ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍ ।
ଯତନ୍ତୋଽପ୍ୟକୃତାତ୍ମାନୋ ନୈନଂ ପଶ୍ୟନ୍ତ୍ୟଚେତସଃ ।।୧୧।।
ଯତନ୍ତଃ - ପ୍ରଚେଷ୍ଟାବାନ୍; ଯୋଗିନଃ - ଯୋଗୀଗଣ; ଚ-ମଧ୍ୟ; ଏନଂ -ଏହାକୁ; ପଶ୍ୟନ୍ତି- ଦେଖିପାରନ୍ତି; ଆତ୍ମନି - ଆତ୍ମାରେ; ଅବସ୍ଥିତମ୍- ଅବସ୍ଥିତ; ଯତନ୍ତଃ -ପ୍ରଚେଷ୍ଟାବାନ୍; ଅପି-ଯଦିଓ: ଅକୃତ-ଆତ୍ମନଃ- ଯେଉଁମାନଙ୍କର ମନ ଶୁଦ୍ଧ ହୋଇନାହିଁ; ନ-ନୁହେଁ; ଏନମ୍- ଏହାକୁ; ପଶ୍ୟନ୍ତି- ଦେଖିପାରନ୍ତି; ଅଚେତସଃ - ନିମ୍ନ ଚେତନାରେ ଥିବା ବ୍ୟକ୍ତି ।
BG 15.11: ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।
ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍ ।
ଯତନ୍ତୋଽପ୍ୟକୃତାତ୍ମାନୋ ନୈନଂ ପଶ୍ୟନ୍ତ୍ୟଚେତସଃ ।।୧୧।।
ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଜ୍ଞାନ ପାଇଁ କେବଳ ଚେଷ୍ଟାକରିବା ଯଥେଷ୍ଟ ନୁହେଁ; ଆମର ଉଦ୍ୟମ ସଠିକ୍ ଦିଗରେ ହେବା ଆବଶ୍ୟକ । ମନୁଷ୍ୟ ଏହି ଭୁଲ କରିଥାଏ ଯେ ଯେଉଁ ପ୍ରଣାଳୀରେ ସେ ସଂସାରର ଜ୍ଞାନ ଲାଭ କରିଥାଏ, ସେହି ଉପାୟରେ ଦିବ୍ୟ ଜ୍ଞାନ ଲାଭ କରିବାକୁ ଚେଷ୍ଟା କରେ । ସେମାନେ ତାଙ୍କର ଇନ୍ଦ୍ରିୟମାନଙ୍କର ଅନୁଭୂତି ଏବଂ ବୁଦ୍ଧିର ଶକ୍ତିକୁ, ଜ୍ଞାନର ସଠିକତା ଅଥବା ଦୋଷାବହତା ନିର୍ଣ୍ଣୟ କରିବାର ମାନଦଣ୍ଡ ରୂପେ ଗ୍ରହଣ କରନ୍ତି । ସେମାନେ ଧରିନିଅନ୍ତି ଯେ, ଯଦି କୌଣସି ବିଷୟକୁ ତାଙ୍କର ଇନ୍ଦ୍ରିୟମାନେ ଧାରଣ କରିପାରୁନାହାଁନ୍ତି କିମ୍ବା ତାଙ୍କ ବୁଦ୍ଧି ବୁଝିପାରୁନାହିଁ, ତାହେଲେ ସେପରି ତତ୍ତ୍ୱର ଅସ୍ଥିତ୍ୱ ନାହିଁ । ଯେହେତୁ ଇନ୍ଦ୍ରିୟଗୁଡ଼ିକ ଆତ୍ମାର ଉପଲବ୍ଧି କରିପାରନ୍ତି ନାହିଁ, ସେମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଥାଆନ୍ତି ଯେ ଆତ୍ମା ନାମକ କୌଣସି ତତ୍ତ୍ୱ ନାହିଁ । ଏହାର ବର୍ଣ୍ଣନା କରିବାକୁ ଯାଇ, ଆଲେକ୍ସି କାରେଲ୍ ତାଙ୍କ ପୁସ୍ତକ, ଅଜଣା ମଣିଷରେ ଲେଖିଛନ୍ତି: “ଆମ ମନର ଏକ ସ୍ୱାଭାବିକ ପ୍ରବୃତ୍ତି, ଯେଉଁ ବିଷୟ ଆମର ସମକାଳୀନ ବୈଜ୍ଞାନିକ କିମ୍ବା ଦାର୍ଶନିକ ବିଶ୍ୱାସ ସହିତ ଖାପ ଖାଇ ନ ଥାଏ, ଆମେ ତାକୁ ବହିଷ୍କାର କରିଥାଏ । ତଥାପି ବୈଜ୍ଞାନିକମାନେ ମନୁଷ୍ୟ ହିଁ ଅଟନ୍ତି । ସେମାନେ ନିଜର ପରିବେଶ ଓ ଯୁଗର ବଦ୍ଧମୂଳଧାରଣାକୁ ନେଇ ପରିତୃପ୍ତ ଥାଆନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ସିଦ୍ଧାନ୍ତ ଅନୁଯାୟୀ ଯେଉଁ ତତ୍ତ୍ୱର ବର୍ଣ୍ଣନା କରାଯାଇ ପାରୁନାହିଁ, ତାହାର ଅସ୍ତିତ୍ୱ ନାହିଁ । ବୈଜ୍ଞାନିକମାନେ ଏବେ ବି ଟେଲିପାଥୀ ଏବଂ ଅନ୍ୟ ଆଧ୍ୟାତ୍ମିକ ପ୍ରକ୍ରିୟାକୁ ଭ୍ରମ ମନେ କରିଥାନ୍ତି । ଜଣାଶୁଣା ଅଥଚ ଅଣ-ପାରମ୍ପରିକ ବିଷୟ ଗୁଡ଼ିକୁ ଦବାଇ ଦିଆଯାଏ ।”
ନ୍ୟାୟଦର୍ଶନ ଏହି ପ୍ରକାର ଚିନ୍ତନକୁ କୂପ-ମଣ୍ଡୂକ-ନ୍ୟାୟ ଆଖ୍ୟା ଦେଇଥାଏ । ଗୋଟିଏ ମଣ୍ଡୂକ ଗୋଟିଏ କୂଅ ଭିତରେ ରହୁଥିଲା ଏବଂ ସେ କୂଅର ଆକାର ସମ୍ବନ୍ଧରେ ପୂର୍ଣ୍ଣ ପରିଚିତ ଥିଲା । ଦିନେ ସମୁଦ୍ରରେ ରହୁଥିବା ଏକ ମଣ୍ଡୂକ କୂଅ ମଧ୍ୟକୁ ଡ଼େଇଁପଡ଼ିଲା । ସେମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରିବାରେ ଲାଗିଲେ । କୂଅର ମଣ୍ଡୂକଟି ସାମୁଦ୍ରିକ ମଣ୍ଡୂକକୁ ପଚାରିଲା, “ତୁମେ ଯେଉଁଠାରୁ ଆସିଛ, ସେହି ସମୁଦ୍ରଟି କେତେ ବଡ଼?” ସମୁଦ୍ର ମଣ୍ଡୂକଟି ଉତ୍ତର ଦେଲା, “ତାହା ବହୁତ ବଡ଼ ।” ଏହି କୂଅଠାରୁ ପାଞ୍ଚଗୁଣ ବଡ଼?” “ନା, ଅନେକ ବଡ଼ ।” “ଏହି କୂଅର ଦଶଗୁଣ ବଡ଼?” “ନା ତାଠାରୁ ଆହୁରି ବଡ଼ ।” “ଶହେ ଗୁଣ?” “ନା ତାହା କିଛି ନୁହେଁ । ଏହା ବହୁତ ବଡ଼ ।” କୂଅ ମଣ୍ଡୁକଟି କହିଲା “ତୁମେ ମିଛ କହୁଛ ।” “ମୋ କୂଅଠାରୁ, ଅନ୍ୟ କୌଣସି ବସ୍ତୁ ଶହେ ଗୁଣରେ ବି ବଡ଼ କିପରି ହୋଇପାରିବ?” କୂପ ବିଷୟରେ ତା’ର ସାରା ଜୀବନର ଅଭିଜ୍ଞତା ତା’ ବୁଦ୍ଧିକୁ ଗ୍ରାସ କରିଥିଲା, ତେଣୁ ସେ ବିଶାଳ ସାଗରର ପରିକଳ୍ପନା କରିପାରିଲା ନାହିଁ । ସେହିପରି, ନିଜର କ୍ଷୁଦ୍ର ବୁଦ୍ଧିର ଅଭିଜ୍ଞତାରେ ସୀମିତ ହୋଇ, ଭୌତିକବାଦୀମାନେ ଅପ୍ରାକୃତ ଆତ୍ମାର ଉପସ୍ଥିତିର ସମ୍ଭାବନାକୁ ଅସ୍ୱୀକାର କରିଥାନ୍ତି । କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରନ୍ତି, ସେମାନେ ହୃଦ୍ବୋଧ କରିପାରନ୍ତି ଯେ ଭୌତିକ ବୁଦ୍ଧିର ପରିସୀମା ବାହାରେ ମଧ୍ୟ ଜ୍ଞାନ ଥାଇପାରେ । ନମ୍ରତା ଏବଂ ବିଶ୍ୱାସର ସହିତ, ଅନ୍ତଃକରଣକୁ ଶୁଦ୍ଧ କରିବାର ଲକ୍ଷ୍ୟ ନେଇ, ସେମାନେ ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା ଆରମ୍ଭ କରିଥାନ୍ତି । ଅନ୍ତଃକରଣ ଶୁଦ୍ଧ ହୋଇଗଲେ, ଆତ୍ମାର ଉପସ୍ଥିତି ଆପଣାଛାଏଁ ହୃଦ୍ବୋଧ ହୋଇଥାଏ । ସେତେବେଳେ ଶାସ୍ତ୍ରୋକ୍ତ ସତ୍ୟର ଜ୍ଞାନ ଅନୁଭବାତ୍ମକ ହୋଇଥାଏ ।
ଇନ୍ଦ୍ରିୟମାନେ ପ୍ରାରମ୍ଭିକ ସ୍ତରରେ ଯେପରି ଆତ୍ମାକୁ ଚିହ୍ନିପାରନ୍ତି ନାହିଁ, ସେହିପରି ଭଗବାନ ମଧ୍ୟ ସେମାନଙ୍କର ପରିସୀମା ବର୍ହିଭୂତ ଅଟନ୍ତି ଏବଂ ଏହାର ଜ୍ଞାନ ଚକ୍ଷୁରେ ହିଁ ଧାରଣା କରାଯାଇପାରିବ । ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ, ଭଗବାନଙ୍କର ଅବସ୍ଥିତି ସମ୍ପର୍କରେ ଜାଣିବାର ଉପାୟ ବର୍ଣ୍ଣନା କରିଛନ୍ତି ।