Contact: +91 844 894 1008
bgwebsite_logo
Bhagavad Gita
The Song of God

Chapter 17: ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

ଚତୁର୍ଦ୍ଦଶ ଅଧ୍ୟାୟରେ, ଶ୍ରୀକୃଷ୍ଣ ଭୌତିକ ପ୍ରକୃତିର ତିନିଗୁଣ ଏବଂ ସେଗୁଡ଼ିକ ମନୁଷ୍ୟଙ୍କୁ କିପରି ପ୍ରଭାବିତ କରନ୍ତି, ତାହା ବର୍ଣ୍ଣନା କରିଥିଲେ । ସପ୍ତଦଶ ଅଧ୍ୟାୟରେ, ସେ ଗୁଣ ଗୁଡ଼ିକର ପ୍ରଭାବ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି । ପ୍ରଥମେ ସେ ଶ୍ରଦ୍ଧା ବିଷୟରେ ଆଲୋଚନା କରିବାକୁ ଯାଇ କହିଛନ୍ତି ଯେ କୌଣସି ବ୍ୟକ୍ତି ଶ୍ରଦ୍ଧାରହିତ ନୁହଁନ୍ତି, କାରଣ ମନୁଷ୍ୟ ସ୍ୱଭାବର ଏହା ଏକ ଅବିଚ୍ଛେଦ୍ୟ ଗୁଣ ଅଟେ । କିନ୍ତୁ  ମନର ସ୍ୱଭାବ ଅନୁସାରେ ସେମାନଙ୍କ ଶ୍ରଦ୍ଧାର ଚିତ୍ରଣ ହୋଇଥାଏ- ସାତ୍ତ୍ୱିକ, ରାଜସିକ ଓ କିମ୍ବା ତାମସିକ । ଶ୍ରଦ୍ଧା ତାଙ୍କ ଜୀବନର ଗୁଣବତ୍ତା ନିର୍ଣ୍ଣୟ କରିଥାଏ । ଲୋକେ ଖାଦ୍ୟର ପସନ୍ଦ ମଧ୍ୟ ନିଜ ସ୍ୱଭାବ ଅନୁଯାୟୀ କରିଥାଆନ୍ତି । ଶ୍ରୀକୃଷ୍ଣ ଖାଦ୍ୟକୁ ତିନୋଟି ଶ୍ରେଣୀଭୁକ୍ତ କରିଛନ୍ତି ଏବଂ ଆମ ସମସ୍ତଙ୍କ ଉପରେ ସେଗୁଡ଼ିକର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ତାପରେ ସେ ଯଜ୍ଞ ଦିଗକୁ ଅଗ୍ରସର ହୋଇଛନ୍ତି ଏବଂ ମାୟିକ ଗୁଣର ପ୍ରଭାବରେ ଯଜ୍ଞ କିପରି ଭିନ୍ନ ରୂପ ନେଇଥାଏ, ତାହା ଆଲୋଚନା କରିଛନ୍ତି । ତାପରେ ଏହି ଅଧ୍ୟାୟରେ ତପସ୍ୟା  ଉପରେ ଆଲୋକପାତ କରି ସେ ଶରୀର, ବାଣୀ ଏବଂ ମନର ସଂଯମ ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରତ୍ୟେକ ପ୍ରକାରର ସଂଯମ, ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ରୂପରେ ପ୍ରକଟିତ ହୋଇଥାନ୍ତି । ତତ୍‌ପଶ୍ଚାତ୍ ଦାନ ବିଷୟରେ ଆଲୋଚନା କରି ତା’ର ତିନିସ୍ତରୀୟ ପ୍ରଭେଦର ବର୍ଣ୍ଣନା କରାଯାଇଛି ।

ଶେଷରେ, ଶ୍ରୀକୃଷ୍ଣ ତିନିଗୁଣରୁ ଊର୍ଦ୍ଧ୍ୱକୁ ଯାଇ, “ଓଁ-ତତ୍‌-ସତ୍‌” ଶବ୍ଦଗୁଡ଼ିକର ପ୍ରାସଙ୍ଗିକତା ଏବଂ ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି, ଯାହା ଚରମ ସତ୍ୟର ବିଭିନ୍ନ ସ୍ୱରୂପର ପ୍ରତୀକ ଅଟନ୍ତି । ‘ଓଁ’ ଶବ୍ଦଟି ଭଗବାନଙ୍କର ନିରାକାର ସ୍ୱରୂପର ପ୍ରତୀକ ଅଟେ । ‘ତତ୍‌’ ଶବ୍ଦର ଉଚ୍ଚାରଣ ଭଗବାନଙ୍କ ନିମନ୍ତେ ଉଦ୍ଦିଷ୍ଟ କର୍ମ ଏବଂ ଅନୁଷ୍ଠାନ ଗୁଡ଼ିକର ପବିତ୍ରୀକରଣ ପାଇଁ କରାଯାଇଥାଏ । ‘ସତ୍‌’ ଶବ୍ଦର ଅର୍ଥ ଚିରନ୍ତନ ସତ୍ୟ ଏବଂ ସଦ୍‌ଗୁଣ । ଏକତ୍ରିତ ଭାବରେ, ସେମାନେ ପରାତ୍ପରତାର ଅବଧାରଣାକୁ ଅଭିବ୍ୟକ୍ତ କରନ୍ତି । ଅଧ୍ୟାୟର ଶେଷରେ, ଶାସ୍ତ୍ର ନିର୍ଦ୍ଦେଶର ଅବମାନନା କରି କରାଯାଉଥିବା ଯଜ୍ଞ, ତପ ଓ ଦାନର ମୂଲ୍ୟହୀନତା ଉପରେ ଗୁରୁତ୍ୱାରୋପଣ କରାଯାଇଛି ।

Bhagavad Gita 17.1 View Commentary » View »

ଅର୍ଜୁନ କହିଲେ : ହେ କୃଷ୍ଣ! ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଅବଜ୍ଞା କରିଥାନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ଆରାଧନା କରନ୍ତି, ତାଙ୍କର ସ୍ଥିତି କ’ଣ? ତାଙ୍କର ଶ୍ରଦ୍ଧାକୁ ସତ୍ତ୍ୱଗୁଣୀ କୁହାଯିବ କି ରଜୋଗୁଣୀ ଅଥବା ତମୋଗୁଣୀ କୁହାଯିବ?

Bhagavad Gita 17.2 View Commentary » View »

ପରମ ପୁରୁଷ ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ । ବର୍ତ୍ତମାନ ଏହି ବିଷୟରେ ମୋଠାରୁ ଶୁଣ ।

Bhagavad Gita 17.3 View Commentary » View »

ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି ଅଟନ୍ତି ।

Bhagavad Gita 17.4 View Commentary » View »

ଯେଉଁମାନେ ସାତ୍ତ୍ୱିକ ଗୁଣଯୁକ୍ତ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ ଏବଂ ରାକ୍ଷସ ମାନଙ୍କର ପୂଜା କରନ୍ତି ଏବଂ ତାମସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଭୂତ ଓ ପ୍ରେତମାନଙ୍କ୍‌ୁ ପୂଜା କରିଥାନ୍ତି ।

Bhagavad Gita 17.5 - 17.6 View Commentary » View »

କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ ଆସକ୍ତି ଦ୍ୱାରା ପ୍ରରୋଚିତ ହୋଇ, ସେମାନେ କେବଳ ତାଙ୍କ ଶରୀରର ଉପାଦାନମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ, ବରଂ ତା ସହିତ ତାଙ୍କ ମଧ୍ୟରେ ପରମାତ୍ମା ରୂପରେ ନିବାସ କରିଥିବା ମୋତେ ମଧ୍ୟ ଯନ୍ତ୍ରଣା ଦେଇଥାନ୍ତି । ଏହି ବିବେକହୀନ ବ୍ୟକ୍ତିମାନଙ୍କୁ ଆସୁରିକ ପ୍ରବୃତ୍ତିଯୁକ୍ତ ଭାବରେ ଜାଣ ।

Bhagavad Gita 17.7 View Commentary » View »

ଲୋକମାନେ ତାଙ୍କର ପ୍ରବୃତ୍ତି ଅନୁସାରେ ଖାଦ୍ୟକୁ ଅଗ୍ରାଧିକାର ଦେଇଥାନ୍ତି । ଏହା ସେମାନେ ପ୍ରବୃତ୍ତ ହେଉଥିବା ଯଜ୍ଞ, ସଂଯମ ଓ ଦାନ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ମୋଠାରୁ ଶୁଣ ।

Bhagavad Gita 17.8 View Commentary » View »

ସାତ୍ତ୍ୱିକ ଗୁଣଯୁକ୍ତ ବ୍ୟକ୍ତିମାନେ ସେହି ପ୍ରକାର ଖାଦ୍ୟକୁ ପସନ୍ଦ କରନ୍ତି ଯାହା ଜୀବନର ଅବଧି ବଢ଼ାଏ ଏବଂ ସଦ୍‌ଗୁଣ, ଶକ୍ତି, ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସନ୍ତୋଷ ବୃଦ୍ଧି କରେ । ଏହିସବୁ ଖାଦ୍ୟ ରସଯୁକ୍ତ, ନରମ, ପୌଷ୍ଟିକ ଏବଂ ପ୍ରାକୃତିକ ଭାବେ ସ୍ୱାଦିଷ୍ଟ ଅଟନ୍ତି ।

Bhagavad Gita 17.9 View Commentary » View »

ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।

Bhagavad Gita 17.10 View Commentary » View »

ଯେଉଁ ଖାଦ୍ୟ ଅତ୍ୟଧିକ ପାକ ହୋଇଥିବା, ବାସି, ସଢ଼ି ଯାଇଥିବା, ଅପମିଶ୍ରିତ ଏବଂ ଅଶୁଦ୍ଧ ସେସବୁ ତାମସିକ ବ୍ୟକ୍ତିଙ୍କର ପସନ୍ଦ ଅଟେ ।

Bhagavad Gita 17.11 View Commentary » View »

ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।

Bhagavad Gita 17.12 View Commentary » View »

ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।

Bhagavad Gita 17.13 View Commentary » View »

ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧିବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ ଦିଆଯାଏ ନାହିଁ, ତାହା ତାମସିକ ବିବେଚିତ ହୁଏ ।

Bhagavad Gita 17.14 View Commentary » View »

ପରମାତ୍ମା, ବ୍ରାହ୍ମଣ, ଆଧ୍ୟାତ୍ମିକ ଗୁରୁ, ବିଜ୍ଞ ଏବଂ ଗୁରୁଜନ ମାନଙ୍କର ଉପାସନା ଯେତେବେଳେ ପବିତ୍ରତା, ବିନମ୍ରତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ପୂର୍ବକ କରାଯାଇଥାଏ, ତାହାକୁ ଶାରୀରିକ ତପସ୍ୟା କୁହାଯାଏ ।

Bhagavad Gita 17.15 View Commentary » View »

ଯେଉଁ ବାଣୀ ଉଦ୍‌ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର ସଂଯମ ରୂପେ ବିବେଚିତ ହୋଇଥାଏ ।

Bhagavad Gita 17.16 View Commentary » View »

ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।

Bhagavad Gita 17.17 View Commentary » View »

ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ ତପସ୍ୟା ଭାବରେ ଅଭିହିତ କରାଯାଏ ।

Bhagavad Gita 17.18 View Commentary » View »

ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର ଏବଂ କ୍ଷଣସ୍ଥାୟୀ ଅଟେ ।

Bhagavad Gita 17.19 View Commentary » View »

ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ ତମୋଗୁଣୀ ତପସ୍ୟା କୁହାଯାଏ ।

Bhagavad Gita 17.20 View Commentary » View »

କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।

Bhagavad Gita 17.21 View Commentary » View »

କିନ୍ତୁ ଅନିଚ୍ଛା ସତ୍ତ୍ୱେ, ପ୍ରତିଦାନ ଆଶାରେ କିମ୍ବା ପୁରସ୍କାରର ଅଭିଳାଷ ରଖି ଦିଆଯାଇଥିବା ଦାନକୁ ରାଜସିକ ଦାନ ଭାବରେ ଅଭିହିତ କରାଯାଏ ।

Bhagavad Gita 17.22 View Commentary » View »

ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।

Bhagavad Gita 17.23 View Commentary » View »

ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍‌” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।

Bhagavad Gita 17.24 View Commentary » View »

ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।

Bhagavad Gita 17.25 View Commentary » View »

ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍‌’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।

Bhagavad Gita 17.26 - 17.27 View Commentary » View »

ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍‌’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍‌’ ନାମରେ ଅଭିହିତ ହୁଏ ।

Bhagavad Gita 17.28 View Commentary » View »

ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍‌’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!