ଶ୍ରୀ ଭଗବାନୁବାଚ
ସଂନ୍ୟାସଃ କର୍ମଯୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍କର୍ମଯୋଗୋ ବିଶିଷ୍ୟତେ ।।୨।।
ଶ୍ରୀ ଭଗବାନ ଉବାଚ - ପରମ ପୁରୁଷ ଭଗବାନ କହିଲେ; ସଂନ୍ୟାସଃ - କର୍ମ ସନ୍ୟାସ; କର୍ମଯୋଗଃ - କର୍ମଯୋଗ; ଚ-ଏବଂ; ନିଃଶ୍ରେୟସକରୌ - ଅନ୍ତିମ ଲକ୍ଷ୍ୟର ପ୍ରାପ୍ତି କରାନ୍ତି; ଉଭୌ - ଉଭୟ; ତୟୋଃ - ଦୁଇଟି ମଧ୍ୟରେ; ତୁ-କିନ୍ତୁ; କର୍ମ-ସଂନ୍ୟାସାତ୍ -କର୍ମ ତ୍ୟାଗ ଅପେକ୍ଷା; କର୍ମଯୋଗଃ - ଭକ୍ତିଯୁକ୍ତ କର୍ମ; ବିଶିଷ୍ୟତେ - ଶ୍ରେୟସ୍କର ଅଟେ ।
BG 5.2: ପରମ ପୁରୁଷ ଭଗବାନ କହିଲେ: ଉଭୟ କର୍ମ ସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ କର୍ମସନ୍ୟାସ ଅପେକ୍ଷା ଶ୍ରେଷ୍ଠତର ଅଟେ ।
ଶ୍ରୀ ଭଗବାନୁବାଚ
ସଂନ୍ୟାସଃ କର୍ମଯୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍କର୍ମଯୋଗୋ ବିଶିଷ୍ୟତେ ।।୨।।
ପରମ ପୁରୁଷ ଭଗବାନ କହିଲେ: ଉଭୟ କର୍ମ ସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଏବଂ କର୍ମଯୋଗ ମଧ୍ୟରେ ତୁଳନା କରିଛନ୍ତି । ଏହା ଅତ୍ୟନ୍ତ ସାରଗର୍ଭକ ଶ୍ଲୋକ ଅଟେ । ଆସନ୍ତୁ ଏହାର ପ୍ରତ୍ୟେକ ଶବ୍ଦକୁ ବୁଝିବା ।
‘କର୍ମଯୋଗୀ’ ଉଭୟ ଆଧ୍ୟାତ୍ମିକ ଏବଂ ଲୌକିକ କର୍ତ୍ତବ୍ୟ ପାଳନ କରନ୍ତି । ଶରୀର ଦ୍ୱାରା ଲୌକିକ କର୍ମ କରିବା ସହିତ ସେମାନେ ମନକୁ ଭଗବାନଙ୍କ ସଂଯୁକ୍ତ ରଖି ଥାଆନ୍ତି । ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହୁଛନ୍ତି:
ସୋଚୁ ମନ ୟହ କର୍ମ ମମ ସବ, ଲଖତ ହରି ଗୁରୁ ପ୍ୟାରେ (ସାଧନ ଭକ୍ତି ତତ୍ତ୍ୱ)
ପ୍ରିୟ ସାଧକ! ସର୍ବଦା ଏପରି ମନେକର ଯେ ତୁମର ସମସ୍ତ କାର୍ଯ୍ୟକୁ ଭଗବାନ ଓ ଗୁରୁ ନିରୀକ୍ଷଣ କରୁଛନ୍ତି । ଏହା କର୍ମଯୋଗ ସାଧନା ଅଟେ, ଯଦ୍ୱାରା ଆମେ ନିଜକୁ ଶାରୀରିକ ଚେତନାରୁ କ୍ରମଶଃ ଆଧ୍ୟାତ୍ମିକ ଚେତନା ସ୍ତରକୁ ଉନ୍ନୀତ କରିଥାଏ ।
କର୍ମସନ୍ୟାସ ସେହି ଉଚ୍ଚ କକ୍ଷର ଜୀବମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଶାରୀରିକ ସ୍ତରରୁ ଊର୍ଦ୍ଧ୍ୱକୁ ଉଠିସାରି ଥାଆନ୍ତି । କର୍ମ ସନ୍ୟାସୀ ସେ ଅଟନ୍ତି, ଯିଏ ଭଗବାନଙ୍କ ଠାରେ ପୂର୍ଣ୍ଣ ତଲ୍ଲୀନ ରହିଥିବା କାରଣରୁ ଲୌକିକ କର୍ତ୍ତବ୍ୟକୁ ତ୍ୟାଗ କରିଥାଆନ୍ତି ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟରେ (ଭଗବାନଙ୍କ ଭକ୍ତିଯୁକ୍ତ ସେବାରେ) ପୂର୍ଣ୍ଣ ନିମଗ୍ନ ରହନ୍ତି । ଭଗବାନ ରାମ ଯେତେବେଳେ ଲକ୍ଷ୍ମଣଙ୍କୁ ସାଂସାରିକ କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ, ସେତେବେଳେ ଲକ୍ଷ୍ମଣ ଯେଉଁ ଉତ୍ତର ଦେଇଥିଲେ, ତାହା କର୍ମ ସନ୍ୟାସର ଏହି ଚିନ୍ତାଧାରାକୁ ସ୍ପଷ୍ଟ କରିଥାଏ ।
ମୋରେ ସବଇ ଏକ ତୁମ ସ୍ୱାମୀ, ଦୀନବନ୍ଧୁ ଉର ଅନ୍ତରଯାମୀ । (ରାମାୟଣ)
ଲକ୍ଷ୍ମଣ ରାମଙ୍କୁ କହୁଛନ୍ତି, “ଆପଣ ହିଁ ମୋର ସ୍ୱାମୀ, ପିତା, ମାତା, ସଖା ଏବଂ ସବୁକିଛି । ମୁଁ ମୋର ପୂର୍ଣ୍ଣ ସାମର୍ଥ୍ୟ ସହିତ କେବଳ ଆପଣଙ୍କ ପ୍ରତି ହିଁ କର୍ତ୍ତବ୍ୟ ପାଳନ କରିବି । ଦୟାକରି ମୋତେ ମୋର ଶାରୀରିକ କର୍ତ୍ତବ୍ୟ ପାଳନ କରିବାକୁ କହନ୍ତୁ ନାହିଁ ।
ଯେଉଁମାନେ କର୍ମ ସନ୍ନ୍ୟାସର ସାଧନା କରନ୍ତି, ସେମାନେ ନିଜକୁ ଶରୀର ମନେ କରନ୍ତି ନାହିଁ, ସେଥିପାଇଁ ଦୈହିକ କର୍ତ୍ତବ୍ୟ ପାଳନ କରିବାକୁ ସେମାନେ ବାଧ୍ୟ ମନେ କରନ୍ତି ନାହିଁ । ଏପରି କର୍ମ ସନ୍ନ୍ୟାସୀ ମାନେ ସେମାନଙ୍କର ସମସ୍ତ ସମୟ ଏବଂ ସାମର୍ଥ୍ୟ ଆଧ୍ୟାତ୍ମିକ କର୍ମରେ ବିନିଯୋଗ କରନ୍ତି, କିନ୍ତୁ କର୍ମଯୋଗୀମାନଙ୍କୁ ସେମାନଙ୍କର ସମୟ ସାଂସାରିକ ଏବଂ ଆଧ୍ୟାତ୍ମିକ କର୍ମ ମଧ୍ୟରେ ବାଣ୍ଟିବାକୁ ପଡ଼ିଥାଏ । ତେଣୁ କର୍ମସନ୍ନ୍ୟାସୀମାନେ ଦ୍ରୁତ ବେଗରେ ଭଗବାନଙ୍କ ଅଭିମୁଖରେ ଅଗ୍ରସର ହୁଅନ୍ତି, ଅଥଚ କର୍ମଯୋଗୀମାନେ ସାମାଜିକ କର୍ତ୍ତବ୍ୟରେ ଛନ୍ଦି ହୋଇଯାଇ ଥାଆନ୍ତି ।
ତଥାପି ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମଯୋଗର ଉଚ୍ଚ ପ୍ରଶଂସା କରି କର୍ମସନ୍ନ୍ୟାସ ଅପେକ୍ଷା ଅଧିକ ପସନ୍ଦଯୋଗ୍ୟ ମାର୍ଗ ଭାବରେ ଅର୍ଜୁନଙ୍କୁ ଏହା ସୁପାରିଶ କରୁଛନ୍ତି । କାରଣ କର୍ମସନ୍ନ୍ୟାସୀମାନେ ସର୍ବଦା ଗୋଟିଏ ବିପଦର ସମ୍ମୁଖୀନ ହୋଇଥାଆନ୍ତି । କର୍ତ୍ତବ୍ୟ ତ୍ୟାଗ କରି ସେମାନେ ଯଦି ନିଜର ମନକୁ ଭଗବାନଙ୍କଠାରେ ପୂର୍ଣ୍ଣ ନିମଗ୍ନ କରି ନ ପାରିବେ, ତେବେ ସେମାନେ କୌଣସି କୂଳର ହେବେ ନାହିଁ । ଭାରତରେ ଏପରି ହଜାର ହଜାର ସାଧୁ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନଙ୍କର ବୈରାଗ୍ୟ ଜାତ ହୋଇଛି ଏବଂ ସେଥିପାଇଁ ସଂସାର ତ୍ୟାଗ କରିଦିଅନ୍ତି । କିନ୍ତୁ ତାଙ୍କର ମନ ଭଗବାନଙ୍କ ଠାରେ ଅନୁରକ୍ତ ହୋଇ ନ ଥାଏ । ପରିଣାମ ସ୍ୱରୂପ, ସେମାନେ ଆଧ୍ୟାତ୍ମିକ କ୍ଷେତ୍ରର ଦିବ୍ୟ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ । ତେଣୁ ଭିକ୍ଷୁମାନଙ୍କ ପରି ଗୈରିକ ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ସେମାନେ ନିଶାଗ୍ରସ୍ତ ହୋଇ ପାପପୂର୍ଣ୍ଣ କର୍ମରେ ଲିପ୍ତ ରହନ୍ତି । କେବଳ ଅଜ୍ଞବ୍ୟକ୍ତିମାନେ ହିଁ ‘ଆଳସ୍ୟ’କୁ ‘ସଂସାର ବୈରାଗ୍ୟ’ ଭାବିବାର ଭୁଲ କରିଥାନ୍ତି ।
ଅନ୍ୟ ପକ୍ଷରେ କର୍ମଯୋଗୀମାନେ ଉଭୟ ସାଂସାରିକ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟ କରିଥାଆନ୍ତି । ତେଣୁ ଯଦି ଅବା ତାଙ୍କର ମନ ଆଧ୍ୟାତ୍ମିକତାରୁ ବିମୁଖ ହୋଇଯିବ, ତାଙ୍କ ପାଖରେ ସାଂସାରିକ କର୍ମର ବଳ ତ ନିଶ୍ଚୟ ରହିବ । ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କର୍ମଯୋଗ ଏକ ସୁରକ୍ଷିତ ମାର୍ଗ ହୋଇଥିବା ବେଳେ କର୍ମସନ୍ୟାସ କେବଳ ଜଣେ ଦକ୍ଷ ଗୁରୁଙ୍କର ତତ୍ତ୍ୱାବଧାନରେ ଅନୁସରଣ କରାଯିବା ଉଚିତ ।