ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ ।
ଏକାକୀ ଯତଚିତ୍ତାତ୍ମା ନିରାଶୀରପରିଗ୍ରହଃ ।।୧୦।।
ଯୋଗୀ- ଜଣେ ଯୋଗୀ; ଯୁଞ୍ଜୀତ -ମନକୁ ଏକାଗ୍ର କରିବା ଆବଶ୍ୟକ; ସତତଂ - ସର୍ବଦା; ଆତ୍ମାନଂ - ନିଜକୁ (କାୟ-ମନୋ-ବାକ୍ୟରେ); ରହସି - ଏକାନ୍ତ ସ୍ଥାନରେ; ସ୍ଥିତଃ - ରହି; ଏକାକୀ - ଏକାକୀ; ଯତ-ଚିତ୍ତାତ୍ମା -ସଂଯତ ମନ ଏବଂ ଶରୀର; ନିରାଶୀଃ - କାମନା ରହିତ; ଅପରିଗ୍ରହଃ - ସଂଗ୍ରହ ଏବଂ ଉପଭୋଗର ଲାଳସାରୁ ମୁକ୍ତ ।
BG 6.10: ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ ବାସ କରି, ନିରନ୍ତର ଭଗବାନଙ୍କର ଧ୍ୟାନ କରିବା ଉଚିତ ।
ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ ।
ଏକାକୀ ଯତଚିତ୍ତାତ୍ମା ନିରାଶୀରପରିଗ୍ରହଃ ।।୧୦।।
ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯୋଗର ସ୍ଥିତିରେ ଉପନୀତ ବ୍ୟକ୍ତିଙ୍କର ଲକ୍ଷଣ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ଏହାର ପ୍ରାପ୍ତି ନିମନ୍ତେ ଆବଶ୍ୟକୀୟ ଆତ୍ମପ୍ରସ୍ତୁତି ବିଷୟରେ କହୁଛନ୍ତି । କୌଣସି କ୍ଷେତ୍ରରେ ନିପୁଣତା ହାସଲ କରିବା ପାଇଁ ଦୈନିକ ଅଭ୍ୟାସର ଆବଶ୍ୟକତା ରହିଥାଏ । ନିକଟସ୍ଥ ସନ୍ତରଣ ପୋଖରୀରେ, ସପ୍ତାହରେ ଥରେ ଶନିବାର ସଂଧ୍ୟାରେ ସନ୍ତରଣ କରି କୌଣସି ବ୍ୟକ୍ତି ସନ୍ତରଣରେ ଅଲମ୍ପିକ ବିଜେତା ହୁଏନାହିଁ । କେବଳ ସେହି ବ୍ୟକ୍ତି ଯିଏ, ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରେ ସେ ଅଲମ୍ପିକ୍ ବିଜେତା ହେବାର ନିପୁଣତା ହାସଲ କରେ । ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଅଭ୍ୟାସ ଅତ୍ୟାବଶ୍ୟକ ଅଟେ । ଶ୍ରୀକୃଷ୍ଣ ବର୍ତ୍ତମାନ, ଆଧ୍ୟାତ୍ମିକ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିବା ନିମନ୍ତେ ପ୍ରତ୍ୟେକ ଦିନ ଧ୍ୟାନ ଅଭ୍ୟାସ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସର୍ବପ୍ରଥମେ ସେ ଏକାନ୍ତ ସ୍ଥାନର ଆବଶ୍ୟକତା ସମ୍ପର୍କରେ କହୁଛନ୍ତି । ଦିନସାରା, ଆମେ ସାଧାରଣତଃ ସାଂସାରିକ ପରିବେଶରେ ରହିଥାଏ ଯେଉଁଠି ସାଂସାରିକ କାର୍ଯ୍ୟ, ବ୍ୟକ୍ତି ଏବଂ କଥୋପକଥନ ଆମ ମନକୁ ଅଧିକ ସାଂସାରିକ କରିଦେଇ ଥାଆନ୍ତି । ମନକୁ ଭଗବତ୍ ଅଭିମୁଖୀ କରିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଆମକୁ ଏକାନ୍ତ ସାଧନା କରିବାକୁ ପଡିବ ।
କ୍ଷୀର ଓ ଜଳର ଉପମା ସାହାଯ୍ୟରେ ଏହି ତଥ୍ୟକୁ ଅଧିକ ସ୍ପଷ୍ଟ କରାଯାଇ ପାରେ । ଜଳ ମିଶ୍ରିତ କ୍ଷୀର ନିଜର ଅମିଶ୍ରିତ ଗୁଣ ରକ୍ଷା କରିପାରେ ନାହିଁ, କାରଣ ଜଳ ସ୍ୱାଭାବିକ ଭାବେ ଏଥିରେ ମିଶିଯାଏ । କିନ୍ତୁ ସେହି କ୍ଷୀରକୁ ଯଦି ଜଳ ଠାରୁ ଅଲଗା ରଖି ଦହିରେ ପରିଣତ କରାଯାଏ ଏବଂ ଦହିକୁ ମନ୍ଥନ କରି ଲହୁଣୀ ବାହାର କରାଯାଏ, ତେବେ ସେହି ଲହୁଣୀ ପାଣିରେ ମିଶେ ନାହିଁ । ବର୍ତ୍ତମାନ ସେ ଜଳକୁ ଆହ୍ୱାନ କରିବ, “ମୁଁ ତୁମ ମୁଣ୍ଡ ଉପରେ ଭାସିବି; ତୁମେ ମୋର କିଛି କରିପାରିବ ନାହିଁ କାରଣ ମୁଁ ବର୍ତ୍ତମାନ ଲହୁଣୀ ପାଲଟି ଯାଇଛି ।” ଆମର ମନ କ୍ଷୀର ଏବଂ ସଂସାର ଜଳ ସଦୃଶ ଅଟେ । ସଂସାରର ସଂସ୍ପର୍ଶରେ ଆସି, ତା’ ଦ୍ୱାରା ପ୍ରଭାବିତ ହୋଇ ମନ ସାଂସାରିକ ହୋଇଯାଏ । କିନ୍ତୁ ଗୋଟିଏ ଏକାନ୍ତ ପରିବେଶ, ଇନ୍ଦ୍ରିୟମାନଙ୍କର ବିଷୟ ସଂସ୍ପର୍ଶରେ ଆସିବାର ସମ୍ଭାବନାକୁ କମ୍ କରିବା ସହିତ ମନକୁ ଉନ୍ନୀତ କରି ଭଗବାନଙ୍କଠାରେ କେନ୍ଦ୍ରିତ କରିବାରେ ସହାୟକ ହୋଇଥାଏ । ଭଗବାନଙ୍କ ପ୍ରତି ଆସକ୍ତି ଦୃଢ ହୋଇଯିବା ପରେ, ଜଣେ ସଂସାର ସହିତ ବାଜିି ଲଗାଇ ପାରେ, “ମୁଁ ବର୍ତ୍ତମାନ ମାୟାର ସମସ୍ତ ଦ୍ୱୈତ ମଧ୍ୟରେ ରହି ସେମାନଙ୍କ ଦ୍ୱାରା ଅସ୍ପୃଶ୍ୟ ରହିବି ।”
ଶ୍ଲୋକ ୧୮.୫୨ରେ ପୁନର୍ବାର ଶ୍ରୀକୃଷ୍ଣ ଏହି ଏକାନ୍ତବାସର ଉପଦେଶ ଦେବାକୁ ଯାଇ କହୁଛନ୍ତି; ବିବିକ୍ତ ସେବୀ ଲଘ୍ୱାଶୀ “ଏକାନ୍ତ ସ୍ଥାନରେ ବାସ କର, ତୁମର ଖାଦ୍ୟକୁ ସଂଯମିତ କର ।” ଆମର ବୃତ୍ତିଗତ ଏବଂ ସାମାଜିକ କାର୍ଯ୍ୟରେ ବାଧା ଉତ୍ପନ୍ନ ନ କରି, ଏହି ଉପଦେଶକୁ କାର୍ଯ୍ୟକାରୀ କରିବାର ଏକ ସହଜ ଉପାୟ ରହିଛି । ଆମର ଦୈନନ୍ଦିନ ସମୟ ସାରଣୀରେ, ଆମେ ସାଧନା ବା ଆଧ୍ୟାତ୍ମିକ ଅଧ୍ୟବସାୟ ପାଇଁ କିଛି ସମୟ ରଖିପାରିବା, ଯେତେବେଳେ ଆମେ ସାଂସାରିକ ବ୍ୟସ୍ତତାରୁ ମୁକ୍ତ ହୋଇ, ଗୋଟିଏ କୋଠରୀରେ ଏକାନ୍ତ ସାଧନା କରିପାରିବା । ସଂସାରରୁ ନିଜକୁ ହଟାଇ ନେଇ, ମନକୁ ପବିତ୍ର କରିବା ପାଇଁ ଏବଂ ଭଗବାନଙ୍କ ଠାରେ ଆମର ଏକାଗ୍ରତାକୁ ଦୃଢ଼ କରିବା ପାଇଁ, ଆମେ ସେଠାରେ ସାଧନା କରିବା ଉଚିତ । ପ୍ରତିଦିନ ଆମେ ଯଦି ଘଣ୍ଟାଏ ବା ଦୁଇଘଣ୍ଟା ଏହିପରି ଅଭ୍ୟାସ କରିବା, ତେବେ ପୂରା ଦିନ ସାଂସାରିକ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ଆମେ ଏହାର ସୁଫଳ ପାଇବା । ଏହିପରି ଭାବରେ, ସଂସାରଠାରୁ ପୃଥକ ରହି ଦୈନିକ କିଛି ସମୟ ସାଧନା କରିବା ଦ୍ୱାରା ଆମେ ଚେତନାର ଉଚ୍ଚ ଅବସ୍ଥାରେ ସ୍ଥିତ ହୋଇପାରିବା ।