ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।
ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ।।୭।।
ମମ- ମୋର; ଏବ-ନିଶ୍ଚିତଭାବେ; ଅଂଶଃ- ଅଂଶବିଶେଷ; ଜୀବଲୋକେ- ମାୟିକ ଜଗତର; ଜୀବଭୂତଃ - ବଦ୍ଧଜୀବଗଣ; ସନାତନଃ -ଶାଶ୍ୱତ; ମନଃ-ମନ; ଷଷ୍ଠାନି- ଛଅଟି; ଇନ୍ଦ୍ରିୟାଣି -ଇନ୍ଦ୍ରିୟ; ପ୍ରକୃତି-ସ୍ଥାନି- ମାୟାଧୀନ ହୋଇ; କର୍ଷତି- କଠିନ ସଂଗ୍ରାମ କରୁଛି ।
BG 15.7: ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।
ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।
ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ।।୭।।
ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ପୂର୍ବରୁ ସୂଚନା ଦେଇଥିଲେ ଯେ ଯେଉଁ ଜୀବ ତାଙ୍କ ଲୋକକୁ ଯାଆନ୍ତି, ସେମାନେ ଆଉ ଫେରି ଆସନ୍ତି ନାହିଁ । ବର୍ତ୍ତମାନ ସଂସାରରେ ଥିବା ଜୀବାତ୍ମାମାନଙ୍କ ବିଷୟରେ କହୁଛନ୍ତି । ପ୍ରଥମେ ସେ ଆଶ୍ୱାସନା ଦେଉଛନ୍ତି ଯେ ସେମାନେ ମଧ୍ୟ ତାଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ।
ଆସନ୍ତୁ ଭଗବାନଙ୍କର କେତେ ପ୍ରକାରର ଅଂଶ ଅଛନ୍ତି, ତାହା ବୁଝିବା । ସେଗୁଡିକ ଦୁଇ ପ୍ରକାରର :
୧.ସ୍ୱାଂଶ - ଏ ସମସ୍ତେ ଭଗବାନଙ୍କର ଅବତାର, ଯେପରିକି ରାମ, ନୃସିଂହ, ବରାହ ଇତ୍ୟାଦି । ସେମାନେ ଶ୍ରୀକୃଷ୍ଣଙ୍କଠାରୁ ଅଭିନ୍ନ । ତେଣୁ ସେମାନଙ୍କୁ ସ୍ୱାଂଶ କୁହାଯାଏ, ଅର୍ଥାତ୍ ଅନ୍ତରଙ୍ଗ ଅଂଶ ।
୨. ବିଭିନ୍ନାଂଶ - ଏମାନେ ଭଗବାନଙ୍କର ବିଚ୍ଛିନ୍ନ ଅଂଶ ଅଟନ୍ତି । ସେମାନେ ପ୍ରତ୍ୟକ୍ଷ ଭାବେ ଭଗବାନଙ୍କର ଅଂଶ ନୁହନ୍ତି, ବରଂ ସେମାନେ ତାଙ୍କ (ଜୀବଶକ୍ତିର) ଅଂଶ ଅଟନ୍ତି । ସୃଷ୍ଟିର ସମସ୍ତ ଜୀବ ଏହି ଗୋଷ୍ଠିର ଅନ୍ତର୍ଭୁକ୍ତ । ଶ୍ଲୋକ ୭.୫ରେ ଶ୍ରୀକୃଷ୍ଣ ଏହା ବ୍ୟକ୍ତ କରିଥିଲେ । “ହେ ଅର୍ଜୁନ! ମାୟାଶକ୍ତିର ଊର୍ଦ୍ଧ୍ୱରେ, ମୋର ଏକ ଉଚ୍ଚତର ଶକ୍ତି ରହିଛି । ଏହି ଶକ୍ତିର ଅନ୍ତର୍ଭୁକ୍ତ ସମସ୍ତ ଦେହଧାରୀ ଜୀବ ଅଟନ୍ତି, ଯେଉଁମାନେ ସଂସାରରେ ଜୀବନର ଆଧାର ଅଟନ୍ତି ।”
ପୁନଶ୍ଚ, ବିଭିନ୍ନାଂଶ ଜୀବମାନେ ମଧ୍ୟ ତିନି ପ୍ରକାରର ଅଟନ୍ତି:
୧. ନିତ୍ୟ ସିଦ୍ଧ - ଏହି ଜୀବମାନେ ନିତ୍ୟ ବିମୁକ୍ତ ଅଟନ୍ତି । ଏମାନେ ଦିବ୍ୟଲୋକରେ ଅନାଦି କାଳରୁ ଅଛନ୍ତି ଏବଂ ଭଗବାନଙ୍କ ଦିବ୍ୟ ଲୀଳାରେ ଭାଗ ନିଅନ୍ତି ।
୨. ସାଧନ-ସିଦ୍ଧ - ଏହିପରି ଜୀବମାନେ ପୂର୍ବରୁ ମାୟିକ ଜଗତରେ ଥିଲେ, କିନ୍ତୁ ସାଧନା କରି ସେମାନେ ଭଗବତ୍ ପ୍ରାପ୍ତି କରିଛନ୍ତି । ବର୍ତ୍ତମାନ ସେମାନେ ଦିବ୍ୟଲୋକରେ ବାସ କରି ଭଗବାନଙ୍କ ଲୀଳାରେ ଚିରଦିନ ପାଇଁ ଅଂଶଗ୍ରହଣ କରୁଛନ୍ତି ।
୩. ନିତ୍ୟବଦ୍ଧ - ଏହି ଜୀବମାନେ ଅନାଦି କାଳରୁ ମାୟିକ ଜଗତରେ ରହିଛନ୍ତି । ସେମାନେ ପାଞ୍ଚ ଇନ୍ଦ୍ରିୟ ଏବଂ ମନକୁ ନେଇ ସଂଘର୍ଷରତ ରହିଛନ୍ତି ।
କଠୋପନିଷଦ କହେ:
ପରାଞ୍ôଚ ଖାନି ବ୍ୟତୃଣତ୍ ସ୍ୱୟଂଭୂ (୨.୧.୨)
“ସୃଷ୍ଟିକର୍ତ୍ତା ବ୍ରହ୍ମା, ଇନ୍ଦ୍ରିୟଗୁଡ଼ିକୁ ଏପରି ନିର୍ମିତ କରିଛନ୍ତି ଯେ, ସେଗୁଡ଼ିକ ବହିର୍ମୁଖୀ ହୋଇ ସଂସାରାଭିମୁଖୀ ହୋଇଛନ୍ତି ।” ଏହି ବିଭିନ୍ନାଂଶ ନିତ୍ୟ ବଦ୍ଧମାନଙ୍କୁ ଲକ୍ଷ୍ୟକରି ଶ୍ରୀକୃଷ୍ଣ କହୁଛନ୍ତି ଯେ ସେମାନେ ମନ ଓ ଇନ୍ଦ୍ରିୟମାନଙ୍କର ତୃପ୍ତି ପାଇଁ ସଂଘର୍ଷରତ ରହିଛନ୍ତି ଏବଂ ପ୍ରତିବଦଳରେ କଷ୍ଟଭୋଗ କରୁଛନ୍ତି । ପରବର୍ତ୍ତୀ ଶ୍ଲୋକରେ, ସେ ମୃତ୍ୟୁପରେ ଆତ୍ମା ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହେଲାବେଳେ ଇନ୍ଦ୍ରିୟ ଓ ମନର କ’ଣ ଗତି ହୁଏ, ତାହା ସ୍ପଷ୍ଟ କରିଛନ୍ତି ।