Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 38

ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ ।
ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ।। ୩୮।।

ଧୂମେନ - ଧୂଆଁ ଦ୍ୱାରା; ଆବ୍ରିୟତେ - ଆବୃତ; ବହ୍ନି- ଅଗ୍ନି; ଯଥା - ଯେପରି; ଉଲ୍ୱେନାବୃତ - ଜରାୟୁଦ୍ୱାରା ଆବୃତ୍ତ; ଗର୍ଭ - ଗର୍ଭସ୍ଥିତ ଶିଶୁ; ତଥା - ସେହିପରି; ତେନ - ତାହା (କାମନା) ଦ୍ୱାରା; ଇଦ୍‌ମ୍ - ଏହି; ଆବୃତମ୍ - ଆଚ୍ଛାଦିତ ।

Translation

BG 3.38: ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍‌କାୟୀତ ରହିଥାଏ, ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।

Commentary

ଠିକ୍‌-ଭୁଲ୍ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାର ଜ୍ଞାନଶକ୍ତିକୁ ବିଚାରଣ କୁହାଯାଏ । ଏହି ବିଚାରଶକ୍ତି ବୁଦ୍ଧିରେ  ରହିଥାଏ । କିନ୍ତୁ କାମ ଏପରି ଏକ ଭୟାନକ ବିରୋଧି ତତ୍ତ୍ୱ ଯେ ତାହା ବୁଦ୍ଧିର ଏହି ବିଚାର ଶକ୍ତିକୁ ଆବୃତ କରିଦିଏ । ଶ୍ରୀକୃଷ୍ଣ  ଏହି ସିଦ୍ଧାନ୍ତକୁ ବର୍ଣ୍ଣନା କରିବାକୁ ତିନୋଟି ସ୍ତରର ଉଦାହରଣ ଦେଇଛନ୍ତି । ଅଗ୍ନି, ଯାହା ଆଲୋକର ଉତ୍ସ ଅଟେ, ଧୂଆଁ ଦ୍ୱାରା ଆବୃତ ହୋଇଯାଏ । ଏହି ଆଂଶିକ ଅସ୍ପଷ୍ଟତା ସତ୍ତ୍ୱଗୁଣୀ କାମନା ଦ୍ୱାରା ସୃଷ୍ଟ ପତଳା ମେଘ ସଦୃଶ ଅଟେ ।  ଦର୍ପଣର ସ୍ୱାଭାବିକ ଗୁଣ ପ୍ରତିବିମ୍ବ ସୃଷ୍ଟି କରିବା, କିନ୍ତୁ ଧୂଳି ଦ୍ୱାରା ଏହା ଅସ୍ପଷ୍ଟ ହୋଇଯାଏ । ଏହି ଅର୍ଦ୍ଧ ସ୍ୱଚ୍ଛତା, ବୁଦ୍ଧି ଉପରେ ରାଜସିକ କାମନାର ପ୍ରଭାବ ସଦୃଶ ଅଟେ । ଭୃଣ ଜରାୟୁ ଦ୍ୱାରା  ଲୁକ୍‌କାୟୀତ ରହିଥାଏ । ଏହି ପୂର୍ଣ୍ଣ ଲୁକ୍‌କାୟୀତ ଅବସ୍ଥା, ତାମସିକ ଗୁଣ ଦ୍ୱାରା ବିଚାର ଶକ୍ତିର ପୂର୍ଣ୍ଣ ବିଲୁପ୍ତି ଅଟେ । ଏହିପରି ଭାବରେ ଆମ କାମନାର ସ୍ତର ଅନୁଯାୟୀ, ଆମେ ଶୁଣିଥିବା ବା ପଢିଥିବା ଆଧ୍ୟାତ୍ମିକ ଜ୍ଞାନ ଆଚ୍ଛନ୍ନ ହୋଇଯାଏ । 

ଏହି ପ୍ରସଙ୍ଗରେ ଗୋଟିଏ ସୁନ୍ଦର ଆଖ୍ୟାନର ଦୃଷ୍ଟାନ୍ତ ଦିଆଯାଇ ପାରେ । ଜଣେ ବ୍ୟକ୍ତି ସାଂଧ୍ୟ ଭ୍ରମଣ କରିବାକୁ ପ୍ରତିଦିନ ଗୋଟିଏ ଜଙ୍ଗଲ ପାଖକୁ ଯାଆନ୍ତି । ଦିନେ ସଂଧ୍ୟାରେ ସେ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବାକୁ ଇଚ୍ଛାକଲେ । କିଛି ମାଇଲ ଚାଲିଲା ପରେ, ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲେ ଏବଂ ଆଲୋକ ଅପସରି ଯିବାକୁ ଲାଗିଲା ।  ସେ ଜଙ୍ଗଲରୁ ବାହାରି ଆସିବା ପାଇଁ ପଛକୁ ବୁଲିଲେ କିନ୍ତୁ ପଛରେ ସେ ଦେଖିଲେ ଦଳେ ହିଂସ୍ର ଜନ୍ତୁ ବାଟ ଓଗାଳି ଠିଆ ହୋଇଛନ୍ତି । ସେହି ହିଂସ୍ର ଜନ୍ତୁ ମାନେ ତାଙ୍କୁ ଗୋଡାଇବାକୁ ଲାଗିଲେ ଏବଂ ସେମାନଙ୍କ କବଳରୁ ରକ୍ଷା ପାଇବାକୁ ଧାଇଁବା କ୍ରମରେ ସେ ଘନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଗଲେ ।  ସମ୍ମୁଖରେ ସେ ଦେଖିଲେ, ଗୋଟିଏ ଡାହାଣୀ ତାଙ୍କୁ ଆଲିଙ୍ଗନ କରିବାପାଇଁ ବାହୁ ପ୍ରସାରିତ କରି ଛିଡା ହୋଇଛି । ତା’ ଠାରୁ ଏବଂ ହିଂସ୍ର ଜନ୍ତୁମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ଦିଗ ପରିବର୍ତ୍ତନ କରି ଗୋଟିଏ ପାଶ୍ୱର୍ରେ ଧାଇଁବାକୁ ଲାଗିଲେ । ସେତେବେଳକୁ  ଅନ୍ଧାର ହୋଇଗଲାଣି । ରାସ୍ତାଘାଟ ଭଲ ଭାବରେ ଦେଖି ନ ପାରିବା କାରଣରୁ, ସେ ବୃକ୍ଷର ଓହଳ ଦ୍ୱାରା ଅଚ୍ଛାଦିତ ଗୋଟିଏ ଗର୍ତ୍ତ ମଧ୍ୟକୁ ଖସି ପଡିଲେ । ଖସିବା ସମୟରେ ତାଙ୍କର ପାଦ ଦୁଇଟି ବୃକ୍ଷ ଓହଳରେ ଛନ୍ଦି ହୋଇଗଲା । ଫଳରେ ସେ ମୁଣ୍ଡ ତଳକୁ ଗୋଡ ଉପରକୁ ହୋଇ ଗର୍ତ୍ତ ମଧ୍ୟରେ ଝୁଲି ରହିଲେ । କିଛି ସମୟ ପରେ ତାଙ୍କର ହୋସ୍ ଆସିବାରୁ ସେ ଦେଖିଲେ, ତଳେ ଗୋଟିଏ ସର୍ପ ଫଣା ଟେକି ତାଙ୍କୁ ଦଂଶନ କରିବା ଅପେକ୍ଷାରେ ରହିଛି । ଏହି ସମୟରେ ଦୁଇଟି ମୂଷା - ଗୋଟିଏ ଧଳା ଏବଂ ଗୋଟିଏ କଳା -  ଆସି, ସେ ଯେଉଁ ଲଟାରେ ଝୁଲିଥିଲେ, ତାହାକୁ କାଟିବାକୁ ଆରମ୍ଭ କରିଦେଲେ । ତାଙ୍କର ଦୁଃଖକୁ ଆହୁରି ବଢାଇବାକୁ ଯାଇ, କିଛି ବିରୁଡି  ଆସି ତାଙ୍କ  ମୁଖକୁ ଦଂଶନ  କରିବାରେ ଲାଗିଲେ । ଏହିପରି ଦୟନୀୟ  ଅବସ୍ଥାରେ  ମଧ୍ୟ ଦେଖାଗଲା ଯେ ବ୍ୟକ୍ତି ଜଣଙ୍କର ମୁଖରେ ସ୍ମିତହାସ୍ୟ ଲାଗି ରହିଛି । ଦାର୍ଶନିକ ମାନେ ଏକତ୍ରିତ ହୋଇ ବିଚାର କରିବାରେ ଲାଗିଲେ, ଏପରି ଏକ ଶୋଚନୀୟ ପରିସ୍ଥିତିରେ ଜଣେ ବ୍ୟକ୍ତି ହସି ପାରୁଛନ୍ତି କିପରି?  ଉପରକୁ ଚାହିଁ ସେମାନେ ଦେଖିଲେ ଯେ ଉପରୁ ଗୋଟିଏ ମହୁଫେଣା ଝୁଲି ରହିଛି ଏବଂ ସେଥିରୁ ଟୋପା ଟୋପା ହୋଇ ମହୁ ତାଙ୍କ ମୁହଁରେ ପଡୁଛି । ସେହି ମହୁ ଟୋପାକୁ ଚାଟି ସେ ଯେଉଁ ଆନନ୍ଦରେ ବିଭୋର ହୋଇ ଯାଉଛନ୍ତି, ସେଥିରେ ହିଂସ୍ର ଜନ୍ତୁ,  ଡାହାଣୀ, ସର୍ପ,  ମୂଷା ତଥା ବିରୁଡି ଆଦି ସବୁ ଭୟର ବିସ୍ମୃତି ଘଟୁଛି ।

କାହାଣୀଟିର ନାୟକ ଆମକୁ ପାଗଳ ପ୍ରତୀତ ହୋଇପାରନ୍ତି । କିନ୍ତୁ ବାସ୍ତବରେ କାହାଣୀଟି, କାମନା ବଶୀଭୂତ ସମସ୍ତ  ପ୍ରାଣୀଙ୍କର ସ୍ଥିତି ଚିତ୍ରଣ କରିଥାଏ । ବ୍ୟକ୍ତି ଜଣକ ଯେଉଁ  ଜଙ୍ଗଲରେ ବୁଲୁଥିଲେ, ତାହା ଆମେ ବାସ  କରୁଥିବା ଏହି ମାୟିକ ସଂସାର ସଦୃଶ ଅଟେ, ଯେଉଁ ଠାରେ ପ୍ରତି ପଦକ୍ଷେପରେ ବିପଦ ଲାଗି ରହିଥାଏ । ଯେଉଁ ହିଂସ୍ର ପ୍ରାଣୀମାନେ ତାଙ୍କର ପଶ୍ଚାତ୍‌ଧାବନ କରୁଥିଲେ, ସେସବୁ ରୋଗ ବ୍ୟାଧି ଅଟନ୍ତି, ଯାହା ଜୀବନ କାଳ ମଧ୍ୟରେ ଆବିର୍ଭାବ ହୋଇ ମୃତ୍ୟୁ  ପର୍ଯ୍ୟନ୍ତ ଆମକୁ କଷ୍ଟ ଦେଉଥାଏ । ଡାହାଣୀଟି ବାର୍ଦ୍ଧକ୍ୟର ପ୍ରତୀକ ଅଟେ, ଯିଏ ସମୟ ଆସିଲେ ଆମକୁ କୋଳାଗ୍ରତ କରିବାର ଅପେକ୍ଷାରେ ରହିଥାଏ । ଗର୍ତ୍ତର ନିମ୍ନ ଭାଗରେ ଅପେକ୍ଷାରତ ସର୍ପଟି ଅନିବାର୍ଯ୍ୟ ମୃତ୍ୟୁକୁ ସୂଚିତ କରିଥାଏ । ବୃକ୍ଷର ଓହଳକୁ କାଟୁଥିବା ଧଳା ଏବଂ କଳା ମୂଷା ଦୁଇଟି ଦିବା-ରାତ୍ରିର ପ୍ରତୀକ ଅଟନ୍ତି, ଯିଏ ଅନବରତ ଆମର ଜୀବନକାଳକୁ ହ୍ରାସ କରି ମୃତ୍ୟୁର ସମୀପସ୍ଥ କରିବାରେ ଲାଗିଥାଆନ୍ତି । ମୁଖକୁ ଦଂଶନ କରୁଥିବା ବିରୁଡି, ଆମ ମନରେ ଜାତ ହେଉଥିବା  ଅସଂଖ୍ୟ କାମନା ସଦୃଶ ଅଟନ୍ତି । ଏହି କାମନାସବୁ ମନକୁ ବିଚଳିତ କରିବା ସହିତ ଆମକୁ ଅନେକ ପ୍ରକାରରେ ନିର୍ଯ୍ୟାତିତ କରିଥାଆନ୍ତି । ମହୁ ଆମେ ସଂସାରରେ ଭୋଗ  କରୁଥିବା ବିଷୟ ସୁଖକୁ ସୂଚିତ କରିଥାଏ, ଯାହା ଆମ ବୁଦ୍ଧିର ବିଚାରଣ ଶକ୍ତିକୁ ନଷ୍ଟ କରି ଦେଇଥାଏ ।ା ସେଥିପାଇଁ ଆମେ ନିଜର ଶୋଚନୀୟ ପରିସ୍ଥିତି କଥା ଭୂଲି ଯାଇ, ସାମୟିକ ଇନ୍ଦ୍ରିୟ ସୁଖକୁ ଉପଭୋଗ କରିବାରେ ନିମଗ୍ନ ରହିଥାଉ । ଶ୍ରୀକୃଷ୍ଣ ସୁଚିତ କରୁଛନ୍ତି ଯେ ଏହିପରି ଆସକ୍ତି ଯୁକ୍ତ କାମନା ଦ୍ୱାରା ଆମର ବିଚାରଣ ଶକ୍ତି ଆବୃତ ହୋଇଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!