ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।
ସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ ।। ୨।।
ଏବଂ -ଏହିପରି ଭାବରେ; ପରମ୍ପରା- ଧାରାବାହିକ ପ୍ରଥା; ପ୍ରାପ୍ତଂ- ପ୍ରାପ୍ତ; ଇମଂ- ଏହି ବିଜ୍ଞାନ; ରାଜର୍ଷୟଃ - ରାଜର୍ଷିଗଣ; ବିଦୁଃ- ଜାଣିଥିଲେ; ସଃ - ସେହି; କାଳେନ- କାଳକ୍ରମେ; ଇହ-ଏହି ପୃଥିବୀରେ; ମହତା -ମହାନ୍; ଯୋଗଃ -ଯୋଗ ବିଜ୍ଞାନ; ନଷ୍ଟଃ - ନଷ୍ଟ (ବିଖଣ୍ଡିତ); ପରଂତପ- ହେ ଶତ୍ରୁନିସୂଦନକାରୀ ଅର୍ଜୁନ ।
BG 4.2: ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।
ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।
ସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ ।। ୨।।
ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଦିବ୍ୟ ଜ୍ଞାନ ପ୍ରାପ୍ତିର ଏହି ଅବରୋହଣ ପଦ୍ଧତିରେ ଶିଷ୍ୟମାନେ ଗୁରୁଙ୍କଠାରୁ ଭଗବତ୍ ପ୍ରାପ୍ତିର ବିଜ୍ଞାନ ଲାଭ କରୁଥିଲେ । ଗୁରୁ ଏହି ଜ୍ଞାନ ତାଙ୍କ ଗୁରୁଙ୍କଠାରୁ ପ୍ରାପ୍ତ କରୁଥିଲେ । ଏହି ପଦ୍ଧତିରେ ନିମି, ଜନକ ଆଦି ରାଜର୍ଷିମାନେ ଯୋଗ ବିଜ୍ଞାନ ଶିକ୍ଷା କରିଥିଲେ । ଏହି ପରମ୍ପରା ଭଗବାନଙ୍କଠାରୁ ହିଁ ଆରମ୍ଭ ହୋଇଛି, ଯିଏ ସଂସାରର ପ୍ରଥମ ଗୁରୁ ଅଟନ୍ତି ।
ତେନେ ବ୍ରହ୍ମ ହୃଦାୟ ଆଦି -କବୟେ ମୁହ୍ୟନ୍ତି ଯତ୍ ସୂରୟଃ (ଭାଗବତମ୍ ୧.୧.୧.)
ଭଗବାନ ସୃଷ୍ଟିର ଆରମ୍ଭରେ ଏହି ଜ୍ଞାନ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ଦେଲେ, ଏବଂ ତାଙ୍କଠାରୁ ଏହି ପରମ୍ପରା ପ୍ରଚଳିତ ହେଲା । ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ଏକଥା ମଧ୍ୟ କହିଥିଲେ ଯେ ସେ ଏହି ଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ମଧ୍ୟ ଦେଇଥିଲେ ଏବଂ ତାଙ୍କଠାରୁ ଏହି ପରମ୍ପରା ଚାଲିଆସୁଛି । କିନ୍ତୁ ଭୌତିକ ଜଗତର ଗୁଣ ଏପରି ଯେ ସମୟକ୍ରମେ ସେହି ଜ୍ଞାନ ଲୋପ ପାଇଗଲା । ଭୌତିକବୁଦ୍ଧିଯୁକ୍ତ ଏବଂ ନିଷ୍ଠାହୀନ ଶିଷ୍ୟମାନେ ଏହି ଜ୍ଞାନକୁ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ରୂପରେ ବ୍ୟାଖ୍ୟା କରିବାକୁ ଲାଗିଲେ । ଯଦ୍ୱାରା ଏହାର ମୌଳିକ ଶୁଦ୍ଧତା ଅପମିଶ୍ରିତ ହେବାରେ ଲାଗିଲା । ଯେତେବେଳେ ଏପରି ହୁଏ, ମନୁଷ୍ୟ ସମାଜର କଲ୍ୟାଣ ନିମନ୍ତେ ଭଗବାନ ତାଙ୍କର ଅକାରଣ କରୁଣା ସ୍ୱଭାବ ବଶତଃ ଏହାର ପୁନଃ ପ୍ରତିଷ୍ଠା କରନ୍ତି । ସେ ଏହି କାର୍ଯ୍ୟ ସ୍ୱୟଂ ଧରାପୃଷ୍ଠରେ ଅବତାର ଗ୍ରହଣ କରି କରନ୍ତି ବା କୌଣସି ମହାନ ଭଗବତ୍ପ୍ରାପ୍ତ ସନ୍ଥଙ୍କ ଦ୍ୱାରା କରାଇଥାନ୍ତି, ଯେଉଁମାନେ ପୃଥିବୀରେ ଭଗବାନଙ୍କ କାର୍ଯ୍ୟର ବାହକ ହୋଇଥାନ୍ତି ।
ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଯିଏ କି ଭାରତ ଇତିହାସର ପଞ୍ଚମ ମୂଳ ଜଗଦ୍ଗୁରୁ ଅଟନ୍ତି, ଏହିପରି ଜଣେ ଈଶ୍ୱର-ପ୍ରେରିତ ମହାପୁରୁଷ, ଯିଏ ଆଧୁନିକ ଯୁଗରେ ପୁରାତନ ଜ୍ଞାନର ପୁନଃପ୍ରତିଷ୍ଠା କରିଛନ୍ତି । ତାଙ୍କର ଆୟୁ ଯେତେବେଳେ ମାତ୍ର ଚଉତିରିଶ ବର୍ଷ ହୋଇଥିଲା, ପବିତ୍ର ସହର କାଶୀ ସ୍ଥିତ ପାଞ୍ଚଶହ ବୈଦିକ ବିଦ୍ୱାନମାନଙ୍କର ସଭା, କାଶୀ ବିଦ୍ୱତ୍ ପରିଷଦ, ତାଙ୍କୁ ଜଗଦ୍ଗୁରୁ ପଦରେ ସମ୍ମାନିତ କରିଥିଲା । ଭାରତ ଇତିହାସରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ଜଗଦ୍ଗୁରୁ ନିମ୍ବାକାଚାର୍ଯ୍ୟ, ଜଗଦ୍ଗୁରୁ ରାମାନୁଜାଚାର୍ଯ୍ୟ ଏବଂ ଜଗଦ୍ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ପରେ ସେ ପଞ୍ଚମ ମୂଳ ଜଗଦ୍ଗୁରୁ ଉପାଧି ପ୍ରାପ୍ତ କରିଛନ୍ତି । ଭଗବଦ୍ ଗୀତାର ଏହି ଭାଷ୍ୟ, ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦ୍ୱାରା, ମୋତେ ପ୍ରଦାନ କରାଯାଇଥିବା ଗଭୀର ଜ୍ଞାନର ଆଧାରରେ ଲେଖାଯାଇଛି ।