Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 38

ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ ।
ତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍‌ସ୍ୟସି ।।୩୮।।

ସୁଖ-ସୁଖ; ଦୁଃଖେ-ଦୁଃଖରେ; ସମେ କୃତ୍ୱା- ସମଭାବ ରହି; ଲାଭାଲାଭୌ- ଲାଭ ଓ କ୍ଷତିରେ ଉଭୟ; ଜୟାଜୟୌ- ଜୟ ଓ ପରାଜୟରେ; ତତଃ-ତତ୍ପରେ; ଯୁଦ୍ଧାୟ-ଯୁଦ୍ଧରେ; ଯୁଜ୍ୟସ୍ୱ-ନିୟୋଜିତ ରହ; ନ-କେବେ ନୁହେଁ; ଏବଂ-ଏହିପରି ଭାବରେ; ପାପଂ-ପାପକୁ; ଅବାପ୍‌ସ୍ୟସି-ପ୍ରାପ୍ତ ହେବ ।

Translation

BG 2.38: ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ରୂପେ ବିଚାର କରି କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କର । ଏହିପରି କର୍ତ୍ତବ୍ୟ ପାଳନ କରି ତୁମେ କେବେ ବି ପାପ ଅର୍ଜନ କରିବ ନାହିଁ ।

Commentary

ଅର୍ଜୁନଙ୍କୁ ଲୌକିକ ସ୍ତରରେ ଉତ୍ସାହିତ କରିସାରିବା ପରେ ବର୍ତ୍ତମାନ ଶ୍ରୀକୃଷ୍ଣ କର୍ମ ବିଜ୍ଞାନର ଗଭୀରତା ମଧ୍ୟକୁ ପ୍ରବେଶ କରୁଛନ୍ତି । ଅର୍ଜୁନ ଭୟ ପ୍ରକାଶ କରିଥିଲେ ଯେ ତାଙ୍କର ଶତ୍ରୁମାନଙ୍କୁ ମାରିବା ଦ୍ୱାରା ସେ ପାପ ଅର୍ଜନ କରିବେ । ଶ୍ରୀକୃଷ୍ଣ ଏହି ଆଶଙ୍କା ବିଷୟରେ ଆଲୋକପାତ କରୁଛନ୍ତି । ସେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ କର୍ମ ସହିତ ତା’ର ଫଳାଫଳକୁ ଯୋଗ ନ କରି ତାଙ୍କର କର୍ତ୍ତବ୍ୟ କରନ୍ତୁ । କର୍ମ ପ୍ରତି ତାଙ୍କର ଏହିପରି ଦୃଷ୍ଟିକୋଣ ତାଙ୍କୁ ଯେ କୌଣସି ପାପ ପ୍ରତିକ୍ରିୟାରୁ ମୁକ୍ତ ରଖିବ ।

ନିଜର ସ୍ୱାର୍ଥରେ ପ୍ରେରିତ ହୋଇ ଆମେ ଯାହାକିଛି କରେ, ତଦ୍ୱାରା ଆମେ କର୍ମ ସୃଷ୍ଟି କରିଥାଏ ଯାହା ପରିଶେଷରେ କର୍ମଫଳ ପ୍ରଦାନ କରେ । ମାଠର ଶୃତି ଅନୁଯାୟୀ:

            ପୁଣ୍ୟେନ ପୁଣ୍ୟ ଲୋକଂ ନୟତି ପାପେନ ପାପମୁଭାଭ୍ୟାମେବ ମନୁଷ୍ୟଲୋକମ୍ ।।

“ତୁମେ ଯଦି ଉତ୍ତମ କର୍ମ କରିବ, ସ୍ୱର୍ଗ ଲୋକକୁ ଗମନ କରିବ । ତୁମେ ଯଦି ମନ୍ଦ କର୍ମ କରିବ, ନର୍କ ପ୍ରାପ୍ତ କରିବ । ତୁମେ ଯଦି ଉଭୟ ପ୍ରକାର ମିଶ୍ରିତ କର୍ମ କରିବ, ପୃଥିବୀ ଲୋକରେ ରହିବ । ଯାହା କଲେ ବି ଆମେ ଆମ କର୍ମର ଫଳରେ ବାନ୍ଧି ହୋଇଯାଉ । ତେଣୁ ସଂସାରିକ କ୍ଷେତ୍ରରେ ଭଲ କର୍ମ ମଧ୍ୟ ବନ୍ଧନ କାରକ ଅଟେ । ସେହି କର୍ମଗୁଡ଼ିକ ଭୌତିକ ଲାଭ ପ୍ରଦାନ କରନ୍ତି, ଯାହା ଆମର ସଞ୍ôଚତ କର୍ମରେ ଯୋଗ ହୁଏ ଏବଂ ସଂସାରରେ ସୁଖ ଅଛି, ଏହି ଭ୍ରମକୁ ଦୃଢ଼ୀଭୂତ କରାଏ ।

କିନ୍ତୁ ଆମେ ଯଦି ଆମର ସ୍ୱାର୍ଥପର ମନୋଭବ ତ୍ୟାଗ କରୁ, ତେବେ ଆମର କର୍ମ ସବୁ କର୍ମଫଳ ସୃଷ୍ଟି କରିବ ନାହିଁ । ଉଦାହରଣ ସ୍ୱରୂପ ହତ୍ୟା କରିବା ପାପ ଅଟେ ଏବଂ ପ୍ରତ୍ୟେକ ଦେଶର ଆଇନ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । କିନ୍ତୁ ଜଣେ ପୋଲିସ କର୍ମଚାରୀ ତାଙ୍କର କର୍ତ୍ତବ୍ୟ କରୁଥିବା ସମୟରେ ଯଦି ଏକ ଡକାୟତ ଦଳର ମୁଖ୍ୟକୁ ହତ୍ୟା କରନ୍ତି, ସେଥିପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ । ଯଦି ଜଣେ ସୈନିକ ଯୁଦ୍ଧରେ ଶତ୍ରୁପକ୍ଷର ଜଣେ ସୈନିକକୁ ହତ୍ୟା କରନ୍ତି, ତା’ ପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ, ବରଂ ସେ ହୁଏତ ତାଙ୍କର ସାହସିକତା ପାଇଁ ପଦକ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ଦଣ୍ଡିତ ନ ହେବାର ମୁଖ୍ୟ କାରଣ ଏହ ଯେ ଏହି ସବୁ କର୍ମର ପୃଷ୍ଠଦେଶରେ କୌଣସି ମନ୍ଦ ଉଦ୍ଦେଶ୍ୟ ବା ନିଜସ୍ୱ ସ୍ୱାର୍ଥ ନ ଥାଏ । ଭଗବାନଙ୍କ ନିୟମ ମଧ୍ୟ ସେହିପରି ଅଟେ । ଯଦି ଜଣେ ନିଜର ସମସ୍ତ ସ୍ୱାର୍ଥପର ଉଦ୍ଦେଶ୍ୟ ତ୍ୟାଗ କରି କେବଳ ପରମାତ୍ମାଙ୍କ ଉଦ୍ଦେଶ୍ୟରେ କର୍ତ୍ତବ୍ୟ କରନ୍ତି, ତା’ହେଲେ ସେପରି କର୍ମ କୌଣସି କର୍ମଫଳ ସୃଷ୍ଟି କରେ ନାହିଁ ।

ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସମସ୍ତ ଫଳାଫଳ ଠାରୁ ନିରାସକ୍ତ ହୋଇ ସାଧାରଣ ଭାବେ ନିଜର କର୍ତ୍ତବ୍ୟ ପାଳନ କର । ସେ ଯେତେବେଳେ ଜୟ ଓ ପରାଜୟ, ସୁଖ ଓ ଦୁଃଖ ପ୍ରତି ସମଭାବାପନ୍ନ ରହି ଯୁଦ୍ଧ କରିବେ, ତାଙ୍କ ଶତ୍ରୁମାନଙ୍କୁ ହତ୍ୟା କରିବା ସତ୍ତ୍ୱେ କୌଣସି ପାପ ଅର୍ଜନ କରିବେ ନାହିଁ । ଏହି ବିଷୟର ଭଗବଦ୍ ଗୀତାରେ ପୁଣି  ଥରେ ଶ୍ଳୋକ ୫-୧୦ରେ ପୁନରାବୃତ୍ତି ହୋଇଛି । “ଯେମିତି ପଦ୍ମ ପତ୍ରକୁ ଜଳ ସ୍ପର୍ଶ କରେନାହିଁ, ସେହିପରି ଯେଉଁମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରନ୍ତି ଏବଂ କୌଣସି ଆସକ୍ତି ରଖନ୍ତି ନାହିଁ, ତାଙ୍କୁ ପାପ ସ୍ପର୍ଶ କରେ ନାହିଁ ।”

ନିଷ୍କାମ କର୍ମ ବିଷୟରେ ଏହି ଦୃଢ଼ ନିର୍ଣ୍ଣୟାତ୍ମକ ଘୋଷଣା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସୁଦ୍ଧା ବିଷୟକୁ ସିଦ୍ଧ କରିବା ପାଇଁ କର୍ମ ବିଜ୍ଞାନର ବିସ୍ତୁତ ବର୍ଣ୍ଣନ କରିବାକୁ ଯାଉଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!