Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 66

ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।।୬୬।।

ନ ଅସ୍ତି- ନାହିଁ; ବୁଦ୍ଧିଃ-ଦିବ୍ୟ ବୁଦ୍ଧି; ଅଯୁକ୍ତସ୍ୟ- ଯୁକ୍ତ ନୁହେଁ; ନ- ନାହିଁ; ଚ- ଏବଂ; ଅଯୁକ୍ତସ୍ୟ- ଯିଏ ଯୁକ୍ତ ନୁହେଁ; ଭାବନା-ସୁଭାବନା ; ନ-ନାହିଁ; ଚ-ଏବଂ; ଅଭାବୟତଃ- ଯିଏ ସ୍ଥିର ନୁହେଁ; ଶାନ୍ତିଃ-ଶାନ୍ତି; ଅଶାନ୍ତସ୍ୟ-ଅଶାନ୍ତର; କୁତଃ- କାହିଁ; ସୁଖମ୍‌-ସୁଖ ।

Translation

BG 2.66: କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?

Commentary

ଏହି ଶ୍ଳୋକରେ ବିପରୀତ କଥା କହି ଏବଂ ତାହାର ଖଣ୍ଡନ କରି ପୂର୍ବବର୍ତ୍ତୀ ଶ୍ଳୋକର ମର୍ମର ଦୃଢ଼ୀକରଣ କରାଯାଇଛି । ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ, “ଭଗବାନଙ୍କୁ ଜାଣ ଶାନ୍ତିକୁ ଜାଣ ।” ଏହି ଶ୍ଳୋକରେ ସେ କହୁଛନ୍ତି “ଭଗବାନ ନାହାଁନ୍ତି ତ ଶାନ୍ତି ନାହିଁ ।”

ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ଜାଣିନାହିଁ, ସେ କେବେବି ଭଗବାନଙ୍କର ଧ୍ୟାନ କରିପାରିବ ନାହିଁ କିମ୍ବା ଦିବ୍ୟ ଶାନ୍ତି ଅନୁଭବ କରିପାରିବ ନାହିଁ । ଉଚ୍ଚତର ସ୍ୱାଦ ନ ମିଳିଲେ ନିମ୍ନତର  ସ୍ୱାଦ ତ୍ୟାଗ କରିବା ଅସମ୍ଭବ ଅଟେ । ଭ୍ରମର ଫୁଲରସର ମୋହକୁ ତ୍ୟାଗ କରି ନ ପାରିବା ପରି, ଏପରି ବ୍ୟକ୍ତି ସର୍ବଦା ସାଂସାରିକ ସୁଖ ପ୍ରତି ଲାଳାୟିତ ରହନ୍ତି :

ରାତ୍ରିର୍ଗମିଷ୍ୟତି ଭବିଷ୍ୟତି ସୁପ୍ରଭାତଂ
ଭାସ୍ୱାନୁଦ୍ୱେଷ୍ୟତି ହସିଷ୍ୟତି ପଙ୍କଜଶ୍ରୀଃ
ଏବଂ ବିଚିନ୍ତୟତି କୋଷ ଗତେ ଦ୍ୱିରେପେଂ
ହା ହନ୍ତ ହନ୍ତ ନଳିନୀଂ ଗଜ ଉଜ୍ଜହାର । (ସୁକ୍ତି ସୁଧାକର)

ସଂସ୍କୃତ ସାହିତ୍ୟର ଏହି ଲୋକପ୍ରିୟ କବିତାଟି ଗୋଟିଏ ଭ୍ରମରର କାହାଣୀ ବର୍ଣ୍ଣନା କରେ । ଭ୍ରମରଟିଏ ପଦ୍ମଫୁଲ ଉପରେ ବସି ମଧୁପାନ କରୁଥିଲା । ଯେମିତି ସୂର୍ଯ୍ୟାସ୍ତ ହେବାକୁ ଆରମ୍ଭ କଲା ଫୁଲର ପାଖୁଡ଼ାଗୁଡ଼ିକ ବନ୍ଦ ହେବାକୁ ଲାଗିଲା । କିନ୍ତୁ ଭ୍ରମରଟି ତା’ର ଇନ୍ଦ୍ରିୟ ସୁଖରେ ଏତେ ବିଭୋର ଥିଲା ଯେ ସେ ଉଡ଼ିଯିବାକୁ ଇଚ୍ଛା କଲାନାହିଁ । “ଫୁଲଟି ପୂରା ବନ୍ଦ ହେବାକୁ ଆହୁରି ସମୟ ଅଛି । ମୁଁ ଯେତେ ପାରେ ରସ ଆସ୍ୱାଦନ କରିନିଏ ।” ସେହିପରି, ବୃଦ୍ଧାବସ୍ଥାକୁ ମୃତ୍ୟୁର ଏକ ନିଶ୍ଚିତ ସଂକେତ ରୂପେ ଆମେ ଦେଖିପାରେ, କିନ୍ତୁ ଭ୍ରମରଟି ପରି ଆମେ ମଧ୍ୟ ସାଂସାରିକ ସୁଖରେ ମଜ୍ଜି ରହିଥାଏ ।

ଏହି ସମୟରେ ଅନ୍ଧାର ହୋଇଗଲା ଏବଂ ପଦ୍ମଫୁଲଟିର ପାଖୁଡା ବନ୍ଦ ହେବା ସହିତ ଭ୍ରମରଟି ତା’ ଭିତରେ ବନ୍ଦୀ ହୋଇଗଲା । ଭ୍ରମର ଭାବିଲା, “ଚିନ୍ତାର କୌଣସି କାରଣ ନାହିଁ । ଆଜି ରାତିଟି ମୋର ପ୍ରିୟ ଫୁଲ ଭିତରେ ରହିଯିବି । ଆସନ୍ତାକାଲି ସକାଳେ ପାଖୁଡ଼ା ଗୁଡ଼ିକ ଖୋଲିଗଲେ, ମୁଁ ଉଡ଼ିଯିବି ।” କାଷ୍ଠ ଭେଦୋ ନିପୁଣୋପି ସଂଗୃହୀ କୁଣ୍ଠିତୋ ଭବତି ପଦ୍ମ ବିଭେଦେ - ଭ୍ରମରର କାଠ କାଟିବାର ଶକ୍ତି ଅଛି  କିନ୍ତୁ ବିଷୟାସକ୍ତିର ପରିଣାମକୁ ଲକ୍ଷ୍ୟ କରନ୍ତୁ, ଯେଉଁ ଭ୍ରମରଠାରେ କାଠକୁ ଭେଦ କରିବାର ଶକ୍ତି ଅଛି, ସେ ପଦ୍ମଫୁଲର କୋମଳ ପାଖୁଡ଼ାକୁ ଭେଦ କରି ନ ପାରି ତାହା ମଧ୍ୟରେ ଆବଦ୍ଧ ରହିଛି । ଏହି ସମୟରେ ହାତୀଟିଏ ଆସି, ତା’ର ଶୁଣ୍ଢରେ ନାଡ ସହିତ ପଦ୍ମଫୁଲଟିକୁ ଛିଣ୍ଡାଇ ଉଦରସ୍ଥ କରିଦେଲା । ପଦ୍ମଫୁଲ ସହିତ ଭ୍ରମରଟି ମଧ୍ୟ ହାତୀର ଉଦରକୁ ଚାଲିଗଲା । ଏବେ ବି ସେ ଭାବୁଛି “ମୋ ପ୍ରିୟ ଫୁଲଟି ଯେଉଁଆଡ଼େ ଯାଉଛି, ମୁଁ ତା ସହିତ ଖୁସିରେ ଯାଉଛି” ।  କିଛି ସମୟ ପରେ ସେ ମୃତ୍ୟୁ ବରଣ କଲା ।

ସେହିପରି, ଆମେ ମନୁଷ୍ୟମାନେ ମଧ୍ୟ ଇନ୍ଦ୍ରିୟ ମାନଙ୍କୁ ତୃପ୍ତ କରିବା ଦିଗରେ ସର୍ବଦା ପ୍ରଯତ୍ନଶୀଳ ରହି ଭଗବାନଙ୍କର ଭକ୍ତି କରିବାକୁ ମହାପୁରୁଷମାନଙ୍କ ଉପଦେଶକୁ ଅବଜ୍ଞା କରିଥାଉ ଏବଂ ଶେଷରେ ସମୟ ଆମକୁ ମୃତ୍ୟୁ ରୂପରେ ଗ୍ରାସ କରିଥାଏ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରନ୍ତି ନାହିଁ ଓ ଭକ୍ତି କରନ୍ତି ନାହିଁ, ସେମାନେ ମାୟାର ତ୍ରିଗୁଣାତ୍ମକ କଷ୍ଟରେ ପୀଡ଼ିତ ହୁଅନ୍ତି । ସାଂସାରିକ କାମନା କୁଣ୍ଡିଆ ପରି ଏକ ଚର୍ମରୋଗ ଅଟେ । ଆମେ ତାକୁ ଯେତେ କୁଣ୍ଡାଇବା, ତାହା ଆହୁରି ଅଧିକ ହୋଇଥାଏ । ଏପରି ମାୟିକ ଆସକ୍ତି ସହିତ ଆମେ ବାସ୍ତବରେ ସୁଖୀ ହେବା କିପରି?

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!