ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ।।
ଅହଂକାରବିମୂଢାତ୍ମା କର୍ତାହମିତି ମନ୍ୟତେ ।।୨୭।।
ପ୍ରକୃତେଃ - ଭୂତପ୍ରକୃତିର; କ୍ରିୟମାଣାନି - କରାଯାଇଥିବା; ଗୁଣୈଃ - ତ୍ରିଗୁଣ ଦ୍ୱାରା; କର୍ମାଣି - କର୍ମସବୁ; ସର୍ବଶଃ- ସମସ୍ତ ପ୍ରକାର; ଅହଙ୍କାର-ବିମୁଢ- ମିଥ୍ୟାହଙ୍କାର ଦ୍ୱାରା ବିଭ୍ରାନ୍ତ; ଆତ୍ମା - ଆତ୍ମା; କର୍ତ୍ତା - କର୍ତ୍ତା; ଅହମ୍ - ମୁଁ; ଇତି - ଏହି ପରି; ମନ୍ୟତେ - ଭାବେ ।
BG 3.27: ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।
ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ।।
ଅହଂକାରବିମୂଢାତ୍ମା କର୍ତାହମିତି ମନ୍ୟତେ ।।୨୭।।
ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ସୃଷ୍ଟିର ସବୁ ଘଟଣାବଳୀ ଆମ ନିର୍ଦ୍ଦେଶରେ ପରିଚାଳିତ ହୁଏ ନାହିଁ, ବରଂ ଏହା ପ୍ରକୃିତ ଦ୍ୱାରା ସଂଘଟିତ ହୋଇଥାଏ । ଆମ ନିଜର ଶାରୀରିକ କ୍ରିୟାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା - (୧) ସ୍ୱାଭାବିକ ଶାରୀରିକ କ୍ରିୟା,, ଯଥା ହଜମ ପ୍ରକ୍ରିୟା, ରକ୍ତ ସଂଚାଳନ, ହୃଦସ୍ପନ୍ଦନ ଇତ୍ୟାଦି, ଯାହା ଆମ ଇଚ୍ଛା ଅନୁସାରେ ନ ହୋଇ ସ୍ୱତଃ ପରିଚାଳିତ ହୋଇଥାଏ । (୨) ଅନ୍ୟ ଶାରୀରିକ କର୍ମ ଯେପରିକି କହିବା, ଶୁଣିବା, ଶୋଇବା, କାର୍ଯ୍ୟ କରିବା, ଇତ୍ୟାଦି ଯାହା ଆମେ ଭାବିଥାଉ ଆମେ ନିଜେ କରୁ ।
ଉଭୟ ପ୍ରକାର କର୍ମ ମନ-ଶରୀର-ଇନ୍ଦ୍ରିୟ ଯନ୍ତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ । ଏହି ଯନ୍ତ୍ରର ସମସ୍ତ ଅଂଶବିଶେଷ ପ୍ରକୃତି ବା ମାୟା ଶକ୍ତିର ଉପଜ ଅଟନ୍ତି, ଯାହାକି ସତ୍ୱ (ସଦ୍ଗୁଣ), ରଜ (କାମନା) ଓ ତମ (ଅଜ୍ଞାନତା) ରୂପକ ତିନି ଗୁଣ ଦା୍ୱରା ଗଠିତ । ତରଙ୍ଗ ଯେପରି ସମୁଦ୍ର ଠାରୁ ପୃଥକ ନୁହଁନ୍ତି, ବରଂ ତା’ର ଅଂଶ ଅଟନ୍ତି, ସେହିପରି ଶରୀର ପ୍ରକୃତି ଠାରୁ ଉତ୍ପନ୍ନ ହୋଇଥିବା ଦୃଷ୍ଟିରୁ, ପ୍ରକୃତିର ଅଂଶ ଅଟେ । ଅତଏବ, ମାୟିକ ଶକ୍ତି ସମସ୍ତ କ୍ରିୟାର କର୍ତ୍ତା ଅଟେ ।
ତାହାହେଲେ ଆତ୍ମା କାହିଁକି ନିଜକୁ କର୍ତ୍ତା ମନେ କରିଥାଏ? ଏହାର କାରଣ ହେଲା, ଅହଂକାରଯୁକ୍ତ ହୋଇ ଆତ୍ମା ଭ୍ରମବଶତଃ ନିଜକୁ ଶରୀର ମାନିନେଇ ଥାଏ । ସେଥିପାଇଁ ତା’ଠାରେ କର୍ତ୍ତାପଣର ଭ୍ରମ ଜାତ ହୋଇଥାଏ । ଦୁଇଟି ଟ୍ରେନ ପାଖାପାଖି ରେଲୱେ ପ୍ଲାଟ୍ଫର୍ମରେ ଛିଡା ହୋଇଛି ଏବଂ ଗୋଟିଏ ଟ୍ରେନର ଯାତ୍ରୀ ଅନ୍ୟ ଟ୍ରେନ୍ଟିକୁ ଚାହିଁ ରହିଛନ୍ତି । ଅନ୍ୟ ଟ୍ରେନଟି ଯେତେବେଳେ ଚାଲିବାକୁ ଆରମ୍ଭ କରେ ଯାତ୍ରୀ ଜଣକ ଭାବନ୍ତି ତାଙ୍କ ଟ୍ରେନ୍ ଚାଲିଲା । ସେହିପରି ସ୍ଥିର ଆତ୍ମା ଚଳାୟମାନ ପ୍ରକୃତି ସହିତ ତାଦାତ୍ମ୍ୟ କରି ନିଜକୁ କର୍ତ୍ତା ମନେ କରିଥାଏ । ଯେଉଁ ମୁହୁର୍ତ୍ତରେ ଆତ୍ମା ଅହଂକାର ତ୍ୟାଗ କରି ଭଗବାନଙ୍କର ଶରଣାଗତ ହୋଇଯାଏ, ସେ ନିଜକୁ ଅକର୍ତ୍ତା ଅନୁଭବ କରିଥାଏ ।
ଏଠାରେ କେହି କେହି ପ୍ରଶ୍ନ କରି ପାରନ୍ତି ଯେ ଯଦି ଆତ୍ମା ଅକର୍ତ୍ତା ଅଟେ, ତେବେ ସେ କାହିଁକି କର୍ମର ନିୟମ ଅନୁଯାୟୀ, ଶରୀର ଦ୍ୱାରା କରାଯାଉଥିବା କାର୍ଯ୍ୟ ପାଇଁ କର୍ମରେ ବାନ୍ଧି ହୁଏ ? କାରଣ ଆତ୍ମା ନିଜେ କୌଣସି କାର୍ଯ୍ୟ କରେ ନାହିଁ, କିନ୍ତୁ ସେ ଇନ୍ଦ୍ରିୟ-ମନ- ବୁଦ୍ଧିକୁ କର୍ମ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଉଦାହରଣ ସ୍ୱରୁପ, ରଥଚାଳକ ନିଜେ ରଥକୁ ଟାଣନ୍ତି ନାହିଁ,କିନ୍ତୁ ସେ ଘୋଡା ମାନଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି । ତେଣୁ ରଥ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ଘୋଡାମାନଙ୍କୁ ଦୋଷ ଦିଆଯାଏ ନାହିଁ, ତାଙ୍କୁ ବାଟ ଦେଖାଉଥିବା ଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି । ସେହିପରି ମନ ଓ ଶରୀର ଦ୍ୱାରା କରାଯାଉଥିବା କର୍ମ ପାଇଁ ଆତ୍ମା ଦାୟୀ ରହେ, କାରଣ ଇନ୍ଦ୍ରିୟ-ମନ-ବୁଦ୍ଧି ଆତ୍ମା ଠାରୁ ପ୍ରେରଣା ପ୍ରାପ୍ତ କରି କର୍ମ କରିଥାଆନ୍ତି ।