ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ୍ୟ ମତ୍ପରଃ ।
ବୁଦ୍ଧିଯୋଗମୁପାଶ୍ରିତ୍ୟ ମଚ୍ଚିତ୍ତଃ ସତତଂ ଭବ ।।୫୭।।
ଚେତସା -ଚେତନାରେ; ସର୍ବକର୍ମାଣି-ସମସ୍ତ କର୍ମ; ମୟି-ମୋ’ଠାରେ; ସଂନ୍ୟସ୍ୟ -ଉତ୍ସର୍ଗ କରି; ମତ୍ପରଃ-ମୋ ପରାୟଣ ହୋଇ; ବୁ୍ଦ୍ଧିଯୋଗମ୍- ବୁଦ୍ଧିକୁ ଭଗବାନଙ୍କ ସହିତ ଯୁକ୍ତ କରି; ଉପାଶ୍ରିତ୍ୟ-ଆଶ୍ରୟ କରି; ମତ୍-ଚିତ୍ତଃ- ଚେତନା ମୋ ସହିତ ତଲ୍ଲୀନ; ସତତଂ-ସର୍ବଦା; ଭବ -ହୁଅ ।
BG 18.57: ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।
ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ୍ୟ ମତ୍ପରଃ ।
ବୁଦ୍ଧିଯୋଗମୁପାଶ୍ରିତ୍ୟ ମଚ୍ଚିତ୍ତଃ ସତତଂ ଭବ ।।୫୭।।
ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଯୋଗର ଅର୍ଥ “ମିଳିତ ହେବା”, ଏବଂ ବୁଦ୍ଧିଯୋଗର ଅର୍ଥ “ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ହେବା ।” ବୁଦ୍ଧିକୁ ଏହି ଯୋଗ ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ସେ ଦୃଢ଼ ନିଶ୍ଚୟ ହୋଇଥାଏ ଯେ ସୃଷ୍ଟିର ସମସ୍ତ ବସ୍ତୁ ଭଗବାନଙ୍କ ଠାରୁ ଉତ୍ପନ୍ନ, ତାଙ୍କ ସହିତ ସମ୍ବନ୍ଧିତ ଏବଂ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ଆସନ୍ତୁ, ଆମର ଆଭ୍ୟନ୍ତରୀଣ ପ୍ରଣାଳୀରେ ବୁଦ୍ଧିର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିବା ।
ସୂକ୍ଷ୍ମ ଅନ୍ତଃ କରଣ ଆମ ଶରୀର ମଧ୍ୟରେ ରହିଛି, ଯାହାକୁ କଥିତ ରୂପେ ହୃଦୟ ବା ସୂକ୍ଷ୍ମ ହୃଦୟ କୁହାଯାଇଥାଏ । ଏହାର ଚାରିଗୋଟି ଦିଗ ଅଛି । ଏହା ଯେତେବେଳେ ବିଚାର ସୃଷ୍ଟି କରେ ଏହାକୁ ମନ କୁହାଯାଏ । ଯେତେବେଳେ ଏହା ବିଶ୍ଳେଷଣ କରି ନିଷ୍ପତ୍ତି ନିଏ ଏହାକୁ ବୁଦ୍ଧି କୁହାଯାଏ । ଯେତେବେଳେ ଏହା କୌଣସି ବସ୍ତୁରେ ଆସକ୍ତ ହୁଏ, ତାହାକୁ ଆମେ ଚିତ୍ତ କହିଥାଉ । ଯେତେବେଳେ ଏହା ଶାରୀରିକ ବୈଶିଷ୍ଟ୍ୟ ସହିତ ତାଦାତ୍ମ୍ୟ କରି ଗର୍ବ ଅନୁଭବ କରେ, ଏହାକୁ ଆମେ ଅହଂକାର କହିଥାଉ ।
ଏହି ଆଭ୍ୟନ୍ତରୀଣ ପ୍ରଣାଳୀରେ, ବୁଦ୍ଧିର ଭୂମିକା ପ୍ରମୁଖ ଅଟେ । ଏହା ନିଷ୍ପତ୍ତି ନେଉଥିବା ବେଳେ, ମନ ସେହି ନିଷ୍ପତ୍ତି ଅନୁସାରେ କାମନା କରେ ଏବଂ ଚିତ୍ତ ସେହି ଇପ୍ସିତ ବସ୍ତୁରେ ଆସକ୍ତ ହୋଇଯାଏ । ଉଦାହରଣ ସ୍ୱରୂପ, ବୁଦ୍ଧି ଯଦି ନିର୍ଣ୍ଣୟ କରେ ଯେ ସଂସାରରେ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ମନ ଜୀବନରେ ସୁରକ୍ଷା ପାଇଁ ସର୍ବଦା ଚେଷ୍ଟିତ ରହେ । ଦିନସାରା ଆମେ ମନୁଷ୍ୟମାନେ ବୁଦ୍ଧିଦ୍ୱାରା ମନକୁ ନିୟନ୍ତ୍ରିତ କରିଥାଉ । ସେଥିପାଇଁ କ୍ରୋଧ ସର୍ବଦା ନିମ୍ନଦିଗକୁ ପ୍ରବାହିତ ହୁଏ । ମୁଖ୍ୟ ପରିଚାଳକ ନିର୍ଦ୍ଦେଶକଙ୍କୁ ଗାଳି ଦିଅନ୍ତି । ନିର୍ଦ୍ଦେଶକ ମୁଖ୍ୟ ପରିଚାଳକଙ୍କୁ ଗାଳି ଦେଇପାରନ୍ତି ନାହିଁ, କାରଣ ତାଙ୍କର ବୁଦ୍ଧି ଏହା ବୁଝିପାରିଥାଏ ଯେ ତଦ୍ୱାରା ସେ ଚାକିରୀ ହରାଇ ପାରନ୍ତି; ତେଣୁ ସେ ନିଜର କ୍ରୋଧ ମ୍ୟନେଜରଙ୍କ ପ୍ରତି ପ୍ରକାଶ କରନ୍ତି । ମ୍ୟାନେଜର ନିର୍ଦ୍ଦେଶକଙ୍କ ପ୍ରତି ଆକ୍ରୋଶ ଅନୁଭବ କଲେ ମଧ୍ୟ ଚୁପ୍ ରହନ୍ତି ଏବଂ ସେହି କ୍ରୋଧକୁ ଫୋରମ୍ୟାନଙ୍କ ଉପରେ ଅଜାଡ଼ି ଦିଅନ୍ତି । ଫୋରମ୍ୟାନ ଶ୍ରମିକଙ୍କୁ ଗାଳି ଦିଅନ୍ତି ଏବଂ ଶ୍ରମିକ ତା’ର କ୍ରୋଧ ନିଜ ସ୍ତ୍ରୀ ପ୍ରତି ବ୍ୟକ୍ତ କରିଥାଏ । ସ୍ତ୍ରୀ ସନ୍ତାନମାନଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ନିର୍ଣ୍ଣୟ ଗ୍ରହଣ କରିଥାଏ କେଉଁଠାରେ କ୍ରୋଧ ପ୍ରକାଶ କରିବା ବିପଦଜନକ ଏବଂ କେଉଁଠାରେ ଏହାର କିଛି ଦୁଷ୍ପରିଣାମ ନ ଥାଏ । ଏହି ଉଦାହରଣ ସୂଚିତ କରେ ଯେ ମନୁଷ୍ୟ ଭାବରେ ଆମ ସମସ୍ତଙ୍କ ବୁଦ୍ଧିରେ ମନକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ରହିଛି ।
ଅତଏବ, ବୁଦ୍ଧିକୁ ସଠିକ୍ ଜ୍ଞାନରେ ସମୃଦ୍ଧ କରି ମନର ଉଚିତ୍ ମାର୍ଗଦର୍ଶନ କରିବା ଦିଗରେ ତାହାର ବ୍ୟବହାର କରାଯିବା ଆବଶ୍ୟକ । ଏହାକୁ ହିଁ ଶ୍ରୀକୃଷ୍ଣ ବୁଦ୍ଧିଯୋଗ ଭାବରେ ଅଭିହିତ କରୁଛନ୍ତି- ବୁଦ୍ଧିରେ ଦୃଢ଼ ନିଶ୍ଚୟ କରିବା ଯେ ସମସ୍ତ କର୍ମ ଓ ବସ୍ତୁ ଭଗବାନଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ । ଏହିପରି ସଂକଳ୍ପବଦ୍ଧ ବୁଦ୍ଧି ମନୁଷ୍ୟର ଚିତ୍ତକୁ ସହଜରେ ଭଗବାନଙ୍କ ଠାରେ ଆସକ୍ତ କରିଦିଏ ।