ସାଂଖ୍ୟଯୋଗୌ ପୃଥଗ୍ବାଳାଃ ପ୍ରବଦନ୍ତି ନ ପଣ୍ଡିତାଃ ।
ଏକମପ୍ୟାସ୍ଥିତଃ ସମ୍ୟଗୁଭୟୋର୍ବିନ୍ଦତେ ଫଳମ୍ ।।୪।।
ସାଂଖ୍ୟ-କର୍ମ ତ୍ୟାଗ; ଯୋଗୌ- କର୍ମଯୋଗ; ପୃଥକ୍- ପୃଥକ; ବାଳାଃ - ଅଜ୍ଞ ବ୍ୟକ୍ତି; ପ୍ରବଦନ୍ତି -କୁହନ୍ତି; ନ-ନୁହେଁ; ପଣ୍ଡିତାଃ -ପଣ୍ଡିତମାନେ; ଏକଂ- ଗୋଟିକରେ; ଅପି- ଯଦିଓ; ଆସ୍ଥିତଃ - ସ୍ଥିତ ରହି; ସମ୍ୟକ୍-ସମ୍ପୂର୍ଣ୍ଣ; ଉଭୟୋଃ - ଉଭୟର; ବିନ୍ଦତେ - ହାସଲ କରେ; ଫଳମ୍ -ଫଳ ।
BG 5.4: କେବଳ ଅଜ୍ଞ ବ୍ୟକ୍ତିମାନେ ହିଁ ସାଂଖ୍ୟ (କର୍ମତ୍ୟାଗ ବା କର୍ମସନ୍ନ୍ୟାସ ) ଏବଂ କର୍ମଯୋଗ (କର୍ମ ସହିତ ଭକ୍ତି)କୁ ପୃଥକ କହିଥାଆନ୍ତି । ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ କହନ୍ତି, ଦୁଇଟିରୁ ଯେ କୌଣସି ଗୋଟିଏ ମାର୍ଗ ଅନୁସରଣ କଲେ ମଧ୍ୟ ଆମେ ଉଭୟର ଫଳ ପ୍ରାପ୍ତ କରି ପାରିବା ।
ସାଂଖ୍ୟଯୋଗୌ ପୃଥଗ୍ବାଳାଃ ପ୍ରବଦନ୍ତି ନ ପଣ୍ଡିତାଃ ।
ଏକମପ୍ୟାସ୍ଥିତଃ ସମ୍ୟଗୁଭୟୋର୍ବିନ୍ଦତେ ଫଳମ୍ ।।୪।।
କେବଳ ଅଜ୍ଞ ବ୍ୟକ୍ତିମାନେ ହିଁ ସାଂଖ୍ୟ (କର୍ମତ୍ୟାଗ ବା କର୍ମସନ୍ନ୍ୟାସ ) ଏବଂ କର୍ମଯୋଗ (କର୍ମ ସହିତ ଭକ୍ତି)କୁ ପୃଥକ କହିଥାଆନ୍ତି । ଯେଉଁମାନେ ପ୍ରକୃତ ଜ୍ଞାନୀ, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଏଠାରେ ସାଂଖ୍ୟ ଶବ୍ଦକୁ କର୍ମ ସନ୍ୟାସ ବା ଜ୍ଞାନ ଲାଭ ଦ୍ୱାରା କର୍ମତ୍ୟାଗ, ଅର୍ଥରେ ବ୍ୟବହାର କରିଛନ୍ତି । ଏଠରେ ଧ୍ୟାନ ଦେବା ଆବଶ୍ୟକ ଯେ ତ୍ୟାଗ ଦୁଇ ପ୍ରକାରର ଅଟେ; ଫଲ୍ଗୁ ବୈରାଗ୍ୟ ଏବଂ ଯୁକ୍ତ ବୈରାଗ୍ୟ । ଫଲ୍ଗୁ ବୈରାଗ୍ୟରେ ମନୁଷ୍ୟ ସଂସାରକୁ ଜଞ୍ଜାଳମୟ ମନେ କରିଥାଏ ଏବଂ ଦାୟିତ୍ୱ ଓ ଯାତନାରୁ ରକ୍ଷା ପାଇବା ପାଇଁ, ଏହାର ତ୍ୟାଗ କରିଦିଏ । ଅତଏବ, ଫଲ୍ଗୁ ବୈରାଗ୍ୟ ଏକ ପଳାୟନପନ୍ଥୀ ମନୋଭାବ ଅଟେ ଏବଂ ଏହା ଅସ୍ଥାୟୀ ଅଟେ । ଏପରି ବ୍ୟକ୍ତିଙ୍କର ତ୍ୟାଗ, ସମସ୍ୟାରୁ ଦୂରେଇଯିବାର ମନୋଭାବ ଉପରେ ଆଧାରିତ । ତେଣୁ ଆଧ୍ୟାତ୍ମିକ କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସେମାନେ ସେଠାରୁ ମଧ୍ୟ ଦୂରେଇ ଯାଇ ପୁନର୍ବାର ସଂସାରକୁ ଫେରିଯିବାର ଇଚ୍ଛା ପୋଷଣ କରନ୍ତି । ଯୁକ୍ତ ବୈରାଗ୍ୟରେ ବ୍ୟକ୍ତି ସଂସାରକୁ ଭଗବାନଙ୍କ ଶକ୍ତି ରୂପରେ ଦେଖନ୍ତି । ସେମାନଙ୍କ ପାଖରେ ଯାହାକିଛି ଥାଏ, ସେସବୁକୁ ସେମାନେ ତାଙ୍କ ନିଜର ଭାବନ୍ତି ନାହିଁ ଏବଂ ସେଗୁଡ଼ିକୁ ନିଜର ସୁଖ ପାଇଁ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ନାହିଁ । ତା ପରିବର୍ତ୍ତେ, ଭଗବାନଙ୍କ ଠାରୁ ସେମାନଙ୍କୁ ଯାହାକିଛି ମିଳିଥାଏ, ତଦ୍ୱାରା ସେମାନେ ଭଗବାନଙ୍କର ସେବା କରିବାକୁ ଇଚ୍ଛା କରିଥାଆନ୍ତି । ଯୁକ୍ତ ବୈରାଗ୍ୟ ସ୍ଥିର ଅଟେ ଏବଂ କୌଣସି ଅସୁବିଧାରେ ତାହା ବିଚଳିତ ହୁଏ ନାହିଁ ।
କର୍ମଯୋଗୀମାନେ, ବାହ୍ୟତଃ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ, ଭିତରେ ଯୁକ୍ତ ବୈରାଗ୍ୟ ବା ସ୍ଥାୟୀ ତ୍ୟାଗର ମନୋଭାବ ଉତ୍ପନ୍ନ କରିଥାନ୍ତି । ସେମାନେ ଭଗବାନଙ୍କୁ ସ୍ୱାମୀ ଏବଂ ନିଜକୁ ଦାସ ଭାବରେ ଦେଖିଥାନ୍ତି । ଏଣୁ ସେମାନେ ସର୍ବଦା ସେହି ସ୍ଥିତିରେ ରହି, ସବୁ କିଛିି ଭଗବାନଙ୍କ ପାଇଁ କରିଥାନ୍ତି । ସେଥିପାଇଁ ତାଙ୍କର ଆଭ୍ୟନ୍ତରୀଣ ସ୍ଥିତି କର୍ମସନ୍ୟାସୀଙ୍କ ପରି ହୋଇଯାଏ, ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଦିବ୍ୟ ଚେତନାରେ ନିମଗ୍ନ ରହିଥାଆନ୍ତି । ବାହ୍ୟ ଦୃଷ୍ଟିରୁ ସେମାନେ ସଂସାରୀ ବ୍ୟକ୍ତି ପରି ଜଣାପଡୁଥିଲେ ମଧ୍ୟ, ଅଭ୍ୟନ୍ତରରେ ସେମାନେ କୌଣସି ସନ୍ୟାସୀଙ୍କଠାରୁ କମ୍ ନୁହଁନ୍ତି । ପୁରାଣ ଏବଂ ଇତିହାସରେ, ଏପରି ଅନେକ ବଡ ବଡ ରାଜାଙ୍କର ଉଦାହରଣ ରହିଛି, ଯେଉଁମାନେ ରାଜକୀୟ ଐଶ୍ୱର୍ଯ୍ୟ ମଧ୍ୟରେ ରହି, ବାହ୍ୟ ରୂପରେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ, କିନ୍ତୁ ଅନ୍ତରରେ ଭଗବତ୍ ଚେତନାରେ ପୂର୍ଣ୍ଣ ନିମଗ୍ନ ରହୁଥିଲେ । ପ୍ରହ୍ଲାଦ, ଅମ୍ବରିଶ, ପୃଥୁ, ବିଭୀଷଣ, ଯୁଧିଷ୍ଠିର ଇତ୍ୟାଦି ଏହିପରି ଆଦର୍ଶ କର୍ମଯୋଗୀ ଥିଲେ । ଶ୍ରୀମଦ୍ ଭାଗବତମ୍ କହେ:
ଗୃହୀତ୍ୱାପୀନ୍ଦ୍ରିୟୈର୍ ଅର୍ଥାନ୍ ଯୋ ନ ଦ୍ୱେଷ୍ଟି ନ ହୃଷ୍ୟତି ।
ବିଷ୍ଣୋର୍ ମାୟାମ୍ ଇଦଂ ପଶ୍ୟନ୍ ସ ବୈ ଭାଗବତୋତ୍ତମଃ (୧୧.୨,୪୮)
“ଯେଉଁବ୍ୟକ୍ତି ଦିବ୍ୟ ଚେତନା ଯୁକ୍ତ ହୋଇ ସମସ୍ତ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁକୁ, ଭଗବାନଙ୍କର ଶକ୍ତି ଭାବରେ ଗ୍ରହଣ କରିଥାଏ, ସେଗୁଡ଼ିକ ପ୍ରତି ଆକର୍ଷିତ ହୁଏ ନାହିଁ କିମ୍ବା ସେସବୁର ତ୍ୟାଗ କରେ ନାହିଁ, ସେ ସର୍ବୋଚ୍ଚ ଭକ୍ତ ଅଟେ । ଅତଏବ, ଜଣେ ବାସ୍ତବିକ ଜ୍ଞାନୀ କର୍ମଯୋଗ ଏବଂ କର୍ମସନ୍ନ୍ୟାସ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ନ ଥାନ୍ତି । ତନ୍ମଧ୍ୟରୁ ଯେ କୌଣସି ଗୋଟିଏର ଅନୁସରଣ କରି ଉଭୟର ଫଳ ପ୍ରାପ୍ତ କରାଯାଇ ପାରେ ।