Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 5

ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ବିବିଧୈଃ ପୃଥକ୍ ।
ବ୍ରହ୍ମସୂତ୍ରପଦୈଶ୍ଚୈବ ହେତୁ ମଦ୍‌ଭିର୍ବିନିଶ୍ଚିତୈଃ ।।୫।।

ଋଷିଭିଃ - ଋଷିମାନଙ୍କ ଦ୍ୱାରା; ବହୁଧା -ବିଭିନ୍ନପ୍ରକାରେ, ଗୀତଂ -ଗାୟନ କରାଯାଇଅଛି; ଛନ୍ଦୋଭିଃ -ବେଦ ମନ୍ତ୍ର ଦ୍ୱାରା; ବିବିଧୈଃ -ବିବିଧ; ପୃଥକ୍ - ବିଭିନ୍ନ ପ୍ରକାରେ; ବ୍ରହ୍ମସୂତ୍ର -ବେଦାନ୍ତ; ପଦୈଃ -ସୂତ୍ର ଦ୍ୱାରା; ଚ-ଏବଂ; ଏବ-ବିଶେଷତଃ; ହେତୁମଦ୍ଭିଃ - ତର୍କ ଦ୍ୱାରା; ବିନିଶ୍ଚତୈଃ- ନିଶ୍ଚିତ ପ୍ରମାଣ ଦ୍ୱାରା ।

Translation

BG 13.5: ମହାନ ଋଷି-ମୁନିମାନେ ବିବିଧ ପ୍ରକାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ସମ୍ବନ୍ଧୀୟ ସତ୍ୟତାର ଗାୟନ କରିଛନ୍ତି । ଅନେକ ବେଦ ମନ୍ତ୍ରରେ ଏହାର ବର୍ଣ୍ଣନା କରାଯାଇଛି, ବିଶେଷ କରି ବ୍ରହ୍ମସୂତ୍ରରେ ବଳିଷ୍ଠ ତର୍କ ଏବଂ ଚୂଡ଼ାନ୍ତ ପ୍ରମାଣ ସହ ଏହା ବର୍ଣ୍ଣିତ ହୋଇଛି ।

Commentary

ଯେତେବେଳେ ଜ୍ଞାନ ଯଥାର୍ଥ ଏବଂ ସ୍ପଷ୍ଟ ଭାବରେ ପରିବେଶିତ ହୁଏ ତଥା ବଳିଷ୍ଠ ତର୍କ ଦ୍ୱାରା ପ୍ରମାଣିତ ହୁଏ, ତାହା ବୁଦ୍ଧିଦ୍ୱାରା ଆଦୃତ ହୋଇଥାଏ । ପୁନଶ୍ଚ ଏହା ତ୍ରୁଟିରହିତ ରୂପେ ସ୍ୱୀକୃତ ହେବା ପାଇଁ ଅଭ୍ରାନ୍ତ ଅଧିକାରୀଙ୍କ ଦ୍ୱାରା ଏହାର ଦୃଢ଼ୀକରଣ ହେବା ଆବଶ୍ୟକ । ଆଧ୍ୟାତ୍ମିକ ଜ୍ଞାନକୁ ବିଧିମାନ୍ୟ କରିବା ପାଇଁ ବେଦ ହିଁ ଅନ୍ତିମ ପ୍ରମାଣ ଅଟେ ।

ବେଦ: ଏହା କେବଳ କେତେକ ପୁସ୍ତକର ନାମ ନୁହେଁ, ଏଗୁଡ଼ିକ ଭଗବାନଙ୍କର ଚିରନ୍ତନ ଜ୍ଞାନ ଅଟନ୍ତି । ଯେତେବେଳେ ବି ଭଗବାନ ସୃଷ୍ଟି କରନ୍ତି, ସେ ଜୀବର କଲ୍ୟାଣ ପାଇଁ ବେଦ ପ୍ରକଟ କରନ୍ତି । ବୃହଦାରଣକ୍ୟ ଉପନିଷଦ (୪.୫.୧୧) କହେ: ନିଃଶ୍ୱସିତମସ୍ୟ ବେଦଃ “ବେଦ ଭଗବାନଙ୍କ ଶ୍ୱାସରୁ ପ୍ରକଟିତ ହେଲା ।” ସର୍ବପ୍ରଥମେ ବେଦ ପ୍ରଥମ ଜନ୍ମିତ ବ୍ରହ୍ମାଙ୍କ ହୃଦୟରେ ପ୍ରକଟିତ ହେଲା । ତାଙ୍କଠାରୁ ଏହା ମୌଖିକ ରୀତିରେ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଆସିଲା, ସେଥିପାଇଁ ବେଦର ଅନ୍ୟ ଏକ ନାମ ‘ଶ୍ରୁତି’ ବା କର୍ଣ୍ଣ ଦ୍ୱାରା ଗୃହୀତ ଜ୍ଞାନ ଅଟେ । କଳିଯୁଗର ପ୍ରାରମ୍ଭରେ ଭଗବାନଙ୍କର ଏକ ଅବତାର ବେଦବ୍ୟାସ, ବେଦକୁ ଏକ ପୁସ୍ତକର ରୂପ ଦେଲେ ଏବଂ ଗୋଟିଏ ଜ୍ଞାନର ଭଣ୍ଡାରକୁ ଚାରି ଭାଗରେ ବିଭକ୍ତ କଲେ - ଋଗ୍‌ବେଦ, ଯର୍ଜୁବେଦ, ସାମବେଦ ଏବଂ ଅଥର୍ବ ବେଦ, ତେଣୁ ତାଙ୍କର ନାମ ବେଦବ୍ୟାସ ରଖାଗଲା । ଏଠାରେ ମନେ ରଖିବା ଉଚିତ ଯେ ବେଦବ୍ୟାସ ବେଦର ରଚୟିତା ନ ଥିଲେ, ସେ କେବଳ ତାହାକୁ ବିଭାଜିତ କରିଥିଲେ । ତେଣୁ ବେଦକୁ ଅପୌରୁଷେୟ କୁହାଯାଏ, ଅର୍ଥାତ୍ ଏହା କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ରଚନା କରାଯାଇ ନାହିଁ । ଆଧ୍ୟାତ୍ମିକ ଜ୍ଞାନର ଅଭ୍ରାନ୍ତ ଅଧିକାରୀ ଭାବରେ ବେଦର ସମ୍ମାନ କରାଯାଇଥାଏ ।

ଭୂତଂ ଭବ୍ୟଂ ଭବିଷ୍ୟଂ ଚ ସର୍ବଂ ବେଦାତ୍ ପ୍ରସିଧ୍ୟତି (ମନୁ ସ୍ମୃତି ୧୨.୯୭)

“ପ୍ରତ୍ୟେକ ଆଧ୍ୟାତ୍ମିକ ସିଦ୍ଧାନ୍ତ ବେଦ ଦ୍ୱାରା ମାନ୍ୟତା ପ୍ରାପ୍ତ ହେବା ଆବଶ୍ୟକ ।” ବୈଦିକ ଜ୍ଞାନକୁ ବିସ୍ତାରିତ କରିବା ପାଇଁ, ଋଷି-ମୁନିମାନେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଯାହା କାଳ କ୍ରମେ ବୈଦିକ ଶାସ୍ତ୍ରର ପରିଧିରେ ସମ୍ମିଳିତ ହୋଇଛନ୍ତି, କାରଣ ସେଗୁଡ଼ିକ ବେଦର ପ୍ରଭୁତ୍ୱକୁ ମାନ୍ୟତା ଦେଇଥାନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ବୈଦିକ ଶାସ୍ତ୍ରକୁ ତଳେ ଲିପିବଦ୍ଧ କରାଯାଉଛି ।

ଇତିହାସ: ରାମାୟଣ ଓ ମହାଭାରତ - ଏହି ଦୁଇଟି ଗ୍ରନ୍ଥ ଐତିହାସିକ ଗ୍ରନ୍ଥର ମାନ୍ୟତା ପ୍ରାପ୍ତ । ଭଗବାନଙ୍କର ଦୁଇଟି ବିଶିଷ୍ଟ ଅବତାରର ଇତିହାସ ଏଥିରେ ବର୍ଣ୍ଣନା କରାଯାଇଛି । ରାମାୟଣର ରଚନା ମହର୍ଷି ବାଲ୍ମିକୀଙ୍କ ଦ୍ୱାରା କରାଯାଇଛି ଏବଂ ଏହା ପ୍ରଭୁ ଶ୍ରୀରାମଙ୍କର ଲୀଳା ବର୍ଣ୍ଣନା କରେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଶ୍ରୀରାମ ତାଙ୍କ ଲୀଳା ପ୍ରଦର୍ଶନ କରିବା ପୂର୍ବରୁ ବାଲ୍ମିକୀ ଏହାର ରଚନା କରିଥିଲେ । ଦିବ୍ୟଦୃଷ୍ଟି ସମ୍ପନ୍ନ ମହର୍ଷି ବାଲ୍ମୀକି ପ୍ରଭୁ ରାମ ତାଙ୍କ ଅବତାର କାଳରେ କରିବାକୁ ଯାଉଥିବା ଲୀଳା ସବୁକୁ ଦେଖି ପାରୁଥିଲେ । ସେ ଏହାକୁ ସଂସ୍କୃତରେ ରାମାୟଣର ୨୪,୦୦୦ ସଂଖ୍ୟକ ଅତିସୁନ୍ଦର ଶ୍ଲୋକରେ ଲିପିବଦ୍ଧ କରିଥିଲେ । ଏହି ଶ୍ଲୋକ ଗୁଡ଼ିକ ବିଭିନ୍ନ ସାମାଜିକ ଭୂମିକା ଯଥା ପୁତ୍ର, ଭ୍ରାତା, ସ୍ତ୍ରୀ, ରାଜା ଏବଂ ବିବାହିତ ଦମ୍ପତିଙ୍କର ଆଦର୍ଶ ବ୍ୟବହାର ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରେ । ରାମାୟଣ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ମଧ୍ୟ ଲେଖାଯାଇଛି, ଯାହା ଏହାର ଲୋକପ୍ରିୟତା ବୃଦ୍ଧି କରିଥାଏ । ଏମାନଙ୍କ ମଧ୍ୟରେ, ପ୍ରଭୁ ରାମଙ୍କର ପ୍ରସିଦ୍ଧ ଭକ୍ତ ସନ୍ଥ ତୁଳସୀ ଦାସଙ୍କ ରଚିତ ହିନ୍ଦୀ ରାମାୟଣ, ରାମ ଚରିତ ମାନସ, ସର୍ବାଧିକ ଲୋକପ୍ରିୟ ଅଟେ ।

ମହାଭାରତର ରଚନା ମହର୍ଷି ବେଦବ୍ୟାସଙ୍କ ଦ୍ୱାରା କରାଯାଇଛି । ଏଥିରେ ୧,୦୦,୦୦୦ ଶ୍ଲୋକ ରହିଛି ଏବଂ ପୃଥିବୀର ଦୀର୍ଘତମ କାବ୍ୟ ଭାବରେ ସୁପରିଚିତ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ମହାଭାରତର ମୁଖ୍ୟ ପ୍ରସଙ୍ଗ ଅଟେ । ଏହା ମନୁଷ୍ୟ ଜୀବନର ପ୍ରତ୍ୟେକ ସୋପାନ ପାଇଁ କର୍ତ୍ତବ୍ୟ ସମ୍ବନ୍ଧୀୟ ମାର୍ଗଦର୍ଶନ ସହିତ ଭଗବାନଙ୍କର ଭକ୍ତି ବିଷୟରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଇଛି । ଭଗବତ୍ ଗୀତା ମହାଭାରତର ଏକ ଅଂଶ ଅଟେ । ଏହା ସର୍ବାଧିକ ଜନପ୍ରିୟ ହିନ୍ଦୁ ଶାସ୍ତ୍ର, କାରଣ ସ୍ୱୟଂ ଭଗବାନଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥିବା ଆଧ୍ୟାତ୍ମିକ ଜ୍ଞାନର ସାର ଏଥିରେ ସମ୍ମିଳିତ ହୋଇଅଛି । ଏହା ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି । ଭଗବତ୍ ଗୀତାର ଅନେକ ଭାଷ୍ୟ ମଧ୍ୟ ଲେଖାଯାଇଛି ।

ପୁରାଣ: ବେଦବ୍ୟାସ ଅଠରଟି ପୁରାଣ ରଚନା କରିଛନ୍ତି । ସେ ଗୁଡ଼ିକରେ ସମୁଦାୟ ୪,୦୦,୦୦୦ ଶ୍ଲୋକ ରହିଛି । ସେଥିରେ ଭଗବାନଙ୍କର ବିଭିନ୍ନ ଅବତାର ଏବଂ ତାଙ୍କ ଭକ୍ତମାନଙ୍କର ଲୀଳା ବର୍ଣ୍ଣିତ ହୋଇଛି । ଏହି ପୁରାଣ ଗୁଡ଼ିକ ଆଧ୍ୟାତ୍ମିକ ଜ୍ଞାନରେ ମଧ୍ୟ ପରିପୂର୍ଣ୍ଣ ଅଟନ୍ତି । ସେମାନେ ବ୍ରହ୍ମାଣ୍ଡର ସୃଷ୍ଟି, ବିଲୟ ଓ ପୁନଃ ପ୍ରକାଶ, ମନୁଷ୍ୟ ଜାତିର ଇତିହାସ, ସ୍ୱର୍ଗର ଦେବତା ଏବଂ ସନ୍ଥମାନଙ୍କର ବଂଶ ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି । ଭାଗବତ ମହାପୁରାଣ ବା ଶ୍ରୀମଦ୍ ଭାଗବତମ୍ ଏମାନଙ୍କ ମଧ୍ୟରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ବେଦବ୍ୟାସଙ୍କ ଦ୍ୱାରା ରଚିତ ଏହା ଅନ୍ତିମ ଶାସ୍ତ୍ର ଅଟେ । ଏହି ଶାସ୍ତ୍ରରେ ସେ ଭଗବାନଙ୍କ ପ୍ରତି ଶୁଦ୍ଧ ନିସ୍ୱାର୍ଥ ପ୍ରେମର ସର୍ବୋଚ୍ଚ ଧର୍ମ ବିଷୟରେ ଉଲ୍ଲେଖ କରିଛନ୍ତି । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ଯେଉଁଠାରେ ଭାଗବଦ୍ ଗୀତାର ଅନ୍ତ ହୋଇଛି, ସେହିଠାରୁ ଶ୍ରୀମଦ୍ ଭାଗବତମ୍ ଆରମ୍ଭ ହୋଇଛି ।

ଷଡ଼ଦର୍ଶନ: ବିଶିଷ୍ଟ ବୈଦିକ ଶାସ୍ତ୍ର ମଧ୍ୟରେ ଏହି ସବୁ ଦର୍ଶନ ଅନ୍ୟତମ ଅଟନ୍ତି । ଛଅଜଣ ମହର୍ଷି ହିନ୍ଦୁ ଦର୍ଶନର ଗୋଟିଏ ଗୋଟିଏ ଦିଗ ଉପରେ ଛଅଗୋଟି ଶାସ୍ତ୍ର ରଚନା କରିଛନ୍ତି, ଯାହା ଷଡ଼ଦର୍ଶନ ଭାବରେ ଖ୍ୟାତ । ସେଗୁଡ଼ିକ ହେଲା-

୧. ମୀମାଂସା : ଏହା ମହର୍ଷି ଜୈମିନି ଦ୍ୱାରା ରଚିତ । ଏହା ବିଧିବିଧାନଯୁକ୍ତ କର୍ମ ଏବଂ ପର୍ବପର୍ବାଣି ବିଷୟରେ ବର୍ଣ୍ଣନା କରେ ।

୨. ବେଦାନ୍ତ ଦର୍ଶନ: ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ, ଏହା ପରମ ସତ୍ୟ ବିଷୟରେ ବର୍ଣ୍ଣନା କରେ ।

୩. ନ୍ୟାୟ ଦର୍ଶନ: ମହର୍ଷି ଗୌତମଙ୍କ ଦ୍ୱାରା ରଚିତ, ଯାହା ଜୀବନ ଏବଂ ଅନ୍ତିମ ସତ୍ୟକୁ ବୁଝିବା ପାଇଁ ଏକ ତର୍କ ପ୍ରଣାଳୀ ପ୍ରସ୍ତୁତ କରେ ।

୪. ବୈଶେଷିକ ଦର୍ଶନ: ମହର୍ଷି କଣାଦଙ୍କ ଦ୍ୱାରା ରଚିତ, ଏହା ବିଭିନ୍ନ ଉପାଦାନ ଦୃଷ୍ଟିରୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟିର ବିଶ୍ଲେଷଣ କରେ ।

୫. ଯୋଗ ଦର୍ଶନ: ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ରଚିତ, ଏହା ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରିବା ପାଇଁ, ଶାରୀରିକ ଆସନ ପଦ୍ଧତି ଠାରୁ ଆରମ୍ଭ କରି ଅଷ୍ଟାଙ୍ଗ ଯୋଗ ମାର୍ଗର ବର୍ଣ୍ଣନା କରେ ।

୬. ସାଂଖ୍ୟ ଦର୍ଶନ: ମହର୍ଷି କପିଳଙ୍କ ଦ୍ୱାରା ରଚିତ, ଏହା ମାୟା ଶକ୍ତିର ଆଦି ସ୍ୱରୂପ ପ୍ରକୃତିଠାରୁ ବିଶ୍ୱର ଉତ୍ପତ୍ତି ସମ୍ବନ୍ଧରେ ବର୍ଣ୍ଣନା କରେ ।

ଉପରୋକ୍ତ କେତୋଟି ଶାସ୍ତ୍ର ବ୍ୟତିତ ହିନ୍ଦୁ ଧର୍ମରେ ଶତାଧିକ ଅନ୍ୟ ଶାସ୍ତ୍ର ରହିଛି । ସେ ସମସ୍ତଙ୍କୁ ଏଠାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ଏତିକି କହିବା ଯଥେଷ୍ଟ ହେବ ଯେ ଏହିସବୁ ବୈଦିକ ଶାସ୍ତ୍ର ମାନବ ସମାଜର ଆତ୍ୟନ୍ତିକ କଲ୍ୟାଣ ନିମନ୍ତେ ଭଗବାନ ଏବଂ ସନ୍ଥମାନଙ୍କ ଦ୍ୱାରା ପ୍ରଦତ୍ତ ଆଧ୍ୟାତ୍ମିକ ଜ୍ଞାନର ଅମାପ ଭଣ୍ଡାର ଅଟେ ।

ସମସ୍ତ ଶାସ୍ତ୍ର ମଧ୍ୟରୁ ବ୍ରହ୍ମ ସୂତ୍ରକୁ (ବେଦାନ୍ତ ଦର୍ଶନ) ଆତ୍ମା, ଭୌତିକ ଶରୀର ଏବଂ ଭଗବାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଅନ୍ତିମ ବକ୍ତବ୍ୟ ଭାବରେ ଗ୍ରହଣ କରାଯାଇଥାଏ । ତେଣୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ନିର୍ଦ୍ଦିଷ୍ଟ ଭାବରେ ଏହାର ଉଦ୍ଧାର କରିଛନ୍ତି । “ବେଦ” ସମସ୍ତ ବେଦକୁ ବୁଝାଏ ଏବଂ “ଅନ୍ତ” ଅର୍ଥ “ନିଷ୍କର୍ଷ” । ତେଣୁ “ବେଦାନ୍ତ”ର ଅର୍ଥ ବୈଦିକ ଶାସ୍ତ୍ରର ନିଷ୍କର୍ଷ ଅଟେ । ବେଦାନ୍ତ, ବେଦବ୍ୟାସଙ୍କ ଦ୍ୱାରା ରଚିତ ହୋଇଥିଲେ ମଧ୍ୟ ଅନେକ ବିଦ୍ୱାନ ଏହାକୁ ଆଧ୍ୟାତ୍ମିକ ସନ୍ଦର୍ଭର ମୂଳଦୁଆ ଭାବରେ ଗ୍ରହଣ କରି ଅନେକ ଭାଷ୍ୟ ଲେଖିଛନ୍ତି । ସେଥିରେ ସେମାନେ ଆତ୍ମା ଏବଂ ଭଗବାନଙ୍କ ସମ୍ବନ୍ଧରେ ନିଜ ନିଜର ମୌଳିକ ଦାର୍ଶନିକ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ବେଦାନ୍ତ ଦର୍ଶନ ଭାଷ୍ୟକୁ ଶାରୀରିକ ଭାଷ୍ୟ କୁହାଯାଏ, ଯାହା ଅଦ୍ୱୈତବାଦ ଦର୍ଶନର ମୂଳଦୁଆ ସ୍ଥାପନ କରିଥାଏ । ତାଙ୍କର ଅନେକ ଶିଷ୍ୟ, ଯଥା ବାଚସ୍ପତି ଏବଂ ପଦ୍ମପାଦ ତାଙ୍କ ଭାଷ୍ୟର ବିସ୍ତାର କରିଛନ୍ତି । ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ “ବେଦାନ୍ତ ପାରିଜାତ ସୌରଭ” ଲେଖିଛନ୍ତି, ଯାହା ଦ୍ୱୈତ-ଅଦ୍ୱୈତ-ବାଦ ସିଦ୍ଧାନ୍ତ ବର୍ଣ୍ଣନା କରେ । ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ରଚନା କରିଥିବା ଭାଷ୍ୟକୁ ଶ୍ରୀଭାଷ୍ୟ କୁହାଯାଏ, ଯାହା ବିଶିଷ୍ଟ-ଅଦ୍ୱୈତ-ବାଦର ମୂଳଦୁଆ ସ୍ଥାପନ କରେ । ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଭାଷ୍ୟକୁ “ବ୍ରହ୍ମ ସୂତ୍ର ଭାଷ୍ୟମ୍‌” କୁହାଯାଏ, ଏହା ଦ୍ୱୈତ-ବାଦ ସିଦ୍ଧାନ୍ତର ଆଧାର ଅଟେ । ମହାପ୍ରଭୁ ବଲ୍ଲଭାଚାର୍ଯ୍ୟ “ଅନୁ ଭାଷ୍ୟ” ରଚନା କରିଥିଲେ, ଯଦ୍ୱାରା ସେ ଶୁଦ୍ଧଦ୍ୱୈତବାଦ ଦର୍ଶନ ପ୍ରଣାଳୀ ସ୍ଥାପନ କରିଥିଲେ । ଏତଦ୍ ବ୍ୟତିତ ଅନ୍ୟ କେତେକ ପ୍ରସିଦ୍ଧ ଭାଷ୍ୟକାର ମଧ୍ୟ ରହିଛନ୍ତିି, ସେମାନେ ହେଲେ ଭଟ୍ଟଭାସ୍କର, ଯାଦବ ପ୍ରକାଶ, କେଶବ, ନୀଳକଣ୍ଠ, ବିଜ୍ଞାନଭିକ୍ଷୁ ଏବଂ ବଳଦେବ ବିଦ୍ୟାଭୂଷଣ ।

ଚୈତନ୍ୟ ମହାପ୍ରଭୁ, ନିଜେ ଜଣେ ଅତି ଉଚ୍ଚକୋଟିର ବୈଦିକ ବିଦ୍ୱାନ ଥିଲେ, କିନ୍ତୁ ସେ ବେଦାନ୍ତ ଦର୍ଶନ ଉପରେ କୌଣସି ଭାଷ୍ୟ ଲେଖି ନ ଥିଲେ । ତାଙ୍କ ମତରେ, ବେଦାନ୍ତର ରଚୟିତା ମହର୍ଷି ବେଦବ୍ୟାସ ନିଜେ ଘୋଷଣା କରିଛନ୍ତି ଯେ ତାଙ୍କର ଶେଷ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ ଏହାର ଉତ୍ତମ ଭାଷ୍ୟ ଅଟେ:

ଅର୍ଥୋୟଂ ବ୍ରହ୍ମସୂତ୍ରାଣାଂ ସର୍ବୋପନିଷଦାମପି

“ଶ୍ରୀମଦ୍ ଭାଗବତମ୍ ବେଦାନ୍ତ ଦର୍ଶନ ଏବଂ ସମସ୍ତ ଉପନିଷଦର ଅର୍ଥ ଏବଂ ସାର ଉନ୍ମୋଚନ କରିଥାଏ ।” ତେଣୁ ବେଦବ୍ୟାସଙ୍କ ପ୍ରତି ସମ୍ମାନ ଜଣାଇ ଚୈତନ୍ୟ ମହାପ୍ରଭୁ ଏହି ଗ୍ରନ୍ଥ ଉପରେ ଅନ୍ୟ ଏକ ଭାଷ୍ୟ ଲେଖିବାର ଆବଶ୍ୟକତା ଅନୁଭବ କରି ନ ଥିଲେ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!