Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 11

କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି
ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ ।।୧୧।।

କାୟେନ - ଶରୀରରେ; ମନସା -ମନରେ; ବୁଦ୍ଧ୍ୟା - ବୁଦ୍ଧିବଳରେ; କେବଳୈଃ - କେବଳ; ଇନ୍ଦ୍ରିୟୈଃ - ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ; ଅପି - ଏପରିକି; ଯୋଗିନଃ- ଯୋଗୀମାନେ; କର୍ମ-କର୍ମ; କୁର୍ବନ୍ତି -କରନ୍ତି; ସଙ୍ଗଂ -ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗକରି; ଆତ୍ମ-ଆତ୍ମା; ଶୁଦ୍ଧୟେ - ଶୁଦ୍ଧିକରଣ ନିମନ୍ତେ ।

Translation

BG 5.11: ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି ।

Commentary

ଯୋଗୀମାନେ ଏହା ହୃଦୟଙ୍ଗମ କରିଥାନ୍ତି ଯେ ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ ଭୌତିକ କାମନା ଚରିତାର୍ଥ କରିବାର ଚେଷ୍ଟା, ମରୁଭୂମିରେ ମରିଚିକା ପଛରେ ଧାଇଁବା ସଦୃଶ ଅଟେ । ସେଥିପାଇଁ ସେମାନେ ନିଜର ସ୍ୱାର୍ଥଜନିତ କାମନା ତ୍ୟାଗ କରିବା ସହ ସମସ୍ତ କର୍ମ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିଥାନ୍ତି । କାରଣ କେବଳ ଭଗବାନ ହିଁ ଭୋକ୍ତାରଂ ଯଜ୍ଞ ତପସାମ୍ (ସମସ୍ତ କର୍ମର ଅନ୍ତିମ ଉପଭୋକ୍ତା) ଅଟନ୍ତି । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏକ ଭିନ୍ନ ଦୃଷ୍ଟିକୋଣରୁ ସମର୍ପଣର ଉଦ୍ଦେଶ୍ୟ ନିରୂପଣ କରିଛନ୍ତି । ସେ କହୁଛନ୍ତି ଯେ, ସୁଜ୍ଞାନୀ ଯୋଗୀଗଣ ତାଙ୍କର ସମସ୍ତ କାର୍ଯ୍ୟ ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି । ତେଣୁ କର୍ମ ସବୁ ଭଗବାନଙ୍କୁ ଅର୍ପିତ ହୁଏ କିପରି?

ବାସ୍ତବରେ ଭଗବାନ ଆମ୍ଭମାନଙ୍କଠାରୁ କିଛି ଆବଶ୍ୟକ କରନ୍ତି ନାହିଁ । ସେ ସୃଷ୍ଟିର ପରମେଶ୍ୱର ଅଟନ୍ତି ଏବଂ ସେ ନିଜେ ସ୍ୱୟଂସମ୍ପୂର୍ଣ୍ଣ ତଥା ଅଟନ୍ତି । ଆମ୍ଭମାନଙ୍କ ପରି ଏକ କ୍ଷୁଦ୍ର ଜୀବ, ସର୍ବଶକ୍ତିମାନ ଭଗବାନଙ୍କୁ ଏପରି କେଉଁ ପଦାର୍ଥ ଦେଇ ପାରିବ, ଯାହା ତାଙ୍କ ପାଖରେ ନ ଥିବ? ତେଣୁ ଭଗବାନଙ୍କୁ କିଛି ଅର୍ପଣ କରିବାକୁ ଗଲାବେଳେ ଏପରି କହିବାର ଏକ ପ୍ରଥା ରହୀଛି, ତ୍ୱଦିୟଂ ବସ୍ତୁ ଗୋବିନ୍ଦ ତୁଭ୍ୟମେବ ସର୍ମପିତଂ, “ହେ ପ୍ରଭୁ, ତୁମରି ପଦାର୍ଥ ମୁଁ ତୁମକୁ ଅର୍ପଣ କରୁଛି ।” ଏହି ଭାବ ପ୍ରକଟ କରି ସନ୍ଥ ଯମୁନାଚାର୍ଯ୍ୟ କହୁଛନ୍ତି:

ମମ ନାଥ ଯଦ୍ ଅସ୍ତି ଯୋଽସ୍ମ୍ୟହଂ ସକଳମ୍ ତଦ୍ଧୀ ତବୈବ ମାଧବ
ନିୟତ-ସ୍ୱମ୍ ଇତି ପ୍ରବୁଦ୍ଧ-ଧୈର୍ ଅଥ ବା କିଂ ନୁ ସମର୍ପୟାମି ତେ । (ଶ୍ରୀ ସ୍ତୋତ୍ର ରତ୍ନ, ୫୦)

ହେ ଭଗବାନ ବିଷ୍ଣୁ, ହେ ସୌଭାଗ୍ୟ ଦେବୀଙ୍କର ସ୍ୱାମୀ! ମୁଁ ଯେତେବେଳେ ଅଜ୍ଞ ଥିଲି, ସେତେବେଳେ ଭାବୁଥିଲି ଯେ, ମୁଁ ଆପଣଙ୍କୁ ଅନେକ ପଦାର୍ଥ ପ୍ରଦାନ କରିବି । ବର୍ତ୍ତମାନ ମୁଁ ଯେତେବେଳେ ଜ୍ଞାନପ୍ରାପ୍ତ କଲି, ଜାଣିପାରୁଛି ଯେ, ମୋର ଯାହାବି ଅଛି ସେ ସବୁ ପୂର୍ବରୁ ହିଁ ଆପଣଙ୍କର ଅଟେ । ତେଣୁ ମୁଁ କ’ଣ ବା ଆପଣଙ୍କୁ ଦେଇପାରିବି?

କିନ୍ତୁ ଗୋଟିଏ କାର୍ଯ୍ୟ ଆମ ହାତରେ ଅଛି, ଯାହା ଭଗବାନଙ୍କ ହାତରେ ନାହିଁ, ତାହା ହେଉଛି ଅନ୍ତଃକରଣ (ମନ ଓ ବୁଦ୍ଧି) ଶୁଦ୍ଧି । ଭଗବାନଙ୍କର ଭକ୍ତି କରି ଆମେ ଯେତେବେଳେ ନିଜର ଅନ୍ତଃକରଣକୁ ଶୁଦ୍ଧ କରିନିଏ, ତାହା ଭଗବାନଙ୍କୁ ସର୍ବାଧିକ ସନ୍ତୁଷ୍ଟ କରିଥାଏ । ଏହା ହୃଦୟଙ୍ଗମ କରି, ମହାନ୍ ଯୋଗୀଗଣ ଅନ୍ତଃକରଣ ଶୁଦ୍ଧିକୁ ତାଙ୍କର ଚରମ ଲକ୍ଷ୍ୟ ଧାର୍ଯ୍ୟ କରିଥାଆନ୍ତି । ଏହା ସେମାନେ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ନ କରି ଭଗବତ୍ ପ୍ରୀତ୍ୟର୍ଥେ କରିଥାନ୍ତି ।

ଯୋଗୀମାନେ ବୁଝିପାରିଥାନ୍ତି ଯେ ନିଜର ଶୁଦ୍ଧ ହୃଦୟକୁ ଭଗବାନକୁ ଅର୍ପଣ କରିବା ସର୍ବଶ୍ରେଷ୍ଠ ଅର୍ପଣ ଅଟେ । ତେଣୁ ସେମାନେ ତାହା ହାସଲ କରିବାକୁ ଉଦ୍ୟମ କରିଥାନ୍ତି । ରାମାୟଣରେ ଏହି ସିଦ୍ଧାନ୍ତର ଏକ ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ଯୁଦ୍ଧ ପୂର୍ବରୁ ଭଗବାନ ରାମ ଲକ୍ଷ୍ୟ କଲେ ସୁଗ୍ରୀବ ଭୟଭୀତ ହୋଇପଡ଼ିଛନ୍ତି । ତାଙ୍କୁ ଆଶ୍ୱାସନା ଦେବା ପାଇଁ ସେ କହିଲେ:

ପିଶାଚାନ୍ ଦାନବାନ୍ ଯକ୍ଷାନ୍ ପୃଥିବ୍ୟାଂ ଚୈବ ରାକ୍ଷସାନ୍‌
ଅଙ୍ଗୁଗ୍ରେଣ ତାନ୍‌ହନ୍ୟା ମିଚ୍ଛନ୍ ହରୀ ଗଣେଶ୍ୱରଃ । (ବାଲ୍ମୀକି ରାମାୟଣ)

ଭଗବାନ ରାମ କହିଲେ, “ମୁଁ ପରଂବ୍ରହ୍ମ, ଯଦି କେବଳ ମୋ ବାମ ହସ୍ତର କନିଷ୍ଠ ଅଙ୍ଗୁଳିକୁ ଟିକିଏ ବଙ୍କା କରିଦେବି, ତେବେ ରାବଣ ଓ କୁମ୍ଭକର୍ଣ୍ଣଙ୍କ ସହିତ ସଂସାରର ସମସ୍ତ ରାକ୍ଷସ ମୃତ୍ୟୁ ବରଣ କରିବେ ।” ସୁଗ୍ରୀବ ଉତ୍ତର ଦେଲେ, “ଯଦି ତାହା ହୋଇଥାଏ, ହେ ପ୍ରଭୁ, ରାବଣକୁ ବଧ କରିବା ପାଇଁ, ଏତେ ବଡ଼ ସୈନ୍ୟ ବାହିନୀ ଏକତ୍ରିତ କରିବାର ଆବଶ୍ୟକତା କ’ଣ? ଭଗବାନ ଉତ୍ତର ଦେଲେ, “ଏହାର ଉଦ୍ଦେଶ୍ୟ କେବଳ ଆପଣମାନଙ୍କୁ  ଭକ୍ତିଯୁକ୍ତ ସେବା କରି ନିଜ ହୃଦୟ ଶୁଦ୍ଧ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବା । ଆପଣମାନେ ଏପରି ଭାବିବା ଉଚିତ୍ ନୁହେଁ ଯେ ଏହି ରାକ୍ଷସ ମାନଙ୍କୁ ସଂହାର କରିବା ପାଇଁ ମୁଁ ଆପଣମାନଙ୍କର ସହାୟତା ଆବଶ୍ୟକ କରେ ।”

ଆମ୍ଭେମାନେ ହାସଲ କରୁଥିବା ଶୁଦ୍ଧତା ହିଁ ଆମର ସ୍ଥାୟୀ ସମ୍ପତ୍ତି ଅଟେ । ଏହା ହିଁ ଆମ ସହିତ ପରଜନ୍ମ ପର୍ଯ୍ୟନ୍ତ ଯାଇଥାଏ, ଅନ୍ୟ ସମସ୍ତ ଭୌତିକ ସମ୍ପତ୍ତି ଏହିଠାରେ ରହିଯାଏ । ଅନ୍ତିମ ନିର୍ଣ୍ଣୟରେ, କେତେ ମାତ୍ରାର ହୃଦୟର ଶୁଦ୍ଧତା ଆମେ ହାସଲ କରି ପାରିଛେ, ତା’ ଉପରେ ଆମ ଜୀବନର ସଫଳତା ବା ବିଫଳତା ନିର୍ଭର କରିଥାଏ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଉଚ୍ଚକୋଟୀର ଯୋଗୀଗଣ ବିପରୀତ ପରିସ୍ଥିତିକୁ ସ୍ୱାଗତ କରିଥାନ୍ତି । ସେମାନେ ତାହାକୁ ନିଜ ହୃଦୟ ପବିତ୍ର କରିବାର ଏକ ସୁଯୋଗ ଭାବରେ ଦେଖିଥାନ୍ତି । ସନ୍ଥ ତୁଳସୀ ଦାସ କହନ୍ତି:

ନିନ୍ଦକ ନିୟରେ ରାଖିୟେ ଆଙ୍ଗନ କୁଟି ଛବାୟ
ନିତ ସାବୁନ ପାନୀ ବିନା ନିର୍ମଲ କରେ ସୁଭାୟ ।

“ତୁମେ ଯଦି ଅତି ଶୀଘ୍ର ନିଜର ହୃଦୟକୁ  ନିର୍ମଳ କରିବାକୁ ଇଚ୍ଛା କରୁଥାଅ, ତେବେ ତୁମର ନିନ୍ଦାଗାନ କରୁଥିବା ବ୍ୟକ୍ତିର ସଂଗ କର । ତାଙ୍କର କଟୁବାକ୍ୟ ସହ୍ୟ କରି ତୁମ ହୃଦୟ ପାଣି ଓ ସାବୁନ ବିନା ନିର୍ମଳ ହୋଇଯିବ ।” ଅତଏବ, ଯେତେବେଳେ ଅନ୍ତଃକରଣ ଶୁଦ୍ଧି ଆମ ଜୀବନର ଚରମ ଲକ୍ଷ୍ୟ ହୋଇଯିବ, ପ୍ରତିକୂଳ ପରିସ୍ଥିତିକୁ ଆମେ ପ୍ରଗତି ପାଇଁ ଭଗବାନଙ୍କ ଦ୍ୱାରା ପ୍ରେରିତ ସୁଯୋଗ ଭାବରେ ସ୍ୱାଗତ କରିବା ଏବଂ ସଫଳ ଓ ବିଫଳତାରେ ସମଭାବାପନ୍ନ ରହିବା । ଭଗବାନଙ୍କର ସୁଖ ପାଇଁ କର୍ମ କରିବା ଦ୍ୱାରା ହୃଦୟ ଶୁଦ୍ଧ ହୋଇଥାଏ ଏବଂ ହୃଦୟ ଶୁଦ୍ଧ ହେବା ଫଳରେ ସ୍ୱାଭାବିକ ଭାବରେ ଆମର ସମସ୍ତ କର୍ମର ଫଳ ଭଗବାନଙ୍କୁ ଅର୍ପିତ ହୋଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!