ଯଦାଦିତ୍ୟଗତଂ ତେଜୋ ଜଗଦ୍ଭାସୟତେଽଖିଳମ୍ ।
ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧି ମାମକମ୍ ।।୧୨।।
ଯତ୍-ଯାହା; ଆଦିତ୍ୟ ଗତଂ -ସୂର୍ଯ୍ୟକିରଣରେ; ତେଜଃ - ତେଜ; ଜଗତ -ସମଗ୍ର ଜଗତ; ଭାସୟତେ - ଉଦ୍ଭାସିତ ହୁଏ; ଅଖିଳମ୍ - ସମ୍ପୂର୍ଣ୍ଣରୂପେ; ଯତ୍-ଯାହା; ଚନ୍ଦ୍ରମସି - ଚନ୍ଦ୍ରରେ; ଯତ୍-ଯାହା; ଚ-ମଧ୍ୟ; ଅଗ୍ନୌ- ଅଗ୍ନିରେ; ତତ୍-ତାହା; ତେଜଃ -ତେଜ; ବିଦ୍ଧି-ଜାଣିରଖ; ମାମକମ୍ - ମୋ’ଠାରୁ ।
BG 15.12: ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।
ଯଦାଦିତ୍ୟଗତଂ ତେଜୋ ଜଗଦ୍ଭାସୟତେଽଖିଳମ୍ ।
ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧି ମାମକମ୍ ।।୧୨।।
ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆମ୍ଭମାନଙ୍କର ମାନବୀୟ ପ୍ରବୃତ୍ତି ଏପରି ଯେ, ଆମେ ଯାହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁ, ସେଥିପ୍ରତି ଆକର୍ଷିତ ହୋଇଥାଏ । ଆମେ ଶରୀର, ସ୍ୱାମୀ/ସ୍ତ୍ରୀ, ସନ୍ତାନ ଏବଂ ଧନ ଇତ୍ୟାଦିକୁ ଗୁରୁତ୍ୱପୂର୍ଣ୍ଣ ମନେକରି ସେଥି ପ୍ରତି ଆକର୍ଷିତ ହୋଇଥାଏ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି, ସୃଷ୍ଟିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବସ୍ତୁରେ ତାଙ୍କର ଶକ୍ତି ପ୍ରକଟିତ ହୁଏ । ସୂର୍ଯ୍ୟଙ୍କର ଦୀପ୍ତି ତାଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୈଜ୍ଞାନିକମାନେ ଆକଳନ କରନ୍ତି, ସୂର୍ଯ୍ୟ ପ୍ରତି ସେକେଣ୍ଡରେ ଲକ୍ଷାଧିକ ଆଣବିକ ଶକ୍ତିକେନ୍ଦ୍ରର ଶକ୍ତି ବିକିରଣ କରିଥାଏ । ଏହା କୋଟି କୋଟି ବର୍ଷ ଧରି ହେଉଅଛି, ତଥାପି ଏହା ସମାପ୍ତ ହୋଇନାହିଁ କିମ୍ବା ଏଥିରେ କୌଣସି ତ୍ରୁଟି ଉତ୍ପନ୍ନ ହୋଇନାହିଁ । ଏପରି ଏକ ଅଦ୍ଭୁତ ସ୍ୱର୍ଗୀୟ ବସ୍ତୁ, ଏକ ବ୍ରହ୍ମାଣ୍ଡୀୟ-ବିସ୍ଫୋଟରୁ ଦୈବାତ୍ ଉତ୍ପନ୍ନ ହୋଇଥିବାର ଚିନ୍ତାଧାରା ଅବାସ୍ତବ ଅଟେ । ସୂର୍ଯ୍ୟ ଭଗବାନଙ୍କର ହିଁ ଐଶ୍ୱର୍ଯ୍ୟ ଅଟନ୍ତି ।
ସେହିପରି ଚନ୍ଦ୍ର ରାତ୍ରୀ ଆକାଶକୁ ଉଜ୍ଜ୍ୱଳ କରିବାର ଏକ ଚମତ୍କାର କାର୍ଯ୍ୟ କରନ୍ତି । ଆମ ପାର୍ଥିବ ବୁଦ୍ଧିରେ ଆମେ ବିଜ୍ଞାନ ସମ୍ମତ ନିଷ୍ପତ୍ତି ନେଇପାରିବା ଯେ ସୂର୍ଯ୍ୟାଲୋକର ପ୍ରତିଫଳନରେ ହିଁ ଚନ୍ଦ୍ରଙ୍କର ରଶ୍ମି ସୃଷ୍ଟି ହେଉଅଛି । କିନ୍ତୁ ଏହି ଚମତ୍କାର ବ୍ୟବସ୍ଥାର ସଂରଞ୍ଚନା ଭଗବାନଙ୍କ ଐଶ୍ୱର୍ଯ୍ୟ ଦ୍ୱାରା ହୋଇଥାଏ ଏବଂ ଭଗବାନଙ୍କ ଅନେକ ବିଭୂତିର ପରିପ୍ରକାଶ ମଧ୍ୟରୁ ଚନ୍ଦ୍ର ଗୋଟିଏ । ଏହି ପ୍ରସଙ୍ଗରେ, କଠୋପନିଷଦରେ ଏକ କାହାଣୀ ଅଛି । କୁହାଯାଏ ଯେ ଥରେ ଦେବତା ଏବଂ ଦୈତ୍ୟ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ହେଲା, ଯେଉଁଥିରେ ଶେଷରେ ଦେବତା ମାନଙ୍କର ବିଜୟ ହେଲା । କିନ୍ତୁ ତାଙ୍କର ବିଜୟ ଅହଂକାର ସୃଷ୍ଟି କଲା ଏବଂ ଦେବତାମାନେ ଚିନ୍ତା କରିବାରେ ଲାଗିଲେ ଯେ ତାଙ୍କ ନିଜ ଶକ୍ତିରେ ସେମାନେ ଏହା ହାସଲ କରିଛନ୍ତି । ତାଙ୍କର ଅହଂକାର ଦମନ କରିବା ପାଇଁ, ଭଗବାନ ଜଣେ ଯକ୍ଷ ରୂପରେ ସ୍ୱର୍ଗର ଆକାଶରେ ପ୍ରକଟ ହେଲେ । ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମୟ ଥିଲା । ପ୍ରଥମେ ଇନ୍ଦ୍ର ତାଙ୍କୁ ଦେଖିଲେ ଏବଂ ଜଣେ ସାଧାରଣ ଯକ୍ଷ ତାଙ୍କଠାରୁ ଅଧିକ ତେଜସ୍ୱୀ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ଅଗ୍ନି ଦେବତାଙ୍କୁ ତାଙ୍କ ବିଷୟରେ ବୁଝିବାକୁ ପଠାଇଲେ । ଅଗ୍ନି ଯକ୍ଷଙ୍କ ପାଖକୁ ଯାଇ କହିଲେ, “ମୁଁ ଅଗ୍ନିଦେବତା, ସମସ୍ତ ବିଶ୍ୱକୁ ଗୋଟିଏ ମୁହୂର୍ତ୍ତରେ ଜାଳି ଭସ୍ମ କରିଦେବାର ଶକ୍ତି ମୋର ଅଛି । ବର୍ତ୍ତମାନ ତୁମେ ନିଜର ପରିଚୟ ଦିଅ ।” ଯକ୍ଷରୂପୀ ଭଗବାନ ତାଙ୍କ ସମ୍ମୁଖରେ ଏକ ତୃଣ ରଖି କହିଲେ, “ଦୟାକରି ଏହାକୁ ଜଳାନ୍ତୁ ।” ତାକୁ ଦେଖି ଅଗ୍ନି ହସିବାରେ ଲାଗିଲେ । “ମୋର ଅପାର ଶକ୍ତି ଆଗରେ ଏହି କ୍ଷୁଦ୍ର ତୃଣଟି କ’ଣ? ତଥାପି, ଯେତେବେଳେ ଅଗ୍ନି ତାକୁ ଜାଳିବାକୁ ଚେଷ୍ଟାକଲେ, ଭଗବାନ ଭିତରୁ ତାଙ୍କର ଶକ୍ତିକୁ ହରଣ କରିନେଲେ । ବିଚରା ଅଗ୍ନି ନିଜେ ଶୀତରେ କମ୍ପିତ ହେବାରେ ଲାଗିଲେ । କୌଣସି ବସ୍ତୁକୁ ଜଳାଇବାର ପ୍ରଶ୍ନ ହିଁ ନଥିଲା । ନିଜ ବିଫଳତାରେ ଲଜ୍ଜିତ ହୋଇ, ସେ ଇନ୍ଦ୍ରଙ୍କ ପାଖକୁ ଫେରି ଆସିଲେ ।
ତାପରେ ଇନ୍ଦ୍ର ବାୟୁ ଦେବତାଙ୍କୁ ଯକ୍ଷଙ୍କର ପରିଚୟ ଜାଣିବାକୁ ପଠାଇଲେ! ବାୟୁ ସେଠାକୁ ଯାଇ ଘୋଷଣା କଲେ, “ମୁଁ ବାୟୁ ଦେବତା, ମୁଁ ଇଚ୍ଛା କଲେ ସମଗ୍ର ପୃଥିବୀକୁ ଗୋଟିଏ ମୁହୂର୍ତ୍ତରେ ଓଲଟପାଲଟ କରି ଦେଇ ପାରିବି । ବର୍ତ୍ତମାନ ଦୟାକରି ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ।” ଯକ୍ଷରୂପୀ ଭଗବାନ ପୁଣିଥରେ ତୃଣର ଖଣ୍ଡଟିକୁ ତାଙ୍କ ସମ୍ମୁଖରେ ରଖି ଅନୁରୋଧ କଲେ “ଦୟାକରି ଏହାକୁ ଉଡ଼ାଇ ଦିଅନ୍ତୁ ।” ତୃଣଟିକୁ ଦେଖି ବାୟୁ ମନେ ମନେ ସ୍ମିତ ହାସ୍ୟ କଲେ । ବାୟୁ କ୍ଷୀପ୍ର ଗତିରେ ଆଗକୁ ବଢ଼ିବାରେ ଲାଗିଲେ, କିନ୍ତୁ ସେହି ସମୟରେ ଭଗବାନ ତାଙ୍କର ମଧ୍ୟ ଶକ୍ତି ଉତ୍ସକୁ ବନ୍ଦ କରିଦେଲେ । ବିଚରା ବାୟୁ ପାଦଟିଏ ଆଗକୁ ଘୁଞ୍ôଚବା ପାଇଁ ମଧ୍ୟ କଷ୍ଟ ଅନୁଭବ କଲେ, ତେଣୁ ଅନ୍ୟ କୌଣସି ବସ୍ତୁକୁ ଉଡ଼ାଇବାର ପ୍ରଶ୍ନ ହିଁ ନ ଥିଲା । ସର୍ବଶେଷରେ ଇନ୍ଦ୍ର ନିଜେ ଯାଇ ସେ ଯକ୍ଷ କିଏ ଜାଣିବାକୁ ଚାହିଁଲେ, କିନ୍ତୁ ଇନ୍ଦ୍ରଙ୍କୁ ଦେଖି ଭଗବାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ତାଙ୍କ ସ୍ଥାନରେ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି, ଉମା, ସେଠାରେ ବିରାଜିତ ଥିଲେ । ଯେତେବେଳେ ଇନ୍ଦ୍ର ସେହି ଯକ୍ଷଙ୍କ ବିଷୟରେ ପଚାରିଲେ, ଉମା ଉତ୍ତର ଦେଲେ, “ସେ ଆପଣଙ୍କର ପରମ ପିତା ଭଗବାନ ଥିଲେ, ଯାହାଙ୍କ ଠାରୁ ଆପଣଙ୍କ ସମେତ ସମସ୍ତ ଦେବତାଗଣ ଶକ୍ତି ହାସଲ କରିଥାନ୍ତି । ଆପଣମାନଙ୍କର ଅହଂକାର ନଷ୍ଟ କରିବାକୁ ସେ ଏଠାକୁ ଆସିଥିଲେ ।”