Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 15, Verse 9

ଶ୍ରୋତଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ ।
ଅଧିଷ୍ଠାୟ ମନଶ୍ଚାୟଂ ବିଷୟାନୁପସେବତେ ।।୯।।

ଶ୍ରୋତଂ -କର୍ଣ୍ଣ; ଚକ୍ଷୁଃ -ଚକ୍ଷୁ; ସ୍ପର୍ଶନଂ -ସ୍ପର୍ଶେନ୍ଦ୍ରିୟ; ଚ-ଏବଂ; ରସନଂ- ଜିହ୍ୱା; ଘ୍ରାଣଂ -ନାସିକା; ଏବ-ମଧ୍ୟ; ଚ-ଏବଂ; ଅଧିଷ୍ଠାୟ - ଅଧିଷ୍ଠିତ ହୋଇ; ମନଃ- ମନ; ଚ-ମଧ୍ୟ; ଅୟଂ-ସେମାନେ; ବିଷୟାନ୍ -ଇନ୍ଦ୍ରିୟ ବିଷୟର; ଉପସେବତେ- ଉପଭୋଗ କରନ୍ତି ।

Translation

BG 15.9: ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।

Commentary

ଆତ୍ମା ଦିବ୍ୟ ହୋଇଥିବାରୁ, ପ୍ରତ୍ୟକ୍ଷ ଭାବରେ, ସ୍ୱାଦ, ସ୍ପର୍ଶ, ଆଘ୍ରାଣ କିମ୍ବା ଶ୍ରବଣ କରିପାରେ ନାହିଁ । ତା’ହେଲେ ସେ ଏହି ଅନୁଭୂତିଗୁଡ଼ିକୁ କିପରି ଉପଭୋଗ କରେ? ଇନ୍ଦ୍ରିୟ ଓ ମନ ଏଥିରେ ତା’ର ସହାୟତା କରିଥାନ୍ତି । ପ୍ରକୃତରେ ଇନ୍ଦ୍ରିୟ ଓ ମନ ଜଡ଼ ଅଟନ୍ତି କିନ୍ତୁ ଆତ୍ମାର ଚୈତନ୍ୟତା ପ୍ରାପ୍ତ ହୋଇ ଜୀବନ୍ତ ହୋଇଯାଆନ୍ତି । ଏଣୁ ସେମାନେ ବସ୍ତୁ, ପରିସ୍ଥିତି ଏବଂ ବ୍ୟକ୍ତିଙ୍କଠାରୁ ସୁଖ ଓ ଦୁଃଖ ଅନୁଭବ କରିଥାନ୍ତି । ଅହଂକାରବଶତଃ ଆତ୍ମା, ମନ ଏବଂ ଇନ୍ଦ୍ରିୟ ସହିତ ତାଦାତ୍ମ୍ୟ କରି ସେହି ସୁଖକୁ କାଳ୍ପନିକ ଭାବରେ ଅନୁଭବ କରେ ।

ଏଠାରେ ସମସ୍ୟା ଏହା ଯେ ଆତ୍ମା ନିଜେ ଦିବ୍ୟ, କିନ୍ତୁ ସେ ଗ୍ରହଣ କରୁଥିବା ସୁଖ ମାୟିକ ଅଟେ । ତେଣୁ ମନ ଓ ଇନ୍ଦ୍ରିୟ ଆତ୍ମାକୁ ଯେତେ ସୁଖ ପ୍ରଦାନ କଲେ ମଧ୍ୟ ସେ ଅସନ୍ତୁଷ୍ଟ ରହେ ଏବଂ ବାସ୍ତବିକ ଶାଶ୍ୱତ ସୁଖର ଅନୁସନ୍ଧାନ ଜାରି ରହେ । ଆମେରିକାର ଦାର୍ଶନିକ, ରାଲ୍‌ଫ ୱାଲ୍‌ଡ଼ୋ ଇମର୍‌ସନ୍ ଏହାକୁ ସୁନ୍ଦର ଭାବେ ଚିତ୍ରଣ କରିଥିଲେ: “ଆମେ ଧରିନେଇଥାଉ ଯେ, ମନୁଷ୍ୟ ଜୀବନ ହୀନ ଅଟେ କିନ୍ତୁ ଏହା ହୀନ ବୋଲି ଆମେ କିପରି ଜାଣିଲୁ? ଏହି ଅସ୍ଥିରତା ବା ଏହି ପୁରାତନ ଅଶାନ୍ତିର କାରଣ କ’ଣ? କାମନା ଏବଂ ଅଜ୍ଞତାର ସାର୍ବଜନୀନ ଅର୍ଥ କ’ଣ? କେଉଁ ପରୋକ୍ଷ ସୂଚନା ଦ୍ୱାରା ଆତ୍ମା ଏହି ବିରାଟ ଦାବି କରେ?” ଅନ୍ୟ ଜଣେ ପ୍ରସିଦ୍ଧ ଦାର୍ଶର୍ନିକ, ମେଷ୍ଟର ଇଖାର୍ଟ ଲେଖିଛନ୍ତି: “ଆତ୍ମାର କିଛି ଦିବ୍ୟତା ଏବଂ ସରଳତା ଅଛି ଯାହାକି ପ୍ରାଣୀ ମାନଙ୍କର ଅନୁଭବର ଊର୍ଦ୍ଧ୍ୱରେ । ଏହି ଦିବ୍ୟ ଜ୍ୟୋତି କେବଳ ଦିବ୍ୟ ଅମୂଲ୍ୟ ସୁଗନ୍ଧି ଦ୍ୱାରା ସନ୍ତୁଷ୍ଟ ହୋଇପାରିବ ।”

ଯେଉଁ ଅନନ୍ତ ଚିନ୍ମୟ ଦିବ୍ୟ ଆନନ୍ଦ ଆତ୍ମା ଖୋଜୁଅଛି, ତାହା କେବଳ ଭଗବାନଙ୍କଠାରୁ ହିଁ ପ୍ରାପ୍ତ ହେବ । ଯେତେବେଳେ ଏହାକୁ ଜଣେ ହୃଦୟଙ୍ଗମ କରେ, ଯେଉଁ ଇନ୍ଦ୍ରିୟ ଏବଂ ମନ ବନ୍ଧନ ସୃଷ୍ଟି କରନ୍ତି, ସେଗୁଡ଼ିକୁ ହିଁ ଭଗବାନଙ୍କ ଦିଗକୁ ମୋଡ଼ି ସେ ଭକ୍ତିର ଆୟୁଧ ଭାବରେ ଉପଯୋଗ କରେ । ହିନ୍ଦୀ ରାମାୟଣର ରଚୟିତା, ସନ୍ଥ ତୁଳସୀ ଦାସ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟନ୍ତି । ଯୌବନ କାଳରେ ସେ ତାଙ୍କ ସ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ଥିଲେ । ଏକଦା ତାଙ୍କ ସ୍ତ୍ରୀ କିଛି ଦିନ ପାଇଁ ନିଜ ବାପାଙ୍କ ଘରକୁ ଯାଇଥିଲେ । ସେହି ସମୟରେ ତୁଳସୀଦାସ ତାଙ୍କୁ ଭେଟିବାର ଇଚ୍ଛାରେ ଶ୍ୱଶୁର ଘରକୁ ଚାଲି ଚାଲି ଯିବାକୁ ବାହାରିଲେ । ରାସ୍ତାରେ ଗୋଟିଏ ନଦୀ ଥିଲା, କିନ୍ତୁ ବହୁତ ବର୍ଷା ହେଉଥିବା ଯୋଗୁଁ କୌଣସି ନାବିକ ତାଙ୍କୁ ଅନ୍ୟ ପାଶ୍ୱର୍କୁ ନେବାକୁ ରାଜି ହେଲେ ନାହିଁ । ଏହି ସମୟରେ ଗୋଟିଏ ଶବ ଭାସି ଆସିଲା । ତାଙ୍କ ପତ୍ନୀଙ୍କ ସହିତ ସାକ୍ଷାତ କରିବାର ଚିନ୍ତାରେ ମଗ୍ନ ରହି, ସେ ଏହାକୁ ଏକ କାଠଗଣ୍ଡି ଭାବିଲେ । ସେ ତାକୁ ଜାବୋଡ଼ି ଧରି ପହଁରି ପହଁରି ଅନ୍ୟପାରିକୁ ଚାଲିଗଲେ । ଘରର ଦ୍ୱିତଳରେ ତାଙ୍କ ପତ୍ନୀ ରହୁଥିଲେ ଏବଂ ତାଙ୍କୁ ସାକ୍ଷାତ କରିବାର ଆଗ୍ରହ ତାଙ୍କୁ ଅଣାୟତ୍ତ କରି ଦେଉଥିଲା । ଗୋଟିଏ ସାପ କାନ୍ଥରେ ଝୁଲୁଥିଲା । ତୁଳସୀଦାସ ତାକୁ ଭଲ ଭାବରେ ଲକ୍ଷ୍ୟ ନ କରି ତାକୁ ଏକ ରସି ଭାବିଲେ । ମୁଖ୍ୟ ଦ୍ୱାରରେ ସଙ୍କେତ ଦେଇ ସମୟ ନଷ୍ଟ ନ କରିବା ଅପେକ୍ଷା, ସେ ସାପକୁ ଧରି ଉପରକୁ ଚଢ଼ିଗଲେ । ଯେତେବେଳେ ସେ ଝରକା ପଟେ ଗୃହ ମଧ୍ୟକୁ ପ୍ରବେଶ କଲେ, ତାଙ୍କ ପତ୍ନୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ସେ ତାଙ୍କୁ ପଚାରିଲେ, କିପରି ସେ ନଦୀପାର କଲେ ଏବଂ କିପରି ସେ କାନ୍ଥ ଉପରକୁ ଚଢ଼ିଲେ । ସେ ଭୁଲବଶତଃ ଯାହାକୁ କାଠଗଣ୍ଡି ଓ ରସି ଭାବୁଥିଲେ, ସେଗୁଡ଼ିକ ପ୍ରତି ଇଶାରା କଲେ । ପତ୍ନୀ ଶବ ଏବଂ ସର୍ପକୁ ଦେଖି ଚମକି ପଡ଼ିଲେ । ସେ ବିସ୍ମିତ ହୋଇ କହିଲେ, “ଆପଣ ଏହି ରକ୍ତ ଏବଂ ମାଂସର ଶରୀର ପ୍ରତି ଏତେ ଆସକ୍ତ ହୋଇଛନ୍ତି । ଯଦି ଆପଣ ଭଗବାନଙ୍କ ପ୍ରତି ଏତିକି ପ୍ରବଳ କାମନା କରିଥାନ୍ତେ, ଆପଣଙ୍କୁ ପୁନର୍ବାର ଏହି ସଂସାରରେ ଜନ୍ମ ନେବାକୁ ପଡ଼ନ୍ତା ନାହିଁ ।” ପତ୍ନୀଙ୍କ ବାଣୀ ତାଙ୍କୁ ଏତେ ବେଶୀ ଆହତ କଲା ଯେ ସେ ତାଙ୍କର ମୁର୍ଖାମୀ ବୁଝିପାରିଲେ ଏବଂ ତାଙ୍କର ବୈରାଗ୍ୟ ଉତ୍ପନ୍ନ ହେଲା । ସେ ଗୃହତ୍ୟାଗ କରି ଭକ୍ତି କରିବାକୁ ଚାଲିଗଲେ । ଅତୀତରେ ଯେଉଁ ମନ ଏବଂ ଇନ୍ଦ୍ରିୟଗୁଡ଼ିକର କାମନା ତାଙ୍କୁ କଷ୍ଟ ଦେଉଥିଲା, ସେଗୁଡ଼ିକୁ ଭଗବାନଙ୍କର ଅଭିମୁଖୀ କରିଦେଲେ । ଏହିପରି ଭକ୍ତି ଦ୍ୱାରା, ସେ ନିଜକୁ ଶୁଦ୍ଧ କଲେ ଏବଂ ବିଖ୍ୟାତ କବି ସନ୍ଥ ତୁଳସୀଦାସ ଭାବରେ ଖ୍ୟାତ ହେଲେ । ପରେ ସେ ଲେଖିଥିଲେ:

କାମିହିି ନାରୀ ପିଆରି ଜିମି, ଲୋଭିହି ପ୍ରିୟ ଜିମି ଦାମ
ତିମି ରଘୁନାଥ ନିରନ୍ତର, ପ୍ରିୟ ଲାଗହୁ ମୋହି ରାମ (ରାମାୟଣ)

“ଯେପରି ଏକ କାମୀ ପୁରୁଷ ସୁନ୍ଦରୀ ସ୍ତ୍ରୀ ଚାହେଁ ଏବଂ ଲୋଭି ବ୍ୟକ୍ତି ଧନ କାମନା କରେ, ସେହିପରି ମୋର ମନ ପ୍ରଭୁ ରାମଙ୍କର ନିରନ୍ତର କାମନା କରୁ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!