Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 8-12

ଅମାନ୍ୱିତମଦମ୍ଭିତ୍ୱମହିଂସା କ୍ଷାନ୍ତିରାର୍ଜବମ୍ ।
ଆଚାର୍ଯ୍ୟୋପାସନଂ ଶୌଚଂ ସ୍ଥୈର୍ଯ୍ୟମାତ୍ମବିନିଗ୍ରହଃ ।।୮।।
ଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟମନହଙ୍କାର ଏବ ଚ ।
ଜନ୍ମମୃତ୍ୟୁଜରାବ୍ୟାଧିଦୁଃଖଦୋଷାନୁଦର୍ଶନମ୍ ।।୯।।
ଅସକ୍ତିରନଭିଷ୍ୱଙ୍ଗଃ ପୁତ୍ରଦାରଗୃହାଦିଷୁ ।
ନିତ୍ୟଂ ଚ ସମଚିତ୍ତତ୍ୱମିଷ୍ଟାନିଷ୍ଟୋପପତ୍ତିଷୁ ।।୧୦।।
ମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ ।
ବିବିକ୍ତଦେଶସେବିତ୍ୱମରତିର୍ଜନସଂସଦି ।।୧୧।।
ଅଧ୍ୟାତ୍ମଜ୍ଞାନନିତ୍ୟତ୍ୱଂ ତତ୍ତ୍ୱଜ୍ଞାନାର୍ଥଦର୍ଶନମ୍ ।
ଏତଜ୍‌ଜ୍ଞାନମିତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା ।।୧୨।।

ଅମାନିତ୍ୱଂ - ବିନୟ; ଅଦମ୍ଭିତ୍ୱଂ - ନିଷ୍କପଟତା; ଅହିଂସା-ଅହିଂସା; କ୍ଷାନ୍ତିଃ - ସହନଶୀଳତା; ଆର୍ଜବମ୍ -ସରଳତା; ଆଚାର୍ଯ୍ୟ-ଉପାସନଂ-ଗୁରୁ ସେବା; ଶୌଚଂ - ପରିଚ୍ଛନ୍ନତା (ଶୌଚ); ସ୍ଥୈର୍ଯ୍ୟଂ -ସ୍ଥିରତା; ଆତ୍ମ-ବିନିଗ୍ରହଃ - ଆତ୍ମସଂଯମ; ଇନ୍ଦ୍ରିୟ ଅର୍ଥେଷୁ- ଇନ୍ଦ୍ରିୟମାନଙ୍କ ବିଷୟରେ; ବୈରାଗ୍ୟଂ- ସଂସାର ବୈରାଗ୍ୟ; ଅନହଙ୍କାରଃ - ଅହଙ୍କାର ଶୂନ୍ୟ; ଏବ -ମଧ୍ୟ; ଚ - ଏବଂ; ଜନ୍ମ-ଜନ୍ମ; ମୃତ୍ୟୁ-ମୃତ୍ୟୁ; ଜରା-ବୃଦ୍ଧାବସ୍ଥା; ବ୍ୟାଧି- ରୋଗ; ଦୁଃଖ- ଦୁଃଖ; ଦୋଷ- ଦୋଷ; ଅନୁଦର୍ଶନମ୍ -ଦେଖି; ଅସକ୍ତିଃ -ଆସକ୍ତିଶୂନ୍ୟତା; ଅନଭିଷ୍ୱଙ୍ଗଃ- ଲାଳସାରହିତ; ପୁତ୍ର-ପୁତ୍ର; ଦାର-ସ୍ତ୍ରୀ/ସ୍ୱାମୀ; ଗୃହ-ଆଦିଷୁ -ଗୃହ ଆଦିରେ; ନିତ୍ୟଂ -ନିତ୍ୟ; ଚ-ଏବଂ; ସମଚିତ୍ତତ୍ୱଂ -ସମଭାବ; ଇଷ୍ଟ -ପ୍ରିୟ; ଅନିଷ୍ଟ -ଅପ୍ରିୟ; ଉପପତ୍ତିଷୁ -ପ୍ରାପ୍ତ ହୋଇ; ମୟି- ମୋ’ଠାରେ; ଚ-ମଧ୍ୟ; ଅନନ୍ୟ-ଯୋଗେନ -ଅନନ୍ୟ ଭାବରେ; ଭକ୍ତିଃ -ଭକ୍ତି; ଅବ୍ୟଭି-ଚାରିଣୀ -ନିତ୍ୟ; ବିବିକ୍ତ- ଏକାନ୍ତ; ଦେଶ -ସ୍ଥାନ; ସେବିତ୍ୱଂ-ଇଚ୍ଛୁକ ହୋଇ; ଅରତିଃ -ବିରକ୍ତି; ଜନ ସଂସଦି - ସଂସାରରୁ; ଅଧ୍ୟାତ୍ମ- ଆଧ୍ୟାତ୍ମିକ; ଜ୍ଞାନ-ଜ୍ଞାନ; ନିତ୍ୟତ୍ୱଂ -ନିତ୍ୟତା; ତତ୍ତ୍ୱଜ୍ଞାନ- ଆଧ୍ୟାତ୍ମିକ ସିଦ୍ଧାନ୍ତ ଜ୍ଞାନ; ଅର୍ଥ-ଉଦ୍ଦେଶ୍ୟରେ; ଦର୍ଶନଂ -ଦର୍ଶନ; ଏତତ୍‌-ଏସବୁ; ଜ୍ଞାନଂ -ଜ୍ଞାନ; ଇତି - ଏହିପରି; ପ୍ରୋକ୍ତଂ -କୁହାଯାଇଛି; ଅଜ୍ଞାନଂ - ଅଜ୍ଞାନ; ଯତ୍ -ଯାହା; ଅତଃ - ଏହାଠାରୁ; ଅନ୍ୟତା -ଭିନ୍ନ ।

Translation

BG 13.8-12: ବିନମ୍ରତା; ନିଷ୍କପଟତା; ଅହିଂସା; କ୍ଷମାଶୀଳତା; ସରଳତା; ଗୁରୁସେବା; ଦେହ ଓ ମନର ଶୁଦ୍ଧି; ଏକାଗ୍ରତା; ଆତ୍ମସଂଯମ; ଇନ୍ଦ୍ରିୟ ବିଷୟ ବସ୍ତୁ ପ୍ରତି ଅନାସକ୍ତି; ଅହଂକାର ଶୂନ୍ୟତା; ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ; ବନ୍ଧନ ମୁକ୍ତ; ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦି ପ୍ରତି ଅନାସକ୍ତି; ଅନୁକୁଳ ଓ ପ୍ରତିକୁଳ ପରିସ୍ଥିତିରେ ସମଭାବାପନ୍ନ । ମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଶରଣାଗତି; ଏକାନ୍ତ ସ୍ଥାନ ପ୍ରତି ଆଗ୍ରହ ଏବଂ ପାର୍ଥିବ ସମାଜ ପ୍ରତି ବୈରାଗ୍ୟ; ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା; ଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ - ମୁଁ ଏହି ସବୁକୁ ଜ୍ଞାନ ଏବଂ ଏହାର ବିପରୀତକୁ ଅଜ୍ଞାନ ଘୋଷଣା କରେ ।

Commentary

କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ବିଷୟରେ ଜ୍ଞାନ ହାସଲ କରିବା କେବଳ ଏକ ବୌଦ୍ଧିକ ଅଧ୍ୟବସାୟ ନୁହେଁ । ପୁସ୍ତକ ଜ୍ଞାନ ନିଜର ଚରିତ୍ର ପରିବର୍ତ୍ତନ ନ କରି ପ୍ରାପ୍ତ କରାଯାଇପାରିବ, କିନ୍ତୁ ଶ୍ରୀକୃଷ୍ଣ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ କହିବାକୁ ଚାହୁଁଛନ୍ତି, ତାହା ହୃଦୟର ଶୁଦ୍ଧତା ଆବଶ୍ୟକ କରେ । (ଏଠାରେ ହୃଦୟ ଶାରୀରିକ ଅଙ୍ଗକୁ ବୁଝାଏ ନାହିଁ । ଅଭ୍ୟନ୍ତରର ମନ ଓ ବୁଦ୍ଧିକୁ ମଧ୍ୟ ଅନେକ ସମୟରେ ହୃଦୟ ଭାବରେ ଅଭିହିତ କରାଯାଇଥାଏ ।) ଏହି ପାଞ୍ଚଗୋଟି ଶ୍ଳୋକରେ, ସେହି ସଦ୍‌ଗୁଣ, ଅଭ୍ୟାସ, ବ୍ୟବହାର ଏବଂ ମନୋଭାବ ବର୍ଣ୍ଣନା କରାଯାଇଛି ଯାହା ଜୀବନକୁ ଶୁଦ୍ଧ କରେ ଏବଂ ଜ୍ଞାନର ଆଲୋକରେ ଏହାକୁ ଉଦ୍ଭାସିତ କରେ ।

ବିନମ୍ରତା । ଆମେ ଯେତେବେଳେ କୌଣସି କ୍ଷେତ୍ରରେ ଆମର ବିଶେଷ ଗୁଣ, ଯଥା ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା, ଦକ୍ଷତା, ବଳ ଇତ୍ୟାଦି ପାଇଁ ଗର୍ବ ଅନୁଭବ କରୁ, ଆମେ ଭୁଲିଯାଉ ଯେ ଭଗବାନ ଆମକୁ ଏହିସବୁ ଗୁଣ ଦେଇଛନ୍ତି । ଏହିପରି ଅହଙ୍କାର ଆମର ଚେତନାକୁ ଭଗବାନଙ୍କଠାରୁ ଦୂରେଇ ନିଏ ଏବଂ ଏହା ଆତ୍ମ ଅନୁଭୂତି ପଥରେ ଏକ ବଡ଼ ପ୍ରତିବନ୍ଧକ ହୋଇଥାଏ, କାରଣ ଏହା ମନ ଓ ବୁଦ୍ଧିକୁ ପ୍ରଭାବିତ କରି ସମ୍ପୂର୍ଣ୍ଣ କ୍ଷେତ୍ରକୁ କଳୁଷିତ କରିଦିଏ ।

ନିଷ୍କପଟତା । କପଟୀ ବ୍ୟକ୍ତିମାନେ ବାହ୍ୟ ରୂପରେ ଏକ କୃତ୍ରିମ ବ୍ୟକ୍ତିତ୍ୱ ପ୍ରତିପୋଷଣ କରିଥାନ୍ତି । ଅନ୍ତରରେ ଦୋଷଯୁକ୍ତ ହୋଇଥିବା ସ୍ଥଳେ ବାହ୍ୟତଃ ସେମାନେ ସଦ୍‌ଗୁଣର ଏକ ମୁଖା ଧାରଣ କରିଥାଆନ୍ତି । ଦୁର୍ଭାଗ୍ୟବଶତଃ, ସଦ୍‌ଗୁଣର ସେହି ବାହ୍ୟ ପ୍ରଦର୍ଶନ ଫମ୍ପା ହୋଇଥାଏ ।

ଅହିଂସା । ଜ୍ଞାନ ଲାଭ ପାଇଁ ସମସ୍ତ ପ୍ରାଣୀଙ୍କୁ ସମ୍ମାନ ଦେବା ଆବଶ୍ୟକ ଏବଂ ସେଥିପାଇଁ ଅହିଂସା ଆଚରଣ ଜରୁରୀ ଅଟେ ।  ଶାସ୍ତ୍ର କହେ: ଆତ୍ମନଃ ପ୍ରତିକୂଳାନି ପରେଶାଂ ନ ସମାଚରେତ୍ “ତୁମକୁ ଯଦି ଅନ୍ୟମାନଙ୍କର କୌଣସି ଏକ ଆଚରଣ ଭଲ ଲାଗୁନାହିଁ, ତୁମେ ମଧ୍ୟ ତାଙ୍କ ପ୍ରତି ସେପରି ବ୍ୟବହାର ପ୍ରଦର୍ଶନ କର ନାହିଁ ।”

କ୍ଷମାଶୀଳତା । ନିଜର ଅନିଷ୍ଟ କରିଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଦୁର୍ଭାବନା ପ୍ରଦର୍ଶନ ନ କରିବା, କ୍ଷମାଶୀଳତା ଅଟେ । ବାସ୍ତବରେ ଦୁର୍ଭାବନା ଅନ୍ୟ ଅପେକ୍ଷା ଆମ ନିଜର ହିଁ ଅଧିକ କ୍ଷତି କରିଥାଏ । କ୍ଷମାଶୀଳତାର ଅଭ୍ୟାସ କରି ବିବେକବାନ ବ୍ୟକ୍ତି ମନରୁ ନକାରାତ୍ମକତା ଦୂର କରି ମନକୁ ଶୁଦ୍ଧ କରିଥାଏ ।

ସରଳତା । ଏହା ଚିନ୍ତନ, କଥାବାର୍ତ୍ତା ଏବଂ କାମରେ ସ୍ପଷ୍ଟବାଦୀତାକୁ ବୁଝାଏ । ଚିନ୍ତନରେ ସ୍ପଷ୍ଟବାଦୀତା କହିଲେ ଛଳନା, ଈର୍ଷା, କୁଟୀଳତାର ଅଭାବକୁ ବୁଝାଇଥାଏ । କଥାରେ ସ୍ପଷ୍ଟବାଦୀ ଅର୍ଥ ଆକ୍ଷେପ, ଗୋପନୀୟତା, ଗୁଜବ ପ୍ରଚାର, ଅତିରଞ୍ଜିନ ଇତ୍ୟାଦିର ଅଭାବ । କାର୍ଯ୍ୟରେ ସ୍ପଷ୍ଟବାଦୀତା ଅର୍ଥ ସରଳ ଜୀବନଯାପନ ଏବଂ ସ୍ପଷ୍ଟ ବ୍ୟବହାର ।

ଗୁରୁୁସେବା । ଗୁରୁଙ୍କଠାରୁ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ କରାଯାଏ । ଏହି ଦିବ୍ୟ ଜ୍ଞାନ ଗ୍ରହଣ କରିବା ନିମନ୍ତେ ଶିଷ୍ୟ ଗୁରୁଙ୍କ ପ୍ରତି ସମର୍ପଣ ଏବଂ ଭକ୍ତି ଭାବଯୁକ୍ତ ହେବା ଉଚିତ । ଗୁରୁ ସେବା ଦ୍ୱାରା ଶିଷ୍ୟଠାରେ ବିନମ୍ରତା ଏବଂ ନିଷ୍ଠା ବୃଦ୍ଧିପାଏ, ଯଦ୍ୱାରା ଗୁରୁ ଜ୍ଞାନ ଦେବାକୁ ସକ୍ଷମ ହୁଅନ୍ତି । ଶ୍ରୀକୃଷ୍ଣ ଏହା ଶ୍ଲୋକ ୪.୩୪ରେ ଅର୍ଜୁନଙ୍କୁ କହିଥିଲେ: “ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ଭକ୍ତିଯୁକ୍ତ ହୋଇ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଜ୍ଞାନୀ ସନ୍ଥ ତୁମକୁ ଜ୍ଞାନ ଦେଇପାରିବେ, କାରଣ ସେ ସତ୍ୟକୁ ଦେଖିଛନ୍ତି ।

ଦେହ ଓ ମନର ଶୁଦ୍ଧତା । ଶୁଦ୍ଧତା ଉଭୟ ବାହ୍ୟ ଏବଂ ଅଭ୍ୟନ୍ତରରେ ହେବା ଉଚିତ । ଶାଣ୍ଡିଲ୍ୟ ଉପନିଷଦ କହେ: ଶୌଚଂ ନାମ ଦ୍ୱିବିଧଂ- ବାହ୍ୟମାନ୍ତରଂ ଚେତି (୧.୧) “ଦୁଇ ପ୍ରକାରର ଶୁଦ୍ଧତା ଅଛି - ବାହ୍ୟ ଓ ଅଭ୍ୟନ୍ତର” । ବାହ୍ୟ ଶୁଦ୍ଧି ସ୍ୱାସ୍ଥ୍ୟରକ୍ଷା, ଶୃଙ୍ଖଳା ଏବଂ ମନକୁ ବ୍ୟବସ୍ଥିତ କରିବାରେ ସହାୟକ ହୋଇଥାଏ । କିନ୍ତୁ ମାନସିକ ଶୁଦ୍ଧତା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବଶୁଦ୍ଧ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବା ଦ୍ୱାରା ହିଁ ଏହା ହାସଲ ହୋଇଥାଏ । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହନ୍ତି:

ମାୟାଧୀନ ମଲୀନ ମନ, ହୈ ଅନାଦି କାଲୀନ ।
ହରି ବିରହାନଲ ଧୋୟ ଜଲ, କରୁ ନିର୍ମଲ ବନି ଦୀନ ।ା (ଭକ୍ତି ଶତକ ପଦ-୭୯)

ନିଷ୍ଠା । ଆତ୍ମଜ୍ଞାନ ଏବଂ ଭଗବତ୍ ପ୍ରାପ୍ତି ଏପରି ଲକ୍ଷ୍ୟ ନୁହେଁ ଯାହା ଗୋଟିଏ ଦିନରେ ପ୍ରାପ୍ତ କରିହେବ । ନିଷ୍ଠାର ଅଭିପ୍ରାୟ ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପର୍ଯ୍ୟନ୍ତ ଅବିରତ ଭାବରେ ଅଗ୍ରସର ହେବା । ଶାସ୍ତ୍ର କହେ: ଚରୈବୈତେ ଚରୈବୈତେ, ଚରଣ ବୈ ମଧୁ ବିନ୍ଦତି “ଅଗ୍ରସର ହେଉଥାଅ । ଅଗ୍ରସର ହେଉଥାଅ, ଅନ୍ତତଃ ସେମାନଙ୍କୁ ମଧୁପ୍ରାପ୍ତ ହୁଏ ଯେଉଁମାନେ ହାର ମାନନ୍ତି ନାହିଁ ।”

ଆତ୍ମ-ସଂଯମ । ସାଂସାରିକ ସୁଖ ପଛରେ ଧାଇଁବାର ପ୍ରବୃତ୍ତି ମନ ଓ ବୁଦ୍ଧିକୁ କଳୁଷିତ କରିଦେଇ ଥାଏ । ମନ ଓ ଇନ୍ଦ୍ରିୟକୁ ସେହି ଦୌଡ଼ରୁ କ୍ଷାନ୍ତ କରିବା ଆତ୍ମ-ସଂଯମ ଅଟେ । ଆତ୍ମ-ସଂଯମ ବ୍ୟକ୍ତିକୁ ଆସକ୍ତି ଯୋଗୁଁ ଘଟୁଥିବା ନୈତିକ ଅବନତିରୁ ରକ୍ଷା କରେ ।

ଇନ୍ଦ୍ରିୟ ବିଷୟରେ ନିରାସକ୍ତି । ଏହା ଉପର ବର୍ଣ୍ଣିତ ଆତ୍ମସଂଯମ ଠାରୁ ଉଚ୍ଚ ଅବସ୍ଥା ଅଟେ, ଯେଉଁଥିରେ ଆମେ ନିଜକୁ ବଳପୂର୍ବକ ନିୟନ୍ତ୍ରଣ କରିଥାଏ । ନିରାସକ୍ତି ଅର୍ଥ ଭଗବତ ପ୍ରାପ୍ତି ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଇନ୍ଦ୍ରିୟ ସୁଖ ପ୍ରତି ରୁଚି ନ ରଖିବା ।

ଅହଂଭାବ ରହିତ । ‘ମୁଁ’, ‘ମୋତେ’, ‘ମୋର’ ପ୍ରତି ସଚେତନତା ଅହଂଭାବ ଅଟେ । ଏହା ଅଜ୍ଞାନ ଅଟେ, କାରଣ ଏହି ଭାବନା ନିଜକୁ ଶରୀର ଜ୍ଞାନ କରିବା ଯୋଗୁଁ ସୃଷ୍ଟି ହୋଇଥାଏ । ଏହାକୁ ଅହଂ ଚେତନା (ଆତ୍ମ ଅଭିମାନ) ମଧ୍ୟ କୁହାଯାଏ । ସମସ୍ତ ଅଧ୍ୟାତ୍ମବାଦୀ ଦୃଢ଼ତାର ସହିତ କହନ୍ତି ଯେ ଭଗବାନଙ୍କୁ ହୃଦୟରେ ସ୍ଥାନ ଦେବାକୁ ହେଲେ ଆତ୍ମ ଅଭିମାନରୁ ମୁକ୍ତ ହେବା ଆବଶ୍ୟକ ।

ଜବ ମୈଁ ଥା ତବ ହରି ନହୀଁ, ଅବ ହରି ହୈ, ମୈ ନାହୀଁ,
ପ୍ରେମ ଗଲୀ ଅତି ସାଙ୍କରୀ, ୟା ମେଁ ଦ୍ୱେ ନ ସମାହୀଁ (ସନ୍ଥ କବୀର)

“ଯେତେବେଳେ ‘ମୁଁ’ ଥିଲି, ହରି ନ ଥିଲେ; ବର୍ତ୍ତମାନ ହରି ଅଛନ୍ତି ଏବଂ ‘ମୁଁ’ ନାହିଁ । ଦିବ୍ୟ ପ୍ରେମର ପଥ ଅତି ସଂକୀର୍ଣ୍ଣ, ଏଥିରେ ଉଭୟ ‘ମୁଁ’ ଏବଂ ‘ହରି’ ରହିପାରିବେ ନାହିଁ ।”

ଜ୍ଞାନଯୋଗ ଏବଂ ଅଷ୍ଟାଙ୍ଗଯୋଗ ମାର୍ଗରେ, ଅହଂଚେତନା ଲୋପ କରିବା ପାଇଁ ବିସ୍ତୃତ ସାଧନା ଦର୍ଶାଯାଇଛି । କିନ୍ତୁ ଭକ୍ତିଯୋଗରେ, ଏହା ଦୂର କରିବା ଅତ୍ୟନ୍ତ ସରଳ ଅଟେ । ଆମେ ଅହଂ ପୂର୍ବରୁ ଦାସ ଯୋଡ଼ି, ଏହାକୁ ଦାସୋହମ୍ (ଭଗବାନଙ୍କ ସେବକ) କରିଥାଉ । ବର୍ତ୍ତମାନ ‘ମୁଁ’ ଆଉ ଅନିଷ୍ଟକାରକ ହୁଏ ନାହିଁ, ଆତ୍ମଚେତନା ବ୍ରହ୍ମଚେତନାରେ ପରିବର୍ତ୍ତିତ ହୋଇଯାଏ ।

ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ । ଭୌତିକ ଉନ୍ନତି ଏବଂ ଆଧ୍ୟାତ୍ମିକ ସମ୍ପତ୍ତି ମଧ୍ୟରୁ କେଉଁଟି ଅଧିକ ମହତ୍ୱପୂର୍ଣ୍ଣ, ବୁଦ୍ଧି ଯଦି ତାହା ନିର୍ଣ୍ଣୟ କରି ନ ପାରେ, ତେବେ ଆତ୍ମଜ୍ଞାନ ଲାଭ କରିବାର ତୀବ୍ର ଇଚ୍ଛା ବିକଶିତ କରିବା କଠିନ ହୋଇଥାଏ । କିନ୍ତୁ ବୁଦ୍ଧି ଯେତେବେଳେ ସଂସାରର ନୀରସତା ପ୍ରତି ସଜାଗ ହୋଇଯାଏ, ସେତେବେଳେ ତାର ସଂକଳ୍ପ ଦୃଢ଼ ହୋଇଥାଏ । ଏହି ଦୃଢ଼ ମନୋଭାବ ଉତ୍ପନ୍ନ କରିବା ପାଇଁ ଭୌତିକ ସଂସାରର କ୍ଲେଶ ସବୁକୁ ଜୀବନର ଅପରିହାର୍ଯ୍ୟ ଅଂଶ ଭାବରେ ସର୍ବଦା ମନେ ରଖିବା ଉଚିତ । ଏହା ବୁଦ୍ଧଙ୍କୁ ଆଧ୍ୟାତ୍ମିକ ପଥରେ ପ୍ରେରିତ କରିଥିଲା । ସେ ଜଣେ ରୋଗୀକୁ ଦେଖି ଭାବିଲେ, “ସଂସାରରେ ରୋଗ ଅଛି, ଦିନେ ମୁଁ ମଧ୍ୟ ରୋଗଗ୍ରସ୍ତ ହେବି ।” ତା ପରେ ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିଲେ, ଏବଂ ଚିନ୍ତା କଲେ, “ବୃଦ୍ଧାବସ୍ଥା ମଧ୍ୟ ଅଛି, ତା ଅର୍ଥ ମୁଁ ବି ଦିନେ ବୃଦ୍ଧ ହୋଇଯିବି ।” ତା’ପରେ ସେ ଜଣେ ମୃତବ୍ୟକ୍ତିଙ୍କୁ ଦେଖିଲେ, ଏବଂ ଅନୁଭବ କଲେ, “ଏହା ମଧ୍ୟ ଜୀବନର ଏକ ଅଂଶ ଅଟେ, ଅର୍ଥାତ୍ ମୁଁ ବି ଦିନେ ମୃତ୍ୟୁ ବରଣ କରିବି ।” ବୁଦ୍ଧଙ୍କର ବୁଦ୍ଧି ଏତେ ତୀକ୍ଷ୍‌ଣ ଥିଲା ଯେ ଥରେ ମାତ୍ର ଏପରି ଘଟଣାର ସମ୍ମୁଖିନ ହୋଇ ସେ ସଂସାରକୁ ସମ୍ପୂର୍ଣ୍ଣ ତ୍ୟାଗ କରିଥିଲେ । ଯେହେତୁ ଆମର ଏପରି ନିର୍ଣ୍ଣୟାତ୍ମକ ଇଚ୍ଛାଶକ୍ତି ନାହିଁ, ଆମେ ବାରମ୍ବାର ଏଗୁଡ଼ିକୁ ଚିନ୍ତନ କରିବା ଆବଶ୍ୟକ, ଯଦ୍ୱାରା ସଂସାରର ଆକର୍ଷଣ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ ।

ବିରକ୍ତି । ଏହାର ଅର୍ଥ ସଂସାର ପ୍ରତି ଅନାସକ୍ତି । ଆମର ଗୋଟିଏ ମାତ୍ର ମନ ଅଛି ଏବଂ ଯଦି ଆମେ ଏହାକୁ ଆଧ୍ୟାତ୍ମିକ ଲକ୍ଷ୍ୟ ପାଇଁ ଉପଯୋଗ କରିବାକୁ ଚାହିଁବା, ସଂସାରରୁ ବସ୍ତୁ ବା ବ୍ୟକ୍ତିଙ୍କଠାରୁ ଏହାକୁ ହଟାଇବାକୁ ପଡ଼ିବ । ସେଥିପାଇଁ ସାଧକ ସଂସାର ବନ୍ଧନକୁ ଈଶ୍ୱରଙ୍କ ପ୍ରତି ପ୍ରେମ ଓ ବନ୍ଧନ ଦ୍ୱାରା ପ୍ରତିସ୍ଥାପିତ କରିଥାଏ ।

ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦିଙ୍କ ପ୍ରତି ଅନାସକ୍ତି । ଏହି ସବୁଥିରେ ମନ ଅତି ସହଜରେ, ଆସକ୍ତ ହୋଇଥାଏ । ଶାରୀରିକ ଦୃଷ୍ଟିରୁ ଜଣେ ବ୍ୟକ୍ତି ପରିବାର ଏବଂ ଘରକୁ ସ୍ୱତଃ ମୋର ବୋଲି ଚିନ୍ତା କରିଥାଏ । ତେଣୁ ସେମାନେ ମନରେ ପ୍ରାୟତଃ ବାସ କରନ୍ତି, ଏବଂ ତାଙ୍କ ପ୍ରତି ଆସକ୍ତି ମନକୁ ଭୌତିକ ଚେତନାରେ ବାନ୍ଧି ଦିଏ । ଏହି ଆସକ୍ତି କାରଣରୁ ଆମେ  ତାଙ୍କଠାରୁ  ଆଶାନୁରୂପ ବ୍ୟବହାର ଆଶା କରୁ ଏବଂ ଯେତେବେଳେ ସେହି ଆଶା ପୂରଣ ହୁଏ ନାହିଁ, ତାହା ମାନସିକ ଅଶାନ୍ତି ଉତ୍ପନ୍ନ କରେ । ତାଛଡା, ଏଥିରେ ବିୟୋଗ ମଧ୍ୟ ଅବଶ୍ୟମ୍ଭାବୀ - ସେହି ବିୟୋଗ ସ୍ୱଳ୍ପ ସମୟ ପାଇଁ ହୋଇପାରେ ଯେତେବେଳେ ସେମାନେ ଦୂରକୁ ଚାଲିଯାଆନ୍ତି କିମ୍ବା ଚିରଦିନ ପାଇଁ ହୋଇପାରେ ଯେତେବେଳେ ସେମାନେ ମୃତ୍ୟୁ ବରଣ କରନ୍ତି । ଏହିସବୁ ଅନୁଭବ ଏବଂ ଆଶଙ୍କା ମନକୁ ଭାରାକ୍ରାନ୍ତ କରିଦିଏ ଏବଂ ତାକୁ ଭଗବାନଙ୍କଠାରୁ ଦୂରେଇ ନିଏ । ତେଣୁ ଯଦି ଆମେ ଅନନ୍ତ ଆନନ୍ଦ ଚାହୁଁ, ତା’ହେଲେ ସ୍ୱାମୀ / ସ୍ତ୍ରୀ, ସନ୍ତାନ ଏବଂ ଗୃହ ଆଦି ସହିତ ସମ୍ପର୍କ ସ୍ଥାପନ କରିବାରେ ସାବଧାନତା ଅବଲମ୍ବନ କରିବା ଉଚିତ, ଯଦ୍ୱାରା ମନ ସେଥିରେ ଆସକ୍ତ ହୋଇଯିବ ନାହିଁ । ଆମେ ତାଙ୍କ ପ୍ରତି ଆସକ୍ତ ନ ହୋଇ କର୍ତ୍ତବ୍ୟ କରିବା ଉଚିତ, ଯେପରି ଜଣେ ସେବିକା ଚିକିତ୍ସାଳୟରେ ତାର କର୍ତ୍ତବ୍ୟ କରିଥାଏ କିମ୍ବା ଜଣେ ଶିକ୍ଷକ ବିଦ୍ୟାଳୟରେ ତାଙ୍କ ଛାତ୍ର ମାନଙ୍କ ପ୍ରତି କର୍ତ୍ତବ୍ୟ କରିଥାନ୍ତି ।

ଜୀବନର ଅନୁକୁଳ ବା ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ । ଦିବା ଓ ରାତ୍ରୀ ପରି ସୁଖଦ ଏବଂ ଦୁଃଖଦ ଘଟଣା ବିନା ନିମନ୍ତ୍ରଣରେ ଆସିଥାଆନ୍ତି । ଏହାହିଁ ଜୀବନ । ଏହି ଦ୍ୱୈତ ଭାବରୁ ଊର୍ଦ୍ଧ୍ୱକୁ ଯିବାକୁ ହେଲେ ଆମକୁ ସଂସାରର ବନ୍ଧନ ହଟାଇ, ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି କରିବାକୁ ପଡ଼ିବ । ଜୀବନର ପ୍ରତିକୂଳ ପରିସ୍ଥିତିରେ ଅବିଚଳିତ ରହିବା କିମ୍ବା ସଫଳତାର ଉତ୍ସାହରେ ବିଭୋର ନ ହେବା ପାଇଁ ଆମେ ନିଜକୁ ସକ୍ଷମ କରିବା ଉଚିତ ।

ମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଭକ୍ତି । ବିରକ୍ତିର ଅର୍ଥ ମନକୁ କୌଣସି ଅନୁଚିତ୍ ଦିଗରେ ଯିବାକୁ ନ ଦେବା । କିନ୍ତୁ କେବଳ ଅନୁଚିତ୍ ଲକ୍ଷ୍ୟ ଠାରୁ ମନକୁ ହଟାଇ ଦେଲେ ଚଳିବ ନାହିଁ, ଏହାକୁ ଉଚିତ୍ ଲକ୍ଷ୍ୟ ଅଭିମୁଖରେ ପ୍ରେରିତ କରିବା ଆବଶ୍ୟକ । । ଜୀବନର ଉଚିତ୍ ଲକ୍ଷ୍ୟ ହେଉଛି ଭଗବାନଙ୍କ ପାଦ ପଦ୍ମରେ ନିଜକୁ ଅର୍ପିତ କରିବା । ତେଣୁ ଶ୍ରୀକୃଷ୍ଣ ଏହାକୁ ଏଠାରେ ବିଶେଷ ଭାବରେ ସ୍ପଷ୍ଟ କରିଛନ୍ତି ।

ଏକାନ୍ତ ସ୍ଥାନ ପ୍ରତି ଆଗ୍ରହ । ସାଂସାରିକ ବ୍ୟକ୍ତିମାନଙ୍କ ପରି ସାଧକମାନେ ନିଃସଙ୍ଗତା ଦୂର କରିବା ପାଇଁ ସାଙ୍ଗସାଥୀମାନଙ୍କର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ସେମାନେ ଏକାନ୍ତ ପସନ୍ଦ କରନ୍ତି, ଯଦ୍ୱାରା ମନକୁ ସେମାନେ ଭଗବାନଙ୍କ ସହିତ ସଂଯୁକ୍ତ କରିପାରିବେ । ସେଥିପାଇଁ ସେମାନେ ନିର୍ଜନ ସ୍ଥାନ ବାଛିବାରେ ଆଗ୍ରହ ପ୍ରକାଶ କରିଥାନ୍ତି, ଯେଉଁଠାରେ ସେମାନେ ଅଧିକ ତନ୍ମୟତାର ସହିତ ଆଧ୍ୟାତ୍ମିକ ଚିନ୍ତନରେ ନିଜକୁ ନିୟୋଜିତ କରିପାରିବେ ।

ପାର୍ଥିବ ସମାଜ ପ୍ରତି ବୈରାଗ୍ୟ । ସାଂସାରିକ ବ୍ୟକ୍ତି ଏବଂ ସାଂସାରିକ ବସ୍ତୁ ବିଷୟରେ ଆଲୋଚନା କରି ସୁଖୀ ହେବା, ଭୌତିକବାଦୀ ମନର ଲକ୍ଷଣ ଅଟେ । ଦିବ୍ୟ ଚେତନାରେ ରହିବାକୁ ଇଚ୍ଛୁକ ବ୍ୟକ୍ତି ସେସବୁ ପ୍ରତି ବିତୃଷ୍ଣାଭାବ ପୋଷଣ କରନ୍ତି ଏବଂ ପାର୍ଥିବ ସଂସାରଠାରୁ ଦୂରେଇ ରହନ୍ତି । ଯଦି କେବେ ଭଗବାନଙ୍କ ସେବା ନିମିତ୍ତ ଏଥିରେ ଅଂଶଗ୍ରହଣ କରିବାକୁ ପଡ଼େ, ତେବେ ସାଧକ ଏହାକୁ ସ୍ୱୀକାର କରିଥାଆନ୍ତି, କିନ୍ତୁ ମାନସିକ ସ୍ତରରେ ଏହାଦ୍ୱାରା ପ୍ରଭାବିତ ନ ହେବା ପାଇଁ ନିଜ ଭିତରେ ଶକ୍ତି ଉତ୍ପନ୍ନ କରିଥାଆନ୍ତି ।

ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା । କୌଣସି ବିଷୟକୁ କେବଳ ତତ୍ତ୍ୱତଃ ଜାଣିବା ଯଥେଷ୍ଟ ନୁହେଁ । ଜଣେ ଜାଣିଥାଇପାରନ୍ତି ଯେ କ୍ରୋଧ ଠିକ୍ ନୁହେଁ, ତଥାପି ସେ ଏହା ବାରମ୍ବାର ପ୍ରକାଶ କରିପାରନ୍ତି । ଆଧ୍ୟାତ୍ମିକ ଜ୍ଞାନକୁ ଗ୍ରହଣ କରି ଜୀବନରେ ତାହାକୁ ବ୍ୟବହାରିକ ରୂପରେ ଉପଯୋଗ କରିବା ଆବଶ୍ୟକ । ଏହା କେବଳ ଥରେ ମାତ୍ର ଶୁଣିବା ଦ୍ୱାରା ସମ୍ଭବ ହୋଇ ନ ଥାଏ । ଶୁଣିବା ପରେ ବାରମ୍ବାର ଏହାର ଚିନ୍ତନ କରିବା ଆବଶ୍ୟକ । ଦିବ୍ୟ ସତ୍ୟର ଏପରି ମନ୍ଥନକୁ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା କହୁଛନ୍ତି ।

ଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ । ପଶୁମାନେ ମଧ୍ୟ ଖାଇବା, ଶୋଇବା, ଯୌନକ୍ରିୟା କରିବା, ଆତ୍ମରକ୍ଷା କରିବା ଆଦି ଶାରୀରିକ କର୍ମ କରିଥାନ୍ତି, କିନ୍ତୁ ଭଗବାନ ମନୁଷ୍ୟମାନଙ୍କୁ ଏକ ବିଶେଷ ଜ୍ଞାନ ଶକ୍ତି ପ୍ରଦାନ କରିଛନ୍ତି । ଏହାର ଉଦ୍ଦେଶ୍ୟ ଏହିସବୁ ଶାରୀରିକ କ୍ରିୟାଗୁଡ଼ିକ ବିଳାସମୟ ଭାବରେ ଉପଭୋଗ କରିବା ନୁହେଁ, ବରଂ “ମୁଁ କିଏ?, ମୁଁ ଏଠାରେ କାହିଁକି ଅଛି?, ମୋ ଜୀବନର ଲକ୍ଷ୍ୟ କ’ଣ?, ଏ ସଂସାର କିପରି ସୃଷ୍ଟି ହେଲା?, ସ୍ରଷ୍ଟାଙ୍କ ସହିତ ମୋର ସମ୍ପର୍କ କ’ଣ?, ମୁଁ ଜୀବନର ଲକ୍ଷ୍ୟ କିପରି ପୂରଣ କରିବି?, ଇତ୍ୟାଦି ପ୍ରଶ୍ନ ଗୁଡିକର ବାରମ୍ବାର ଅନୁଧ୍ୟାନ କରିବା ।  ସତ୍ୟର ଏହି ଦାର୍ଶନିକ ଅନ୍ୱେଷଣ, ଆମର ଚିନ୍ତାଧାରାକୁ ପାଶବିକ ସ୍ତରରୁ ଉପରକୁ ଯିବାକୁ ଉଦ୍‌ବୁଦ୍ଧକରେ ଏବଂ ଭଗବତ୍‌ପ୍ରାପ୍ତିର ବିଜ୍ଞାନ ବିଷୟରେ ଶୁଣିବା ଓ ପଢ଼ିବା ପାଇଁ ଆମକୁ ଆଗ୍ରହୀ କରାଏ ।

ଉପର ବର୍ଣ୍ଣିତ ଏହିସବୁ ସଦ୍‌ଗୁଣ, ଅଭ୍ୟାସ, ବ୍ୟବହାର ଏବଂ ମନୋଭାବ ଆମର ବିଦ୍ୱତା ଏବଂ ଜ୍ଞାନର ବୃଦ୍ଧି କରାଇ ଥାଏ । ଏହାର ବିପରୀତ ଗୁଣ ସବୁ ହେଲା, ଅହଂକାର, ଶଠତା, ହିଂସା, ପ୍ରତିଶୋଧ, କପଟ, ଗୁରୁଙ୍କ ପ୍ରତି ଅସମ୍ମାନ, ଶରୀର ଓ ମନର ଅଶୁଦ୍ଧତା, ଅସ୍ଥିରତା, ଅଂସଯମତା, ଇନ୍ଦ୍ରିୟ ବିଷୟ ପ୍ରତି ଲାଳସା, ମିଥ୍ୟା ଅଭିମାନ, ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦିଙ୍କ ଠାରେ ଆସକ୍ତି ଇତ୍ୟାଦି । ଏହିସବୁ ପ୍ରବୃତ୍ତି ଆତ୍ମଜ୍ଞାନର ବିକାଶକୁ ପଙ୍ଗୁ କରିଦିଏ । ତେଣୁ ଶ୍ରୀକୃଷ୍ଣ ସେଗୁଡ଼ିକୁ ଅଜ୍ଞାନ ବା ଅନ୍ଧକାର କହୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!