Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 5

ଅପରେୟମିତସ୍ତ୍ୱନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍ ।
ଜୀବଭୂତାଂ ମହାବାହୋ ୟୟେଦଂ ଧାର୍ଯ୍ୟତେ ଜଗତ୍ ।।୫।।

ଅପରା- ନିକୃଷ୍ଟ; ଇୟମ୍ -ଏହା; ଇତଃ -ଏହାଛଡ଼ା; ତୁ - କିନ୍ତୁ; ଅନ୍ୟାଂ - ଅନ୍ୟ; ପ୍ରକୃତିଂ -ଶକ୍ତି; ବିଦ୍ଧି -ଜାଣ; ମେ - ମୋର; ପରାମ୍ - ଉତ୍କୃଷ୍ଟ; ଜୀବ-ଭୂତାଂ - ଜୀବଗଣ; ମହାବାହୋ - ହେ ମହାବାହୁ; ଯୟା - ଯାହାଙ୍କ ଦ୍ୱାରା; ଇଦଂ - ଏହି; ଧାର୍ଯ୍ୟତେ- ଆଧାର; ଜଗତ - ଭୌତିକ ଜଗତ ।

Translation

BG 7.5: ହେ ବୀର ଅର୍ଜୁନ! ମୋର ଏହି ନିକୃଷ୍ଟ ଶକ୍ତିର ଊର୍ଦ୍ଧ୍ୱରେ ଏକ ଉତ୍କୃଷ୍ଟ ଶକ୍ତି ରହିଛି । ଏହା ହେଉଛି ଜୀବଶକ୍ତି (ଚୈତନ୍ୟ ଶକ୍ତି), ଯାହାର ପରିପ୍ରକାଶ ସଂସାରରେ ଜୀବନର ଆଧାର ଶରୀରଧାରୀ ଜୀବସମୁଦାୟ ଅଟନ୍ତି ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭୌତିକ ବିଜ୍ଞାନର ପରିସର ବାହାରକୁ ଯାଉଛନ୍ତି । ସେ ସୂଚନା ଦେଉଛନ୍ତି ଯେ ପୂର୍ବ ଶ୍ଳୋକରେ ବର୍ଣ୍ଣିତ ଅଷ୍ଟବିଧା ପ୍ରକୃତି ତାଙ୍କର ନିକୃଷ୍ଟ ମାୟା ଶକ୍ତି ଅଟେ । କିନ୍ତୁ ଏହାହିଁ ସବୁକିଛି ନୁହେଁ । ଅନ୍ୟ ଏକ ଉଚ୍ଚତର ଦିବ୍ୟ ଶକ୍ତି ରହିଛି, ଯାହା ଜଡ଼ ତତ୍ତ୍ୱଠାରୁ ଶ୍ରେଷ୍ଠ ଅଟେ । ଏହି ଶକ୍ତି ଜୀବଶକ୍ତି ଅଟେ, ଯାହାର ଅନ୍ତର୍ଭୁକ୍ତ ସଂସାରର ସମସ୍ତ ଜୀବ ଅଟନ୍ତି ।

ଭାରତର ପ୍ରଖ୍ୟାତ ଦାର୍ଶନିକମାନେ, ଜୀବ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧକୁ ବିଭିନ୍ନ ଦୃଷ୍ଟିକୋଣରୁ ବର୍ଣ୍ଣନା କରିଥାଆନ୍ତି । ଅଦୈତବାଦୀ ମାନେ କହନ୍ତି: ଜୀବୋ ବ୍ରହ୍ମୈବ ନାପରଃ ‘ଜୀବ ସ୍ୱୟଂ ହିଁ ଭଗବାନ ଅଟେ’ । କିନ୍ତୁ ଏହି ବିଚାରଧାରା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ, ଯାହାର ସମାଧାନ କରାଯାଇ ପାରେ ନାହିଁ ।

୧. ଭଗବାନ ସର୍ବଶକ୍ତିମାନ ଅଟନ୍ତି ଏବଂ ମାୟା ତାଙ୍କର ଅଧୀନସ୍ଥ ଶକ୍ତି । ଜୀବ ଯଦି ଭଗବାନ ଅଟେ, ତେବେ ମାୟା ତାକୁ କବଳିତ କରେ କିପରି? ମାୟା କ’ଣ ଭଗବାନଙ୍କ ଠାରୁ ବଳବାନ?

୨. ଆମେ ସମସ୍ତେ ଏକଥା ଜାଣେ ଯେ ଜୀବ ଅଜ୍ଞାନଯୁକ୍ତ ଅଟେ । ଜ୍ଞାନ ପ୍ରାପ୍ତ କରିବା ପାଇଁ ସେ ଶାସ୍ତ୍ର, ଯେପରିକି ଭଗବଦ୍ ଗୀତା ତଥା ମହାତ୍ମାମାନଙ୍କ ବାଣୀ ଇତ୍ୟାଦିର ସହାୟତା ଆବଶ୍ୟକ କରେ । ଅତଏବ, ଅଜ୍ଞାନଯୁକ୍ତ ଜୀବକୁ ସର୍ବଜ୍ଞ ଭଗବାନ ଭାବରେ ବିଚାର କରାଯିବ କିପରି?

୩. ଭଗବାନ ଜଗତରେ ସର୍ବତ୍ର ବ୍ୟାପ୍ତ । ଏହା ବେଦରେ ବାରମ୍ବାର ଉଲ୍ଲେଖ କରାଯାଇ ଅଛି । ଜୀବ ଯଦି ଭଗବାନ ହୋଇଥାଆନ୍ତା,  ତେବେ ସେ ଏକ ସମୟରେ ସର୍ବତ୍ର ଉପସ୍ଥିତ ରହିପାରନ୍ତା; ତେଣୁ ମୃତ୍ୟୁ ପରେ ସ୍ୱର୍ଗ ବା ନର୍କକୁ ଯିବାର ପ୍ରଶ୍ନ ହିଁ ଉଠନ୍ତା ନାହିଁ ।

୪. ସଂଖ୍ୟା ଦୃଷ୍ଟିରୁ ଜୀବ ଅଗଣିତ ଅଟେ ଏବଂ ପ୍ରତ୍ୟେକ ଜୀବଙ୍କର ଗୁଣ ସ୍ୱତନ୍ତ୍ର ଅଟେ । କିନ୍ତୁ ଭଗବାନ ଜଣେ । ତେଣୁ ଜୀବ ଯଦି ଭଗବାନ ହୋଇଥାଆନ୍ତା, ତେବେ ଭଗବାନ ମଧ୍ୟ ଅନେକ ହୋଇଥାଆନ୍ତେ ।

            ସୁତରାଂ, ଅଦ୍ୱୈତ୍ୟବାଦୀମାନେ ଯାହା ଦାବୀ କରନ୍ତି, “ଜୀବ ସ୍ୱୟଂ ହିଁ ଭଗବାନ ଅଟେ”, ତାହାର କୌଣସି ଯଥାର୍ଥତା ନାହିଁ । ଅନ୍ୟ ପକ୍ଷରେ, ଦ୍ୱୈତ୍ୟବାଦୀ ସିଦ୍ଧାନ୍ତ କହେ ଯେ ଜୀବ ଭଗବାନଙ୍କ ଠାରୁ ପୃଥକ ଅଟେ । ଏହା ଉପରୋକ୍ତ କିଛି ପ୍ରଶ୍ନର ସମାଧାନ କରିଥାଏ, କିନ୍ତୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଯାହା ବର୍ଣ୍ଣନା କରୁଛନ୍ତି, ସେହି ଦୃଷ୍ଟିରୁ ଏହା ମଧ୍ୟ ଅସମ୍ପୂର୍ଣ୍ଣ ଜ୍ଞାନ ଅଟେ । ସେ କହୁଛନ୍ତି ଯେ ଜୀବ ତାଙ୍କ ଦିବ୍ୟଶକ୍ତିର ଏକ ଅଂଶ ଅଟେ ।

ଅତଏବ, ଏକମାତ୍ର ଭଗବାନ ହିଁ ସର୍ବୋଚ୍ଚ ଶକ୍ତିଯୁକ୍ତ ଅଟନ୍ତି ଏବଂ ସୃଷ୍ଟିରେ ଯାହା କିଛି ରହିଛି - ଉଭୟ ଦିବ୍ୟ ଏବଂ ମାୟିକ - ତାଙ୍କର ନିମ୍ନତର ଓ ଉଚ୍ଚତର ଶକ୍ତି ଦ୍ୱାରା ଗଠିତ ।

ଏକ-ଦେଶ-ସ୍ଥିତସ୍ୟାଗ୍ନିର୍ ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ।
ପରସ୍ୟ ବ୍ରହ୍ମଣଃ ଶକ୍ତିସ୍ ତଥେଦଂ ଅଖିଲଂ ଜଗତ୍ । । (ବିଷ୍ଣୁପୁରାଣ ୧.୨୨.୫୩)

ସୂର୍ଯ୍ୟ ଯେପରି ଗୋଟିଏ ଜାଗାରେ ରହିଥାଆନ୍ତି, କିନ୍ତୁ ତାଙ୍କର ସୂର୍ଯ୍ୟକିରଣ ସମଗ୍ର ସୌର ମଣ୍ଡଳରେ ବ୍ୟାପ୍ତ ରହିଥାଏ, ଠିକ୍ ସେହିପରି ଜଣେ ଭଗବାନ, ତାଙ୍କର ଅନନ୍ତ ଶକ୍ତି ଦ୍ୱାରା ତିନି ଲୋକରେ ବ୍ୟାପ୍ତ ରହିଥାଆନ୍ତି ।

ଚୈତନ୍ୟ ମହାପ୍ରଭୁ କହନ୍ତି:

ଜୀବ ତତ୍ତ୍ୱ ଶକ୍ତି, କୃଷ୍ଣ ତତ୍ତ୍ୱ ଶକ୍ତିମାନ,
ଗୀତା-ବିଷ୍ଣୁ ପୁରାଣାଦି ତାହାତେ ପ୍ରମାଣ । (ଚୈତନ୍ୟ ଚରିତାମୃତ, ଆଦି ଲୀଳା ୭.୧୧୭)

ଜୀବ ଭଗବାନଙ୍କର ଏକ ଶକ୍ତି ଅଟେ ଏବଂ ଭଗବାନ ସର୍ବଶକ୍ତିମାନ ଅଟନ୍ତି ।

 ଆମେ ଯେତେବେଳେ ଜୀବକୁ ଭଗବାନଙ୍କର ଏକ ଶକ୍ତି ଭାବରେ ଗ୍ରହଣ କରିଥାଏ, ସମଗ୍ର ସୃଷ୍ଟିର ଅଦ୍ୱୈତ ସ୍ୱରୂପ ଆମ ସମ୍ମୁଖରେ ସ୍ପଷ୍ଟ ହୋଇଯାଇ ଥାଏ । ଯେ କୌଣସି ଶକ୍ତି ଏକ ସମୟରେ ତା’ର ଶକ୍ତିମାନ ଠାରୁ ଅଭିନ୍ନ ଏବଂ ଭିନ୍ନ ମଧ୍ୟ ଅଟନ୍ତି । ଉଦାହରଣ ସ୍ୱରୂପ, ଅଗ୍ନି ଏବଂ ତାହାର ତାପ ଓ ଆଲୋକକୁ ଆମେ ଭିନ୍ନ ଭିନ୍ନ ତତ୍ତ୍ୱ ଭାବରେ ଗଣନା କରିପାରିବା ଏବଂ ସେମାନଙ୍କୁ ଏକାଠି ଗୋଟିଏ ତତ୍ତ୍ୱ ଭାବରେ ମଧ୍ୟ ଗ୍ରହଣ କରିପାରିବା । ସେହିପରି ଶକ୍ତି ଓ ଶକ୍ତିମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଦୃଷ୍ଟିରୁ, ଆମେ ଜୀବ ଓ ଭଗବାନଙ୍କୁ ଏକ ବୋଲି ବିଚାର କରିପାରିବା ଏବଂ ଶକ୍ତି ଓ ଶକ୍ତିମାନଙ୍କ ଠାରେ ରହିଥିବା ନିଜସ୍ୱ ବିଶେଷତ୍ୱ ଦୃଷ୍ଟିରୁ, ଆମେ ସେମାନଙ୍କୁ ପୃଥକ ମଧ୍ୟ ମନେକରି ପାରିବା ।

ଶ୍ରୀକୃଷ୍ଣଙ୍କ ଦ୍ୱାରା ପୂର୍ବବର୍ତ୍ତୀ ଶ୍ଳୋକରେ ଏବଂ ଏହି ଶ୍ଳୋକରେ ବର୍ଣ୍ଣିତ ତଥ୍ୟର ସଂପୁଟିକରଣ କରି ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହୁଛନ୍ତି:

‘ଜୀବୁ’ ‘ମାୟା’, ଦୁଇ ଶକ୍ତି ହେଁ÷, ଶକ୍ତିମାନ ଭଗବାନ ।
ଶକ୍ତି ହିଁ ଭେଦ ଅଭେଦ ଭୀ, ଶକ୍ତିମାନ ତେ ଜାନ ।ା (ଭକ୍ତି ଶତକ, ଦୋହା ୪୨)

“ଜୀବ ଏବଂ ମାୟା, ଉଭୟ ଭଗବାନଙ୍କର ଶକ୍ତି ଅଟନ୍ତି; ତେଣୁ ସେମାନେ ଭଗବାନଙ୍କ ଠାରୁ ଉଭୟ ଅଭିନ୍ନ ଓ ଭିନ୍ନ ମଧ୍ୟ ଅଟନ୍ତି ।”

ଶକ୍ତି ଏବଂ ଶକ୍ତିମାନଙ୍କ ମଧ୍ୟରେ ଥିବା ସମ୍ପର୍କର ଦୃଷ୍ଟିକୋଣରୁ, ସୃଷ୍ଟିର କୌଣସି ତତ୍ତ୍ୱ ଭଗବାନଙ୍କଠାରୁ ପୃଥକ ନୁହଁନ୍ତି । ସେଥିପାଇଁ କୁହାଯାଇଥାଏ ଯେ ସମଗ୍ର ସଂସାର ଭଗବାନଙ୍କର ହିଁ ରୂପ ଅଟେ ।

ସର୍ବଂ ଖଲ୍ୱିଦଂ ବ୍ରହ୍ମ (ଛାନ୍ଦୋଗ୍ୟ ଉପନିଷଦ ୩.୧୪.୧)

“ସବୁ କିଛି ବ୍ରହ୍ମ ଅଟେ ।”

ଈଶାବାସ୍ୟଂ ଇଦଂ ସର୍ବମ୍ (ଈଶୋପନିଷଦ. ୧)

“ସଂସାରର ସମସ୍ତ ବସ୍ତୁ ବ୍ରହ୍ମ ଅଟେ ।”

ପୁରୁଷ ଏବେଦଂ ସର୍ବମ୍ (ଶ୍ୱେତାଶ୍ୱତର ଉପନିଷଦ ୩.୧୫)

“ସବୁକିଛି ପରମ ପୁରୁଷ ଭଗବାନ ହିଁ ଅଟନ୍ତି ।”

ଏହି ସବୁ ବେଦମନ୍ତ୍ର କହୁଛନ୍ତି ଯେ ସଂସାରରେ ଏକମାତ୍ର ବ୍ରହ୍ମ ଅଛନ୍ତି, ଅନ୍ୟକିଛି ନାହିଁ । କିନ୍ତୁ ଶକ୍ତି ଏବଂ ଶକ୍ତିମାନଙ୍କ ମଧ୍ୟରେ ଥିବା ଭେଦ ଉପରେ ବିଚାର କଲେ, ଆମେ ବୁଝିପାରିବା ଯେ, ସେହି ଏକତ୍ୱ ମଧ୍ୟରେ ଅନେକ ଭିନ୍ନତା ମଧ୍ୟ ରହିଛି । ଜୀବ ଭିନ୍ନ, ପଦାର୍ଥ ଭିନ୍ନ ଏବଂ ଭଗବାନ ଭିନ୍ନ ଅଟନ୍ତି । ପଦାର୍ଥ ଜଡ଼ ଅଟେ କିନ୍ତୁ ଜୀବ ଚେତନ ଅଟେ ଏବଂ ଭଗବାନ ପରମ ଚେତନ ଅଟନ୍ତି । ସେ ଜୀବ ଏବଂ ପଦାର୍ଥର ଉତ୍ସ ତଥା କାରଣ ଅଟନ୍ତି । ଅନେକ ବେଦ ମନ୍ତ୍ର ସୃଷ୍ଟିର ତିନୋଟି ତତ୍ତ୍ୱ ବିଷୟରେ କହିଛନ୍ତି:

କ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃ
ତସ୍ୟାଭିଧ୍ୟାନାଦ୍ ଯୋଜନାତ୍ ତତ୍ତ୍ୱଭାବଦ୍ ଭୂୟଶ୍ଚାନ୍ତେ ବିଶ୍ୱମାୟାନିବୃତ୍ତିଃ ।

(ଶ୍ୱେତାଶ୍ୱେତର ଉପନିଷଦ, ୧.୧୦)

“ସୃଷ୍ଟିରେ ତିନୋଟି ତତ୍ତ୍ୱ ରହିଛି । ୧. ଜଡ଼ ବସ୍ତୁ, ଯାହା ନଶ୍ୱର ଅଟେ, ୨. ଜୀବାତ୍ମା, ଯିଏ ଅବିନଶ୍ୱର ଅଟେ, ୩. ଭଗବାନ, ଯିଏ ଉଭୟ ଜୀବାତ୍ମା ଏବଂ ଜଡ଼ବସ୍ତୁର ନିୟନ୍ତା ଅଟନ୍ତି । ଭଗବାନଙ୍କର ଧ୍ୟାନ କରି, ତାଙ୍କ ସହିତ ସଂଲଗ୍ନ ରହି, ଏବଂ ଅଧିକରୁ ଅଧିକ ତାଙ୍କପରି ହୋଇ, ଜୀବ ସଂସାରର ଭ୍ରମରୁ ମୁକ୍ତ ହୋଇଯାଏ ।”

ଅମ୍ଭେମାନେ ଦେଖିବାକୁ ପାଇଲେ କିପରି ଭାବରେ ବେଦ ଭିନ୍ନ ଭିନ୍ନ ମନ୍ତ୍ର ମାଧ୍ୟମରେ ଉଭୟ ଅଦ୍ୱୈତ ଓ ଦ୍ୱୈତ ସିଦ୍ଧାନ୍ତର ପ୍ରତିପାଦନ କରିଥାଆନ୍ତି ।  ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଜୀବ ଓ ଭଗବାନଙ୍କ ମଧ୍ୟରେ ଥିବା ସମକାଳୀନ ଏବଂ ଅଚିନ୍ତ୍ୟ ଭେଦ ଓ ଅଭେଦର ସମର୍ଥନ କରନ୍ତି ।   

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!