ଉପଦ୍ରଷ୍ଟାନୁମନ୍ତା ଚ ଭର୍ତା ଭୋକ୍ତା ମହେଶ୍ୱରଃ ।
ପରମାତ୍ମେତି ଚାପ୍ୟୁକ୍ତୋ ଦେହେଽସ୍ମିନ୍ପୁରୁଷଃ ପରଃ ।।୨୩।।
ଉପଦ୍ରଷ୍ଟା - ସାକ୍ଷୀ; ଅନୁମନ୍ତା - ଅନୁମୋଦନକାରୀ; ଚ -ଏବଂ; ଭର୍ତା -ପ୍ରଭୁ; ଭୋକ୍ତା-ପରମ ଉପଭୋଗକାରୀ; ମହେଶ୍ୱରଃ - ପରମେଶ୍ୱର; ପରମାତ୍ମା - ପରମାତ୍ମା; ଇତି -ତାହା; ଚ -ଏବଂ; ଅପି -ମଧ୍ୟ; ଉକ୍ତଃ -କୁହାଯାଇଛି; ଦେହେ-ଏ ଦେହରେ; ଅସ୍ମିନ୍ -ଏହି; ପୁରୁଷଃ ପରଃ -ପରମ ପୁରୁଷ ।
BG 13.23: ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ ।
ଉପଦ୍ରଷ୍ଟାନୁମନ୍ତା ଚ ଭର୍ତା ଭୋକ୍ତା ମହେଶ୍ୱରଃ ।
ପରମାତ୍ମେତି ଚାପ୍ୟୁକ୍ତୋ ଦେହେଽସ୍ମିନ୍ପୁରୁଷଃ ପରଃ ।।୨୩।।
ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶରୀର ମଧ୍ୟରେ ଜୀବାତ୍ମାର ଅବସ୍ଥା ସମ୍ପର୍କରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଏହି ଶ୍ଲୋକରେ ସେ ପରମାତ୍ମାଙ୍କର ସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି, ଯିଏ କି ଆମ ଶରୀର ମଧ୍ୟରେ ନିବାସ କରନ୍ତି । ପୂର୍ବରୁ ଶ୍ଲୋକ ୧୩.୨ରେ ପରମାତ୍ମାଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ଆତ୍ମା ଗୋଟିଏ ଶରୀରର ଜ୍ଞାତା ଅଟେ କିନ୍ତୁ ପରମାତ୍ମା ଅସଂଖ୍ୟ ଶରୀରର ଜ୍ଞାତା ଅଟନ୍ତି ।
ସମସ୍ତଙ୍କ ମଧ୍ୟରେ ବାସ କରୁଥିବା ପରମାତ୍ମା ସାକାର ଭଗବାନ ବିଷ୍ଣୁ ରୂପରେ ମଧ୍ୟ ପ୍ରକଟିତ ହୁଅନ୍ତି । ପରମାତ୍ମା ତାଙ୍କର ବିଷ୍ଣୁ ସ୍ୱରୂପରେ ସୃଷ୍ଟି ରକ୍ଷାର ଦାୟିତ୍ୱ ବହନ କରିଥାନ୍ତି । ସେ ଏହି ସ୍ୱରୂପରେ, ବ୍ରହ୍ମାଣ୍ଡର ଶୀର୍ଷ ଭାଗ କ୍ଷୀର ସାଗରରେ ଅବସ୍ଥାନ କରନ୍ତି । ସେ ମଧ୍ୟ ନିଜକୁ ବିସ୍ତାର କରି ସମସ୍ତ ପ୍ରାଣୀଙ୍କ ହୃଦୟରେ ପରମାତ୍ମା ଭାବରେ ନିବାସ କରନ୍ତି । ଭିତରେ ବସି ସେ ଜୀବର କର୍ମକୁ ଲକ୍ଷ୍ୟ କରନ୍ତି, କର୍ମର ହିସାବ ରଖନ୍ତି ଏବଂ ସମୁଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ଜନ୍ମରେ ଜୀବାତ୍ମା ଯେଉଁ ଶରୀର ଧାରଣ କରେ ସେ ତା’ସହିତ ରହନ୍ତି । ସେ ଗୋଟିଏ ସର୍ପ, ଘୁଷୁରି କିମ୍ବା କୀଟର ଶରୀରରେ ରହିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ମୁଣ୍ଡକୋପନିଷଦ କହେ:
ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତେ
ତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ୟ ନଶ୍ନନ୍ନନ୍ୟୋ ଅଭିଚାକଶୀତି
ସମାନେ ବୃକ୍ଷେ ପୁରୁଷୋ ନିମଗ୍ନୋଽନୀଶୟାଽଶୋଚତି ମୁହ୍ୟମାନଃ
ଜୁଷ୍ଟଂ ଯଦା ପଶ୍ୟତ୍ୟନ୍ୟମୀଶମସ୍ୟ ମହିମାନମିତି ବୀତଶୋକଃ (୩.୧.୧-୨)
“ଦୁଇଟି ପକ୍ଷୀ, ଶରୀର ରୂପକ ବୃକ୍ଷର (ଶରୀର) ନୀଡ଼ (ହୃଦୟ) ମଧ୍ୟରେ ବସିଛନ୍ତି । ସେମାନେ ଜୀବାତ୍ମା ଓ ପରମାତ୍ମା ଅଟନ୍ତି । ଜୀବାତ୍ମାର ପୃଷ୍ଠଭାଗ ପରମାତ୍ମାଙ୍କ ଦିଗକୁ ଅଛି ଏବଂ ସେ ବୃକ୍ଷର ଫଳସବୁ ଉପଭୋଗ କରିବାରେ ବ୍ୟସ୍ତ ଅଛି (ଶରୀରରେ ଥିବା ସମୟରେ ସେ ଭୋଗ କରୁଥିବା ସମସ୍ତ କର୍ମଫଳ) ଯେତେବେଳେ ମିଠା ଫଳଟିଏ ମିଳେ, ସେ ଖୁସି ହୋଇଯାଏ ଏବଂ ଯେତେବେଳେ ପିତା ଫଳଟିଏ ମିଳେ ସେ ଦୁଃଖିତ ହୋଇଯାଏ । ପରମାତ୍ମା ଜୀବାତ୍ମାର ଜଣେ ବନ୍ଧୁ ଅଟନ୍ତି କିନ୍ତୁ ସେ ହସ୍ତକ୍ଷେପ କରନ୍ତି ନାହିଁ । ସେ କେବଳ ବସିଥାନ୍ତି ଏବଂ ଲକ୍ଷ୍ୟ କରୁଥାନ୍ତି । ଯଦି ଜୀବାତ୍ମା ପରମାତ୍ମାଙ୍କ ଦିଗକୁ ବୁଲି ପଡ଼ନ୍ତା, ତାର ସମସ୍ତ ଦୁଃଖର ଅନ୍ତ ହୋଇଯାଆନ୍ତା । ଜୀବାତ୍ମାକୁ ସ୍ୱାଧୀନ ଇଚ୍ଛା ପ୍ରଦାନ କରାଯାଇଛି, ଅର୍ଥାତ୍ ଭଗବାନଙ୍କ ପ୍ରତି ବିମୁଖ କିମ୍ବା ଉନ୍ମୁଖ ହେବାର ସ୍ୱାଧୀନତା । ସେହି ସ୍ୱାଧୀନ ଇଚ୍ଛାର ଅନୁଚିତ ଉପଯୋଗ ଦ୍ୱାରା ଜୀବାତ୍ମା ବନ୍ଧନଯୁକ୍ତ ରହିଛି । ଏହାର ସଦୁପଯୋଗ ଦ୍ୱାରା, ସେ ଭଗବାନଙ୍କର ନିତ୍ୟ ସେବା ପ୍ରାପ୍ତ କରିପାରିବ ଏବଂ ଅନନ୍ତ ଆନନ୍ଦ ପ୍ରାପ୍ତ କରିପାରିବ ।