ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।।୭।।
ଯଦା -ଯେତେବେଳେ; ଯଦା -ଯେଉଁଠାରେ; ହି -ବାସ୍ତବରେ; ଧର୍ମସ୍ୟ - ଧର୍ମର; ଗ୍ଲାନିଃ -ହ୍ରାସ; ଭବତି -ହୁଏ; ଭାରତ-ହେ ଭରତ ବଂଶଜ; ଅଭ୍ୟୁତ୍ଥାନଂ -ଅଭ୍ୟୁଥାନ; ଅଧର୍ମସ୍ୟ - ଅଧର୍ମର; ତଦା-ସେତେବେଳେ; ଆତ୍ମାନଂ- ନିଜେ; ସୃଜାମି - ପ୍ରକାଶିତ ହୁଏ; ଅହଂ -ମୁଁ ।
BG 4.7: ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।
ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।।୭।।
ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଧର୍ମ, ଆମ ପ୍ରତି ପ୍ରଯୁଜ୍ୟ କର୍ମ, ଯାହା ଆଧ୍ୟାତ୍ମିକ ଉନ୍ନତି ଦିଗରେ ଅଗ୍ରସର ହେବା ପାଇଁ ଅନୁକୂଳ ଅଟେ । ଏହାର ବିପରୀତ ଅଧର୍ମ ଅଟେ । ଯେତେବେଳେ ଅଧର୍ମର ବୃଦ୍ଧି ଘଟେ, ସଂସାରର ସୃଷ୍ଟିକର୍ତ୍ତା ଏଥିରେ ହସ୍ତକ୍ଷେପ କରି ଅବତରିତ ହୁଅନ୍ତି ଓ ଧର୍ମକୁ ପୁନର୍ସ୍ଥାପିତ କରନ୍ତି । ଏହିପରି ଅବତରଣକୁ ଅବତାର କୁହାଯାଏ । “ଅବତାର” ଶବ୍ଦଟି ସଂସ୍କୃତରୁ ଇଂରାଜୀରେ ଗ୍ରହଣ କରାଯାଇଛି ଏବଂ ତାହା ସାଧାରଣତଃ ଗଣ ମାଧ୍ୟମରେ ଲୋକଙ୍କର ପ୍ରତିଛବି ଅର୍ଥରେ ବ୍ୟବହୃତ ହେଉଅଛି । ଏହି ପୁସ୍ତକରେ ଆମେ ଏହାକୁ ମୂଳ ସଂସ୍କୃତ ଅର୍ଥ ଭଗବାନଙ୍କର ଦିବ୍ୟ ଅବତରଣ ଭାବରେ ବ୍ୟବହାର କରିବା । ଶ୍ରୀମଦ୍ ଭାଗବତମ୍ରେ ଭଗବାନଙ୍କର ଚବିଶଗୋଟି ଅବତାରର ବର୍ଣ୍ଣନା କରାଯାଇଛି । କିନ୍ତୁ ବେଦ ଶାସ୍ତ୍ର କହେ ଭଗବାନଙ୍କର ଅବତାର ଅସଂଖ୍ୟ ଅଟେ:
ଜନ୍ମ-କର୍ମାଭିଧାନାନି ସନ୍ତିଽମେଙ୍ଗ ସହସ୍ରଶଃ
ନ ଶକ୍ୟନ୍ତେଽନୁସଂଖ୍ୟାତୁମ୍ ଅନନ୍ତତ୍ୱାନ୍ ମୟାପି ହି (ଭାଗବତମ୍ ୧୦.୫୧.୩୬)
“ଅନଦି କାଳରୁ ଭଗବାନଙ୍କର ଅନନ୍ତ ଅବତାରର ଗଣନା କେହି ମଧ୍ୟ କରିପାରିବେ ନାହିଁ ।” ଏହି ଅବତାର ଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି ଯେପରିକି:
୧. ଆବେଶାବତାର- ଏହି ଅବତାରରେ ସେ ନିଜର ବିଶେଷ ଶକ୍ତି, କୌଣସି ବ୍ୟକ୍ତିଗତ ଆତ୍ମା ଦ୍ୱାରା ପ୍ରକଟିତ କରିଥାନ୍ତି । ମହର୍ଷି ନାରଦ ଏହାର ଉଦାହରଣ ଅଟନ୍ତି, ସେହିପରି ଭଗବାନ ବୁଦ୍ଧ ମଧ୍ୟ ଆବେଶ ଅବତାରର ଉଦାହରଣ ଅଟନ୍ତି ।
୨. ପ୍ରାଭବାବତାର - ଏହି ରୂପରେ ଭଗବାନ ସ୍ୱୟଂ ସାକାର ରୂପରେ ଆସନ୍ତି ଏବଂ ତାଙ୍କର କିଛି ଶକ୍ତି ପ୍ରଦର୍ଶନ କରିଥାନ୍ତି । ପ୍ରାଭବାବତାର ଦୁଇ ଶ୍ରେଣୀର ଅଟେ:
କ. ଭଗବାନ ନିଜକୁ ଅଳ୍ପ ସମୟ ପର୍ଯ୍ୟନ୍ତ ପ୍ରକଟିତ କରନ୍ତି ଓ ନିଜ କାର୍ଯ୍ୟ ସାରି ପ୍ରତ୍ୟାବର୍ତ୍ତନ କରିଥାନ୍ତି । ହଂସାବତାର ଏହିପରି ଏକ ଉଦାହରଣ, ଯେଉଁଠାରେ ଭଗବାନ କୁମାରମାନଙ୍କ ସମ୍ମୁଖରେ ପ୍ରକଟିତ ହୋଇ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଫେରିଯାଇଥିଲେ ।
ଖ. ଏହି ଅବତାରରେ ସେ ବହୁବର୍ଷ ଧରି ସଂସାରରେ ରହନ୍ତି । ବେଦବ୍ୟାସ, ଯିଏ ଅଷ୍ଟାଦଶ ପୁରାଣ ଓ ମହାଭାରତର ରଚୟିତା ଏବଂ ବେଦକୁ ଚାରି ଭାଗରେ ବିଭାଜନ କରିଥିଲେ, ସେ ଏହାର ଉଦାହରଣ ଅଟନ୍ତି ।
୩. ବୈଭବାବତାର - ଯେତେବେଳେ ଭଗବାନ ଦିବ୍ୟ ରୂପରେ ଅବତାର ନେଇ ତାଙ୍କର ଅଧିକ ଐଶ୍ୱରୀୟ ଶକ୍ତି ପ୍ରଦର୍ଶନ କରିଥାଆନ୍ତି । ମତ୍ସାବତାର, କୂର୍ମ ଅବତାର, ବରାହଅବତାର ଆଦି ବୈଭବାବତାରର ଉଦାହରଣ ଅଟେ ।
୪. ପରବାସ୍ଥାବତାର - ଏହି ଅବତାରରେ ଭଗବାନ ଦିବ୍ୟ ସ୍ୱରୂପରେ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରଦର୍ଶିତ କରିଥାନ୍ତି । ଶ୍ରୀକୃଷ୍ଣ, ଶ୍ରୀରାମ ଏବଂ ନୃସିଂହ ଅବତାର ସବୁ ପରାଭବସ୍ଥାବତାରର ଉଦାହରଣ ଅଟନ୍ତି ।
ଏହି ବିଭକ୍ତିକରଣ ଏହା ସୂଚିତ କରେ ନାହିଁ ଯେ ଗୋଟିଏ ଅବତାର ଅନ୍ୟଠାରୁ ଶ୍ରେଷ୍ଠ ଅଟେ । ବେଦବ୍ୟାସ, ଯିଏ ସ୍ୱୟଂ ଭଗବାନଙ୍କର ଜଣେ ଅବତାର ଅଟନ୍ତି, ସ୍ପଷ୍ଟ ଭାବେ ଲେଖିଛନ୍ତି: ସର୍ବେ ପୂର୍ଣ୍ଣାଃ ଶାଶ୍ୱତାଶ୍ଚ ଦେହାସ୍ତସ୍ୟ ପରମାତ୍ମନଃ (ପଦ୍ମପୁରାଣ), “ଭଗବାନଙ୍କର ସବୁ ଅବତାର ସମସ୍ତ ଦିବ୍ୟଶକ୍ତିଯୁକ୍ତ ଓ ସେମାନେ ସମସ୍ତେ ପରିପୂର୍ଣ୍ଣ ତଥା ନିର୍ଦ୍ଦୋଷ ଅଟନ୍ତି ।” ତେଣୁ ଅମେ ଅବତାର ସବୁକୁ ଅନ୍ୟଠାରୁ ଛୋଟ ବା ବଡ଼ ଭାବିବା ଉଚିତ ନୁହେଁ । ଯାହା ହେଲେ ମଧ୍ୟ ଭଗବାନ, ତାଙ୍କର ପ୍ରତି ଅବତାରରେ ସେତିିକି ଶକ୍ତି ପ୍ରଦର୍ଶିତ କରିଥାନ୍ତି ଯେତିକି ସେହି ଅବତାରର ଉଦ୍ଦେଶ୍ୟ ପୂରଣ କରିବାକୁ ଆବଶ୍ୟକ ଥାଏ । ଅନ୍ୟ ଶକ୍ତି ସବୁ ସେହି ଅବତାରରେ ସୁପ୍ତ ଅବସ୍ଥାରେ ଥାନ୍ତି । ସେଥିପାଇଁ ଉପରୋକ୍ତ ବିଭକ୍ତିକରଣ କରାଯାଇଛି ।