Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 10

ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯଃ ।
ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ।।୧୦।।

ବ୍ରହ୍ମଣି - ଭଗବାନ; ଆଧାୟ - ଅର୍ପଣ କରି; କର୍ମାଣି - ସମସ୍ତ କର୍ମ; ସଙ୍ଗଂ -ଆସକ୍ତି; ତ୍ୟକ୍ତ୍ୱା- ତ୍ୟାଗକରି; କରୋତି-କରେ; ଯଃ-ଯିଏ; ଲିପ୍ୟତେ - ଲିପ୍ତ ହୁଏ; ନ -ନାହିଁ; ସ -ସେ; ପାପେନ- ପାପରେ; ପଦ୍ମପତ୍ରଂ -ପଦ୍ମପତ୍ର; ଇବ-ପରି; ଅମ୍ଭସା - ଜଳରେ ।

Translation

BG 5.10: ଯେଉଁମାନେ ଆସକ୍ତି ରହିତ ହୋଇ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ପଦ୍ମପତ୍ର ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ପାପ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ ।

Commentary

ଉଭୟ ହିନ୍ଦୁ ଏବଂ ବୌଦ୍ଧ ଶାସ୍ତ୍ର ମାନଙ୍କରେ ପଦ୍ମଫୁଲର ଅନେକ ଉପମା ଦିଆଯାଇଛି । ଭଗବାନଙ୍କ ଦିବ୍ୟ ଶରୀରର ବିଭିନ୍ନ ଅଙ୍ଗର ବର୍ଣ୍ଣନା କଲାବେଳେ ଏହି ଶବ୍ଦଟିକୁ ସମ୍ମାନସୂଚକ ଉପାଧି ଭାବରେ ପ୍ରୟୋଗ କରାଯାଇଥାଏ । ଚରଣ-କମଳ ଅର୍ଥ ‘ପଦ୍ମପରି ପାଦ’, କମଳେକ୍ଷଣ ଅର୍ଥ ‘ପଦ୍ମପରି ଚକ୍ଷୁ’, କର-କମଳ ଅର୍ଥ ‘ପଦ୍ମପରି ହସ୍ତ’ ଇତ୍ୟାଦି ।

ପଦ୍ମଫୁଲର ଅନ୍ୟ ଏକ ନାମ ହେଉଛି ପଙ୍କଜ, ଯାହାର ଅର୍ଥ ‘ପଙ୍କରୁ ଜାତ’ । ପଦ୍ମଫୁଲ ସରୋବରର ନିମ୍ନ ଦେଶରେ ଥିବା ପଙ୍କରୁ ଜନ୍ମ ହୁଏ, ତଥାପି ଏହା ଜଳ ଉପରକୁ ଆସି ସୂର୍ଯ୍ୟଙ୍କ ଅଭିମୁଖରେ ପ୍ରସ୍ଫୁଟିତ ହୋଇଥାଏ । ଆବର୍ଜନାରେ ଜାତ ହୋଇ ମଧ୍ୟ ଯିଏ ନିଜ ଶୁଦ୍ଧତାର ସୌନ୍ଦର୍ଯ୍ୟ ରକ୍ଷା କରିପାରନ୍ତି, ସେମାନଙ୍କ ପାଇଁ ସଂସ୍କୃତ ସାହିତ୍ୟରେ ଅନେକ ସମୟରେ ପଦ୍ମଫୁଲର ଉଦାହରଣ ଦିଆଯାଇଥାଏ ।

ପୁନଶ୍ଚ, ପଦ୍ମ ଲତାର ବଡ ବଡ଼ ପତ୍ର ଜଳର ଉପର ଭାଗରେ ଭାସମାନ ଅବସ୍ଥାରେ ରହିଥାଆନ୍ତି । ଭାରତର ଗାଁ-ଗହଳିରେ ପଦ୍ମପତ୍ର ଭୋଜନ ପାତ୍ର ଭାବରେ ବ୍ୟବହୃତ ହୋଇଥାଏ କାରଣ ଏହା ଜଳ ନିରୋଧକ ଅଟେ ଏବଂ ତରଳ ପଦାର୍ଥକୁ ଏହା ଶୋଷିନିଏ ନାହିଁ । ପଦ୍ମପତ୍ରର ବିଶେଷତ୍ୱ ଏହା ଯେ ଯଦିଓ ଏହାର ଜନ୍ମ, ବୃଦ୍ଧି ଏବଂ ପୋଷଣ ଜଳରେ ହୋଇଥାଏ, ତଥାପି ଏହା ଜଳ ଦ୍ୱାରା ଭିଜି ନ ଥାଏ ।  ପଦ୍ମପତ୍ର ଉପରେ ଜଳ ଢ଼ାଳିଲେ, ଏହାର ଉପର ଭାଗରେ ଥିବା ସୂକ୍ଷ୍ମ ଲୋମ ସାହାଯ୍ୟରେ ପାଣି ବାହାରକୁ ଚାଲିଯାଏ ।

ପଦ୍ମପତ୍ରର ସୁନ୍ଦର ଉପମା ଦେଇ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଏହା ସରୋବର ଉପରେ ଭାସୁଥିଲେ ମଧ୍ୟ ଜଳରେ ଭିଜି ନ ଥାଏ, ସେହିପରି କର୍ମଯୋଗୀମାନେ ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ପାପରେ ଲିପ୍ତ ହୁଅନ୍ତି ନାହିଁ କାରଣ ସେହି ସବୁ କର୍ମ ସେମାନେ ଦିବ୍ୟ ଚେତନା ଯୁକ୍ତ ହୋଇ କରିଥାନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!