Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 66

ସର୍ବଧର୍ମାନ୍‌ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।।୬୬।।

ସର୍ବଧର୍ମାନ୍‌-ସମସ୍ତ ପ୍ରକାରର ଧର୍ମ; ପରିତ୍ୟଜ୍ୟ-ପରିତ୍ୟାଗ କରି; ମାଂ-ମୋତେ; ଏକଂ-କେବଳ; ଶରଣଂ-ଶରଣ; ବ୍ରଜ-ନିଅ; ଅହଂ-ମୁଁ; ତ୍ୱାଂ-ତୁମକୁ; ସର୍ବ-ସମସ୍ତ; ପାପେଭ୍ୟଃ-ପାପକର୍ମର ପ୍ରତିକ୍ରିୟାରୁ; ମୋକ୍ଷୟିଷ୍ୟାମି-ମୁକ୍ତ କରିବି; ମା ଶୁଚଃ-ଭୟ କରନାହିଁ ।

Translation

BG 18.66: ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।

Commentary

ଏ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏକ ସଙ୍ଗେ ଦୁଇଟି କାର୍ଯ୍ୟ କରିବାକୁ କହି ଆସୁଥିଲେ - ମନରେ ଭକ୍ତି କର ଏବଂ ଶରୀରଦ୍ୱାରା ଜଣେ ଯୋଦ୍ଧା ଭାବରେ ନିଜର ସାଂସାରିକ କର୍ତ୍ତବ୍ୟ ପାଳନ କର । ତେଣୁ ଅର୍ଜୁନ ତାଙ୍କର କ୍ଷତ୍ରିୟ ଧର୍ମ ତ୍ୟାଗ କରନ୍ତୁ ଏହା ସେ ଚାହୁଁ ନ ଥିଲେ, କିନ୍ତୁ ତା’ ସହିତ ଭକ୍ତି କରିବାକୁ କହୁଥିଲେ । ଏହା କର୍ମଯୋଗର ନିୟମ ଅଟେ । ଶ୍ରୀକୃଷ୍ଣ ତାଙ୍କର ଏହି ନିୟମ ପରିବର୍ତ୍ତନ କରି ବର୍ତ୍ତମାନ କହୁଛନ୍ତି, ତୁମର ସାଂସାରିକ ଧର୍ମ ପାଳନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଅର୍ଜୁନ କେବଳ ଭଗବାନଙ୍କର ଶରଣାଗତ ହୋଇ, ତାଙ୍କର ସମସ୍ତ ଭୌତିକ ଧର୍ମ ପରିତ୍ୟାଗ କରିପାରିବେ । ଏହା କର୍ମ ସନ୍ୟାସର ନିୟମ ଅଟେ । ଏଠାରେ ଜଣେ ପ୍ରଶ୍ନ କରିପାରନ୍ତି, ଆମେ ଯଦି ଆମର ସମସ୍ତ ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରିବା, ଆମେ ପାପ ଅର୍ଜନ କରିବା ନାହିଁ କି ? ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭୟ ନ କରିବାକୁ କହୁଛନ୍ତି; ସେ ଆଶ୍ୱାସନା ଦେଉଛନ୍ତି ଯେ ସେ ତାଙ୍କୁ ସମସ୍ତ ପାପରୁ ଏବଂ ଭୌତିକ ବନ୍ଧନରୁ ମୁକ୍ତ କରିଦେବେ ।

ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକୁ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ଧର୍ମ ଶବ୍ଦର ଅର୍ଥ ବୁଝିବାକୁ ପଡ଼ିବ । ଏହାର ଉତ୍ପତ୍ତି ମୂଳ ଶବ୍ଦ ଧୃ ରୁ ହୋଇଛି, ଯାହାର ଅର୍ଥ ଧାରଣ କରିବା ଯୋଗ୍ୟ ଅଥବା “ଦାୟୀତ୍ୱ, କର୍ତ୍ତବ୍ୟ, ବିଚାର ଏବଂ କର୍ମ ଯାହା ଆମ ପାଇଁ ଉପଯୁକ୍ତ” । ପ୍ରକୃତରେ ଦୁଇ ପ୍ରକାର ଧର୍ମ ଅଛି- ଭୌତିକ ଧର୍ମ ଏବଂ ଆଧ୍ୟାତ୍ମିକ ଧର୍ମ । ଏହି ଦୁଇ ପ୍ରକାରର ଧର୍ମ, “ନିଜ”ସମ୍ବନ୍ଧରେ ଦୁଇ ପ୍ରକାରର ଧାରଣା ଉପରେ ପର୍ଯ୍ୟବେଶିତ । ଯେତେବେଳେ ଆମେ ନିଜକୁ ଶରୀର ମନେ କରୁ, ସେତେବେଳେ ଶାରୀରିକ ପଦବୀ, ଦାୟୀତ୍ୱ, କର୍ତ୍ତବ୍ୟ ଏବଂ ନୀତିନିୟମ ଅନୁସାରେ ଆମର ଧର୍ମ ନିର୍ଦ୍ଧାରିତ ହୋଇଥାଏ । ତେଣୁ ଶାରୀରିକ ମାତାପିତାଙ୍କର ସେବା କରିବା, ସମାଜ ଓ ଦେଶ ପ୍ରତି ଦାୟୀତ୍ୱ ପୂରଣ କରିବା ଇତ୍ୟାଦି ଆମର ଶରୀରିକ ଧର୍ମ ଅଟେ । ଏହାକୁ ଅପର ଧର୍ମ ବା ଭୌତିକ ଧର୍ମ ମଧ୍ୟ କୁହାଯାଏ । ବର୍ଣ୍ଣାଶ୍ରମ ଧର୍ମ ଅନ୍ତର୍ଗତ ଜଣେ ବ୍ରାହ୍ମଣ ବା କ୍ଷତ୍ରିୟର ଧର୍ମ ଏହାର ଅନ୍ତର୍ଭୁକ୍ତ ଅଟେ । କିନ୍ତୁ ଯେତେବେଳେ ଆମେ ନିଜକୁ ଆତ୍ମା ରୂପରେ ଉପଲବ୍‌ଧି କରିଥାଉ, ଆମର ବର୍ଣ୍ଣ (ସାମାଜିକ ଶ୍ରେଣୀ) ଏବଂ ଆଶ୍ରମ (ଜୀବନର ସ୍ଥିତି) ଅନୁଯାୟୀ କୌଣସି ପଦବୀ ରହି ନ ଥାଏ । ଆତ୍ମାର ବାପା, ମା, ସଖା, ପ୍ରିୟତମ ଏବଂ ଆଶ୍ରୟସ୍ଥଳ ସବୁକିଛି ଭଗବାନ ଅଟନ୍ତି । ତେଣୁ ପ୍ରେମ ଓ ଭକ୍ତିଯୁକ୍ତ ସେବା ହିଁ ଆମର ଧର୍ମ ହୋଇଥାଏ । ଏହାକୁ ପରଧର୍ମ ବା ଆଧ୍ୟାତ୍ମିକ ଧର୍ମ ମଧ୍ୟ କୁହାଯାଏ ।

ଯଦି ଜଣେ ଭୌତିକ ଧର୍ମ ପରିତ୍ୟାଗ କରେ, ଏହାକୁ କର୍ତ୍ତବ୍ୟ ବର୍ଜନ ଜନିତ ପାପ ଭାବରେ ଧରାଯାଏ । କିନ୍ତୁ ଯଦି ଜଣେ ଭୌତିକ ଧର୍ମ ପରିତ୍ୟାଗ କରି ଆଧ୍ୟାତ୍ମିକ ଧର୍ମର ଆଶ୍ରିତ ହୁଏ, ଏହା ପାପ ହୋଇ ନ ଥାଏ । ଶ୍ରୀମଦ୍ ଭାଗବତମ୍ କହେ:

ଦେବର୍ଷି-ଭୂତାତ୍ମା-ନୃଣାଂ ପିତୃଣାଂ ନ କିଙ୍କରୋ ନାୟମ୍ ଋଣୀ ଚ ରାଜନ୍‌
ସର୍ବାତ୍ମନା ଯଃ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତମ୍ (୧୧.୫.୪୧)

ଏହି ଶ୍ଳୋକ ବର୍ଣ୍ଣନା କରୁଛି ଯେ ଯେଉଁମାନେ ଭଗବାନଙ୍କର ଶରଣାଗତ ହୁଅନ୍ତି ନାହିଁ, ତାଙ୍କ ଉପରେ ପାଞ୍ଚୋଟି ଋଣ ରହିଥାଏ- ସ୍ୱର୍ଗର ଦେବଋଣ, ଋଷିଋଣ, ପିତୃଋଣ, ନୃଋଣ ଏବଂ ଭୂତଋଣ । ବର୍ଣ୍ଣାଶ୍ରମ ନିୟମରେ ଏହିସବୁ ଋଣରୁ ମୁକ୍ତ ହେବାପାଇଁ ଅନେକ ବିଧିବିଧାନ ଅନ୍ତର୍ଭୁକ୍ତ ହୋଇଛି । କିନ୍ତୁ ଆମେ ଯେତେବେଳେ ଭଗବାନଙ୍କର ଶରଣାଗତ ହେଉ, ଏହିସବୁ ଋଣରୁ ଆପେ ଆପେ ମୁକ୍ତ ହୋଇଯାଉ । ଯେପରି ବୃକ୍ଷର ମୂଳରେ ଜଳ ସିଞ୍ଚନ କଲେ, ବୃକ୍ଷର ସମସ୍ତ ଶାଖା, ପ୍ରଶାଖା, ପତ୍ର, ପୁଷ୍ପ ଏବଂ ଫଳ ଆପଣାଛାଏଁ ଜଳ ପାଇଥାନ୍ତି, ସେହିପରି ଯଦି ଭଗବାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପୂରଣ କରିବା ତାହେଲେ ଅନ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ସ୍ୱାଭାବିକ ଭାବରେ ପୂରଣ ହୋଇଯିବ । ତେଣୁ, ଆମେ ଯଦି ଆଧ୍ୟାତ୍ମିକ ଧର୍ମରେ ଯଥାର୍ଥ ଭାବରେ ସ୍ଥିତ ହୋଇଯିବା, ତେବେ ଭୌତିକ ଧର୍ମ ତ୍ୟାଗ କରିବାରେ କୌଣସି ପାପ ହେବନାହିଁ । ବାସ୍ତବରେ ଅନ୍ତିମ ଲକ୍ଷ୍ୟ ହେଉଛି, ହୃଦୟର ସହିତ ପୂର୍ଣ୍ଣତଃ ଆଧ୍ୟାତ୍ମିକ ଧର୍ମରେ ନିଯୁକ୍ତ ରହିବା । ଶ୍ରୀମଦ୍ ଭାଗବତମ୍ କହେ:

ଆଜ୍ଞାୟୈବଂ ଗୁଣାନ୍ ଦୋଷାନ୍ ମୟଦିଷ୍ଟାନ୍ ଅପି ସ୍ୱକାନ୍‌
ଧର୍ମାନ୍ ସନ୍ତ୍ୟଜ୍ୟ ଯଃ ସର୍ବାନ୍ ମାଂ ଭଜେତ ସ ତୁ ସତ୍ତମଃ (୧୧.୧୧.୩୨)

“ବେଦରେ ମୁଁ ଶାରୀରିକ ଧର୍ମ ପାଳନ କରିବା ପାଇଁ ଅସଂଖ୍ୟ ପ୍ରକାରର ନିର୍ଦ୍ଦେଶ ଦେଇଛି । କିନ୍ତୁ ଯେଉଁମାନେ ଏଥିରେ ତ୍ରୁଟି ଲକ୍ଷ୍ୟ କରିଥାନ୍ତି ଏବଂ ସମସ୍ତ ବିହିତ କର୍ମ ତ୍ୟାଗ କରି କେବଳ ମୋର ଭକ୍ତିପୁତ ସେବା କରିଥାନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ସାଧକ ଭାବେ ବିବେଚନା କରେ । ରାମାୟଣରେ ଆମେ ପଢିଥାଏ, କିପରି ଲକ୍ଷ୍ମଣ ତାଙ୍କର ଭୌତିକ କର୍ତ୍ତବ୍ୟ ତ୍ୟାଗ କରି, ପ୍ରଭୁ ରାମଙ୍କ ସହିତ ବନକୁ ଅନୁଗମନ କରିଥିଲେ । ସେ କହିଥିଲେ:

ଗୁରୁ ପିତୁ ମାତୁ ନ ଜାନହୁ କାହୂ, କହହୁ ସୁଭାଊ ନାଥ ପତିୟାଊ
ମୋରେ ସବହିଁ ଏକ ତୁମ ସ୍ୱାମୀ, ଦିନବନ୍ଧୁ ଉର ଅନ୍ତରଯାମୀ

“ହେ ପ୍ରଭୁ ! ମୋତେ ବିଶ୍ୱାସ କରନ୍ତୁ, ମୁଁ କୌଣସି ଗୁରୁ, ପିତା, ମାତା ଆଦିଙ୍କୁ ଜାଣେନାହିଁ । ମୋ ବିଚାରରେ ଆପଣଙ୍କ ପରି ଦୀନବନ୍ଧୁ ଏବଂ ଅନ୍ତର୍ଯ୍ୟାମୀ ହିଁ ମୋର ପ୍ରଭୁ ଏବଂ ସର୍ବସ୍ୱ ଅଟନ୍ତି ।” ସେହିପରି ପ୍ରହ୍ଲାଦ କହିଥିଲେ:

ମାତା ନାସ୍ତି ପିତା ନଽସ୍ତି ନଽସ୍ତି ମେ ସ୍ୱଜନୋ ଜନଃ

“ମୁଁ କୌଣସି ମାତା, ପିତା କିମ୍ବା ପରିଜନଙ୍କୁ ଜାଣେନାହିଁ (ଭଗବାନ ମୋର ସବୁକିଛି ଅଟନ୍ତି) ।”

ଶ୍ରୀକୃଷ୍ଣ ଭାଗବତ୍ ଗୀତାରେ, ଅର୍ଜୁନଙ୍କୁ ଧାରାବାହିକ ଭାବରେ ଉଚ୍ଚତର ନିର୍ଦ୍ଦେଶ ସବୁ ପ୍ରଦାନ କରୁଛନ୍ତି । ପ୍ରଥମେ ସେ ଅର୍ଜୁନଙ୍କୁ କର୍ମ କରିବାକୁ କହିଲେ, ଯାହାକି ଜଣେ ଯୋଦ୍ଧା ଭାବରେ ତାଙ୍କର ଭୌତିକ ଧର୍ମ ଥିଲା (ଶ୍ଳୋକ ୨.୩୧) । କିନ୍ତୁ ଭୌତିକ ଧର୍ମ , ଭଗବତ୍ ପ୍ରାପ୍ତି କରାଏ ନାହିଁ । ଏହା ସ୍ୱର୍ଗଲୋକକୁ ନେଇଯାଏ ଏବଂ ଧାର୍ମିକ କର୍ମ ସବୁ କ୍ଷୟ ହୋଇଯିବା ପରେ, ବ୍ୟକ୍ତି ପୁନର୍ବାର ମୃତ୍ୟୁଲୋକକୁ ପ୍ରତ୍ୟାବର୍ତ୍ତନ କରିଥାଏ । ତେଣୁ ଶ୍ରୀକୃଷ୍ଣଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ଥିଲା କର୍ମଯୋଗ, ଯାହାକି ଶରୀର ଦ୍ୱାରା ଭୌତିକ ଧର୍ମ ଏବଂ ମନ ଦ୍ୱାରା ଆଧ୍ୟାତ୍ମିକ ଧର୍ମ ପାଳନ କରିବା ଅଟେ । ସେ ଅର୍ଜୁନଙ୍କୁ ଶରୀର ଦ୍ୱାରା ଯୁଦ୍ଧ କରିବାକୁ ଏବଂ ମନରେ ଭଗବାନଙ୍କୁ ସ୍ମରଣ କରିବାକୁ କହିଛନ୍ତି (ଶ୍ଳୋକ ୮.୭) । ଭଗବଦ୍ ଗୀତାର ଅଧିକାଂଶ ଭାଗ ଏହି କର୍ମଯୋଗର ବର୍ଣ୍ଣନାରେ ପରିପୂର୍ଣ୍ଣ । ବର୍ତ୍ତମାନ ସର୍ବଶେଷରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସନ୍ୟାସ ପାଳନ କରିବାକୁ ଉପଦେଶ ଦେଇଛନ୍ତି; ସେ ସମସ୍ତ ଭୌତିକ ଧର୍ମ ତ୍ୟାଗ କରି, କେବଳ ଆଧ୍ୟାତ୍ମିକ ଧର୍ମର ଅବଲମ୍ବନ ଗ୍ରହଣ କରିବାକୁ କହୁଛନ୍ତି, ଯାହା ଭଗବାନଙ୍କର ଭକ୍ତି ଅଟେ । ତେଣୁ ଜଣେ ଯୋଦ୍ଧାର କର୍ତ୍ତବ୍ୟ ରୂପରେ ନୁହେଁ, ଏପରି କର୍ମ କରିବାକୁ ଭଗବାନ ଇଚ୍ଛା କରୁଥିବାରୁ, ସେ ଯୁଦ୍ଧ କରିବା ଉଚିତ ।

କିନ୍ତୁ ଶ୍ରୀକୃଷ୍ଣ ଏହି ଉପଦେଶ ଅର୍ଜୁନଙ୍କୁ ଆଗରୁ କାହିଁକି ଦେଲେ ନାହିଁ ? ଶ୍ଳୋକ ୫.୨ରେ , କାହିଁକି ସେ ସ୍ପଷ୍ଟ ରୂପରେ ଏହାର ବିପରୀତ ବ୍ୟାଖ୍ୟା ପ୍ରଦାନ କଲାପରି ପ୍ରତୀତ ହେଉଛି, ଯେତେବେଳେ ସେ କହିଥିଲେ, କର୍ମଯୋଗ କର୍ମସନ୍ୟାସ ଠାରୁ ଶ୍ରେଷ୍ଠ ଅଟେ ? ଶ୍ରୀକୃଷ୍ଣ ଏହାକୁ ପ୍ରାଞ୍ଜଳ ଭାବରେ ପରବର୍ତ୍ତୀ ଶ୍ଳୋକରେ ବୁଝାଇଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!