ଶ୍ରେୟାନ୍ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ସ୍ୱନୁଷ୍ଠିତାତ୍ ।
ସ୍ୱଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍ବିଷମ୍ ।।୪୭।।
ଶ୍ରେୟାନ୍ -ଉତ୍ତମ; ସ୍ୱ-ଧର୍ମ -ନିଜ ପାଇଁ ନିର୍ଦ୍ଧାରିତ କର୍ମ; ବିଗୁଣଃ- ଅପୂର୍ଣ୍ଣ ଭାବେ କୃତ; ପର-ଧର୍ମାତ୍ -ଅନ୍ୟ ପାଇଁ ଉଦ୍ଦିଷ୍ଟ କର୍ମଠାରୁ; ସ୍ୱନୁଷ୍ଠିତାତ୍- ପୂର୍ଣ୍ଣତଃ କୃତ; ସ୍ୱଭାବ-ନିୟତଂ- ବ୍ୟକ୍ତିର ସ୍ୱଭାବ ଅନୁଯାୟୀ ନିର୍ଦ୍ଧାରିତ; କର୍ମ -କର୍ମ; କୁର୍ବନ୍-ଅନୁଷ୍ଠାନ କରି; ନ-ଆପ୍ନୋତି - ଅର୍ଜନ କରେ ନାହିଁ; କିଳ୍ବିଷମ୍ -ପାପ ।
BG 18.47: ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।
ଶ୍ରେୟାନ୍ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ସ୍ୱନୁଷ୍ଠିତାତ୍ ।
ସ୍ୱଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍ବିଷମ୍ ।।୪୭।।
ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ସ୍ୱ-ଧର୍ମ ପାଳନ କରିବା ଦ୍ୱାରା ଦ୍ୱିବିଧ ଲାଭ ହୋଇଥାଏ । ଏହା ଆମର ସ୍ୱାଭାବିକ ପ୍ରବୃତ୍ତି ଅନୁରୂପ ହୋଇଥାଏ । ସୁତରାଂ, ପକ୍ଷୀ ଉଡ଼ିବା ଓ ମତ୍ସ୍ୟ ସନ୍ତରଣ କରିବା ପରି ଏହା ଆମ ବ୍ୟକ୍ତିତ୍ୱର ସ୍ୱାଭାବିକ କ୍ରିୟା ହୋଇଥାଏ । ଦ୍ୱିତୀୟତଃ, ଯେହେତୁ ଏହା ଆମ ମନ ପାଇଁ ସୁଖଦ ଅଟେ, ଏହା ସ୍ୱତଃ ସମ୍ପାଦିତ ହୋଇଥାଏ ଏବଂ ଭକ୍ତି କରିବା ପାଇଁ ଆମର ଚେତନା ମୁକ୍ତ ରହିଥାଏ ।
ତା ପରିବର୍ତ୍ତେ, ଆମେ ଯଦି ନିଜ କର୍ତ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ମନେକରି ଅନ୍ୟ ଜଣଙ୍କ ପାଇଁ ଉଦ୍ଦିଷ୍ଟ କର୍ମ କରିବାକୁ ଆଗଭର ହେବା, ଆମେ ନିଜ ଅନ୍ତର୍ନିହିତ ଗୁଣର ବିପରୀତ କର୍ମ କରିବାରେ ସଂଘର୍ଷ ରତ ରହିବା । ଏହା ହିଁ ଅର୍ଜୁନଙ୍କର ପରିସ୍ଥିତି ଥିଲା । ତାଙ୍କର କ୍ଷତ୍ରୀୟ ସ୍ୱଭାବ ସାମରିକ ଏବଂ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ଅନୁକୂଳ ଥିଲା । ସମସ୍ତ ଘଟଣାବଳୀ ତାଙ୍କୁ ଏକ ଧର୍ମଯୁଦ୍ଧରେ ଅଂଶଗ୍ରହଣ କରିବା ଦିଗରେ ପ୍ରେରିତ କରୁଥିଲା । ସେ ଯଦି ତାଙ୍କ କର୍ତ୍ତବ୍ୟ ପ୍ରତି ବିମୁଖ ହୋଇ ଜଙ୍ଗଲରେ ତପସ୍ୟା କରିବାକୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତାହା ତାଙ୍କୁ ସାହାଯ୍ୟ କରିବ ନାହିଁ । ଜଙ୍ଗଲରେ ମଧ୍ୟ ସେ ନିଜ ସହଜାତ ପ୍ରବୃତ୍ତିରୁ ମୁକ୍ତ ରହିବେ ନାହିଁ । ସମ୍ଭବତଃ, ସେଠାରେ ସେ ଆଦିବାସୀମାନଙ୍କୁ ଏକତ୍ରିତ କରି, ତାଙ୍କର ରାଜା ହେବେ । ତା’ପରିବର୍ତ୍ତେ, ସେ ଯଦି ତାଙ୍କର ସ୍ୱଭାବ ଅନୁରୂପ କର୍ମ କରିଥାଆନ୍ତେ ଏବଂ କର୍ମଫଳକୁ ଭଗବାନଙ୍କୁ ଅର୍ପଣ ପୂର୍ବକ ତାଙ୍କର ଉପାସନା କରିଥାଆନ୍ତେ, ତେବେ ତାଙ୍କ ପାଇଁ ତାହା ଶ୍ରେୟସ୍କର ହୋଇଥାଆନ୍ତା ।
ଆଧ୍ୟାତ୍ମିକ ଉପଲବ୍ଧି ପରେ ବ୍ୟକ୍ତିର ସ୍ୱ-ଧର୍ମ ବଦଳିଯାଏ । ଏହା ଶାରୀରିକ ସ୍ତରରେ ସ୍ଥିତ ନ ରହି ଆତ୍ମାର ଧର୍ମ ହୋଇଯାଏ, ଯାହା ଭଗବାନଙ୍କର ଭକ୍ତି ଅଟେ । ଏହି କକ୍ଷରେ ନିଜର କର୍ତ୍ତବ୍ୟ ପରିତ୍ୟାଗ କରି ସର୍ବତୋ ଭାବରେ ଭକ୍ତିରେ ନିୟୋଜିତ ହେବା ଯୁକ୍ତିଯୁକ୍ତ ଅଟେ, କାରଣ ବର୍ତ୍ତମାନ ଏହା ତାଙ୍କ ସ୍ୱଭାବର ସ୍ୱ-ଧର୍ମ ପାଲଟିଯାଏ । ଏହି ଅଧିକାରୀତ୍ୱ ହାସଲ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଭଗବଦ୍ଗୀତାର ଶେଷରେ ଶ୍ରୀକୃଷ୍ଣ ତାଙ୍କର ଅନ୍ତିମ ନିର୍ଣ୍ଣୟ ପ୍ରକାଶ କରିବେ: “ସମସ୍ତ ଧର୍ମ ପରିତ୍ୟାଗ କରି କେବଳ ମୋର ଶରଣାଗତ ହୁଅ ।” (୧୮.୬୬) କିନ୍ତୁ ସେହି ସ୍ତରରେ ଉପନୀତ ହେବା ପର୍ଯ୍ୟନ୍ତ ଏହି ଶ୍ଳୋକରେ ଦିଆଯାଇଥିବା ନିର୍ଦ୍ଦେଶ ପ୍ରଯୁଜ୍ୟ ଅଟେ । ଶ୍ରୀମଦ୍ ଭାଗବତମ୍ କହେ:
ତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତା
ମତ୍-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)
“ଭଗବାନଙ୍କର ଲୀଳା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ପୂର୍ବକ ଭକ୍ତି ପ୍ରତି ଆଗ୍ରହ ସୃଷ୍ଟି ନ ହେବା ପର୍ଯ୍ୟନ୍ତ, ଆମେ ନିଜର ବିହିତ ବୃତ୍ତିଗତ କର୍ମ ଅବ୍ୟାହତ ରଖିବା ଉଚିତ୍ ।”