ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।
ଆର୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।।୧୬।।
ଚତୁର୍ବିଧା- ଚାରିପ୍ରକାର; ଭଜନ୍ତେ - ଭଜନ କରନ୍ତି (ଭକ୍ତି କରନ୍ତି); ମାଂ - ମୋତେ; ଜନାଃ- ଲୋକମାନେ; ସୁକୃତିନଃ- ଯେଉଁମାନେ ଧାର୍ମିକ; ଅର୍ଜୁନ- ହେ ଅର୍ଜୁନ; ଆର୍ତଃ - ପୀଡ଼ିତ; ଜିଜ୍ଞାସୁଃ - ଜ୍ଞାନ ପିପାସୁ; ଅର୍ଥ-ଅର୍ଥୀ- ଯିଏ ଭୌତିକ ଲାଭ ଇଚ୍ଛାକରେ; ଜ୍ଞାନୀ - ଜ୍ଞାନଯୁକ୍ତ; ଚ- ଏବଂ; ଭରତର୍ଷଭ - ହେ ଭରତଶ୍ରେଷ୍ଠ ।
BG 7.16: ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ ।
ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।
ଆର୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।।୧୬।।
ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
କେଉଁ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ, ତାହା ବର୍ଣ୍ଣନା କରିବା ପରେ ଶ୍ରୀକୃଷ୍ଣ ବର୍ତ୍ତମାନ କେଉଁ ସ୍ୱଭାବର ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ତାହା ବର୍ଣ୍ଣନା କରିଛନ୍ତି ।
୧. ଦୁଃଖୀ ବ୍ୟକ୍ତି - କେତେକ ବ୍ୟକ୍ତିଙ୍କ ପାଇଁ ସଂସାରର କ୍ଲେଶ ଯେତେବେଳେ ଅତ୍ୟଧିକ ହୋଇଯାଏ, ସେମାନେ ଅନୁଭବ କରନ୍ତି ଯେ ସଂସାର ପଛରେ ଗୋଡ଼ାଇବା ନିରର୍ଥକ ଅଟେ; ତେଣୁ ଭଗବାନଙ୍କର ଶରଣ ଗ୍ରହଣ କରିବା ଶ୍ରେୟସ୍କର । ସେହିପରି ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସଂସାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହିଁ, ସେମାନେ ସୁରକ୍ଷା ପାଇଁ ଭଗବାନଙ୍କର ଅବଲମ୍ବନ ଗ୍ରହଣ କରିଥାଆନ୍ତି । ଦ୍ରୌପଦୀଙ୍କର ଶରଣାଗତି ଏହାର ଏକ ଉଦାହରଣ ଅଟେ । କୌରବମାନଙ୍କର ସଭାରେ ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା, ସେ ପ୍ରଥମେ ନିଜ ସ୍ୱାମୀମାନଙ୍କର ସହାୟତା ଲୋଡ଼ିଥିଲେ । ସେମାନେ ଯେତେବେଳେ ନୀରବ ରହିଲେ, ସେ ସଭାରେ ଉପସ୍ଥିତ ଗୁରୁଜନ - ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୀଷ୍ମ ଏବଂ ବିଦୁର ଆଦିଙ୍କର ସାହାଯ୍ୟ ଭିକ୍ଷା କରିଥିଲେ । ଯେତେବେଳେ ସେମାନେ ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କଲେ ନାହିଁ, ଦ୍ରୌପଦୀ ତାଙ୍କର ଶାଢ଼ୀକୁ ଦାନ୍ତରେ ଦବାଇ ରଖି, ନିଜେ ନିଜର ରକ୍ଷା କରିବାକୁ ଚେଷ୍ଟା କଲେ । ସେପର୍ଯ୍ୟନ୍ତ, ଦ୍ରୌପଦୀଙ୍କର ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଆସି ନ ଥିଲେ । ଶେଷରେ ଯେତେବେଳେ ଦୁଃଶାସନଙ୍କର ଏକ ଝଟକାରେ ଦ୍ରୌପଦୀଙ୍କ ଦାନ୍ତରୁ ବସ୍ତ୍ର ଖସିବାକୁ ଲାଗିଲା, ସେତେବେଳେ ଅନ୍ୟ ସବୁ ଅବଲମ୍ବ ତ୍ୟାଗ କରି ସେ ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣ ଶରଣାଗତ ହୋଇଗଲେ । ଶ୍ରୀକୃଷ୍ଣ ଅବିଳମ୍ବେ ତାଙ୍କୁ ସୁରକ୍ଷା ପ୍ରଦାନ କରି ତାଙ୍କ ଶାଢ଼ୀର ଦୈର୍ଘ୍ୟକୁ ବଢ଼ାଇ ଦେଇଥିଲେ । ଦୁଃଶାସନ ଯେତେ ଟାଣିଲେ ମଧ୍ୟ, ଦ୍ରୌପଦୀଙ୍କୁ ଉଲଗ୍ନ କରିବାର ବିଫଳ ହୋଇଥିଲା ।
୨. ଜ୍ଞାନ ପିପାସୁ - କେତେକ ବ୍ୟକ୍ତି ଜିଜ୍ଞାସାବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି । ସେମାନେ ଶୁଣିବାକୁ ପାଆନ୍ତି ଯେ ଅନେକ ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ୱର୍ଗୀୟ ସୁଖ ଅନୁଭବ କରିଥାଆନ୍ତି । ଏହା ସେମାନଙ୍କୁ ସେ ବିଷୟରେ ଅଧିକ ଜାଣିବାକୁ ଉତ୍ସୁକ କରେ । ନିଜର ଉତ୍ସୁକତାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଭଗବାନଙ୍କ ଅଭିମୁଖରେ ଯାଇଥାନ୍ତି ।
୩. ଭୌତିକ ଲାଭର ଅଭିଳାଷୀ - ଅନ୍ୟ ଏକ ଗୋଷ୍ଠୀର ବ୍ୟକ୍ତି ସେମାନଙ୍କର ଚାହିଦା ବିଷୟରେ ବେଶ୍ ସଚେତନ ଏବଂ ସେମାନେ ଏକଥା ମଧ୍ୟ ଜାଣିଥାନ୍ତି ଯେ କେବଳ ଭଗବାନ ହିଁ ତାଙ୍କୁ ଏସବୁ ପ୍ରଦାନ କରି ପାରିବେ । ତେଣୁ ସେମାନେ ଭଗବାନଙ୍କର ଆଶ୍ରୟ ଇଚ୍ଛାକରନ୍ତି । ଉଦାହରଣ ସ୍ୱରୂପ: ଧ୍ରୁବ, ତାଙ୍କ ପିତା ଉତ୍ତାନପାଦଙ୍କଠାରୁ ଅଧିକ ଶକ୍ତିଶାଳୀ ହେବା ପାଇଁ, ଭକ୍ତି କରିବାକୁ ଆରମ୍ଭ କରିଥିଲେ । ତାଙ୍କର ଭକ୍ତି ଯେତେବେଳେ ପରିପକ୍ୱ ହେଲା ଏବଂ ଶେଷରେ ଭଗବାନ ତାଙ୍କୁ ଦର୍ଶନ ଦେଲେ, ସେ ହୃଦୟଙ୍ଗମ କଲେ ଯେ ସେ ଯାହା ପାଇବାକୁ ଚାହୁଁଛନ୍ତି ତାହା, ଦିବ୍ୟପ୍ରେମରୂପୀ ଅମୂଲ୍ୟ ହୀରାର ଅଧିକାରୀଙ୍କ ଠାରୁ ଏକ କାଚଖଣ୍ଡ ମାଗିବା ସଦୃଶ ଅଟେ । ତାପରେ ତାଙ୍କୁ ବିଶୁଦ୍ଧ ନିଃଷ୍କାମ ଭକ୍ତି ପ୍ରଦାନ କରିବାକୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।
୪. ଜ୍ଞାନୀ - ଶେଷରେ, ସଂସାରରେ ଏପରି ଜୀବ ଅଛନ୍ତି, ଯେଉଁମାନେ ବୁଝି ପାରିଥାଆନ୍ତି ଯେ ସେମାନେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ଏବଂ ଭଗବାନଙ୍କୁ ପ୍ରେମ କରିବା ଏବଂ ଭକ୍ତି କରିବା ସେମାନଙ୍କର ସ୍ୱାଭାବିକ ନିତ୍ୟ ଧର୍ମ ଅଟେ ।
ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିପରି ଚାରି ପ୍ରକାରର ବ୍ୟକ୍ତି ତାଙ୍କର ଭକ୍ତି କରିଥାଆନ୍ତି ।