ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।୮।।
ପରିତ୍ରାଣାୟ -ରକ୍ଷା କରିବାକୁ; ସାଧୁନାଂ - ସାଧୁମାନଙ୍କୁ; ବିନାଶାୟ - ବିନାଶ କରିବାକୁ; ଚ -ଏବଂ; ଦୁଷ୍କୃତାମ୍ - ଦୁଷ୍ଟମାନଙ୍କର; ଧର୍ମ -ଚିରନ୍ତନ ଧର୍ମ; ସଂସ୍ଥାପନ ଅର୍ଥାୟ -ପୁନଃସ୍ଥାପିତ କରିବାକୁ; ସମ୍ଭବାମି -ମୁଁ ଆବିର୍ଭୂତ ହୁଏ; ଯୁଗେ ଯୁଗେ - ଯୁଗେ ଯୁଗେ ।
BG 4.8: ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।
ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।୮।।
ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବ ଶ୍ଲୋକରେ, ଭଗବାନ ସଂସାରରେ ଅବତାର ଗ୍ରହଣ କରନ୍ତି କହିବା ପରେ, ସେ ବର୍ତ୍ତମାନ ତା’ର ତିନୋଟି କାରଣ ଦର୍ଶାଉଛନ୍ତି: ୧. ଦୁଷ୍ଟ ମାନଙ୍କୁ ବିନାଶ କରିବାକୁ, ୨. ସନ୍ଥମାନଙ୍କୁ ରକ୍ଷା କରିବାକୁ, ୩. ଧର୍ମର ସ୍ଥାପନା ନିମନ୍ତେ । କିନ୍ତୁ ଏହାକୁ ଗଭୀରଭାବେ ଅନୁଧ୍ୟାନ କଲେ, ଏହି କାରଣମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି କାରଣ ସନ୍ତୋଷଜନକ ମନେ ହୁଏ ନାହିଁ:
ସନ୍ଥମାନଙ୍କୁ ରକ୍ଷା କରିବା- ଭଗବାନ ସମସ୍ତ ଭକ୍ତ ମାନଙ୍କ ହୃଦୟରେ ବାସ କରନ୍ତି ଏବଂ ଭିତରୁ ସେମାନଙ୍କର ରକ୍ଷା କରନ୍ତି । ସେଥିପାଇଁ ଅବତାର ନେବାର କୌଣସି ଆବଶ୍ୟକତା ନାହିଁ ।
ଦୁଷ୍ଟମାନଙ୍କୁ ବିନାଶ କରିବା - ଭଗବାନ ସର୍ବଶକ୍ତିମାନ ଅଟନ୍ତି ଏବଂ କେବଳ ଇଚ୍ଛା ମାତ୍ରକେ ସେ ଦୁଷ୍ଟମାନଙ୍କୁ ମାରି ଦେଇପାରିବେ । ସେତିକି କରିବା ପାଇଁ ସେ ଅବତାର ଗ୍ରହଣ କରିବେ କାହିଁକି?
ଧର୍ମ ସଂସ୍ଥାପନ କରିବା - ବେଦରେ ଧର୍ମର ବର୍ଣ୍ଣନା ଅନାଦିକାଳୀନ ଅଟେ । ଭଗବାନ କୌଣସି ମହାତ୍ମାଙ୍କ ମାଧ୍ୟମରେ ଏହାର ପୁନର୍ସ୍ଥାପନ କରିପାରିବେ । ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ, ସେ ନିଜେ ସାକାର ରୂପରେ ଅବତରିତ ହେବାର ଆବଶ୍ୟକତା ନାହିଁ ।
ତାହେଲେ ଏହି ଶ୍ଲୋକରେ ଦିଆଯାଇଥିବା କାରଣ ଗୁଡ଼ିକୁ ଆମେ କେଉଁ ଦୃଷ୍ଟିରୁ ଗ୍ରହଣ କରିବା? ଚାଲନ୍ତୁ, ଆମେ ଶ୍ରୀକୃଷ୍ଣଙ୍କର ଏହି ଉକ୍ତିକୁ ଟିକିଏ ଗଭୀର ଭାବରେ ଅନୁଧ୍ୟାନ କରି ଏହାର ମର୍ମକୁ ବୁଝିବାକୁ ଚେଷ୍ଟା କରିବା ।
ଜୀବର ସବୁଠାରୁ ବଡ଼ ଧର୍ମ ହେଉଛି, ଭଗବାନଙ୍କ ଭକ୍ତି । ଭଗବାନ ଅବତାର ଗ୍ରହଣ କରି ଏହାକୁ ସୁଦୃଢ଼ କରନ୍ତି । ଯେତେବେଳେ ଭଗବାନ ଆବିର୍ଭାବ ହୁଅନ୍ତି, ସେ ତାଙ୍କର ଦିବ୍ୟ ରୂପ, ନାମ, ଗୁଣ, ଲୀଳା, ଧାମ ଏବଂ ପରିକରମାନଙ୍କୁ ପ୍ରକଟ କରିଥାନ୍ତି । ଏହା ଜୀବକୁ ଭକ୍ତି କରିବା ପାଇଁ ଏକ ସହଜ ଆଧାର ପ୍ରଦାନ କରେ, ଯେହେତୁ ମନ ଭକ୍ତି କରିବା ପାଇଁ ଏକ ସାକାର ରୂପ ଆବଶ୍ୟକ କରେ । ଭଗବାନଙ୍କ ନିରାକାର ରୂପର ଉପାସନା କରିବା ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ; ଅନ୍ୟ ପକ୍ଷରେ, ସାକାର ରୂପର ଭକ୍ତି ଜନସାଧାରଣଙ୍କ ପାଇଁ ସହଜ ବୋଧଗମ୍ୟ ଏବଂ ମନ ଲଗାଇବା ପାଇଁ ସହଜ ଓ ମଧୁର ହୋଇଥାଏ ।
ପରିଣାମ ସ୍ୱରୂପ, ପ୍ରାୟ ୫୦୦୦ବର୍ଷ ପୂର୍ବେ ହୋଇଥିବା ଶ୍ରୀକୃଷ୍ଣଙ୍କ ଅବତାର ପର ଠାରୁ, କୋଟି କୋଟି ପ୍ରାଣୀ ତାଙ୍କର ଦିବ୍ୟ ଲୀଳାକୁ ସେମାନଙ୍କ ଭକ୍ତିର ଆଧାର କରି ସହଜରେ ସେମାନଙ୍କର ମନକୁ ଶୁଦ୍ଧ କରିପାରିଛନ୍ତି । ସେହିପରି ରାମାୟଣ ମଧ୍ୟ ଅନେକ ଶତାବ୍ଦୀ ଧରି ଜୀବକୁ ଭକ୍ତିର ଏକ ଜନପ୍ରିୟ ମାଧ୍ୟମ ଦେଇ ଆସିଛି । ଜାତୀୟ ଦୂରଦର୍ଶନରେ ପ୍ରଥମେ ଯେତେବେଳେ ରବିବାର ସକାଳ ସମୟରେ ରାମାୟଣ ଧାରାବାହିକ ପ୍ରସାରିତ ହେଲା, ସେତେବେଳେ ଭାରତର ସମସ୍ତ ରାସ୍ତାଘାଟ ଶୁନ୍ଶାନ୍ ହୋଇଯାଉଥିଲା । ପ୍ରଭୁ ରାମଙ୍କର ଲୀଳା ଏତେ ମଧୁର ଥିଲା ଯେ, ଏହାକୁ ଦେଖିବା ପାଇଁ ଲୋକମାନେ ତାଙ୍କର ଟେଲିଭିଜନ୍ ପାଖରେ ଭିଡ ଜମାଉ ଥିଲେ । ଏହା ସୂଚିତ କରିଥାଏ କିପରି ଭାବରେ ପ୍ରଭୁ ରାମଙ୍କର ଅବତାର ଇତିହାସରେ କୋଟି କୋଟି ପ୍ରାଣୀଙ୍କୁ ଭକ୍ତିର ଆଧାର ଦେଇଥିଲା ।
ରାମ ଏକ ତାପସ ତିୟ ତାରୀ, ନାମ କୋଟି ଖଳ କୁମତି ସୁଧାରୀ ।
“ରାମ ତାଙ୍କ ଅବତାର ସମୟରେ କେବଳ ଅହଲ୍ୟାଙ୍କୁ ଉଦ୍ଧାର କରିଥିଲେ (ଋଷି ଗୌତମଙ୍କ ସ୍ତ୍ରୀ, ଯାହାକୁ ଭଗବାନ ରାମ ପ୍ରସ୍ତର ଦେହରୁ ଉଦ୍ଧାର କରିଥିଲେ) । କିନ୍ତୁ ତା’ ପରଠାରୁ ପ୍ରଭୁଙ୍କର ଦିବ୍ୟ ନାମ ‘ରାମ’ ଜପକରି, କୋଟି କୋଟି ପତିତ ଆତ୍ମା ନିଜର ଉଦ୍ଧାର କରିଛନ୍ତି ।” ତେଣୁ ଏହି ଶ୍ଲୋକର ଗଭୀର ଅର୍ଥ ଅଟେ:
ଧର୍ମ ସଂସ୍ଥାପନ କରିବା- ଭକ୍ତି ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରିବା ପାଇଁ ଜୀବକୁ ନିଜର ନାମ, ରୂପ, ଲୀଳା, ଗୁଣ, ଧାମ ଓ ପରିକର ଆଦି ପ୍ରଦାନ କରି ଭକ୍ତି ଧର୍ମ ସ୍ଥାପନ କରିବା ଉଦ୍ଦେଶ୍ୟରେ ଭଗବାନ ଅବତାର ଗ୍ରହଣ କରନ୍ତି ।
ଦୁଷ୍ଟମାନଙ୍କୁ ବିନାଶ କରିବା- ଭଗବାନଙ୍କ ଲୀଳାରେ ସହଯୋଗ କରିବା ପାଇଁ, କେତେକ ମୁକ୍ତ ଆତ୍ମା ଭଗବାନଙ୍କ ସହିତ ଅବତରିତ ହୋଇ ଦୁଷ୍ଟ ହେବାର ଛଳନା କରନ୍ତି । ଉଦାହରଣ ସ୍ୱରୂପ, ରାବଣ ଓ କୁମ୍ଭକର୍ଣ୍ଣ ବାସ୍ତବରେ ଜୟ ଓ ବିଜୟ ଥିଲେ, ଯେଉଁମାନେ ଭଗବାନଙ୍କ ଦିବ୍ୟଲୋକରୁ ଅବତରିତ ହୋଇଥିଲେ । ସେମାନେ ରାକ୍ଷସ ହେବାର ଅଭିନୟ ସହ ରାମଙ୍କର ବିରୋଧ କରି ତାଙ୍କ ସହିତ ଯୁଦ୍ଧ କରିଥିଲେ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସେମାନେ ନିହତ ହୋଇ ନ ଥାନ୍ତେ, କାରଣ ସେମାନ ଦିବ୍ୟ ପୁରୁଷ ଥିଲେ । ତେଣୁ ଭଗବାନ ତାଙ୍କ ଲୀଳାର ଅଂଶ ଭାବରେ ଏହି ରାକ୍ଷସମାନଙ୍କୁ ବଧ କରିଥିଲେ । ତାଙ୍କୁ ବଧ କରିସାରି ସେମାନଙ୍କୁ ତାଙ୍କର ଦିବ୍ୟଧାମକୁ ପ୍ରେରିତ କରିଥିଲେ, ଯେଉଁଠାରୁ ସେମାନେ ଆସିଥିଲେ ।
ସନ୍ଥମାନଙ୍କୁ ରକ୍ଷା କରିବା- ଅନେକ ଜୀବାତ୍ମା ସାଧନା ଦ୍ୱାରା ନିଜକୁ ଯଥେଷ୍ଟ ଉଚ୍ଚସ୍ତରକୁ ନେଇଯାଇ ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବାର ଯୋଗ୍ୟତା ହାସଲ କରିଥାଆନ୍ତି । ଯେତେବେଳେ ଶ୍ରୀକୃଷ୍ଣ ସଂସାରରେ ଅବତାର ନେଇଥିଲେ, ଏହିପରି ଅଧିକାରୀ ଜୀବମାନେ ତାଙ୍କର ଦିବ୍ୟ ଲୀଳାରେ ଅଂଶଗ୍ରହଣ କରିବାକୁ ପ୍ରଥମେ ସୁଯୋଗ ପାଇଥିଲେ । ଉଦାହରଣ ସ୍ୱରୂପ, କେତେକ ଗୋପୀ (ବୃନ୍ଦାବନର ଗୋପାଳୁଣୀମାନେ, ଯେଉଁଠାରେ ଶ୍ରୀକୃଷ୍ଣ ନିଜର ଦିବ୍ୟ ଲୀଳା ପ୍ରକଟ କରିଥିଲେ) ଜୀବନ ମୁକ୍ତ ଆତ୍ମା ଥିଲେ, ଯେଉଁମାନେ ଦିବ୍ୟଧାମରୁ ଶ୍ରୀକୃଷ୍ଣଙ୍କ ଲୀଳାରେ ସହଯୋଗ କରିବାକୁ ଅବତରିତ ହୋଇଥିଲେ । ଅନ୍ୟ ଗୋପୀମାନେ ମାୟାବଦ୍ଧ ଜୀବ ଥିଲେ, ଯେଉଁମାନେ ପ୍ରଥମ ଥର ପାଇଁ ଭଗବାନଙ୍କ ଦର୍ଶନ ଓ ସେବା କରିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ଲୀଳାରେ ଅଂଶଗ୍ରହଣ କରିଥିଲେ । ତେଣୁ ଯେତେବେଳେ ଶ୍ରୀକୃଷ୍ଣ ଅବତାର ନେଇଥିଲେ, କେତେକ ଅଧିକାରୀ ଜୀବ ପ୍ରତ୍ୟକ୍ଷ ରୂପରେ ତାଙ୍କ ଲୀଳାରେ ଯୋଗ ଦେଇ ତାଙ୍କ ଭକ୍ତିକୁ ପରିପୂର୍ଣ୍ଣ କରିବାର ସୁଯୋଗ ପ୍ରାପ୍ତ କରିଥିଲେ ।
ଏହା ହିଁ ଏହି ଶ୍ଲୋକର ଗୁଢ଼ ଅର୍ଥ ଅଟେ । ତଥାପି ଏହି ଶ୍ଲୋକର ଶାବ୍ଦିକ ଓ ରୂପକୀୟ ଅର୍ଥକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ଚାହିଁଲେ ଏଥିରେ କିଛି ଭୁଲ ନାହିଁ ।