ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ ।
ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ବେତ୍ତି ତତ୍ତ୍ୱତଃ ।।୩।।
ମନୁଷ୍ୟାଣାଂ -ମନୁଷ୍ୟମାନଙ୍କ ମଧ୍ୟରେ; ସହସ୍ରେଷୁ - ହଜାର ହଜାର ; କଶ୍ଚିତ୍ -କେହି କେହି; ଯତତି - ଚେଷ୍ଟାକରନ୍ତି; ସିଦ୍ଧୟେ - ସିଦ୍ଧି ପ୍ରାପ୍ତ କରିବାକୁ; ଯତତାଂ - ଯେଉଁମାନେ ଚେଷ୍ଟା କରନ୍ତି, ସେମାନଙ୍କ ମଧ୍ୟରୁ; ଅପି -ମଧ୍ୟ; ସିଦ୍ଧାନାଂ - ଯେଉଁମାନେ ସିଦ୍ଧିଲାଭ କରିଛନ୍ତି, ସେମାନଙ୍କ ମଧ୍ୟରୁ; କଶ୍ଚିତ୍ - କେହି କେହି; ମାଂ- ମୋତେ; ବେତ୍ତି - ଜାଣନ୍ତି; ତତ୍ତ୍ୱତଃ - ଯଥାର୍ଥ ଭାବରେ ।
BG 7.3: ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ଯଥାର୍ଥରେ ମୋର ବାସ୍ତବ ସ୍ୱରୂପକୁ ଜାଣନ୍ତି ।
ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ ।
ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ବେତ୍ତି ତତ୍ତ୍ୱତଃ ।।୩।।
ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଲୋକରେ ‘ସିଦ୍ଧି’ ଶବ୍ଦଟି ପରିପୂର୍ଣ୍ଣତା ଅର୍ଥରେ ବ୍ୟବହାର କରାଯାଇଅଛି । ଏହି ଶବ୍ଦଟି ଅନେକ ସମବାଚୀ ଶବ୍ଦ ଓ ଅର୍ଥ ବହନ କରିଥାଏ । ସଂସ୍କୃତ ଅଭିଧାନ ଅନୁସାରେ ଏହାର କେତୋଟି ଅର୍ଥ ହେଲା: ଅଲୌକିକ ଶକ୍ତି ହାସଲ କରିବା, ପ୍ରାପ୍ତି, ସଫଳତା, କାର୍ଯ୍ୟ ସମ୍ପାଦନ, ପରିପୂର୍ଣ୍ଣତା, ସମସ୍ୟାର ସମାଧାନ, ପାକକ୍ରିୟା ବା କୌଣସି କାର୍ଯ୍ୟର ସମାପ୍ତି, ଆରୋଗ୍ୟ ଲାଭ କରିବା, ଲକ୍ଷ୍ୟଭେଦ କରିବା, ପରିପକ୍ୱତା, ସମ୍ମାନିତ ହେବା, ସ୍ୱର୍ଗୀୟ ସୁଖ, ଅସାଧାରଣ କୁଶଳତା, ଉତ୍କୃଷ୍ଟତା ଇତ୍ୟାଦି । ଶ୍ରୀକୃଷ୍ଣ ଏହାକୁ ଆଧ୍ୟାତ୍ମିକ ପଥରେ ପରିପୂର୍ଣ୍ଣତା ଅର୍ଥରେ ବ୍ୟବହାର କରିଛନ୍ତି ଏବଂ କହୁଛନ୍ତି, “ଅର୍ଜୁନ, ଅସଂଖ୍ୟ ଜୀବାତ୍ମା ମାନଙ୍କ ମଧ୍ୟରୁ ସ୍ୱଳ୍ପ ସଂଖ୍ୟାର ଜୀବାତ୍ମା ମନୁଷ୍ୟ ଶରୀର ପ୍ରାପ୍ତ କରିଥାନ୍ତି । ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିବା ଜୀବାତ୍ମା ମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସିଦ୍ଧି ପ୍ରାପ୍ତି ପାଇଁ ଚେଷ୍ଟିତ ହୁଅନ୍ତି । ହଜାର ହଜାର ସିଦ୍ଧି ପ୍ରାପ୍ତ ମନୁଷ୍ୟମାନଙ୍କ ମଧ୍ୟରୁ, ମୋର ସର୍ବୋଚ୍ଚ ସ୍ଥିତି ଏବଂ ଦିବ୍ୟ ଐଶ୍ୱର୍ଯ୍ୟକୁ ଜାଣିଥିବା ବ୍ୟକ୍ତି ବିରଳ ଅଟନ୍ତି ।”
ଆଧ୍ୟାତ୍ମିକ ସାଧନାରେ ସିଦ୍ଧି ଲାଭ କରିଥିବା ବ୍ୟକ୍ତି, ଭଗବାନଙ୍କର ବାସ୍ତବ ସ୍ୱରୂପକୁ କାହିଁକି ଜାଣନ୍ତି ନାହିଁ? କାରଣ, ଭଗବାନଙ୍କର ଭକ୍ତି ବିନା ତାଙ୍କୁ ଜାଣିବା ସମ୍ଭବ ହୋଇ ନ ଥାଏ । ଯେଉଁ ସାଧକମାନେ କର୍ମ, ଜ୍ଞାନ, ହଟଯୋଗ ଇତ୍ୟାଦି ସାଧନା କରିବା ସମୟରେ ତା ସହିତ ଭକ୍ତିକୁ ଯୋଡ଼ନ୍ତି ନାହିଁ, ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ । ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଏହି ତଥ୍ୟର ବହୁବାର ପୁନରାବୃତ୍ତି କରିଛନ୍ତି ।
“ଯଦିଓ ସେ ସର୍ବବ୍ୟାପୀ ଅଟନ୍ତି ଏବଂ ସମସ୍ତ ଜୀବ ତାଙ୍କ ମଧ୍ୟରେ ସ୍ଥିତ, ତଥାପି ସେ କେବଳ ଭକ୍ତି ଦ୍ୱାରା ହିଁ ଜ୍ଞାତ ଅଟନ୍ତି”(୮/୨୨) । “ହେ ଅର୍ଜୁନ, କେବଳ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟମାନ ହେବିନାହିଁ । ଏହି ଉପାୟରେ ତୁମେ ମୋତେ ଜାଣି ପାରିବ, ମୋର ଦିବ୍ୟ ଦର୍ଶନ ପ୍ରାପ୍ତ କରିପାରିବ ଏବଂ ମୋ ତତ୍ତ୍ୱରେ ପ୍ରବେଶ କରିପାରିବ ।” (୧୧.୫୪)
“କେବଳ ପ୍ରେମପୂର୍ଣ୍ଣ ଭକ୍ତି ଦ୍ୱାରା ହିଁ ଜଣେ ବ୍ୟକ୍ତି ମୋତେ ତତ୍ତ୍ୱତଃ ଜାଣିପାରନ୍ତି । ଭକ୍ତି ଦ୍ୱାରା ମୋର ସ୍ୱରୂପକୁ ଜାଣି, ସେ ମୋର ଦିବ୍ୟ ଜଗତରେ ପ୍ରବେଶ କରନ୍ତି ।” (୧୮.୫୫)
ଅତଏବ, ଯେଉଁ ସାଧକ ନିଜ ସାଧନାରେ ଭକ୍ତିକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ସେମାନଙ୍କର ଜ୍ଞାନ ଭଗବାନଙ୍କର ସୈଦ୍ଧାନ୍ତିକ ଜ୍ଞାନରେ ହିଁ ସୀମିତ ରହିଯାଏ । ପରମ ସତ୍ୟର ଅନୁଭବାତ୍ମକ ଜ୍ଞାନ ସେମାନେ ପ୍ରାପ୍ତ କରିପାରନ୍ତି ନାହିଁ ।
ଅନେକଙ୍କ ମଧ୍ୟରୁ କେହି ଜଣେ ତାଙ୍କର ବାସ୍ତବ ସ୍ୱରୂପକୁ ଜାଣିପାରନ୍ତି - ଏହା କହିବାପରେ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଦିବ୍ୟ ଶକ୍ତିର ଉଭୟ ମାୟିକ ଏବଂ ଆଧ୍ୟାତ୍ମିକ ଦିଗ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ସେ ପ୍ରଥମେ ‘ଅପରା ପ୍ରକୃତି’ ବା ‘ମାୟାଶକ୍ତି’ ଯାହାକି ନିକୃଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ହିଁ ଶକ୍ତି ଅଟେ, ତା’ର ପରିଚୟ ପ୍ରଦାନ କରୁଛନ୍ତି ।