Contact: +91 844 894 1008
bgwebsite_logo
Bhagavad Gita
The Song of God

Chapter 14: ଗୁଣତ୍ରୟ ବିଭାଗ ଯୋଗ

ଗୁଣତ୍ରୟ ବିଭାଗ ଯୋଗ

ପୂର୍ବ ଅଧ୍ୟାୟରେ ଆତ୍ମା ଏବଂ ଭୌତିକ ଶରୀର ମଧ୍ୟରେ ଥିବା ପ୍ରଭେଦର ବିସ୍ତୃତ ବର୍ଣ୍ଣନା କରାଯାଇଥିଲା । ଏହି ଅଧ୍ୟାୟରେ, ମାୟିକ ଶକ୍ତିର  ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଶରୀର ଏବଂ ତାହାର ଉପାଦାନର ସ୍ରୋତ ଅଟେ, ତଥା ଉଭୟ ମନ ଓ ପଦାର୍ଥର ଉଦ୍‌ଗମ ସ୍ଥଳ ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ମାୟିକ ଶକ୍ତି ତିନିଗୁଣ ବିଶିଷ୍ଟ ଅଟେ- ସତ୍ତ୍ୱ, ରଜୋ ଓ ତମୋ । ମାୟିକ ଶକ୍ତିରେ ଗଠିତ ଶରୀର, ମନ ଏବଂ ବୁଦ୍ଧି ଏହି ତିନିଗୁଣ ଧାରଣ କରନ୍ତି । ଏହି ତିନିଗୁଣର ମିଶ୍ରଣ, ଆମ ବ୍ୟକ୍ତିତ୍ୱର ରୂପରେଖ ନିର୍ଣ୍ଣୟ କରେ । ଶାନ୍ତି, କଲ୍ୟାଣ, ସଦ୍‌ଗୁଣ ଏବଂ ପ୍ରସନ୍ନତା ଇତ୍ୟାଦି ସତ୍ତ୍ୱଗୁଣର ବିଶେଷତ୍ୱ ଅଟେ । ରଜୋ ଗୁଣ ସାଂସାରିକ ଉନ୍ନତି ପାଇଁ ଅସଂଖ୍ୟ କାମନା ଏବଂ ଅତୃପ୍ତ ଅଭିଳାଷ ଉତ୍ପନ୍ନ କରେ । ଭ୍ରମ, ଆଳସ୍ୟ, ନିଶାସକ୍ତି ଏବଂ ନିଦ୍ରା ତମୋଗୁଣର ପ୍ରଭାବ ଅଟେ । ଜ୍ଞାନ ପ୍ରାପ୍ତି ନ କରିବା ପର୍ଯ୍ୟନ୍ତ, ମାୟିକ ପ୍ରକୃତିର ଏହି ତିନୋଟି ବଳବାନ ଶକ୍ତି ସହିତ ଜୀବକୁ ଉପଯୋଜନ କରିବାକୁ ପଡିଥାଏ । ଏହି ତ୍ରିଗୁଣକୁ ଅତିକ୍ରମ କରିବା ପରେ ହିଁ ଜୀବକୁ ମୁକ୍ତି ମିଳିଥାଏ ।

ତ୍ରିଗୁଣର ବନ୍ଧନ ଛିନ୍ନ କରିବାର ଏକ ସରଳ ସମାଧାନ ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରିଛନ୍ତି । ଭଗବାନ ତ୍ରିଗୁଣାତୀତ ଅଟନ୍ତି, ତେଣୁ ଆମେ ଯଦି ମନକୁ ତାଙ୍କ ସହିତ ସଂଯୁକ୍ତ କରିଦେବା, ତେବେ ମନର ଉତ୍‌ଥାନ ଦିବ୍ୟ ସ୍ତରକୁ ହୋଇଯିବ । ଏହାପରେ ଅର୍ଜୁନ ତିନିଗୁଣର ଊର୍ଦ୍ଧ୍ୱରେ ଥିବା ବ୍ୟକ୍ତିମାନଙ୍କର ସ୍ୱଭାବ ବିଷୟରେ ପ୍ରଶ୍ନ କରିଛନ୍ତି । ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ବ୍ୟବସ୍ଥିତ ଭାବରେ ସେହି ମୁକ୍ତ ଆତ୍ମାଙ୍କର ଚରିତ୍ର ବର୍ଣ୍ଣନା କରିଛନ୍ତି । ସେ ବୁଝାଉଛନ୍ତି ଯେ ଜ୍ଞାନୋଦ୍ଦୀପ୍ତ ବ୍ୟକ୍ତିମାନେ ସମଭାବାପନ୍ନ ରହନ୍ତି; ସଂସାରରେ ମାୟିକ ଗୁଣମାନଙ୍କର ପ୍ରତିକ୍ରିୟା ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିକୁ ଯେପରି ପ୍ରଭାବିତ କରିଥାଏ, ସେଥିରେ ସେମାନେ ବିଚଳିତ ହୁଅନ୍ତି ନାହିଁ । ସବୁକିଛିକୁ ସେମାନେ ଭଗବାନଙ୍କ ଶକ୍ତିର ପରିପ୍ରକାଶ ରୂପରେ ଦେଖନ୍ତି, ଯାହା ଅନ୍ତତଃ ଭଗବାନଙ୍କ ହାତରେ ହିଁ ଥାଏ । ଏଣୁ ସାଂସାରିକ ପରିସ୍ଥିତି ସବୁ ତାଙ୍କୁ ଉତ୍‌ଫୁଲ୍ଲିତ କିମ୍ବା ମର୍ମାହତ କରେ ନାହିଁ ଏବଂ ଅସ୍ଥିର ନ ହୋଇ ସେମାନେ ନିଜ ଆତ୍ମାରେ ସ୍ଥିତ ରହନ୍ତି । ଅଧ୍ୟାୟର ଶେଷରେ ଶ୍ରୀକୃଷ୍ଣ ପୁନର୍ବାର ଆମକୁ ଭକ୍ତିର ଶକ୍ତି ଏବଂ ତ୍ରିଗୁଣକୁ ଅତିକ୍ରମ କରାଇବାର ତାହାର କ୍ଷମତା ବିଷୟରେ କରିଛନ୍ତି ।

Bhagavad Gita 14.1 View Commentary » View »

ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।

Bhagavad Gita 14.2 View Commentary » View »

ଯେଉଁମାନେ ଏହି ଜ୍ଞାନର ଆଶ୍ରିତ ହୁଅନ୍ତି, ସେମାନେ ମୋ ସହିତ ମିଳିତ ହୁଅନ୍ତି । ସେମାନଙ୍କର ସୃଷ୍ଟି ସମୟରେ ପୁର୍ନଜନ୍ମ କିମ୍ବା ପ୍ରଳୟ ସମୟରେ ବିଲୟ ହେବ ନାହିଁ ।

Bhagavad Gita 14.3 - 14.4 View Commentary » View »

ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର ! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।

Bhagavad Gita 14.5 View Commentary » View »

ହେ ବୀର ଅର୍ଜୁନ ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍‌ଡ଼ିକ ନିତ୍ୟ ଆତ୍ମାକୁ ଅନିତ୍ୟ ଶରୀରରେ ବାନ୍ଧି ଦିଅନ୍ତି ।

Bhagavad Gita 14.6 View Commentary » View »

ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍‌ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା ! ଏହା ଆତ୍ମାକୁ ସୁଖ ଓ ଜ୍ଞାନ ପ୍ରତି ଆସକ୍ତ କରି ବନ୍ଧନଯୁକ୍ତ କରାଏ ।

Bhagavad Gita 14.7 View Commentary » View »

ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।

Bhagavad Gita 14.8 View Commentary » View »

ହେ ଅର୍ଜୁନ ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।

Bhagavad Gita 14.9 View Commentary » View »

ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।

Bhagavad Gita 14.10 View Commentary » View »

ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।

Bhagavad Gita 14.11 - 14.13 View Commentary » View »

ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍‌ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।

Bhagavad Gita 14.14 - 14.15 View Commentary » View »

ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।

Bhagavad Gita 14.16 View Commentary » View »

ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।

Bhagavad Gita 14.17 View Commentary » View »

ସତ୍ତ୍ୱଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ ହୁଏ ।

Bhagavad Gita 14.18 View Commentary » View »

ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।

Bhagavad Gita 14.19 View Commentary » View »

ବିଜ୍ଞବ୍ୟକ୍ତିମାନେ ଯେତେବେଳେ ବୁଝିପାରନ୍ତି, ସମସ୍ତ କର୍ମର କର୍ତ୍ତା ତ୍ରିଗୁଣ ବ୍ୟତିତ ଅନ୍ୟ କେହି ନୁହଁନ୍ତି ଏବଂ ମୋତେ ତ୍ରିଗୁଣାତୀତ ଭାବରେ ଜାଣନ୍ତି, ସେମାନେ ମୋର ଦିବ୍ୟଗୁଣରେ ସମ୍ପନ୍ନ ହୁଅନ୍ତି ।

Bhagavad Gita 14.20 View Commentary » View »

ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।

Bhagavad Gita 14.21 View Commentary » View »

ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ ?

Bhagavad Gita 14.22 - 14.23 View Commentary » View »

ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ ।

Bhagavad Gita 14.24 - 14.25 View Commentary » View »

ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।

Bhagavad Gita 14.26 View Commentary » View »

ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।

Bhagavad Gita 14.27 View Commentary » View »

ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!