Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 19

ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍‌ମାଂ ପ୍ରପଦ୍ୟତେ ।
ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ ।।୧୯।।

ବହୂନାଂ - ଅନେକ; ଜନ୍ମନାଂ - ଜନ୍ମ; ଅନ୍ତେ-ପରେ; ଜ୍ଞାନବାନ୍ - ଯିଏ ଜ୍ଞାନ ପ୍ରାପ୍ତ କରିଛି; ମାଂ - ମୋତେ; ପ୍ରପଦ୍ୟତେ - ଶରଣରେ ଆସେ; ବାସୁଦେବଃ -ଶ୍ରୀକୃଷ୍ଣ; ସର୍ବମ୍ -ସବୁ; ଇତି -ଏହିପରି; ସ - ସେ; ମହାତ୍ମା- ମହାତ୍ମା; ସୁଦୁର୍ଲଭଃ - ଅତ୍ୟନ୍ତ ଦୁର୍ଲ୍ଲଭ ।

Translation

BG 7.19: ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।

Commentary

ଏହି ଶ୍ଲୋକଟି ଏକ ସାଧାରଣ ଭ୍ରାନ୍ତଧାରଣାକୁ ଦୂର କରିଥାଏ । ଅନେକ ସମୟରେ ବୁଦ୍ଧିପ୍ରଧାନ ବ୍ୟକ୍ତିମାନେ ଭକ୍ତିକୁ ଜ୍ଞାନଠାରୁ ନିମ୍ନସ୍ତରର ବିବେଚନା କରି ପରିହାସ କରିଥାନ୍ତି । ଜ୍ଞାନ ଅର୍ଜନରେ ନିୟୋଜିତ ରହିଥିବା କାରଣରୁ ଅହଂକାର ଯୁକ୍ତ ହୋଇ ସେମାନେ ଭକ୍ତି କରୁଥିବା ବ୍ୟକ୍ତିଙ୍କୁ ହେୟଜ୍ଞାନ କରିଥାନ୍ତି । କିନ୍ତୁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ପୂର୍ଣ୍ଣ ବିପରୀତ କହୁଛନ୍ତି । ସେ କହୁଛନ୍ତି ଯେ, ବହୁଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଜ୍ଞାନୀମାନଙ୍କର ଜ୍ଞାନ ଯେତେବେଳେ ପରିପକ୍ୱ ହୋଇଯାଏ, ସେତେବେଳେ ସର୍ବଶେଷରେ ସେମାନେ ଭଗବାନଙ୍କର ଶରଣାଗତ ହୋଇଥାଆନ୍ତି ।

ବାସ୍ତବରେ, ଜ୍ଞାନ ସ୍ୱାଭାବିକ ଭାବରେ ଭକ୍ତି କରାଇ ଥାଏ । ମନେ କରନ୍ତୁ, ଜଣେ ବ୍ୟକ୍ତି ସମୁଦ୍ର ତଟରେ ଭ୍ରମଣ କରୁଥିବା ସମୟରେ ବାଲି ଉପରୁ ମୁଦିଟିଏ ପାଇଲେ । ସେ ଏହାକୁ ଉଠାଇ ନେଲେ, କିନ୍ତୁ ତା’ର ମୂଲ୍ୟ ବିଷୟରେ ଧାରଣା ନ ଥିବାରୁ ସେ ଭାବିଲେ, ଏହା ଏକ ନକଲି ଗହଣା ହୋଇଥାଇପାରେ, ଯାହାର ମୂଲ୍ୟ ପଚାଶ ଟଙ୍କା ହୋଇଥିବ । ତା ପରଦିନ ସେ ଏକ ବଣିଆ ପାଖକୁ ଯାଇ ପଚାରିଲେ, “ଏହି ମୁଦିଟିର ମୂଲ୍ୟ କେତେ ହୋଇଥିବ?” ବଣିଆ ତାକୁ ପରୀକ୍ଷା କରି କହିଲା, “ଏହା ୨୨ କ୍ୟାରେଟ୍ ସୁନା ଅଟେ । ଏହାର ମୂଲ୍ୟ ଦଶହଜାର ଟଙ୍କା ହୋଇପାରେ ।” ଏହା ଶୁଣି, ମୁଦି ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ବଢ଼ିଗଲା । ବର୍ତ୍ତମାନ ସେ ସେହି ମୁଦିଟିକୁ ଦେଖି ଦଶହଜାର ଟଙ୍କା ପୁରସ୍କାର ପାଇବା ପରି ସୁଖ ଅନୁଭବ କଲେ ।

କିଛିଦିନ ପରେ ତାଙ୍କ ମାମୁଁ, ଯିଏକି ଜଣେ ଅଳଙ୍କାର ବ୍ୟାପାରୀ ଥିଲେ, ତାଙ୍କ ଘରକୁ ଆସିଲେ । ସେ ତାଙ୍କ ମାମୁଁଙ୍କୁ ପଚାରିଲେ “ଆପଣ ଏହି ମୁଦି ଏବଂ ଏଥିରେ ଖୋଦିତ ହୋଇଥିବା ପଥର ଗୁଡ଼ିକର ମୂଲ୍ୟାଙ୍କନ କରିପାରିବେ କି?” ମୁଦିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ସେ କହିଲେ, “ତୁମେ ଏହାକୁ କେଉଁଠାରୁ ପାଇଲ? ଏହା ଅସଲୀ ହୀରା ଅଟେ । ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ।” ବ୍ୟକ୍ତିଜଣକ ଖୁସୀରେ ଆତ୍ମହରା ହୋଇଉଠିଲେ । “ମାମୁଁ, ମୋତେ ଥଟ୍ଟା କରନ୍ତୁ ନାହିଁ ।” ମାମୁଁ କହିଲେ “ମୁଁ ଥଟ୍ଟା କରୁନାହିଁ । ତୁମେ ଯଦି ବିଶ୍ୱାସ କରୁନାହଁ, ତେବେ ତୁମେ ଏହାକୁ ଟ.୭୫,୦୦୦ଙ୍କାରେ ମୋତେ ବିକ୍ରି କରିଦିଅ ।” ମୁଦିର ସଠିକ୍ ମୂଲ୍ୟାଙ୍କନ ହୋଇଯିବା ପରେ, ତା’ ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ଆହୁରି ବଢ଼ିଗଲା । ନିଜକୁ ସେ ଏକ ପୁରସ୍କାର ବିଜେତା ପରି ଅନୁଭବ କଲେ, ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ଲକ୍ଷ୍ୟ କରନ୍ତୁ, ଜ୍ଞାନ ଅନୁପାତରେ କିପରି ପ୍ରେମ ବୃଦ୍ଧି ଲାଭ କରୁଛି । ଯେତେବେଳେ ସେ ଜାଣିଥିଲେ ଯେ ମୁଦିର ମୂଲ୍ୟ ମାତ୍ର ୫୦ଟଙ୍କା ହୋଇଥିବ, ସେତେବେଳେ ମୁଦିଟି ପ୍ରତି ତାଙ୍କ ହୃଦୟରେ କୌଣସି ପ୍ରେମଭାବ ନ ଥିଲା । ଯେତେବେଳେ ସେ ଜାଣିଲେ, ମୁଦିଟିର ମୂଲ୍ୟ ଦଶ ହଜାର ଟଙ୍କା ଅଟେ, ସେତେବେଳେ ମୁଦି ପ୍ରତି ତାଙ୍କ ହୃଦୟରେ ପ୍ରେମ ଜାତ ହେଲା । ପୁଣି ଯେତେବେଳେ ସେ ଜାଣିବାକୁ ପାଇଲେ, ମୁଦିର ମୂଲ୍ୟ ଟ.୧,୦୦,୦୦୦ ଟଙ୍କା, ସେତେବେଳେ ତାଙ୍କର ପ୍ରେମ ଚରମ ଉତ୍କର୍ଷତାକୁ ସ୍ପର୍ଶ କଲା ।

ଉପରୋକ୍ତ ଉଦାହରଣଟି ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ସମ୍ପର୍କକୁ ଦର୍ଶାଇଥାଏ । ରାମାୟଣ କହେ;

ଜାନେଁ ବିନୁ ନ ହୋଇ ପରତୀତୀ, ବିନୁ ପରତୀତୀ ହୋଇ ନହିଁ ପ୍ରୀତୀ ।

“ଜ୍ଞାନ ବିନା ବିଶ୍ୱାସ ଉତ୍ପନ୍ନ ହୁଏନାହିଁ ଏବଂ ବିନା ବିଶ୍ୱାସରେ ପ୍ରେମ ଉପୁଜିବ ନାହିଁ ।” ଅତଏବ, ବାସ୍ତବ ଜ୍ଞାନ ସହିତ ପ୍ରେମ ସ୍ୱାଭାବିକ ଭାବରେ ଆସିଥାଏ । ଯଦି ଆମେ କହିବା ଯେ ବ୍ରହ୍ମ ବିଷୟରେ ଆମର ଜ୍ଞାନ ଅଛି, କିନ୍ତୁ ଆମେ ତାଙ୍କ ପ୍ରତି ହୃଦୟରେ କୌଣସି ପ୍ରେମ ଅନୁଭବ କରୁନାହୁଁ, ତେବେ ଆମର ଜ୍ଞାନ କେବଳ ଶାବ୍ଦିକ ଜ୍ଞାନ ଅଟେ ।

ଏଠାରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ବହୁ ଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଯେତେବେଳେ ଜ୍ଞାନୀର ଜ୍ଞାନ ପରିପକ୍ୱ ହୋଇଯାଏ, ସେ ଭଗବାନଙ୍କୁ ହିଁ ସବୁକିଛି ଜାଣି, ତାଙ୍କର ଶରଣାଗତ ହୋଇଯାଏ । ଶ୍ଲୋକରେ ପୁଣି କୁହାଯାଇଛି ଯେ ଏପରି ମହାନ୍ ଆତ୍ମା ଅତ୍ୟନ୍ତ ଦୁର୍ଲଭ ଅଟନ୍ତି । କିନ୍ତୁ ଏହା ଜ୍ଞାନୀ, କର୍ମୀ, ହଟ-ଯୋଗୀ, ତପସ୍ୱୀ ଇତ୍ୟାଦିଙ୍କ ଉଦ୍ଦେଶ୍ୟରେ କୁହାଯାଇ ନାହିଁ । ଶ୍ରୀକୃଷ୍ଣ ଭକ୍ତମାନଙ୍କ ଉଦ୍ଦେଶ୍ୟରେ  ଏହା ଘୋଷଣା କରୁଛନ୍ତି ଯେ “ମୁଁ ହିଁ ସବୁକିଛି” ମୋର ଶରଣାଗତି କରୁଥିବା ଉଦ୍‌ବୁଦ୍ଧ ଆତ୍ମା ସଂସାରରେ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!