ଶ୍ରେୟାନ୍ଦ୍ରବ୍ୟମୟାଦ୍ଯଜ୍ଞାଦ୍ଜ୍ଞାନଯଜ୍ଞଃ ପରନ୍ତପ ।
ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।। ୩୩ ।।
ଶ୍ରେୟାନ୍ -ଉନ୍ନତତର; ଦ୍ରବ୍ୟମୟାତ୍ -ଦ୍ରବ୍ୟମୟ; ଯଜ୍ଞାତ୍ - ଯଜ୍ଞ ଅପେକ୍ଷା; ଜ୍ଞାନଯଜ୍ଞ -ଜ୍ଞାନ ଯଜ୍ଞ; ପରନ୍ତପ- ହେ ଶତ୍ରୁ ଦମନକାରୀ; ସର୍ବଂ -ସମସ୍ତ; କର୍ମ- କର୍ମ; ଅଖିଳଂ- ସମଗ୍ର ଭାବରେ; ପାର୍ଥ- ହେ ପାର୍ଥ (ହେ ପୃଥାପୁତ୍ର); ଜ୍ଞାନେ- ଜ୍ଞାନରେ; ପରିସମାପ୍ୟତେ - ପରିସମାପ୍ତ ହୁଏ ।
BG 4.33: ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।
ଶ୍ରେୟାନ୍ଦ୍ରବ୍ୟମୟାଦ୍ଯଜ୍ଞାଦ୍ଜ୍ଞାନଯଜ୍ଞଃ ପରନ୍ତପ ।
ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।। ୩୩ ।।
ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଯଜ୍ଞ ସବୁର ସଠିକ୍ ନିରୂପଣ କରୁଛନ୍ତି । ସେ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭକ୍ତିର ଶାରୀରିକ କ୍ରିୟା ଉତ୍ତମ ଅଟେ, କିନ୍ତୁ ଏହା ଯଥେଷ୍ଟ ନୁହେଁ । ବିଧିବିଧାନ ଯୁକ୍ତ ଉତ୍ସବ, ଉପବାସ, ମନ୍ତ୍ର ଉଚ୍ଚାରଣ, ତୀର୍ଥ ଯାତ୍ରା ଇତ୍ୟାଦି କରିବା ଠିକ୍ ଅଟେ । କିନ୍ତୁ ଏଗୁଡ଼ିକ ଜ୍ଞାନଯୁକ୍ତ ନ ହୋଇ ପାଳନ କଲେ, ଏହା କେବଳ ଶାରୀରିକ କ୍ରିୟା ହୋଇ ରହିଯାଏ । କିଛି ନ କରିବା ଅପେକ୍ଷା ଏହିପରି ଯନ୍ତ୍ରବତ୍ କ୍ରିୟା ଭଲ, କିନ୍ତୁ ଏହା ମନକୁ ଶୁଦ୍ଧ କରିବା ପାଇଁ ଯଥେଷ୍ଟ ନୁହେଁ ।
ଅନେକ ବ୍ୟକ୍ତି ତୁଳସୀ ମାଳ ଧରି ଭଗବାନଙ୍କର ନାମ ଜପ କରନ୍ତି, ଶାସ୍ତ୍ର ଆଦି ପାଠ କରନ୍ତି, ପବିତ୍ର ଧାମକୁ ଯାତ୍ରା କରନ୍ତି ଏବଂ ପୂଜା ଆଦିର ଅନୁଷ୍ଠାନ କରନ୍ତି । ତାଙ୍କର ଏହି ବିଶ୍ୱାସ ଥାଏ ଯେ, କେବଳ ଏହି ଶାରୀରିକ କ୍ରିୟା ତାଙ୍କୁ ମାୟା ବନ୍ଧନରୁ ମୁକ୍ତ କରିବାକୁ ଯଥେଷ୍ଟ ଅଟେ । କିନ୍ତୁ ସନ୍ଥ କବୀର ଏହି ମତକୁ ସ୍ପଷ୍ଟ ରୂପେ ଖଣ୍ଡନ କରିଛନ୍ତି:
ମାଲା ଫେରତ ଯୁଗ ଫିରା, ଫିରା ନା ମନକା ଫେର,
କର କା ମନକା ଡ଼ାରି କେ, ମନକା ମନକା ଫେର ।
“ହେ ସାଧକ, ତୁମେ ଯୁଗ ଯୁଗ ଧରି ମାଳା ଜପ କରିଚାଲିଛ କିନ୍ତୁ ମନର ଦୁଷ୍ଟାମୀ ବନ୍ଦ ହେଉନାହିଁ । ଏବେ ଏହି ମାଳାକୁ ତ୍ୟାଗ କର ଏବଂ ମନର ମାଳିରେ ଜପ କର । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହିଛନ୍ତି:
ବନ୍ଧନ ଔର ମୋକ୍ଷକା, କାରଣ ମନ ହି ବଖାନ
ୟାତେ କୌନିଉ ଭକ୍ତି କରୁ, କରୁ ମନ ତେ ହରିଧ୍ୟାନ ।ା (ଭକ୍ତି ଶତକ ପଦ ୧୯)
“ବନ୍ଧନ ଓ ମୋକ୍ଷର କାରଣ ମନ ଅଟେ । ତୁମେ ଭକ୍ତି ଯେଉଁ ପ୍ରକାରର କଲେ ମଧ୍ୟ ମନକୁ ହରିଙ୍କ ଧ୍ୟାନରେ ଲଗାଅ ।”
ଜ୍ଞାନ ବୃଦ୍ଧି ହେବା ଦ୍ୱାରା ଭକ୍ତିଭାବ ପରିପୁଷ୍ଟ ହୋଇଥାଏ । ଉଦାହରଣ ସ୍ୱରୂପ, ମନେ କରନ୍ତୁ ଆପଣଙ୍କର ଜନ୍ମଦିନ ଉତ୍ସବରେ କିଛି ଲୋକ ଆସି ଆପଣଙ୍କୁ ଉପହାର ଦେଉଛନ୍ତି । ଜଣେ ଆସି ଆପଣଙ୍କୁ ଏକ ଛିଣ୍ଡା ଥଳି ଦେଲା । ଆପଣ ତାକୁ ତାତ୍ସଲ୍ୟ ଭରା ଦୃଷ୍ଟିରେ ଦେଖିଲେ ଏବଂ ଚିନ୍ତା କଲେ ଯେ ଅନ୍ୟମାନେ ଦେଇଥିବା ସୁନ୍ଦର ଉପହାର ତୁଳନାରେ ଏହା କେତେ ନିକୃଷ୍ଟ ଅଟେ । ଲୋକଟି ସେ ଥଳି ଭିତରକୁ ଦେଖିବାକୁ ଆପଣଙ୍କୁ ଅନୁରୋଧ କଲେ । ଆପଣ ସେ ଥଳି ଖୋଲି ଦେଖିଲେ ଯେ ସେଥିରେ ୨୦୦୦ ଟଙ୍କାର ବିଡ଼ା ଭର୍ତ୍ତି ହୋଇଛି । ଆପଣ ସଙ୍ଗେ ସଙ୍ଗେ ସେ ଥଳିକୁ ଛାତିରେ ଲଗାଇ କହିଲେ “ମୁଁ ପାଇଥିବା ସମସ୍ତ ଉପହାର ମଧ୍ୟରେ ଏହାହିଁ ଶ୍ରେଷ୍ଠ ଅଟେ ।” ଭିତରେ ଥିବା ବସ୍ତୁ ବିଷୟରେ ଜ୍ଞାନ ହିଁ ତାଙ୍କ ପ୍ରତି ପ୍ରେମ ବଢ଼ାଇବାରେ ସାହାଯ୍ୟ କଲା । ସେହିପରି ଭଗବାନଙ୍କ ବିଷୟରେ ତଥା ତାଙ୍କ ସହିତ ଆମର ସମ୍ପର୍କ ବିଷୟରେ ଜ୍ଞାନ ବଢ଼ାଇବା ଦ୍ୱାରା ଆମର ଭକ୍ତିଭାବ ପରିପୁଷ୍ଟ ହୁଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ, ଜ୍ଞାନ ଯଜ୍ଞ, ଭୌତିକ ଯଜ୍ଞଠାରୁ ଉତ୍ତମ ଅଟେ । ସେ ବର୍ତ୍ତମାନ ଜ୍ଞାନ ଆହରଣର ବିଧି ବର୍ଣ୍ଣନା କରିବାକୁ ଯାଉଛନ୍ତି ।