Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 20

ସର୍ବଭୂତେଷୁ ଯେନୈକଂ ଭାବମବ୍ୟୟମୀକ୍ଷତେ ।
ଅବିଭକ୍ତଂ ବିଭକ୍ତେଷୁ ତଜ୍‌ଜ୍ଞାନଂ ବିଦ୍ଧି ସାତ୍ତ୍ୱିକମ୍ ।।୨୦।।

ସର୍ବଭୂତେଷୁ- ସବୁ ପ୍ରାଣୀଙ୍କ ଭିତରେ; ଯେନ-ଯାହା ଦ୍ୱାରା; ଏକଂ-ଏକ; ଭାବଂ-ଗୁଣ; ଅବ୍ୟୟଂ -ଅବ୍ୟୟ; ଈକ୍ଷତେ-ଦେଖେ; ଅବିଭକ୍ତଂ-ଅବିଭକ୍ତ; ବିଭକ୍ତେଷୁ- ଭିନ୍ନତା ମଧ୍ୟରେ; ତତ୍‌-ତାହା; ଜ୍ଞାନଂ-ଜ୍ଞାନ; ବିଦ୍ଧି-ଜାଣ; ସାତ୍ତ୍ୱିକମ୍‌-ସାତ୍ତ୍ୱିକ ।

Translation

BG 18.20: ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।

Commentary

ସୃଷ୍ଟି ବିବିଧ ପ୍ରକାର ଜୀବ ଏବଂ ଭୌତିକ ବସ୍ତୁର ଏକ ଦୃଶ୍ୟରାଜି ପ୍ରକାଶ କରିଥାଏ । କିନ୍ତୁ ଏହି ବିବିଧତାର ପୃଷ୍ଠଦେଶରେ ଅପାତତଃ ଭଗବାନ ହିଁ ଅଛନ୍ତି । ଜ୍ଞାନ ଚକ୍ଷୁରେ ସମୃଦ୍ଧ ବ୍ୟକ୍ତି ସୃଷ୍ଟିର ଏହି ବିବିଧତାରେ ଏକତା ଦେଖିପାରନ୍ତି, ଯେପରି ଜଣେ ବିଦ୍ୟୁତ ଯନ୍ତ୍ରୀ ସମସ୍ତ ବୈଦ୍ୟୁତିକ ଉପକରଣରେ ଗୋଟିଏ ବିଜୁଳି ପ୍ରବାହିତ ହେଉଥିବା ଦେଖିପାରନ୍ତି ଏବଂ ଜଣେ ବଣିଆ ବିଭିନ୍ନ ଅଳଙ୍କାରରେ ସେଇ ଗୋଟିଏ ପ୍ରକାର ସୁନା ବ୍ୟବହୃତ ହୋଇଥିବା ଜାଣିପାରନ୍ତି । ଶ୍ରୀମଦ୍ ଭାଗବତମ୍ କହେ:

ବଦନ୍ତି ତତ୍ ତତ୍ତ୍ୱ-ବିଦସ୍ ତତ୍ତ୍ୱଂ ଯଜ୍ ଜ୍ଞାନମ୍ ଅଦ୍ୱୟମ୍ (୧.୨.୧୧)

“ସତ୍ୟର ଜ୍ଞାତାମାନେ କହନ୍ତି ଯେ, ସୃଷ୍ଟିରେ କେବଳ ଗୋଟିଏ ତତ୍ତ୍ୱ ଅଛି, କୌଣସି ଦ୍ୱିତୀୟ ତତ୍ତ୍ୱ ନାହିଁ ।”

ଚୈତନ୍ୟ ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱରୂପକୁ ଅଦ୍ୱୟ ଜ୍ଞାନ ତତ୍ତ୍ୱ (ସୃଷ୍ଟିର ସମସ୍ତ ବସ୍ତୁରେ ବିଦ୍ୟମାନ ଏକକ ଅଦ୍ୱୟ ତତ୍ତ୍ୱ ) ଭାବରେ ବିବେଚନା କରନ୍ତି, ଯାହା ନିମ୍ନଲିଖିତ ଚାରିଗୋଟି ମାନଦଣ୍ଡ ଉପରେ ଆଧାରିତ:

୧. ସଜାତୀୟ ଭେଦଶୂନ୍ୟ । (ସମ ତତ୍ତ୍ୱ ସହ ଅଭେଦତ୍ୱ) ଭଗବାନଙ୍କର ଅନ୍ୟ ସମସ୍ତ ସ୍ୱରୂପ ଯଥା ରାମ, ଶିବ, ବିଷ୍ଣୁ ଇତ୍ୟାଦି ଶ୍ରୀକୃଷ୍ଣଙ୍କ ଠାରୁ ଅଭିନ୍ନ ଅଟନ୍ତି, କାରଣ ସେମାନେ ସମସ୍ତେ ଗୋଟିଏ ଭଗବାନଙ୍କର ପରିପ୍ରକାଶ ଅଟନ୍ତି ।

ଶ୍ରୀକୃଷ୍ଣ ତାଙ୍କର ହିଁ କ୍ଷୁଦ୍ର ଅଂଶ ଜୀବଠାରୁ ମଧ୍ୟ ଅଭିନ୍ନ ଅଟନ୍ତି । ଅଂଶ ତା’ର ଅଂଶୀ ଠାରୁ ଅଭିନ୍ନ ଅଟେ, ଯେପରି ଅଗ୍ନିର ଶିଖା ଅଗ୍ନି ଠାରୁ ଅଭିନ୍ନ ହୋଇଥାଏ ।

୨. ବିଜାତୀୟ ଭେଦ ଶୂନ୍ୟ । (ବିସମ ତତ୍ତ୍ୱ ସହ ଅଭେଦତ୍ୱ) ଭଗବାନଙ୍କର ଭିନ୍ନ ତତ୍ତ୍ୱ ହେଉଛି ମାୟା, ଯାହା ଜଡ଼ ଅଟେ; ଅଥଚ ଭଗବାନ ଚୈତନ୍ୟ ଅଟନ୍ତି । ତଥାପି ମାୟା ଭଗବାନଙ୍କର ଶକ୍ତି ଅଟେ ଏବଂ ଶକ୍ତି ଓ ଶକ୍ତିମାନଙ୍କର ଅଭେଦତ୍ୱ ଦୃଷ୍ଟିରୁ ମାୟା ମଧ୍ୟ ଭଗବାନଙ୍କ ଠାରୁ ଅଭିନ୍ନ ଅଟେ, ଯେପରି ଅଗ୍ନି ଏବଂ ତା’ର ଶକ୍ତି ଉତ୍ତାପ ଓ ଆଲୋକ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି ।

୩. ସ୍ୱଗତ ଭେଦ ଶୂନ୍ୟ । (ନିଜ ଶରୀରର ବିଭିନ୍ନ ଅଙ୍ଗ ସହ ଅଭେଦତ୍ୱ) ଭଗବାନଙ୍କ ଶରୀରର ଆଶ୍ଚର୍ଯ୍ୟଜନକ ବିଶେଷତ୍ୱ ଏହା ଯେ ତାଙ୍କର ସମସ୍ତ ଅଙ୍ଗ ଅନ୍ୟ ଅଙ୍ଗର ସମସ୍ତ କାର୍ଯ୍ୟ କରିପାରନ୍ତି । ବ୍ରହ୍ମ ସଂହିତାରେ ଉଲ୍ଲେଖ ରହିଛି:

ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗନ୍ତି (୫.୩୨)

“ଭଗବାନ ତାଙ୍କର ପ୍ରତ୍ୟେକ ଅଙ୍ଗ ସାହାଯ୍ୟରେ ଦେଖିବା, ଶୁଣିବା, କହିବା, ଶୁଙ୍ଘିବା, ଖାଇବା ଏବଂ ପାନ କରିବା ଆଦି ସମସ୍ତ କର୍ମ କରିପାରନ୍ତି । ତେଣୁ ତାଙ୍କର ଅଙ୍ଗଗୁଡ଼ିକ ତାଙ୍କଠାରୁ ପୃଥକ୍ ନୁହଁନ୍ତି ।

୪. ସ୍ୱୟଂସିଦ୍ଧ - (ଅନ୍ୟ ତତ୍ତ୍ୱ ଉପରେ ନିର୍ଭରଶୀଳ ନୁହଁନ୍ତି) ମାୟା ଏବଂ ଜୀବ ତାଙ୍କର ଅସ୍ତିତ୍ୱ ପାଇଁ ଭଗବାନଙ୍କ ଉପରେ ନିର୍ଭରଶୀଳ ଅଟନ୍ତି । ସେ ଯଦି ତାଙ୍କୁ ଶକ୍ତି ପ୍ରଦାନ ନ କରିବେ, ସେମାନଙ୍କର ଅସ୍ତିତ୍ୱ ରହିବ ନାହିଁ । ଅନ୍ୟପକ୍ଷରେ, ଭଗବାନ ପରମ ସ୍ୱତନ୍ତ୍ର ଅଟନ୍ତି । ତାଙ୍କର ଅସ୍ତିତ୍ୱ ପାଇଁ ସେ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ ।

ଭଗବାନ ଶ୍ରୀକୃଷ୍ଣ ଏହି ଚାରିଗୋଟି ସର୍ତ୍ତ ପୂରଣ କରୁଛନ୍ତି । ତେଣୁ ସେ ଅଦ୍ୱୟ ଜ୍ଞାନ ତତ୍ତ୍ୱ ଅଟନ୍ତି । ଅନ୍ୟ ଅର୍ଥରେ, ସୃଷ୍ଟିରେ ଯାହା କିଛି ରହିଛି, ସବୁ ସେ ହିଁ ଅଟନ୍ତି । ଏହି ଜ୍ଞାନ ଯୁକ୍ତ ହୋଇ, ଆମେ ଯେତେବେଳେ ସମଗ୍ର ସୃଷ୍ଟିର ଭଗବାନଙ୍କ ସହିତ ଏକତ୍ୱକୁ ଦେଖୁ, ଏହା ସାତ୍ତ୍ୱିକ ଜ୍ଞାନ ଭାବରେ ବିବେଚିତ ହୁଏ । ଏହି ଜ୍ଞାନ ଉପରେ ଆଧାରିତ ପ୍ରେମ, ଜାତୀୟ କିମ୍ବା ରାଷ୍ଟ୍ରୀୟ ନୁହେଁ, ଏହା ସାର୍ବଜନୀନ ଅଟେ । 

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!