ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଳମସ୍ଥିରମ୍ ।
ତତସ୍ତତୋ ନିୟମ୍ୟୈତଦାତ୍ମନ୍ୟେବ ବଶଂ ନୟେତ୍ ।।୨୬।।
ଯତୋ ଯତୋ - ଯେତେବେଳେ, ଯେଉଁଠାରେ; ନିଶ୍ଚଳତି - ବିଚଳିତ ହୁଏ; ମନଃ -ମନ; ଚଞ୍ଚଳଂ - ଚଞ୍ଚଳ; ଅସ୍ଥିରଂ - ଅସ୍ଥିର; ତତଃ ତତଃ -ବାରମ୍ବାର; ନିୟମ୍ୟ - ନିୟନ୍ତ୍ରିତ କରି; ଏତତ୍ - ଏହାକୁ; ଆତ୍ମନି - ପରମାତ୍ମାଙ୍କ ଠାରେ; ଏବ - ନିଶ୍ଚିତଭାବେ; ବଶଂ - ଅଧୀନ; ନୟେତ୍ - ଆଣିବା ଉଚିତ୍ ।
BG 6.26: ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।
ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଳମସ୍ଥିରମ୍ ।
ତତସ୍ତତୋ ନିୟମ୍ୟୈତଦାତ୍ମନ୍ୟେବ ବଶଂ ନୟେତ୍ ।।୨୬।।
ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଧ୍ୟାନରେ ସଫଳତା ଗୋଟିଏ ଦିନରେ ମିଳି ନ ଥାଏ । ସଫଳତାର ପଥ ଦୀର୍ଘ ଏବଂ କଠିନ ଅଟେ । ଧ୍ୟାନରେ, ଆମେ ଯେତେବେଳେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରିବାକୁ ଚେଷ୍ଟା କରେ, ଆମେ ଅନୁଭବ କରିଥାଏ ଯେ ଅଧିକାଂଶତଃ ମନ ସାଂସାରିକ ସଂକଳ୍ପ-ବିକଳ୍ପ ଅଭିମୁଖରେ ଧାଇଁବାରେ ଲାଗେ । ଏଣୁ ଧ୍ୟାନ ପ୍ରକ୍ରିୟା ଅନ୍ତର୍ଗତ ତିନୋଟି ସୋପାନକୁ ବୁଝିବା ନିତାନ୍ତ ଆବଶ୍ୟକ ଅଟେ:
୧. ବୁଦ୍ଧିର ବିଚାର ଶକ୍ତି ଦ୍ୱାରା, ଆମେ ନିର୍ଣ୍ଣୟ କରେ ଯେ ସଂସାର ଆମର ଲକ୍ଷ୍ୟ ନୁହେଁ । ସୁତରାଂ, ଆମେ ବଳପୂର୍ବକ ମନକୁ ସଂସାରରୁ ହଟାଇଥାଏ । ଏଥିପାଇଁ ଉଦ୍ୟମ ଆବଶ୍ୟକ ।
୨. ପୁଣି ବିଚାର ଶକ୍ତି ଦ୍ୱାରା ଆମେ ହୃଦୟଙ୍ଗମ କରିଥାଏ ଯେ କେବଳ ଭଗବାନ ହିଁ ଆମର ଅଟନ୍ତି ଏବଂ ଭଗବତ୍ ପ୍ରାପ୍ତି ଆମର ଲକ୍ଷ୍ୟ ଅଟେ । ସୁତରାଂ, ଆମେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିଥାଏ । ଏଥିରେ ମଧ୍ୟ ଉଦ୍ୟମ ଆବଶ୍ୟକ ।
୩. ମନ ଭଗବାନଙ୍କଠାରୁ ହଟିଯାଇ ସଂସାର ଅଭିମୁଖରେ ଧାବିତ ହୁଏ । ଏଥିପାଇଁ କୌଣସି ଉଦ୍ୟମର ଆବଶ୍ୟକତା ନ ଥାଏ, ଏହା ସ୍ୱତଃ ହୋଇଥାଏ ।
ଯେତେବେଳେ ତୃତୀୟ ସୋପାନଟି ସ୍ୱତଃ ଆସିଯାଏ, ସାଧକ ପ୍ରାୟତଃ ନିରୁତ୍ସାହିତ ହୋଇ ଭାବନ୍ତି, “ମୁଁ ଭଗବାନଙ୍କର ଧ୍ୟାନ କରିବାକୁ ଏତେ ଚେଷ୍ଟା କଲି, କିନ୍ତୁ ମନ ସଂସାରକୁ ଫେରିଗଲା?” ଶ୍ରୀକୃଷ୍ଣ ଆମକୁ ନିରାଶ ନ ହେବାକୁ କହୁଛନ୍ତି । ସେ କହୁଛନ୍ତି ଯେ ଆମର ମନ ଚଞ୍ଚଳ ଅଟେ ଏବଂ ତାହାକୁ ନିୟନ୍ତ୍ରଣ କରିବାର ଆମର ଶତ ଚେଷ୍ଟା ସତ୍ତ୍ୱେ, ଯାହା ପ୍ରତି ସେ ଆସକ୍ତ, ସେ ତାହା ପାଖକୁ ଚାଲିଯିବ । ତଥାପି ସେ ଯେତେବେଳେ ଇତସ୍ତତଃ ହୁଏ, ଆମେ ପୁନର୍ବାର ପ୍ରଥମ ଓ ଦ୍ୱିତୀୟ ସୋପାନର ପୁନରାବୃତ୍ତି କରିବା ଉଚିତ - ମନକୁ ସଂସାରରୁ ହଟାଇ ପୁଣି ଭଗବାନଙ୍କଠାରେ ଲଗାଇବା । ତାପରେ ବି ଯଦି ମନ ଭଗବାନଙ୍କ ଠାରୁ ହଟିଯାଏ, ଆମେ ନିରାଶ ନ ହୋଇ ପୁଣିଥରେ ପ୍ରଥମ ଓ ଦ୍ୱିତୀୟ ପଦକ୍ଷେପ ନେବା ଉଚିତ ।
ବାରମ୍ବାର ଆମେ ଏହାର ପୁନରାବୃତ୍ତି କରିବା ଆବଶ୍ୟକ । ତା’ପରେ ଧୀରେ ଧୀରେ ଭଗବାନଙ୍କ ପ୍ରତି ମନର ଆସକ୍ତି ଏବଂ ସଂସାର ପ୍ରତି ମନର ବୈରାଗ୍ୟ ବୃଦ୍ଧି ପାଇବାରେ ଲାଗିବ । ତଦ୍ୱାରା, ଧ୍ୟାନ କରିବା ଆମ ପାଇଁ ସହଜରୁ ସହଜତର ହୋଇଯିବ । କିନ୍ତୁ ପ୍ରାରମ୍ଭରେ, ମନକୁ ଶୃଙ୍ଖଳିତ କରିବା ପାଇଁ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।