Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 15

ସର୍ବେନ୍ଦ୍ରିୟଗୁଣାଭାସଂ ସର୍ବେନ୍ଦ୍ରିୟବିବର୍ଜିତମ୍ ।
ଅସକ୍ତଂ ସର୍ବଭୃଚ୍ଚୈବ ନିର୍ଗୁଣଂ ଗୁଣଭୋକ୍ତୃ ଚ ।।୧୫।।

ସର୍ବ-ସମସ୍ତ; ଇନ୍ଦ୍ରିୟ -ଇନ୍ଦ୍ରିୟ; ଗୁଣ -ଇନ୍ଦ୍ରିୟ ବିଷୟ; ଆଭାସଂ- ଦ୍ରଷ୍ଟା; ସର୍ବ- ସମସ୍ତ; ଇନ୍ଦ୍ରିୟ-ଇନ୍ଦ୍ରିୟ; ବିବର୍ଜିତଂ -ରହିତ; ଅସକ୍ତଂ -ଅନାସକ୍ତ; ସର୍ବ-ଭୃତ-ସମସ୍ତଙ୍କର ରକ୍ଷକ;ଚ-ତଥାପି;ଏବ -ନିଶ୍ଚିତଭାବେ; ନିର୍ଗୁଣଂ -ଗୁଣାତୀତ; ଗୁଣଭୋକ୍ତୃ-ଗୁଣଭୋକ୍ତା; ଚ -ମଧ୍ୟ ।

Translation

BG 13.15: ସମସ୍ତ ଇନ୍ଦ୍ରିୟ ବିଷୟର ଅନୁଭବ କରୁଥିଲେ ମଧ୍ୟ, ସେ ଇନ୍ଦ୍ରିୟ ରହିତ ଅଟନ୍ତି । ତାଙ୍କର କାହା ପ୍ରତି ଆସକ୍ତି ନ ଥାଇ ମଧ୍ୟ ସେ ସମସ୍ତଙ୍କର ରକ୍ଷକ ଅଟନ୍ତି । ଯଦିଓ ସେ ଗୁଣ ରହିତ, ତଥାପି ସେ ମାୟିକ ଗୁଣମାନଙ୍କର ଉପଭୋକ୍ତା ଅଟନ୍ତି ।

Commentary

ଭଗବାନଙ୍କର ଇନ୍ଦ୍ରିୟ ସର୍ବତ୍ର ବିଦ୍ୟମାନ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପରୀତ କଥା କହୁଛନ୍ତି ଯେ ସେ ଇନ୍ଦ୍ରିୟ ରହିତ ଅଟନ୍ତି । ଆମେ ଯଦି ଏହାକୁ ସାଧାରଣ ତର୍କ ଦ୍ୱାରା ବୁଝିବାକୁ ଚେଷ୍ଟାକରିବା, ତେବେ ଆମକୁ ତାହା ବିରୋଧାତ୍ମକ ବୋଧ ହେବେ । ଆମ ମନରେ ପ୍ରଶ୍ନ ଉଠିବ, “ଭଗବାନଙ୍କର ଅସଂଖ୍ୟ ଇନ୍ଦ୍ରିୟ ଅଛି, ପୁଣି କୌଣସି ଇନ୍ଦ୍ରିୟ ନାହିଁ କିପରି?” କିନ୍ତୁ ସେ ଆମର ବୁଦ୍ଧିର ଊର୍ଦ୍ଧ୍ୱରେ ଏବଂ ପାରମ୍ପରିକ ତର୍କ ତାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ଭଗବାନ ଏକ ସମୟରେ ଅନେକ ବିରୋଧାତ୍ମକ ଗୁଣ ଧାରଣ କରନ୍ତି । ବ୍ରହ୍ମ ବୈବର୍ତକ ପୁରାଣ କହେ:

ବିରୁଦ୍ଧ ଧର୍ମୋ ରୂପୋସା ବୈଶ୍ୱର୍‌ୟାତ୍ ପୁରୁଷୋତ୍ତମଃ

“ଭଗବାନ ଅସଂଖ୍ୟ ବିରୋଧି ଗୁଣର ଭଣ୍ଡାର ଅଟନ୍ତି ।” ଏହି ଶ୍ଲୋକରେ ଭଗବାନଙ୍କ ବ୍ୟକ୍ତିତ୍ୱର ଅସଂଖ୍ୟ ବିରୋଧୀ ଗୁଣ ମଧ୍ୟରୁ ଶ୍ରୀକୃଷ୍ଣ କେତୋଟି ଗୁଣର ବର୍ଣ୍ଣନା କରିଛନ୍ତି ।

ଆମ୍ଭମାନଙ୍କ ପରି ତାଙ୍କର ଇନ୍ଦ୍ରିୟ ପାର୍ଥିବ ନୁହେଁ, ଏଣୁ ତାଙ୍କର ଇନ୍ଦ୍ରିୟ ନାହିଁ କହିବା ଯୁକ୍ତିଯୁକ୍ତ ଅଟେ । ସର୍ବେନ୍ଦ୍ରିୟ ବିବର୍ଜିତମ୍ ଅର୍ଥ ସେ ଭୌତିକ ଇନ୍ଦ୍ରିୟ ରହିତ ଅଟନ୍ତି ।” ତାଙ୍କର ଇନ୍ଦ୍ରିୟ ଦିବ୍ୟ ତଥା ତାହା ସର୍ବତ୍ର ବିଦ୍ୟମାନ । ସର୍ବେନ୍ଦ୍ରିୟ ଗୁଣାଭାସଂ ଅର୍ଥ “ସେ ଇନ୍ଦ୍ରିୟମାନଙ୍କର କାର୍ଯ୍ୟ କରନ୍ତି ଏବଂ ଇନ୍ଦ୍ରିୟ ବିଷୟ ଧାରଣ କରନ୍ତି ।” ଉଭୟ ବିରୋଧି ଗୁଣକୁ ସଂଯୁକ୍ତ କରି, ଶ୍ୱେତାଶ୍ୱତର ଉପନିଷଦ କହେ:

ଅପାଣିପାଦୋ ଯବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ...(୩.୧୯)

“ଭଗବାନ ଭୌତିକ ହସ୍ତ, ପାଦ, ଚକ୍ଷୁ ଏବଂ କର୍ଣ୍ଣ ବିଶିଷ୍ଟ ନୁହନ୍ତି, ତଥାପି ସେ ଧରନ୍ତି, ଚାଲନ୍ତି, ଦେଖନ୍ତି ଏବଂ ଶୁଣନ୍ତି ।”

ପୁଣି ଶ୍ରୀକୃଷ୍ଣ କହୁଛନ୍ତି, ସେ ସୃଷ୍ଟିର ପାଳକ ଅଟନ୍ତି, ତଥାପି ସେ ତାହା ପ୍ରତି ଆସକ୍ତି ରହିତ ଅଟନ୍ତି । ସେ ନିଜର ଭଗବାନ ବିଷ୍ଣୁ ସ୍ୱରୂପରେ ସମସ୍ତ ସୃଷ୍ଟିକୁ ପାଳନ କରନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି, ତାଙ୍କ କର୍ମର ହିସାବ ରଖନ୍ତି, ଏବଂ କର୍ମଫଳ ପ୍ରଦାନ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରଭୁତ୍ୱରେ ବିଶ୍ୱର ସୁପରିଚାଳନା ପାଇଁ, ବ୍ରହ୍ମା ଭୌତିକ ବିଜ୍ଞାନର ନିୟମ ସବୁ ସଞ୍ଚାଳନ କରିଥାନ୍ତି । ପୁନଶ୍ଚ, ଭଗବାନ ବିଷ୍ଣୁଙ୍କ ପ୍ରଭୁତ୍ୱରେ, ସ୍ୱର୍ଗର ଦେବତାଗଣ, ଆମର ଜୀବନଧାରଣ ପାଇଁ ଆବଶ୍ୟକ ବାୟୁ, ପୃଥିବୀ, ଜଳ, ବୃଷ୍ଟି ଇତ୍ୟାଦି ପ୍ରଦାନ କରିଥାନ୍ତି । ଅତଏବ, ଭଗବାନ ସମସ୍ତଙ୍କର ପାଳକ ଅଟନ୍ତି । ତଥାପି ସେ ସ୍ୱୟଂସମ୍ପୂର୍ଣ୍ଣ ଅଟନ୍ତି, ତେଣୁ ସମସ୍ତଙ୍କ ପ୍ରତି ଅନାସକ୍ତ ଅଟନ୍ତି । ବେଦ ତାଙ୍କୁ ଆତ୍ମାରାମ କହିଥାଏ, ଅର୍ଥାତ୍ “ଯିଏ ନିଜ ମଧ୍ୟରେ ତୃପ୍ତ ରହନ୍ତି ଏବଂ ସେଥିପାଇଁ କୌଣସି ବାହ୍ୟ ବସ୍ତୁ ଆବଶ୍ୟକ କରନ୍ତି ନାହିଁ” । 

ମାୟାଶକ୍ତି ଭଗବାନଙ୍କର ଅନୁଗତ ଅଟେ ଏବଂ ସେ ତାଙ୍କ ସୁଖ ପାଇଁ ସେବା କାର୍ଯ୍ୟ କରେ । ଏହିରୂପେ ସେ ତିନିଗୁଣର ଉପଭୋକ୍ତା ଅଟନ୍ତି । ତା ସହିତ ସେ ନିର୍ଗୁଣ (ତିନି ଗୁଣର ଊର୍ଦ୍ଧ୍ୱରେ) ମଧ୍ୟ ଅଟନ୍ତି, କାରଣ ଏହି ତିନିଗୁଣ ମାୟିକ ହୋଇଥିବା ସ୍ଥଳେ ସେ ଦିବ୍ୟ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!