁ ନ ଭୂଖା ଜାୟେ ।

“ହେ ପ୍ରଭୁ ! ମୋତେ କେବଳ ସେତିକି ଦିଅନ୍ତୁ, ଯେତିକିରେ ମୋ ପରିବାରର ଶାରୀରିକ ଆବଶ୍ୟକତା ପୂର୍ଣ୍ଣ ହୋଇପାରିବ ତଥା ମୋ ଦ୍ୱାରକୁ ଆସୁଥିବା ସାଧୁମାନଙ୍କୁ ମୁଁ ଭିକ୍ଷା ଦେଇପାରିବି ।”

ବାସସ୍ଥାନ ପ୍ରତି ଅନାସକ୍ତି - ସଂସାରର କୌଣସି ଗୃହ, ଜୀବର ଚିରନ୍ତନ ବାସସ୍ଥାନ ନୁହେଁ, କାରଣ ମୃତ୍ୟୁରେ ତାହାକୁ ନିଶ୍ଚିତ ଭାବରେ ତ୍ୟାଗ କରିବାକୁ ପଡ଼ିବ । ଯେତେବେଳେ ମୋଗଲ ସମ୍ରାଟ ଆକବର ତାଙ୍କର ରାଜଧାନୀ ଭାବରେ ଫତେପୁର ସିକ୍ରିର ନିର୍ମାଣ କଲେ,  ମୁଖ୍ୟ ପ୍ରବେଶ ଦ୍ୱାରରେ ସେ ଏହା ଲିପିବଦ୍ଧ କରିଥିଲେ: “ସଂସାର ଏକ ସେତୁ ତୁଲ୍ୟ ଅଟେ, ଏହାକୁ ପାର କର, କିନ୍ତୁ ଏହା ଉପରେ କୌଣସି ଗୃହ ନିର୍ମାଣ କରନାହିଁ ।” ସେହି ଅର୍ଥରେ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ଲେଖିଛନ୍ତି:

ଜଗ ମେ ରହୋ ଐସେ ଗୋବିନ୍ଦ ରାଧେ, ଧର୍ମଶାଳା ମେଁ ଯାତ୍ରୀ ରହେଁ ଜ୍ୟୋଁ ବତା ଦେ ।

(ରାଧା ଗୋବିନ୍ଦ ଗୀତ)

“ଜଣେ ଯାତ୍ରୀ ଧର୍ମଶାଳାରେ (ଯେଉଁଠି ସେ ଜାଣିଥାଏ ଯେ ପର ଦିନ ସକାଳେ ଏହାକୁ ଖାଲି କରିବାକୁ ପଡ଼ିବ) ରହିବା ପରି, ସଂସାରରେ ବାସ କର । ଏହି ବାକ୍ୟର ସତ୍ୟତା ଅନୁଭବ କରି, ଭକ୍ତମାନେ ତାଙ୍କ ଗୃହକୁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବିଥାଆନ୍ତି ।

ବୁଦ୍ଧି ମୋ ଠାରେ ଦୃଢ଼ ଭାବେ ସ୍ଥିତ - ସୃଷ୍ଟିରେ ଭଗବାନଙ୍କ ସ୍ଥିତିର ସର୍ବୋଚ୍ଚତା ଏବଂ ତାଙ୍କ ସହିତ ସେମାନଙ୍କର ନିତ୍ୟ ସମ୍ବନ୍ଧରେ ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଥାଏ । ତାଙ୍କର ଏହି ଦୃଢ଼ ବିଶ୍ୱାସ ମଧ୍ୟ ଥାଏ ଯେ ଅନୁରାଗର ସହିତ ଯଦି ସେମାନେ ଭଗବାନଙ୍କର ଶରଣାଗତ ହୁଅନ୍ତି, ତେବେ ଭଗବତ୍ କୃପା ବଳରେ ସେମାନେ ସର୍ବୋଚ୍ଚ ଅନୁଭୂତି ଲାଭ କରିପାରିବେ । ତେଣୁ ସେମାନେ ଗୋଟିଏ ଲକ୍ଷ୍ୟରୁ ଅନ୍ୟ ଏକ ଲକ୍ଷ୍ୟକୁ କିମ୍ବା ଗୋଟିଏ ମାର୍ଗରୁ ଅନ୍ୟ ଏକ ମାର୍ଗକୁ ଘୂରି ବୁଲନ୍ତି ନାହିଁ । ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି, ଏପରି ଦୃଢ଼ମନା ଭକ୍ତମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!