Contact: +91 844 894 1008
bgwebsite_logo
Bhagavad Gita
The Song of God

Chapter 18: ମୋକ୍ଷ ସନ୍ୟାସ ଯୋଗ

ମୋକ୍ଷ ସନ୍ୟାସ ଯୋଗ

ଭଗବଦ୍‌ଗୀତାର ଏହି ଅନ୍ତିମ ଅଧ୍ୟାୟଟି ଅନ୍ୟ ସବୁ ଅଧ୍ୟାୟଠାରୁ ଦୀର୍ଘତମ ଅଟେ ଏବଂ ଏଥିରେ ଅନେକ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କୃତ ଭାଷାରେ ବହୁ ପ୍ରଚଳିତ ଦୁଇଟି ଶବ୍ଦ ସନ୍ୟାସ (କର୍ମ ତ୍ୟାଗ)ଏବଂ ତ୍ୟାଗ (କାମନା ତ୍ୟାଗ)ସମ୍ବନ୍ଧରେ ପ୍ରଶ୍ନ କରି ଅର୍ଜୁନ ତ୍ୟାଗ ବିଷୟରେ ଆଲୋଚନା ପ୍ରାରମ୍ଭ କରିଛନ୍ତି । ଉଭୟ ଶବ୍ଦର ଉତ୍ପତ୍ତି ମୂଳ ଶବ୍ଦ “ପରିତ୍ୟାଗ”ରୁ ହୋଇଛି । ଜଣେ ସନ୍ୟାସୀ ଗୃହସ୍ଥ ଜୀବନ ଅତିବାହିତ ନ କରି ନିଜକୁ ସଂସାରଠାରୁ ଦୂରେଇ ନେଇ ସାଧନାରେ ଲିପ୍ତ ରୁହନ୍ତି । ଜଣେ ତ୍ୟାଗୀ କର୍ମ କରିଥାନ୍ତି, କିନ୍ତୁ ତାର ଫଳ ଭୋଗ କରିବାର ସ୍ୱାର୍ଥପର ମନୋଭାବ ତ୍ୟାଗ କରିଥାନ୍ତି । (ଏହା ଗୀତା ଅନୁଯାୟୀ ତ୍ୟାଗ ଶବ୍ଦର ଅର୍ଥ ଅଟେ) । ଶ୍ରୀକୃଷ୍ଣ ଏହି ଦ୍ୱିତୀୟ ପ୍ରକାରର ତ୍ୟାଗକୁ ଅନୁମୋଦନ କରିଛନ୍ତି । ସେ ଉପଦେଶ ଦେଇଛନ୍ତି ଯେ ଯଜ୍ଞ, ଦାନ, ତପ ଏବଂ ଅନ୍ୟ କର୍ତ୍ତବ୍ୟ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ଏହା ବିଜ୍ଞ ବ୍ୟକ୍ତିମାନଙ୍କୁ ମଧ୍ୟ ଶୁଦ୍ଧ କରିଥାଏ । ବରଂ କୌଣସି ପ୍ରତିଫଳର ଆଶା ନ ରଖି ସେହି ସବୁ କର୍ମ କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦନ କରିବା ଉଚିତ କାରଣ ତାହା କରଣୀୟ ।

ତାପରେ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ କରୁଥିବା ତିନୋଟି ଉଦ୍ଦେଶ୍ୟ, କର୍ମର ତିନୋଟି ଉପାଦାନ ଏବଂ କର୍ମଫଳ ସୃଷ୍ଟି କରୁଥିବା ପାଞ୍ଚଟି ପ୍ରକ୍ରିୟାର   ବିସ୍ତୃତ ବିଶ୍ଳେଷଣ କରିଛନ୍ତି । ପ୍ରତ୍ୟେକର ବର୍ଣ୍ଣନା ସେ ତିନି ଗୁଣର ଅଧାରରେ କରିଛନ୍ତି । ସେ ପ୍ରତିପାଦିତ କରିଛନ୍ତି ଯେ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ନିଜକୁ ତାଙ୍କ କର୍ମର ଏକମାତ୍ର କାରଣ ମନେ କରିଥାନ୍ତି । କିନ୍ତୁ ଶୁଦ୍ଧ ବୁଦ୍ଧିଯୁକ୍ତ ଜ୍ଞାନୀମାନେ ନିଜକୁ ତାଙ୍କ କର୍ମର କର୍ତ୍ତା କିମ୍ବା ଭୋକ୍ତା ମନେ କରନ୍ତି ନାହିଁ । ଫଳାସକ୍ତି ରହିତ ହୋଇଥିବା କାରଣରୁ ସେମାନେ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ । ତାପରେ ଏହି ଅଧ୍ୟାୟରେ ଲୋକମାନଙ୍କର ପ୍ରବୃତ୍ତି ଏବଂ କର୍ମ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରାଯାଇଛି । ମାୟାର ତିନି ଗୁଣ ଅନୁସାରେ ବିଭିନ୍ନ ପ୍ରକାରର ଜ୍ଞାନ, କର୍ମ ଏବଂ କର୍ତ୍ତାମାନଙ୍କର ଶ୍ରେଣୀବିଭାଗ ବର୍ଣ୍ଣନା କରାଯାଇଛି । ତାପରେ ବୁଦ୍ଧି, ସଂକଳ୍ପ ଏବଂ ସୁଖର ମଧ୍ୟ ଏତାଦୃଶ ବିଶ୍ଳେଷଣ କରାଯାଇଛି । ଏହି ଅଧ୍ୟାୟଟି ଆଧ୍ୟାତ୍ମିକ ଜୀବନରେ ସିଦ୍ଧିଲାଭ କରି ବ୍ରହ୍ମାନୁଭୂତିରେ ସ୍ଥିତ ମହାତ୍ମାମାନଙ୍କର ଏକ ପ୍ରତିଛବି ଅଙ୍କନ । ଏହା ପୁଣି କହିଛି ଯେ ସେହି ସିଦ୍ଧ ଯୋଗୀମାନେ ମଧ୍ୟ ତାଙ୍କ ଅନୁଭୂତିର ପୂର୍ଣ୍ଣତା ପାଇଁ ଭକ୍ତି ଆଚରଣ କରିଥାନ୍ତି । ସୁତରାଂ, କେବଳ ପ୍ରେମମୟୀ ଭକ୍ତି ଦ୍ୱାରା ର୍ହି ପରମ ପୁରୁଷ ଭଗବାନଙ୍କର ରହସ୍ୟ ଜାଣିହେବ ।

ତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନେ ପକାଇ ଦେଉଛନ୍ତି ଯେ ସମସ୍ତ ପ୍ରାଣୀଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ନିବାସ କରନ୍ତି ଏବଂ କର୍ମ ଅନୁସାରେ ସଂସାର ଚକ୍ରରେ ସେମାନଙ୍କର ଭ୍ରମଣକୁ ନିର୍ଦ୍ଦେଶିତ କରିଥାନ୍ତି । ତାଙ୍କର ସ୍ମରଣ କରି ଆମେ ଯଦି ନିଜର ସମସ୍ତ କର୍ମ ତାଙ୍କୁ ଅର୍ପଣ କରିବା, ତାଙ୍କର ଶରଣାଗତ ହେବା ଏବଂ ତାଙ୍କୁ ଆମର ଚରମ ଲକ୍ଷ୍ୟ ମନେ କରିବା, ତାହେଲେ ତାଙ୍କ କୃପାରୁ ଆମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବା । କିନ୍ତୁ ଯଦି ଆମେ ଅହଂକାରଯୁକ୍ତ ହୋଇ ଆମ ମନ ମୁତାବକ କର୍ମ କରିବା, ତେବେ ଆମେ ସଫଳତା ପ୍ରାପ୍ତ କରିବା ନାହିଁ । ସର୍ବଶେଷରେ ଶ୍ରୀକୃଷ୍ଣ ପ୍ରକାଶ କରିଛନ୍ତି ଯେ ସମସ୍ତ ଧର୍ମ-କର୍ମ ତ୍ୟାଗ କରି କେବଳ ଭଗବାନଙ୍କର ଶରଣାଗତ ହେବା, ଜ୍ଞାନର ଗୁଢ଼ତମ ରହସ୍ୟ ଅଟେ । କିନ୍ତୁ ଯେଉଁମାନେ ସଂଯମୀ କିମ୍ବା ଭକ୍ତ ନୁହଁନ୍ତି, ସେମାନଙ୍କୁ ଏହି ଜ୍ଞାନ ପ୍ରଦାନ କରିବା ଉଚିତ ନୁହେଁ  କାରଣ ସେମାନେ ଏହାର ଭୁଲ ବ୍ୟାଖ୍ୟା କରିବେ ଏବଂ ଦାୟୀତ୍ୱହୀନ ଭାବରେ କର୍ମ ତ୍ୟାଗ କରି ଏହାର ଅପବ୍ୟବହାର କରିବେ । ଅଥଚ ଯଦି ଆମେ ଏହି ଗୁପ୍ତ ଜ୍ଞାନକୁ ଅଧିକାରୀ ଜୀବକୁ ପ୍ରଦାନ କରିବା, ତେବେ ତାହା ଭକ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ ହେବ, ଯାହା ଭଗବାନଙ୍କର  ଅତି ପ୍ରିୟ ଅଟେ ।

ତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି ଯେ ତାଙ୍କର ଭ୍ରମ ଦୂର ହୋଇଛି ଏବଂ ସେ ତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।  ଶେଷରେ ସଞ୍ଜୟ, ଯିଏ ରାଜା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ଏହି ବାର୍ତ୍ତାଳାପର ବର୍ଣ୍ଣନା କରୁଥିଲେ, ମନ୍ତବ୍ୟ ଦେଇଛନ୍ତି ଯେ ଏହି ଦିବ୍ୟ ବାର୍ତ୍ତାଳାପ ଶୁଣି ସେ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭିଭୂତ ହୋଇଯାଇଛନ୍ତି । ସେହି ପବିତ୍ର କଥୋପକଥନ ଏବଂ ବିଶ୍ୱରୂପକୁ ମନେ ପକାଇ, ରୋମାଞ୍ଚରେ ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି । ସେ ଦୃଢ଼ତାର ସହ ଘୋଷଣା କରିଛନ୍ତି ଯେ ଭଗବାନ ଏବଂ ତାଙ୍କ ଭକ୍ତଙ୍କର ସର୍ବଦା ଜୟ ହେବା ସହିତ ସତ୍ୟ, ମହନୀୟତା ଏବଂ ଐଶ୍ୱର୍ଯ୍ୟର ମଧ୍ୟ ଜୟ ହେବ କାରଣ ଶାଶ୍ୱତ ସତ୍ୟର ଆଲୋକ ଦ୍ୱାରା ଅସତ୍ୟର ଅନ୍ଧକାର ସର୍ବଦା ପରାଭୂତ ହୋଇଥାଏ ।

Bhagavad Gita 18.1 View Commentary » View »

ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ ! ହେ କେଶିନିଷୂଦନ ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।

Bhagavad Gita 18.2 View Commentary » View »

ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ଅଭିହିତ କରନ୍ତି ।

Bhagavad Gita 18.3 View Commentary » View »

ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।

Bhagavad Gita 18.4 View Commentary » View »

ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।

Bhagavad Gita 18.5 View Commentary » View »

ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।

Bhagavad Gita 18.6 View Commentary » View »

ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।

Bhagavad Gita 18.7 View Commentary » View »

ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।

Bhagavad Gita 18.8 View Commentary » View »

ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।

Bhagavad Gita 18.9 View Commentary » View »

ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।

Bhagavad Gita 18.10 View Commentary » View »

ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।

Bhagavad Gita 18.11 View Commentary » View »

ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।

Bhagavad Gita 18.12 View Commentary » View »

ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।

Bhagavad Gita 18.13 View Commentary » View »

ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।

Bhagavad Gita 18.14 View Commentary » View »

ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।

Bhagavad Gita 18.15 - 18.16 View Commentary » View »

ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍‌-କର୍ମ ଅଥବା ଅସତ୍‌କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।

Bhagavad Gita 18.17 View Commentary » View »

ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।

Bhagavad Gita 18.18 View Commentary » View »

ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।

Bhagavad Gita 18.19 View Commentary » View »

ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।

Bhagavad Gita 18.20 View Commentary » View »

ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।

Bhagavad Gita 18.21 View Commentary » View »

ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।

Bhagavad Gita 18.22 View Commentary » View »

ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।

Bhagavad Gita 18.23 View Commentary » View »

ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।

Bhagavad Gita 18.24 View Commentary » View »

ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।

Bhagavad Gita 18.25 View Commentary » View »

ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।

Bhagavad Gita 18.26 View Commentary » View »

ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।

Bhagavad Gita 18.27 View Commentary » View »

ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।

Bhagavad Gita 18.28 View Commentary » View »

ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍‌ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।

Bhagavad Gita 18.29 View Commentary » View »

ହେ ଅର୍ଜୁନ ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।

Bhagavad Gita 18.30 View Commentary » View »

ହେ ପାର୍ଥ ! କର୍ମ ବିଷୟରେ ଉଚିତ୍‌-ଅନୁଚିତ୍‌, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।

Bhagavad Gita 18.31 View Commentary » View »

ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।

Bhagavad Gita 18.32 View Commentary » View »

ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।

Bhagavad Gita 18.33 View Commentary » View »

ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।

Bhagavad Gita 18.34 View Commentary » View »

ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।

Bhagavad Gita 18.35 View Commentary » View »

ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।

Bhagavad Gita 18.36 View Commentary » View »

ହେ ଅର୍ଜୁନ ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ ।

Bhagavad Gita 18.37 View Commentary » View »

ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।

Bhagavad Gita 18.38 View Commentary » View »

ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।

Bhagavad Gita 18.39 View Commentary » View »

ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।

Bhagavad Gita 18.40 View Commentary » View »

ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।

Bhagavad Gita 18.41 View Commentary » View »

ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।

Bhagavad Gita 18.42 View Commentary » View »

ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।

Bhagavad Gita 18.43 View Commentary » View »

ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।

Bhagavad Gita 18.44 View Commentary » View »

କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।

Bhagavad Gita 18.45 View Commentary » View »

ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।

Bhagavad Gita 18.46 View Commentary » View »

ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।

Bhagavad Gita 18.47 View Commentary » View »

ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।

Bhagavad Gita 18.48 View Commentary » View »

ହେ କୁନ୍ତୀ ପୁତ୍ର ! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।

Bhagavad Gita 18.49 View Commentary » View »

ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।

Bhagavad Gita 18.50 View Commentary » View »

ହେ ଅର୍ଜୁନ ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।

Bhagavad Gita 18.51 - 18.53 View Commentary » View »

ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।

Bhagavad Gita 18.54 View Commentary » View »

ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।

Bhagavad Gita 18.55 View Commentary » View »

ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।

Bhagavad Gita 18.56 View Commentary » View »

ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।

Bhagavad Gita 18.57 View Commentary » View »

ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।

Bhagavad Gita 18.58 View Commentary » View »

ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।

Bhagavad Gita 18.59 View Commentary » View »

ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।

Bhagavad Gita 18.60 View Commentary » View »

ହେ ଅର୍ଜୁନ ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।

Bhagavad Gita 18.61 View Commentary » View »

ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।

Bhagavad Gita 18.62 View Commentary » View »

ହେ ଭାରତ ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।

Bhagavad Gita 18.63 View Commentary » View »

ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।

Bhagavad Gita 18.64 View Commentary » View »

ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।

Bhagavad Gita 18.65 View Commentary » View »

ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।

Bhagavad Gita 18.66 View Commentary » View »

ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।

Bhagavad Gita 18.67 View Commentary » View »

ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।

Bhagavad Gita 18.68 View Commentary » View »

ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।

Bhagavad Gita 18.69 View Commentary » View »

ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।

Bhagavad Gita 18.70 View Commentary » View »

ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।

Bhagavad Gita 18.71 View Commentary » View »

ଏପରିକି ଯେଉଁମାନେ କେବଳ ଶ୍ରଦ୍ଧାଯୁକ୍ତ ଏବଂ ଦ୍ୱେଷ ରହିତ ହୋଇ ଏହି ଜ୍ଞାନକୁ ଶ୍ରବଣ କରନ୍ତି, ସେମାନେ ମଧ୍ୟ ପାପମୁକ୍ତ ହୋଇ ସେହି ପବିତ୍ର ଲୋକକୁ ଗମନ କରିବେ ଯେଉଁଠାରେ ଧର୍ମାତ୍ମାମାନେ ବାସ କରନ୍ତି ।

Bhagavad Gita 18.72 View Commentary » View »

ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?

Bhagavad Gita 18.73 View Commentary » View »

ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।

Bhagavad Gita 18.74 View Commentary » View »

ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।

Bhagavad Gita 18.75 View Commentary » View »

ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।

Bhagavad Gita 18.76 View Commentary » View »

ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।

Bhagavad Gita 18.77 View Commentary » View »

ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।

Bhagavad Gita 18.78 View Commentary » View »

ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!