ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି ।
ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।।୧୮।।
ବିଦ୍ୟା- ଜ୍ଞାନ; ବିନୟ -ବିନୟଭାବ; ସମ୍ପନ୍ନେ - ସମ୍ପନ୍ନ ହୋଇ; ବ୍ରାହ୍ମଣେ - ବ୍ରାହ୍ମଣଙ୍କଠାରେ; ଗବି -ଗାଭୀଠାରେ; ହସ୍ତିନି- ହାତୀଠାରେ, ଶୁନି- କୁକୁରଠାରେ; ଚ-ଏବଂ; ଏବ-ନିଶ୍ଚିତଭାବେ; ଶ୍ୱପାକେ- କୁକୁରମାଂସ ଭୋଜୀ ଚଣ୍ଡାଳଠାରେ; ଚ-ଏବଂ; ପଣ୍ଡିତାଃ - ଜ୍ଞାନୀମାନେ; ସମଦର୍ଶିନଃ - ସମାନ ଦୃଷ୍ଟିରେ ଦେଖନ୍ତି ।
BG 5.18: ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।
ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି ।
ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।।୧୮।।
ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯେତେବେଳେ ଆମେ କୌଣସି ବସ୍ତୁକୁ ଜ୍ଞାନର ଦୃଷ୍ଟିକୋଣରୁ ଉପଲବ୍ଧି କରିଥାଉ, ତାହାକୁ ପ୍ରଜ୍ଞା ଚକ୍ଷୁ କୁହାଯାଏ, ଅର୍ଥାତ୍ “ଜ୍ଞାନର ଚକ୍ଷୁରେ” । ଶ୍ରୀକୃଷ୍ଣ ବିଦ୍ୟା ସମ୍ପନ୍ନେ ଶବ୍ଦ ସେହି ଅର୍ଥରେ ବ୍ୟବହାର କରିଛନ୍ତି, କିନ୍ତୁ ତା’ ସହିତ ସେ ବିନୟ ଶବ୍ଦ ମଧ୍ୟ ଯୋଡ଼ିଛନ୍ତି, ଅର୍ଥାତ୍ ଦିବ୍ୟ ଜ୍ଞାନ ବିନୟ ଭାବ ଉତ୍ପନ୍ନ କରିଥାଏ । କିନ୍ତୁ ସ୍ୱଳ୍ପ ପୁସ୍ତକଗତ ଜ୍ଞାନ ବିଦ୍ୱତ୍ତାର ଗର୍ବ ଉତ୍ପନ୍ନ କରିଥାଏ ।
ଦିବ୍ୟ ଜ୍ଞାନ ଆମକୁ ଯେଉଁ ଦୃଷ୍ଟି ପ୍ରଦାନ କରିଥାଏ, ତାହା କିପରି ଭାବରେ ଶାରୀରିକ ଦୃଷ୍ଟି ଠାରୁ ଭିନ୍ନ, ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାହା ଦର୍ଶାଇଛନ୍ତି । ସେହି ଜ୍ଞାନରେ ସମ୍ପନ୍ନ ହୋଇ, ଭକ୍ତ ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କର ଅଂଶ ଏବଂ ସେହି ଦୃଷ୍ଟିରୁ ଦିବ୍ୟଗୁଣଯୁକ୍ତ ଭାବରେ ଦେଖିଥାଆନ୍ତି । ଶ୍ରୀକୃଷ୍ଣ ଦେଇଥିବା ଉଦାହରଣ ସବୁ ପୂର୍ଣ୍ଣ ବିଷମତା ଯୁକ୍ତ ପ୍ରାଣୀ ମାନଙ୍କର ଅଟେ । ଜଣେ ବେଦଜ୍ଞ ବ୍ରାହ୍ମଣଙ୍କୁ ସମ୍ମାନ ଦିଆଯାଉଥିବା ସ୍ଥଳେ, ଜଣେ କୁକୁର ମାଂସଭୋଜୀକୁ ଘୃଣା କରାଯାଇଥାଏ । ଗାଈଠାରୁ ମନୁଷ୍ୟର ଖାଦ୍ୟ ରୂପେ ଦୁଗ୍ଧ ଦୋହନ କରାଯାଇଥାଏ, କିନ୍ତୁ କୁକୁର ଠାରୁ ନୁହେଁ । ହସ୍ତୀକୁ ଉତ୍ସବର ଶୋଭାଯାତ୍ରାରେ ବ୍ୟବହାର କରାଯାଏ, କିନ୍ତୁ ଗାଈ ବା କୁକୁରକୁ ନୁହେଁ । ଶାରୀରିକ ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କ ମଧ୍ୟରେ ବହୁ ବିଷମତା ପରିଲକ୍ଷିତ ହୋଇଥାଏ । କିନ୍ତୁ ଦିବ୍ୟ ଜ୍ଞାନ ପ୍ରାପ୍ତ ଜଣେ ବାସ୍ତବିକ ଜ୍ଞାନୀ ସମସ୍ତଙ୍କୁ ଶାଶ୍ୱତ ଆତ୍ମା ରୂପରେ ଦେଖନ୍ତି, ତେଣୁ ସେମାନଙ୍କ ପ୍ରତି ସମଦର୍ଶୀ ଭାବ ପୋଷଣ କରନ୍ତି ।
ବ୍ରାହ୍ମଣମାନେ ଉଚ୍ଚଜାତି ବିଶିଷ୍ଟ ଏବଂ ଶୂଦ୍ରମାନେ ନୀଚ ଜାତିର - ଏହି ମତକୁ ବେଦ ସମର୍ଥନ କରେ ନାହିଁ । ଯଦିଓ ବ୍ରାହ୍ମଣମାନେ ପୂଜାଦି କର୍ମ କରିଥାନ୍ତି, କ୍ଷତ୍ରିୟମାନେ ସମାଜକୁ ଶାସନ କରିଥାନ୍ତି, ବୈଶ୍ୟମାନେ ବ୍ୟବସାୟ କରିଥାନ୍ତି ଏବଂ ଶୂଦ୍ରମାନେ ଶ୍ରମରେ ନିଯୁକ୍ତ ଥାନ୍ତି, ଜ୍ଞାନ ଦୃଷ୍ଟିରେ ସେମାନେ ସମସ୍ତେ ଚିରନ୍ତନ ଆତ୍ମା ଅଟନ୍ତି । ସେମାନେ ସମସ୍ତେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି, ତେଣୁ ସମସ୍ତେ ସମାନ ଅଟନ୍ତି ।