Contact: +91 844 894 1008
bgwebsite_logo
Bhagavad Gita
The Song of God

Chapter 13: କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

ଭଗବଦ୍ ଗୀତାରେ ଅଠରଟି ଅଧ୍ୟାୟ ରହିଛି ଯାହାକୁ ତିନୋଟି ବିଭାଗରେ ସମନ୍ୱିତ କରାଯାଇ ପାରିବ । ପ୍ରଥମ ବିଭାଗ ଅନ୍ତର୍ଗତ ପ୍ରଥମ ଛଅଗୋଟି ଅଧ୍ୟାୟ କର୍ମଯୋଗର ବର୍ଣ୍ଣନା କରିଥାଏ । ଦ୍ୱିତୀୟ ବିଭାଗର ଛଅଟି ଅଧ୍ୟାୟରେ ଭକ୍ତିର  ମହିମା ଏବଂ ଭକ୍ତିକୁ ପରିପୁଷ୍ଟ କରିବା ପାଇଁ ଭଗବାନଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯାଇଛି । ତୃତୀୟ ବିଭାଗର ଛଅଟି ଅଧ୍ୟାୟ ତତ୍ତ୍ୱଜ୍ଞାନର ବ୍ୟାଖ୍ୟା କରିଥାଏ । ବର୍ତ୍ତମାନର ଏହି ଅଧ୍ୟାୟଟି ତୃତୀୟ ବିଭାଗର ପ୍ରଥମ ଅଧ୍ୟାୟ ଅଟେ । ଏଥିରେ ଦୁଇଟି ନୂତନ ଶବ୍ଦର ପ୍ରୟୋଗ କରାଯାଇଛି: କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା) । ଆମେ ସାଧଶରଣତଃ ଶରୀରକୁ କ୍ଷେତ୍ର ଏବଂ କ୍ଷେତ୍ରର ଜ୍ଞାତା ଭାବରେ ଆତ୍ମାକୁ ଅଭିହିତ କରିଥାଉ । କିନ୍ତୁ ଏହା ଏକ ସରଳୀକୃତ ବ୍ୟାଖ୍ୟା ଅଟେ, କାରଣ କ୍ଷେତ୍ରର ପରିସୀମା ଏହାଠାରୁ ବହୁତ ଅଧିକ । ମନ, ବୁଦ୍ଧି, ଅହଂକାର ଏବଂ ଆମ ବ୍ୟକ୍ତିତ୍ୱରେ ଥିବା ମାୟା ଶକ୍ତିର ଅନ୍ୟ ସବୁ ଅଂଶ ଏହାର ଅନ୍ତର୍ଭୁକ୍ତ । ବ୍ୟାପକ ଅର୍ଥରେ, କ୍ଷେତ୍ରଜ୍ଞ ବା ଆତ୍ମା ବ୍ୟତୀତ ଆମ ବ୍ୟକ୍ତିତ୍ୱର ଅନ୍ୟ ସମସ୍ତ ବିଭାଗ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ ।

ଯେପରି ଜଣେ କୃଷକ କ୍ଷେତରେ ବୀଜ ରୋପଣ କରି ସେଥିରୁ ଉତ୍ତମ ଶସ୍ୟ ଉତ୍ପାଦନ କରେ, ସେହିପରି ଆମେ ଶରୀରର କ୍ଷେତ୍ରରେ ସୁ ଏବଂ କୁବିଚାର ତଥା କର୍ମ ରୋପଣ କରିଥାଉ ଏବଂ ପରବର୍ତ୍ତୀ ଜନ୍ମରେ ଭାଗ୍ୟ ରୂପରେ ତାହାର ଆମଦାନୀ କରିଥାଉ । ବୁଦ୍ଧଦେବ ବର୍ଣ୍ଣନା କରିଥିଲେ: “ଆମେ ଯାହା ବି ଅଟୁ ତାହା ଆମ ବିଚାରର ଫଳ ଅଟେ; ବିଚାର ଏହାର ମୂଳଦୁଆ ଏବଂ ବିଚାର ଦ୍ୱାରା ଏହା ଗଠିତ ।” ତେଣୁ ଆମେ ଯେପରି ବିଚାର ମନକୁ ଆଣିବା, ଆମେ ସେହିପରି ହୋଇଯିବା । ଆମେରିକାର ପ୍ରସିଦ୍ଧ ବିଦ୍ୱାନ, ରାଲ୍‌ଫ ୱାଲଡ଼ୋ ଇମରସନ୍‌, କହିଥିଲେ: “ସମସ୍ତ କର୍ମର ପୂର୍ବଜ ବିଚାର ଅଟେ ।” ସୁତରାଂ, ଆମର ଶରୀର ରୂପକ କ୍ଷେତ୍ରରେ ଆମେ ଉପଯୁକ୍ତ ଚିନ୍ତନ ଏବଂ କର୍ମ ରୋପଣ କରିବାର କୌଶଳ ଶିକ୍ଷା କରିବା ଉଚିତ । ଏଥିପାଇଁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ପାର୍ଥକ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରିଛନ୍ତି । ସେ ମାୟିକ ପ୍ରକୃତିର ଉପାଦାନଗୁଡ଼ିକର ବର୍ଣ୍ଣନା କରିଛନ୍ତି ଯାହାକୁ ନେଇ ଶରୀରର କ୍ଷେତ୍ର ଗଠିତ । କ୍ଷେତ୍ର ମଧ୍ୟରେ, ଆବେଗ, ମନୋଭାବ, ଅନୁଭବ ରୂପରେ ଜାତ ହେଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି । ସେ ସତ୍‌କର୍ମ ଓ ସଦ୍‌ଗୁଣ, ଯାହା କ୍ଷେତ୍ରକୁ ଶୁଦ୍ଧ କରେ ଏବଂ ଜ୍ଞାନର ଆଲୋକରେ ଏହାକୁ ଆଲୋକିତ କରେ, ସେହି ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଆମକୁ କ୍ଷେତ୍ରର ଜ୍ଞାତା ଆତ୍ମା ସମ୍ବନ୍ଧରେ ଜାଣିବାକୁ ସାହାଯ୍ୟ କରେ । ତାପରେ ଏହି ଅଧ୍ୟାୟଟି ଭଗବାନଙ୍କର ବର୍ଣ୍ଣନା କରୁଅଛି, ଯିଏ କି ସମସ୍ତ ପ୍ରାଣୀଙ୍କ କ୍ଷେତ୍ରର ସର୍ବୋଚ୍ଚ ଜ୍ଞାତା ଅଟନ୍ତି । ଭଗବାନ ବିରୋଧୀ ଗୁଣର ଅଧିଷ୍ଠାନ ଅଟନ୍ତି; ଅର୍ଥାତ୍ ସେ ଏକ ସମୟରେ ବିପରୀତ ଗୁଣ ଧାରଣ କରନ୍ତି । ସେ ଏହି ସୃଷ୍ଟିରେ ସର୍ବତ୍ର ବ୍ୟାପ୍ତ, ତଥାପି ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ।

ଆତ୍ମା, ପରମାତ୍ମା ଏବଂ ମାୟିକ ପ୍ରକୃତି ବିଷୟରେ ବର୍ଣ୍ଣନା କରିବା ପରେ, ଏମାନଙ୍କ ମଧ୍ୟରୁ କେଉଁଟି ଜୀବର କର୍ମପାଇଁ ଦାୟୀ ଏବଂ କେଉଁଟି ବୃହତ୍ତର ଦୃଷ୍ଟିରୁ ସଂସାରର କାର୍ଯ୍ୟ ଓ କାରଣ ପାଇଁ ଦାୟୀ, ସେ ବିଷୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି । ଯେଉଁମାନେ ଏହି ପାର୍ଥକ୍ୟକୁ ହୃଦୟଙ୍ଗମ କରିପାରନ୍ତି, ଏବଂ କାର୍ଯ୍ୟର କାରଣକୁ ସଠିକ୍ ନିରୂପଣ କରିପାରନ୍ତି, ସେମାନେ ବାସ୍ତବରେ ଦେଖନ୍ତି ଏବଂ ସେମାନେ ହିଁ ଜ୍ଞାନରେ ସ୍ଥିତ ହୁଅନ୍ତି । ସେମାନେ ସମସ୍ତ ପ୍ରାଣୀଙ୍କଠାରେ ପରମାତ୍ମାଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ପାରନ୍ତି ଏବଂ ମନ ଦ୍ୱାରା ନିଜର ପତନ କରନ୍ତି ନାହିଁ ଏବଂ ଯେତେବେଳେ ସେମାନେ ଦେଖନ୍ତି ଯେ ସମାନ ଆଧ୍ୟାତ୍ମିକ ଆଧାର ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୋଇଛି, ସେତେବେଳେ ସେମାନେ ବ୍ରହ୍ମାନୁଭୂତି ଲାଭ କରନ୍ତି ।

Bhagavad Gita 13.1 View Commentary » View »

ଅର୍ଜୁନ କହିଲେ, “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ?”

Bhagavad Gita 13.2 View Commentary » View »

ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ । ଏହା ଉଭୟର ସତ୍ୟତା ଉପଲବ୍ôଧ କରିଥିବା, ଜ୍ଞାନୀ ମହାପୁରୁଷମାନେ କହନ୍ତି ।

Bhagavad Gita 13.3 View Commentary » View »

ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି କ୍ଷେତ୍ରର ଜ୍ଞାତା ଭାବରେ ଜାଣିବା, ବାସ୍ତବିକ ଜ୍ଞାନ ଅଟେ ।

Bhagavad Gita 13.4 View Commentary » View »

ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମ କ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ’ଣ - ମୁଁ ଏହି ସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି ।

Bhagavad Gita 13.5 View Commentary » View »

ମହାନ ଋଷି-ମୁନିମାନେ ବିବିଧ ପ୍ରକାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ସମ୍ବନ୍ଧୀୟ ସତ୍ୟତାର ଗାୟନ କରିଛନ୍ତି । ଅନେକ ବେଦ ମନ୍ତ୍ରରେ ଏହାର ବର୍ଣ୍ଣନା କରାଯାଇଛି, ବିଶେଷ କରି ବ୍ରହ୍ମସୂତ୍ରରେ ବଳିଷ୍ଠ ତର୍କ ଏବଂ ଚୂଡ଼ାନ୍ତ ପ୍ରମାଣ ସହ ଏହା ବର୍ଣ୍ଣିତ ହୋଇଛି ।

Bhagavad Gita 13.6 View Commentary » View »

ପଞ୍ଚମହାଭୂତ, ଅହଂକାର, ବୁଦ୍ଧି, ଅବ୍ୟକ୍ତ ମୂଳ ପ୍ରକୃତି, ଏଗାରଟି ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ଏବଂ ମନ) ଏବଂ ପଞ୍ଚେନ୍ଦ୍ରିୟର ବିଷୟ ଦ୍ୱାରା କର୍ମର କ୍ଷେତ୍ର ଗଠିତ ।

Bhagavad Gita 13.7 View Commentary » View »

ଆସକ୍ତି ଓ ବିରକ୍ତି, ସୁଖ ଓ ଦୁଃଖ, ଶରୀର, ଚେତନା ଏବଂ ଇଚ୍ଛା - ଏସବୁ କ୍ଷେତ୍ରର ଅନ୍ତର୍ଗତ ଏବଂ ଏହାର ରୂପାନ୍ତର ଅଟନ୍ତି ।

Bhagavad Gita 13.8 - 13.12 View Commentary » View »

ବିନମ୍ରତା; ନିଷ୍କପଟତା; ଅହିଂସା; କ୍ଷମାଶୀଳତା; ସରଳତା; ଗୁରୁସେବା; ଦେହ ଓ ମନର ଶୁଦ୍ଧି; ଏକାଗ୍ରତା; ଆତ୍ମସଂଯମ; ଇନ୍ଦ୍ରିୟ ବିଷୟ ବସ୍ତୁ ପ୍ରତି ଅନାସକ୍ତି; ଅହଂକାର ଶୂନ୍ୟତା; ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ; ବନ୍ଧନ ମୁକ୍ତ; ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦି ପ୍ରତି ଅନାସକ୍ତି; ଅନୁକୁଳ ଓ ପ୍ରତିକୁଳ ପରିସ୍ଥିତିରେ ସମଭାବାପନ୍ନ । ମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଶରଣାଗତି; ଏକାନ୍ତ ସ୍ଥାନ ପ୍ରତି ଆଗ୍ରହ ଏବଂ ପାର୍ଥିବ ସମାଜ ପ୍ରତି ବୈରାଗ୍ୟ; ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା; ଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ - ମୁଁ ଏହି ସବୁକୁ ଜ୍ଞାନ ଏବଂ ଏହାର ବିପରୀତକୁ ଅଜ୍ଞାନ ଘୋଷଣା କରେ ।

Bhagavad Gita 13.13 View Commentary » View »

ମୁଁ ବର୍ତ୍ତମାନ ଯାହା ଜ୍ଞାତବ୍ୟ, ତାହା ତୁମ ଆଗରେ ପ୍ରକାଶ କରିବି ଯାହାକୁ ଜାଣି ଜଣେ ଅମରତ୍ୱ ପ୍ରାପ୍ତ କରେ । ଏହା ସେହି ଅନାଦି ବ୍ରହ୍ମ ଅଟେ, ଯାହାର ସ୍ଥିତି ସମସ୍ତ ଅସ୍ଥିତ୍ୱ ଏବଂ ଅସ୍ଥିତ୍ୱ-ହୀନର ଊର୍ଦ୍ଧ୍ୱରେ ।

Bhagavad Gita 13.14 View Commentary » View »

ତାଙ୍କର ହସ୍ତ ଓ ପଦ, ଚକ୍ଷୁ, ମସ୍ତିଷ୍କ ଏବଂ ମୁଖମଣ୍ଡଳ ଏବଂ ସର୍ବତ୍ର ବିଦ୍ୟମାନ । ସର୍ବତ୍ର ତାଙ୍କର କର୍ଣ୍ଣ ମଧ୍ୟ ରହିଛି, କାରଣ ସେ ବିଶ୍ୱର ସର୍ବତ୍ର ବ୍ୟାପ୍ତ ।

Bhagavad Gita 13.15 View Commentary » View »

ସମସ୍ତ ଇନ୍ଦ୍ରିୟ ବିଷୟର ଅନୁଭବ କରୁଥିଲେ ମଧ୍ୟ, ସେ ଇନ୍ଦ୍ରିୟ ରହିତ ଅଟନ୍ତି । ତାଙ୍କର କାହା ପ୍ରତି ଆସକ୍ତି ନ ଥାଇ ମଧ୍ୟ ସେ ସମସ୍ତଙ୍କର ରକ୍ଷକ ଅଟନ୍ତି । ଯଦିଓ ସେ ଗୁଣ ରହିତ, ତଥାପି ସେ ମାୟିକ ଗୁଣମାନଙ୍କର ଉପଭୋକ୍ତା ଅଟନ୍ତି ।

Bhagavad Gita 13.16 View Commentary » View »

ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । ସେ ଅତି ଦୂରରେ, କିନ୍ତୁ ଅତି ନିକଟରେ ।

Bhagavad Gita 13.17 View Commentary » View »

ସେ ଅବିଚ୍ଛେଦ୍ୟ, କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା ପରି ପ୍ରତୀତ ହୁଅନ୍ତି । ସେହି ପରମ ପୁରୁଷଙ୍କୁ ସମସ୍ତଙ୍କର ପାଳକ, ବିଧ୍ୱଂସକ ଏବଂ ସ୍ରଷ୍ଟା ରୂପରେ ଜାଣ ।

Bhagavad Gita 13.18 View Commentary » View »

ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ ଜ୍ଞାନର ଲକ୍ଷ୍ୟ ଅଟନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି ।

Bhagavad Gita 13.19 View Commentary » View »

କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା ସେମାନେ ମୋର ଦିବ୍ୟଗୁଣ ପ୍ରାପ୍ତ କରନ୍ତି ।

Bhagavad Gita 13.20 View Commentary » View »

ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର ସମସ୍ତ ପରିବର୍ତ୍ତନ ମାୟା ଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ ।

Bhagavad Gita 13.21 View Commentary » View »

ମାୟାଶକ୍ତି ସୃଷ୍ଟି ସମ୍ବନ୍ଧୀୟ କାରଣ ଓ ପରିଣାମ ପାଇଁ ଦାୟୀ ରହେ । ସୁଖ ଓ ଦୁଃଖର ଅନୁଭୂତି ପାଇଁ ଜୀବାତ୍ମା ଦାୟୀ ବିବେଚିତ ହୁଏ ।

Bhagavad Gita 13.22 View Commentary » View »

ଯେତେବେଳେ ପୁରୁଷ (ଜୀବ) ପ୍ରକୃତିରେ (ମାୟାରେ) ସ୍ଥିତ ହୋଇ, ତିନି ଗୁଣକୁ ଉପଭୋଗ କରିବାର କାମନା କରେ, ସେମାନଙ୍କ ଠାରେ ଆସକ୍ତି ତା’ର ଉତ୍କୃଷ୍ଟ ବା ନିକୃଷ୍ଟ ଗର୍ଭରେ ଜନ୍ମନେବାର କାରଣ ହୋଇଥାଏ ।

Bhagavad Gita 13.23 View Commentary » View »

ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ ।

Bhagavad Gita 13.24 View Commentary » View »

ଯେଉଁମାନେ ପରମାତ୍ମା, ଜୀବାତ୍ମା, ମାୟା ତଥା ମାୟାର ତିନୋଟି ଗୁଣର ପ୍ରତିକ୍ରିୟାର ସତ୍ୟତାକୁ ଅନୁଭବ କରିପାରିଛନ୍ତି, ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ । ତାଙ୍କର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି, ସେମାନେ ମୁକ୍ତି ଲାଭ କରିବେ ।

Bhagavad Gita 13.25 View Commentary » View »

କେତେକ ବ୍ୟକ୍ତି ହୃଦୟସ୍ଥିତ ପରମାତ୍ମାଙ୍କୁ ତପସ୍ୟା ଦ୍ୱାରା ଅନୁଭବ କରିବାକୁ ଚେଷ୍ଟା କରନ୍ତି, ଆଉ କେତେଜଣ ଜ୍ଞାନ ଆହରଣ ଦ୍ୱାରା ଏହା କରିବାକୁ ଚେଷ୍ଟାରତ ରହନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତି ସେହି ଅନୁଭୂତି ହାସଲ କରିବା ପାଇଁ କର୍ମମାର୍ଗରେ ନିୟୋଜିତ ହୁଅନ୍ତି ।

Bhagavad Gita 13.26 View Commentary » View »

ପୁଣି ଅନ୍ୟମାନେ, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣି ନ ଥାନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଶୁଣି ଭଗବାନଙ୍କର ଉପାସନା କରିବାକୁ ଆରମ୍ଭ କରନ୍ତି । ମହାପୁରୁଷମାନଙ୍କ ମୁଖରୁ ଶୁଣି ଏହିପରି ଭକ୍ତି କରିବା ଦ୍ୱାରା ମଧ୍ୟ ସେମାନେ କ୍ରମଶଃ ଜନ୍ମ ଓ ମୃତ୍ୟୁର ସାଗରକୁ ପାର କରିଯାଆନ୍ତି ।

Bhagavad Gita 13.27 View Commentary » View »

ହେ ଭରତଶ୍ରେଷ୍ଠ ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।

Bhagavad Gita 13.28 View Commentary » View »

ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, ସେମାନେ ପ୍ରକୃତ ସତ୍ୟକୁ ଦେଖିପାରନ୍ତି ।

Bhagavad Gita 13.29 View Commentary » View »

ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Bhagavad Gita 13.30 View Commentary » View »

ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ ହିଁ ସତ୍ୟତାର ଦର୍ଶନ କରନ୍ତି ।

Bhagavad Gita 13.31 View Commentary » View »

ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ ନେଇଛନ୍ତି, ସେମାନେ ବ୍ରହ୍ମଙ୍କର ଅନୁଭୂତି ଲାଭ କରନ୍ତି ।

Bhagavad Gita 13.32 View Commentary » View »

ହେ କୁନ୍ତି ପୁତ୍ର ! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।

Bhagavad Gita 13.33 View Commentary » View »

ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।

Bhagavad Gita 13.34 View Commentary » View »

ଯେପରି ଗୋଟିଏ ସୂର୍ଯ୍ୟ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍‌ଭାସିତ କରିଥାଏ, ସେହିପରି ଆତ୍ମା ସମ୍ପୂର୍ଣ୍ଣ ଶରୀରକୁ ଆଲୋକିତ କରେ (ଚେତନା ଦ୍ୱାରା) ।

Bhagavad Gita 13.35 View Commentary » View »

ଯେଉଁ ବ୍ୟକ୍ତିମାନେ ଜ୍ଞାନ ଚକ୍ଷୁରେ, ଶରୀର ଏବଂ ଶରୀରର ଜ୍ଞାତା ମଧ୍ୟରେ ପାର୍ଥକ୍ୟ ଏବଂ ଭୌତିକ ପ୍ରକୃତିରୁ ମୁକ୍ତ ହେବାର ଉପାୟ ଦର୍ଶନ କରିପାରନ୍ତି, ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!