ଅଧଶ୍ଚୋର୍ଦ୍ଧ୍ୱଂ ପ୍ରସୃତାସ୍ତସ୍ୟ ଶାଖା
ଗୁଣପ୍ରବୃଦ୍ଧା ବିଷୟପ୍ରବାଳାଃ ।
ଅଧଶ୍ଚ ମୂଳାନ୍ୟନୁସନ୍ତତାନି
କର୍ମାନୁବନ୍ଧୀନି ମନୁଷ୍ୟଲୋକେ ।।୨।।
ଅଧଃ-ତଳକୁ; ଚ-ଏବଂ; ଊର୍ଦ୍ଧ୍ୱଂ-ଉପରକୁ; ପ୍ରସୃତାଃ-ବିସ୍ତୃତ; ତସ୍ୟ-ତାହାର; ଶାଖାଃ-ଶାଖାସବୁ; ଗୁଣଃ-ପ୍ରକୃତିର ଗୁଣ; ପ୍ରବୃଦ୍ଧାଃ-ପୋଷଣ; ବିଷୟ-ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ; ପ୍ରବାଳାଃ-ପ୍ରଶାଖା; ଅଧଃ-ତଳକୁ; ଚ-ଏବଂ; ମୂଳାନି-ମୂଳସବୁ; ଅନୁସନ୍ତତାନି-ବୃଦ୍ଧି ଲାଭକରେ; କର୍ମ-କର୍ମାନୁଯାୟୀ; ଅନୁବନ୍ଧୀନି-ବଦ୍ଧ; ମନୁଷ୍ୟଲୋକେ-ମାନବଲୋକରେ ।
BG 15.2: ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।
ଅଧଶ୍ଚୋର୍ଦ୍ଧ୍ୱଂ ପ୍ରସୃତାସ୍ତସ୍ୟ ଶାଖା
ଗୁଣପ୍ରବୃଦ୍ଧା ବିଷୟପ୍ରବାଳାଃ ।
ଅଧଶ୍ଚ ମୂଳାନ୍ୟନୁସନ୍ତତାନି
କର୍ମାନୁବନ୍ଧୀନି ମନୁଷ୍ୟଲୋକେ ।।୨।।
ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଭୌତିକ ସୃଷ୍ଟିକୁ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରିବା ଜାରି ରଖିଛନ୍ତି । ଏହାର ମୁଖ୍ୟ ଗଣ୍ଡି ମନୁଷ୍ୟର ଶରୀର ଅଟେ, ଯେଉଁଠାରେ ରହି ଆତ୍ମା କର୍ମ କରେ । ଏହାର ଶାଖାଗୁଡ଼ିକ ଉଭୟ ନିମ୍ନଗାମୀ (ଅଧଃ) ଏବଂ ଊର୍ଦ୍ଧ୍ୱଗାମୀ (ଊର୍ଦ୍ଧ୍ୱ) ଅଟନ୍ତି । ଜୀବ ଯଦି ପାପକର୍ମ କରେ, ତା’ର ପୁର୍ନଜନ୍ମ ପଶୁ ରୂପରେ କିମ୍ବା ତା’ଠାରୁ ନିମ୍ନ ରୂପରେ ହୋଇଥାଏ । ଏଗୁଡ଼ିକ ନିମ୍ନଗାମୀ ଶାଖା । ଯଦି ଜୀବ ଧାର୍ମିକ କର୍ମ କରେ, ସେ ସ୍ୱର୍ଗଲୋକର ଦେବତା ବା ଗନ୍ଧର୍ବ ରୂପରେ ଜନ୍ମ ନିଏ । ଏଗୁଡ଼ିକ ଊର୍ଦ୍ଧ୍ୱଗାମୀ ଶାଖା ଅଟନ୍ତି ।
ଯେପରି ଜଳ ଦ୍ୱାରା ବୃକ୍ଷର ସିଂଚନ ହୋଇଥାଏ, ସେହିପରି ମାୟିକ ଜଗତର ଏହି ବୃକ୍ଷକୁ ମାୟିକ ପ୍ରକୃତିର ତିନିଗୁଣ ସିଂଚନ କରନ୍ତି । ଏହି ତିନିଗୁଣ ଇନ୍ଦ୍ରିୟ ବିଷୟ ସବୁକୁ ଅଙ୍କୁରିତ କରନ୍ତି, ଯାହା ବୃକ୍ଷର କଢ଼ ସଦୃଶ (ବିଷୟ-ପ୍ରବାଳାଃ) ଅଟନ୍ତି । ଏହି କଢ଼ ଗୁଡ଼ିକର କାର୍ଯ୍ୟ ହେଉଛି, ଅଙ୍କୁରିତ ହୋଇ ବୃକ୍ଷର ବୃଦ୍ଧି ଘଟାଇବା । ଏହି ଅଶ୍ୱତ୍ଥ ବୃକ୍ଷର କଢ଼ଗୁଡ଼ିକ ଅଙ୍କୁରିତ ହୋଇ ଭୌତିକ କାମନା ସୃଷ୍ଟି କରନ୍ତି, ଯାହା ବୃକ୍ଷର ବାୟବୀୟ ମୂଳ ପରି ଅଟେ । ଅଶ୍ୱତ୍ଥ ବୃକ୍ଷର ବିଶେଷତ୍ୱ ହେଲା, ଏହା ତା’ ଶାଖାରୁ ତଳକୁ ବାୟବୀୟ ମୂଳ କ୍ଷେପଣ କରିଥାଏ । ଏହିସବୁ ମୂଳ ବୃକ୍ଷର ଅତିରିକ୍ତ କାଣ୍ଡରେ ପରିଣତ ହୁଏ, ଯଦ୍ୱାରା ଅଶ୍ୱତ୍ଥ ବୃକ୍ଷ ବିରାଟ ଆକାର ଧାରଣ କରିଥାଏ । କଲିକତାର ବନସ୍ପତି ଉଦ୍ୟାନରେ ଥିବା “ବିରାଟ ଅଶ୍ୱତ୍ଥ ବୃକ୍ଷ” ସବୁଠାରୁ ବଡ଼ ଅଶ୍ୱତ୍ଥ ବୃକ୍ଷ ଅଟେ । ଏହା ପ୍ରାୟ ଚାରି ଏକର ଜାଗାରେ ଅବସ୍ଥିତ । ଏହାର ଅଗ୍ରଭାଗର ପରିଧି ପ୍ରାୟ ୧,୧୦୦ ଗଜ ଏବଂ ଏଥିରୁ ପ୍ରାୟ ୩,୩୦୦ଟି ବାୟବୀୟ ମୂଳ ଭୂମିକୁ ସ୍ପର୍ଶ କରିଛନ୍ତି । ଅଶ୍ୱତ୍ଥ ବୃକ୍ଷର ଦୃଷ୍ଟାନ୍ତରେ, ଭୌତିକ ଜଗତର ଇନ୍ଦ୍ରିୟ ବିଷୟ ଗୁଡ଼ିକ ବୃକ୍ଷର କଢ଼ ସଦୃଶ ଅଟନ୍ତି । ସେଗୁଡ଼ିକ ଅଙ୍କୁରିତ ହୋଇ ବ୍ୟକ୍ତିଠାରେ ଇନ୍ଦ୍ରିୟ ଭୋଗ କାମନା ସୃଷ୍ଟି କରନ୍ତି । ଏହି କାମନାଗୁଡ଼ିକୁ ବାୟବୀୟ ମୂଳ ସହିତ ତୁଳନା କରାଯାଉଛି । ଏହା ବୃକ୍ଷର ବୃଦ୍ଧି ପାଇଁ ରସ ପ୍ରଦାନ କରେ । ଭୌତିକ ସୁଖ ଭୋଗର କାମନାରେ ପ୍ରେରିତ ହୋଇ ଜୀବ କର୍ମରେ ଲିପ୍ତ ହୁଏ । କାମନାକୁ ପୂର୍ଣ୍ଣ କରିବାକୁ ଯାଇ ଯେଉଁ କର୍ମ କରାଯାଏ, ତାହା ପୁଣି ସେହି କାମନାକୁ ବୃଦ୍ଧି କରେ । ଏହିପରି ଭାବରେ, ବୃକ୍ଷର ବାୟବୀୟ ମୂଳଗୁଡ଼ିକ ପ୍ରସାରିତ ହୋଇ ଅନ୍ତହୀନ ଭାବେ ବୃଦ୍ଧି ପାଏ ଏବଂ ତାହା ଜୀବକୁ ପୁନଶ୍ଚ ଭୌତିକ ଚେତନାରେ ଛନ୍ଦି ଦିଏ ।