Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 30

ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ।
ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣଶ୍ୟତି ।।୩୦।।

ଯୋ -ଯିଏ; ମାଂ -ମୋତେ; ପଶ୍ୟତି -ଦେଖେ ସର୍ବତ୍ର -ସବୁଠାରେ; ସର୍ବଂ -ସବୁ; ଚ -ଏବଂ; ମୟି -ମୋଠାରେ; ପଶ୍ୟତି - ଦେଖେ; ତସ୍ୟ -ତା’ପାଇଁ; ଅହଂ-ମୁଁ; ନ -ନାହିଁ; ପ୍ରଣଶ୍ୟାମି -ହଜିଯାଏ; ସଃ -ସେ; ଚ -ଏବଂ; ମେ- ମୋତେ;ନ-ନାହିଁ; ପ୍ରଣଶ୍ୟତି- ହଜିଯାଏ ।

Translation

BG 6.30: ଯେଉଁମାନେ ମୋତେ ସର୍ବତ୍ର ଦେଖନ୍ତି ଏବଂ ସମସ୍ତ ବସ୍ତୁକୁ ମୋ ମଧ୍ୟରେ ଦେଖନ୍ତି, ମୁଁ ତାଙ୍କଠାରୁ ହଜିଯାଏ ନାହିଁ କିମ୍ବା ସେମାନେ ମୋ ଠାରୁ ହଜିଯାଆନ୍ତି ନାହିଁ ।

Commentary

ଭଗବାନଙ୍କୁ ହରାଇବା ଅର୍ଥ, ମନ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବା ଏବଂ ତାଙ୍କ ସହିତ ରହିବା, ଅର୍ଥ ମନକୁ ତାଙ୍କ ସହିତ ସଂଲଗ୍ନ ରଖିବା । ଭଗବାନଙ୍କଠାରେ ମନ ଲଗାଇବାର ଏକ ସହଜ ଉପାୟ ହେଉଛି, ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିବା । ଧରି ନିଅନ୍ତୁ ଜଣେ ବ୍ୟକ୍ତି ଆମକୁ ଆଘାତ ଦେଲେ । ମନର ସ୍ୱଭାବ ଅନୁଯାୟୀ, ତାଙ୍କ ପ୍ରତି ଆମର ଦ୍ୱେଷ ବା ଘୃଣାଭାବ ଜାତ ହେବ । କିନ୍ତୁ ଯଦି ଆମେ ତାହା ହେବାକୁ ଦେବା, ତେବେ ଆମର ମନ ଦିବ୍ୟ ଜଗତରୁ ଫେରି ଆସିବ ଏବଂ ଭଗବାନଙ୍କ ସହିତ ମନର ଏକତ୍ୱ ଛିନ୍ନ ହୋଇଯିବ । ତା ପରିବର୍ତ୍ତେ, ଆମେ ଯଦି ତାଙ୍କ ହୃଦୟରେ ବସିଥିବା ଭଗବାନଙ୍କୁ ଦେଖି ଭାବିବା, “ଭଗବାନ ଏହି ବ୍ୟକ୍ତିଙ୍କ ମାଧ୍ୟମରେ ମୋତେ ପରୀକ୍ଷା କରୁଛନ୍ତି । ସେ ମୋର ସହନଶୀଳତା ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେଣୁ ସେ ଏହି ବ୍ୟକ୍ତିକୁ ମୋ ସହିତ ମନ୍ଦ ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି । କିନ୍ତୁ ମୁଁ ତଦ୍ୱାରା ବିଚଳିତ ହେବିନାହିଁ ।” ଏହିପରି ଚିନ୍ତନ ଦ୍ୱାରା, ଆମେ ନିଜର ମନକୁ ନକାରାତ୍ମକ ଭାବନାର ଶିକାର ହେବାରୁ ରକ୍ଷା କରିପାରିବା ।

ସେହିପରି, ବନ୍ଧୁ ବାନ୍ଧବଙ୍କ ପ୍ରତି ଆସକ୍ତ ହେବା ଦ୍ୱାରା ମଧ୍ୟ ଆମର ମନ ଭଗବାନଙ୍କଠାରୁ ବିଚ୍ଛିନ୍ନ ହୋଇଯାଏ । ସେ କ୍ଷେତ୍ରରେ, ଆମେ ଯଦି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିବାକୁ ମନକୁ ତାଲିମ ଦେଇପାରିବା, ତେବେ ଯାହା ପ୍ରତି ମନ ଆସକ୍ତ, ତାଙ୍କୁ ଦେଖି ଆମେ ଭାବିବା , “ଏହି ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଅଛନ୍ତି, ସେଥିପାଇଁ ମୁଁ ତାଙ୍କ ପ୍ରତି ଏହି ଆକର୍ଷଣ ଅନୁଭବ କରୁଛି ।” ଏହିପରି ଭାବରେ, ମନ ଭଗବାନଙ୍କ ଠାରେ ତା’ର ଭକ୍ତିଯୁକ୍ତ ତଲ୍ଲୀନତା ବଜାୟ ରଖିପାରିବ ।

ବେଳେବେଳେ, ଅତୀତର ଘଟଣାବଳୀକୁ ନେଇ ମନ ପଶ୍ଚାତାପ କରିଥାଏ । ଏହାଦ୍ୱାରା ମଧ୍ୟ ମନ ଦିବ୍ୟ ଜଗତରୁ ହଟି ଯାଇଥାଏ କାରଣ ପଶ୍ଚାତାପ ମନକୁ ଅତୀତକୁ ନେଇଯାଏ, ଯାହା ବର୍ତ୍ତମାନ ଆମେ ଗୁରୁ ଓ ଭଗବାନଙ୍କର ଯେଉଁ ଧ୍ୟାନ କରୁଥିଲେ, ସେଥିରେ ବାଧା ଉତ୍ପନ୍ନ କରିଥାଏ । ସେହି ଘଟଣାକୁ ଆମେ ଯଦି ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିବା, ତେବେ ଆମେ ଚିନ୍ତା କରିବା, “ପ୍ରଭୁ ଜାଣିଶୁଣି ଏପରି କରିଛନ୍ତି, ଯଦ୍ୱାରା ମୁଁ ସଂସାରରେ କଷ୍ଟ ଅନୁଭବ କରିବି, ଏବଂ ମୋର ବୈରାଗ୍ୟ ଜାତ ହେବ । ମୋର କଲ୍ୟାଣ ପାଇଁ ସେ ଏତେ ବ୍ୟାକୁଳ ଯେ ଦୟାପୂର୍ବକ ସେ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି, ଯାହା ମୋର ଆଧ୍ୟାତ୍ମିକ ପ୍ରଗତି ପାଇଁ ଲାଭଦାୟକ ଅଟେ ।” ଏହିପରି ଚିନ୍ତା କରିବା ଦ୍ୱାରା, ଆମେ ନିଜର ଭକ୍ତିନିଷ୍ଠା ରକ୍ଷା କରି ପାରିବା । ଦେବର୍ଷି ନାରଦ କହନ୍ତି:

ଲୋକହାନୌ ଚିନ୍ତା ନ କାର୍ଯ୍ୟା ନିବେଦିତାତ୍ମ ଲୋକବେଦତ୍ୱାତ୍ (ନାରଦ ଭକ୍ତି ଦର୍ଶନ ସୂତ୍ର-୬୧)

“ସଂସାରରେ ଯେତେବେଳେ ତୁମେ ବିପର୍ଯ୍ୟୟର ସମ୍ମୁଖୀନ ହୁଅ, ସେଥିପାଇଁ ପଶ୍ଚାତାପ ବା ଅନୁଶୋଚନା କରନାହିଁ । ସେହି ଘଟଣାରେ ଭଗବାନଙ୍କ ଅନୁକମ୍ପାର ଦର୍ଶନ କର ।” ଯେ କୌଣସି ପ୍ରକାରେ ଭଗବାନଙ୍କଠାରେ ମନକୁ ଲଗାଇ ରଖିବାରେ ଆମର ସ୍ୱାର୍ଥ ନିହିତ ରହିଛି ଏବଂ ଏହାର ଏକ ସହଜ ଉପାୟ ହେଉଛି ସର୍ବତ୍ର ଏବଂ ସମସ୍ତଙ୍କଠାରେ ଭଗବାନଙ୍କୁ ଦେଖିବା । ତାହା ଅଭ୍ୟାସର ଅବସ୍ଥା ଅଟେ, ଯାହାକି ଧୀରେ ଧୀରେ ନିପୁଣତା ଆଡକୁ ଅଗ୍ରସର ହୋଇଥାଏ । ଶ୍ଲୋକରେ ବର୍ଣ୍ଣିତ, “ଆମେ ଭଗବାନଙ୍କୁ ହରାଏ ନାହିଁ କି ଭଗବାନ ମଧ୍ୟ ଆମକୁ  ହରାନ୍ତି ନାହିଁ” ର ତାତ୍ପର୍ଯ୍ୟ ଏହା ହିଁ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!