ନିୟତଂ ସଙ୍ଗରହିତମରାଗଦ୍ୱେଷତଃ କୃତମ୍ ।
ଅଫଳପ୍ରେପ୍ସୁନା କର୍ମ ଯତ୍ତତ୍ସାତ୍ତ୍ୱିକମୁଚ୍ୟତେ ।।୨୩।।
ନିୟତଂ-ଶାସ୍ତ୍ର ଅନୁଯାୟୀ; ସଙ୍ଗ-ରହିତମ୍ -ଅନାସକ୍ତ; ଅରାଗ-ଦ୍ୱେଷତଃ -ରାଗଦ୍ୱେଷ ରହିତ; କୃତମ୍ -କରାଯାଏ; ଅଫଳ-ପ୍ରେସ୍ସୁନା- ଫଳ କାମନା ରହିତ; କର୍ମ -କର୍ମ; ଯତ୍ -ଯାହା; ତତ୍ -ତାହା; ସାତ୍ତ୍ୱିକଂ-ସତ୍ତ୍ୱଗୁଣୀ; ଉଚ୍ୟତେ- କୁହାଯାଏ ।
BG 18.23: ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।
ନିୟତଂ ସଙ୍ଗରହିତମରାଗଦ୍ୱେଷତଃ କୃତମ୍ ।
ଅଫଳପ୍ରେପ୍ସୁନା କର୍ମ ଯତ୍ତତ୍ସାତ୍ତ୍ୱିକମୁଚ୍ୟତେ ।।୨୩।।
ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ତିନି ଗୁଣଯୁକ୍ତ ଜ୍ଞାନ ସମ୍ବନ୍ଧରେ ବର୍ଣ୍ଣନା କରିସାରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର କର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି । ଇତିହାସର କ୍ରମରେ ଅନେକ ସମାଜ ବିଜ୍ଞାନୀ ଏବଂ ଦାର୍ଶନିକ, ସଠିକ୍ କର୍ମ କ’ଣ, ସେ ବିଷୟରେ ତାଙ୍କର ମତବ୍ୟକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ତାଙ୍କର ଦର୍ଶନ ଏଠାରେ ଉଦ୍ଧାର କରାଯାଇଛି:
୧. ଗ୍ରୀସ୍ର (ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ) ଭୋଗବାଦୀମାନେ “ଖାଇବା, ପିଇବା ଏବଂ ମଉଜ ମଜଲିସକୁ ସଠିକ୍ କର୍ମ ଭାବରେ ବିଶ୍ୱାସ କରୁଥିଲେ ।
୨. ଇଂଲଣ୍ଡର ହବସ୍ (୧୫୮୮-୧୬୭୯) ଏବଂ ଫ୍ରାନ୍ସର ହେଲଭେସିଅସ୍ (୧୭୧୫-୧୭୭୧)ଙ୍କର ଦର୍ଶନ ତା’ଠାରୁ ଉତ୍କୃଷ୍ଟ ଥିଲା । ସେମାନେ କହିଥିଲେ ଯେ, ସମସ୍ତେ ଯଦି ସ୍ୱାର୍ଥପର ହୋଇଯିବେ ଏବଂ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କରିବେ, ସଂସାରରେ ବିଭ୍ରାଟ ସୃଷ୍ଟି ହେବ । ତେଣୁ ସେମାନେ ମତ ଦେଇଥିଲେ ଯେ, ନିଜର ସ୍ୱାର୍ଥପୂରଣ କରିବା ସହିତ, ଆମେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନଶୀଳ ହେବା ଉଚିତ୍ । ଉଦାହରଣ ସ୍ୱରୂପ, ଯଦି ସ୍ୱାମୀ ଅସୁସ୍ଥ ଅଛନ୍ତି, ସ୍ତ୍ରୀ ତାଙ୍କ ଯତ୍ନ ନେବା ଉଚିତ ଏବଂ ଯଦି ସ୍ତ୍ରୀ ଅସୁସ୍ଥ ଅଛନ୍ତି ସ୍ୱାମୀ ତାଙ୍କ ଯତ୍ନ ନେବା ଉଚିତ୍ । ଯଦି କେବେ ଅନ୍ୟର ସହାୟତା ଏବଂ ନିଜ ସ୍ୱାର୍ଥ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜେ, ତା ହେଲେ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସେମାନେ ଉପଦେଶ ଦେଇଥିଲେ ।
୩. ଯୋଶେଫ୍ ବଟ୍ଲର (୧୬୯୨-୧୭୫୨)ଙ୍କ ଦର୍ଶନ ଏହାଠାରୁ ଉତ୍ତମ ଥିଲା । ସେ କହିଥିଲେ ଯେ ନିଜର ସ୍ୱାର୍ଥ ପୂରଣ ପରେ ଅନ୍ୟର ସେବା କରିବାର ଚିନ୍ତାଧାରା ଭୂଲ ଅଟେ । ଅନ୍ୟକୁ ସାହାଯ୍ୟ କରିବା ମନୁଷ୍ୟର ସ୍ୱାଭାବିକ ଧର୍ମ ଅଟେ । ଏପରିକି, ବାଘୁଣୀଟିଏ ମଧ୍ୟ ନିଜେ କ୍ଷୁଧାର୍ତ୍ତ ରହି ତା’ ଶାବକକୁ ଖାଇବାକୁ ଦେଇଥାଏ । ତେଣୁ ଅନ୍ୟର ସହାୟତା କରିବାକୁ ପ୍ରାଥମିକତା ଦେବା ଆବଶ୍ୟକ । କିନ୍ତୁ ବଟ୍ଲରଙ୍କ ସେବା କରିବାର ସିଦ୍ଧାନ୍ତ ଭୌତିକ ଦୁଃଖ ନିବାରଣ ମଧ୍ୟରେ ସୀମିତ ଥିଲା । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି କ୍ଷୁଧାର୍ତ୍ତ ଅଛି ତାକୁ ଖାଇବାକୁ ଦେବା ଉଚିତ୍ । କିନ୍ତୁ ଏହା ସମସ୍ୟାର ସମାଧାନ କରେନାହିଁ, କାରଣ ଛଅ ଘଣ୍ଟା ପରେ ସେହି ବ୍ୟକ୍ତି ପୁଣି କ୍ଷୁଧା ଅନୁଭବ କରିପାରେ ।
୪. ବଟ୍ଲରଙ୍କ ପରେ ଜେରେମି ବେନ୍ଥାମ୍ (୧୭୪୮-୧୮୩୨) ଏବଂ ଜନ୍ ଷ୍ଟୁଆଟ୍ର୍ ମିଲ୍ଙ୍କର (୧୮୦୬-୧୮୭୩) ଆବିର୍ଭାବ ହୋଇଥିଲା । ସେମାନେ ଉପଯୋଗିତାବାଦୀ ସିଦ୍ଧାନ୍ତର ଅନୁମୋଦନ କରିଥିଲେ, ଅର୍ଥାତ୍ ଯାହା ସଂଖ୍ୟାଗରିଷ୍ଠ ଲୋକଙ୍କ ପାଇଁ ହିତକାରୀ, ତାହା କରିବା ଉଚିତ୍ । କର୍ମର ଓøଚିତ୍ୟ ସ୍ଥିର କରିବା ପାଇଁ ସେମାନେ ସଂଖ୍ୟାଗରିଷ୍ଠ ବ୍ୟକ୍ତିଙ୍କର ମତାମତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯଦି ସଂଖ୍ୟାଧିକ ବ୍ୟକ୍ତି ଭୁଲ କିମ୍ବା ବିପଥଗାମୀ ହ୍ରୁଅନ୍ତି, ତାହେଲେ ଏହି ସିଦ୍ଧାନ୍ତ ଭୁଲ ପ୍ରମାଣିତ ହୁଏ, କାରଣ ଏକ ସହସ୍ର ଅଜ୍ଞାନୀ ବ୍ୟକ୍ତିଙ୍କର ବିଚାର ଜଣେ ବିଜ୍ଞବ୍ୟକ୍ତିଙ୍କ ବିଚାରର ସମକକ୍ଷ ନୁହେଁ ।
ଅନ୍ୟ ଦାର୍ଶନିକମାନେ ଅନ୍ତରାତ୍ମାର ବାଣୀ ଶୁଣିବାକୁ ସୁପାରିଶ କରିଥିଲେ । ସେମାନେ ମତ ଦେଇଥିଲେ ଯେ, ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ, ଏହା ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ଅଟେ । କିନ୍ତୁ ସମସ୍ୟା ଏହା ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିବେକ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଥାଏ । ଏପରିକି ଗୋଟିଏ ପରିବାରର ଦୁଇଟି ସନ୍ତାନଙ୍କର ନୈତିକ ମୂଲ୍ୟବୋଧ ଏବଂ ବିବେକ ଅଲଗା ଅଲଗା ହୋଇଥାଏ । ତା’ ଛଡ଼ା ଜଣେ ମନୁଷ୍ୟର ବିବେକ ମଧ୍ୟ ସମୟ ଅନୁସାରେ ବଦଳୁଥାଏ । ଯଦି ଜଣେ ହତ୍ୟାକାରୀକୁ ପ୍ରଶ୍ନ କରାଯାଏ, ଲୋକଙ୍କୁ ହତ୍ୟାକଲେ ତାଙ୍କୁ ଖରାପ ଲାଗେ କି? ସେ ଉତ୍ତର ଦିଅନ୍ତି, “ପ୍ରଥମେ ମୋତେ ଖରାପ ଲାଗୁଥିଲା, କିନ୍ତୁ ଏବେ ମଶାଟିଏ ମାରିବା ପରି ନଗଣ୍ୟ ବୋଧ ହେଉଛି । ମୁଁ ପଶ୍ଚାତାପ କରେନାହିଁ ।”
ଉପଯୁକ୍ତ କର୍ମ ବିଷୟରେ ମହାଭାରତ କହେ:
ଆତ୍ମନଃ ପ୍ରତିକୂଳାନି ପରେଶାଂ ନ ସମାଚରେତ୍
ଶ୍ରୁତିଃ ସ୍ମୃତିଃ ସଦାଚାରଃ ସ୍ୱସ୍ୟ ଚ ପ୍ରିୟମାତ୍ମନଃ (୫.୧୫.୧୭)
“ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗେନାହିଁ, ସେହିପରି ଆଚରଣ ଅନ୍ୟମାନଙ୍କ ପ୍ରତି ମଧ୍ୟ କରନାହିଁ । କିନ୍ତୁ ତୁମର ଆଚରଣ ଶାସ୍ତ୍ରସମ୍ମତ କି ନୁହେଁ ପରୀକ୍ଷା କର ।” ଅନ୍ୟମାନଙ୍କ ଠାରୁ ତୁମେ ଯେପରି ବ୍ୟବହାର ଆଶା କରୁଛ, ସେହିପରି ବ୍ୟବହାର ତାଙ୍କୁ ମଧ୍ୟ ପ୍ରଦର୍ଶନ କର । ବାଇବେଲ୍ ମଧ୍ୟ କହେ: “ଅନ୍ୟମାନଙ୍କ ଠାରୁ ତୁମେ ଯେପରି ବ୍ୟବହାର ଆଶା କରୁଛ, ତାଙ୍କ ପ୍ରତି ସେହିପରି ବ୍ୟବହାର କର ।”(ଲ୍ୟୁକ୍ ୬.୩୧) ସେହି ମର୍ମରେ ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି ଯେ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସାତ୍ତ୍ୱିକ ଗୁଣଯୁକ୍ତ କର୍ମ ଅଟେ । ସେ ପୁଣି କହୁଛନ୍ତି ଯେ ଏହିପରି କର୍ମ ରାଗ-ଦ୍ୱେଷ ରହିତ ଏବଂ ଫଳ କାମନା ରହିତ ହେବା ଆବଶ୍ୟକ ।