ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ ।
ଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୁଧଃ ।।୨୨।।
ଯେ-ଯେଉଁମାନେ; ହି - ନିଶ୍ଚିତଭାବେ; ସଂସ୍ପର୍ଶଜାଃ - ଇନ୍ଦ୍ରିୟ ସଂସ୍ପର୍ଶଦ୍ୱାରା ଜାତ; ଭୋଗାଃ - ସୁଖ; ଦୁଃଖ-ଦୁଃଖର; ଯୋନୟଃ -ମୂଳ;ଏବ -ନିଶ୍ଚିତଭାବେ; ତେ- ସେମାନେ; ଆଦି ଅନ୍ତବନ୍ତଃ - ଯାହାର ଆରମ୍ଭ ଏବଂ ଶେଷ ଥାଏ; କୌନ୍ତେୟ - ହେ କୁନ୍ତିପୁତ୍ର; ନ -କେବେ ନୁହେଁ; ତେଷୁ - ସେଗୁଡ଼ିକରେ; ରମତେ - ଆନନ୍ଦିତ ହୁଏ; ବୁଧଃ - ବୁଦ୍ଧିମାନ ବ୍ୟକ୍ତି ।
BG 5.22: ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସଂସ୍ପର୍ଶରେ ଉପୁଜୁଥିବା ସୁଖ, ଭୌତିକ ଚେତନାଯୁକ୍ତ ବ୍ୟକ୍ତିଙ୍କୁ ସୁଖଦାୟକ ମନେ ହେଉଥିଲେ ମଧ୍ୟ, ବାସ୍ତବରେ ସେ ସବୁ ଦୁଃଖର ଉତ୍ସ ଅଟନ୍ତି । ହେ କୁନ୍ତିପୁତ୍ର! ଏପରି ସୁଖର ଆରମ୍ଭ ଏବଂ ଅନ୍ତ ମଧ୍ୟ ରହିଛି । ତେଣୁ ଜ୍ଞାନୀମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ।
ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ ।
ଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୁଧଃ ।।୨୨।।
ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସଂସ୍ପର୍ଶରେ ଉପୁଜୁଥିବା ସୁଖ, ଭୌତିକ ଚେତନାଯୁକ୍ତ ବ୍ୟକ୍ତିଙ୍କୁ ସୁଖଦାୟକ ମନେ ହେଉଥିଲେ ମଧ୍ୟ, ବାସ୍ତବରେ ସେ ସବୁ ଦୁଃଖର ଉତ୍ସ ଅଟନ୍ତି । …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଇନ୍ଦ୍ରିୟମାନେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ସଂସ୍ପର୍ଶରେ ଆସି ସୁଖର ଅନୁଭୂତି କରାଇଥାନ୍ତି । ମନ, ଯାହାକୁ ଷଷ୍ଠ ଇନ୍ଦ୍ରିୟ ମଧ୍ୟ କୁହାଯାଏ, ସମ୍ମାନ, ପ୍ରଶଂସା, ପରିସ୍ଥିତି, ସଫଳତା ଇତ୍ୟାଦିରୁ ସୁଖ ଅନୁଭବ କରିଥାଏ । ଦେହ ଓ ମନର ଏହି ସୁଖାନୁଭୂତିକୁ ଭୋଗ (ଭୌତିକ ଆନନ୍ଦ) କୁହାଯାଏ । ଏହିସବୁ ସାଂସାରିକ ସୁଖ ନିମ୍ନଲିଖିତ କାରଣ ଯୋଗୁଁ, ଆତ୍ମାକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ:
୧. ସାଂସାରିକ ସୁଖର ମାତ୍ରା ସୀମିତ ଅଟେ, ତେଣୁ ସେଥିରେ ଅସମ୍ପୂର୍ଣ୍ଣତାର ଭାବ ଅନ୍ତର୍ନିହିତ ଥାଏ । ଜଣେ ବ୍ୟକ୍ତି କୋଟିପତି ହେଲେ ଆନନ୍ଦିତ ହୋଇପାରନ୍ତି, କିନ୍ତୁ ଜଣେ ଅରବପତିକୁ ଦେଖି ଅସନ୍ତୁଷ୍ଟ ହୋଇ ଚିନ୍ତାକରନ୍ତି, “ଯଦି ମୋ ପାଖରେ ବି ଏକ ଅରବ ଥାନ୍ତା, ତେବେ ମୁଁ ମଧ୍ୟ ସୁଖୀ ହୋଇପାରନ୍ତି ।” ଅପର ପକ୍ଷରେ, ଭଗବାନଙ୍କର ଆନନ୍ଦ ଅସୀମ ଅଟେ, ତେଣୁ ଏହା ପୂର୍ଣ୍ଣ ସନ୍ତୋଷ ଦେଇଥାଏ ।
୨.ସାଂସାରିକ ସୁଖ କ୍ଷଣସ୍ଥାୟୀ । ଥରେ ସମାପ୍ତ ହୋଇଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦୁଃଖର ଅନୁଭୂତି କରାଇଥାଏ । ଉଦାହରଣ ସ୍ୱରୂପ, ଜଣେ ମଦ୍ୟପ ରାତ୍ରିରେ ମଦ୍ୟପାନର ଆନନ୍ଦ ଉଠାଇଥାଏ, କିନ୍ତୁ ପ୍ରଭାତରେ ତା’ର ପ୍ରଭାବରେ ସେ ତୀବ୍ର ମୁଣ୍ଡବ୍ୟଥା ଅନୁଭବ କରିଥାଏ । କିନ୍ତୁ ଭଗବାନଙ୍କର ଆନନ୍ଦ ନିତ୍ୟ ଅଟେ, ଥରେ ପ୍ରାପ୍ତ ହେଲେ ତାହା ଚିରନ୍ତନ ହୋଇଯାଏ ।
୩.ସାଂସାରିକ ସୁଖ ଜଡ଼ ଅଟେ ଏବଂ ତାହା କ୍ରମାଗତ ଭାବେ କ୍ଷୟ ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଚଳଚିତ୍ରକୁ ପ୍ରଥମ ଥର ପାଇଁ ଦେଖନ୍ତି, ସେ ବିଭୋର ହୋଇଯାଆନ୍ତି । କିନ୍ତୁ ତାଙ୍କୁ ଯଦି କୌଣସି ବନ୍ଧୁଙ୍କ ସହିତ ସେହି ଚଳଚିତ୍ରକୁ ଦ୍ୱିତୀୟ ଥର ଦେଖିବାକୁ ପଡ଼େ, ତାଙ୍କର ଆନନ୍ଦ ହ୍ରାସ ପାଇଥାଏ ଏବଂ ଯଦି ଦ୍ୱିତୀୟ ବନ୍ଧୁ ତାଙ୍କୁ ସେହି ଚଳଚିତ୍ର ତୃତୀୟ ଥର ପାଇଁ ଦେଖିବାକୁ ଜିଦ୍ କରନ୍ତି, ତେବେ ସେ କୁହନ୍ତି, “ମୋତେ ଅନ୍ୟ କୌଣସି ଶାସ୍ତି ଦେଇଦିଅ, କିନ୍ତୁ ସେହି ଚଳଚିତ୍ରକୁ ପୁଣି ଥରେ ଦେଖିବାକୁ କୁହ ନାହିଁ ।” ମାୟିକ ବସ୍ତୁର ସୁଖ ସର୍ବଦା କ୍ଷୀଣ ହେବାରେ ଲାଗିଥାଏ । ଅର୍ଥଶାସ୍ତ୍ରରେ ଏହାର ପରିଭାଷା “ହ୍ରାସମାନ ଉପଯୋଗୀତାର ନିୟମ” ଭାବେ କରାଯାଇ ଥାଏ । କିନ୍ତୁ ଭଗବାନଙ୍କର ଆନନ୍ଦ ଚୈତନ୍ୟ ଅଟେ; ଏହା ସତ୍-ଚିତ୍-ଆନନ୍ଦ ଅଟେ । ସେଥିପାଇଁ ଜଣେ ଦିନସାରା ସେହି ଗୋଟିଏ ଦିବ୍ୟନାମ ଜପ କଲେ ମଧ୍ୟ, ନିତ୍ୟ-ନୂତନ ଭକ୍ତିମୟ ସନ୍ତୋଷ ଅନୁଭବ କରିଥାଏ ।
ସୁସ୍ୱାଦୁ ମିଷ୍ଟାନ୍ନର ରସାସ୍ୱାଦନ କରୁଥିବା ଜଣେ ବିଚାରଶୀଳ ବ୍ୟକ୍ତି ତାହାକୁ ପରିତ୍ୟାଗ କରି କାଦୁଅ ଭକ୍ଷଣ କରିବାକୁ କେବେ ବି ରାଜି ହେବେ ନାହିଁ । ସେହିପରି ଯେତେବେଳେ ଜଣେ ବ୍ୟକ୍ତି ଦିବ୍ୟ ଆନନ୍ଦ ଉପଭୋଗ କରିବାରେ ଲାଗନ୍ତି, ତାଙ୍କର ମନ ମାୟିକ ସୁଖ ପ୍ରତି ସମସ୍ତ ଆଗ୍ରହ ହରାଇବା ସ୍ୱାଭାବିକ । ଯେଉଁମାନଙ୍କର ବିଚାରଣ ଶକ୍ତି ଥାଏ, ସେମାନେ ସାଂସାରିକ ସୁଖର ଉପରୋକ୍ତ ତିନୋଟି ଦୋଷକୁ ବୁଝି ଇନ୍ଦ୍ରିୟମାନଙ୍କୁ ସେଥିରୁ କ୍ଷାନ୍ତ ରଖନ୍ତି । ଶ୍ରୀକୃଷ୍ଣ ଏହାକୁ ପରବର୍ତ୍ତୀ ଶ୍ଲୋକରେ ସ୍ପଷ୍ଟ କରିଛନ୍ତି ।