Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 6

ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ।
ତଂ ତମେବୈତି କୌନ୍ତେୟ ସଦା ତଦ୍‌ଭାବ ଭାବିତଃ ।।୬।।

ଯମ୍ ଯମ୍ - ଯେଉଁ ଯେଉଁ, ବା - ଯେକୌଣସିଟିକୁ; ଅପି - ମଧ୍ୟ; ସ୍ମରନ୍ - ସ୍ମରଣ କରି; ଭାବଂ- ସ୍ମୃତି; ତଜ୍ୟତି - ତ୍ୟାଗ କରେ; ଅନ୍ତେ - ଶେଷରେ; କଳେବରଂ - ଏହି ଶରୀର; ତମ୍ ତମ୍ - ସେହିପରି, ଏବ - ନିଶ୍ଚିତଭାବେ; ଏତି - ପ୍ରାପ୍ତ ହୁଏ; କୌନ୍ତେୟ - ହେ କୁନ୍ତିପୁତ୍ର; ସଦା-ସର୍ବଦା; ତତ୍‌- ସେହି; ଭାବ- ଭାବ; ଭାବିତଃ - ସ୍ମରଣ କରି ।

Translation

BG 8.6: ହେ କୁନ୍ତି ପୁତ୍ର! ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ ।

Commentary

ଆମେ ଗୋଟିଏ ଶୁଆକୁ ‘ସୁପ୍ରଭାତ’ କହିବା ଶିଖେଇ ଦେଇପାରିବା । କିନ୍ତୁ ଯଦି ଆମେ ତାର ଗଳାକୁ ଜୋରରେ ଚାପିଦେବା, ତେବେ ସେ କୃତ୍ରିମ ରୂପରେ ଶିଖିଥିବା ଶବ୍ଦଟି ଭୁଲିଯାଇ ତାର ସ୍ୱାଭାବିକ ଶବ୍ଦ ‘କ୍ୱ’ ଉଚ୍ଚାରଣ କରିବ । ସେହିପରି,ମୃତ୍ୟୁ ସମୟରେ ଆମର ମନ ସ୍ୱାଭାବିକ ଭାବରେ ସେହି ଚିନ୍ତାଧାରା ଅଭିମୁଖରେ ପ୍ରବାହିତ ହୁଏ, ଯାହାର ଅଭ୍ୟାସ ଆମେ ଜୀବନ ସାରା କରିଥାଏ । ଜିନିଷପତ୍ର ସଜାଡ଼ି ସାରିବା ପରେ ଯାତ୍ରାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ ନାହିଁ । ବରଂ ତା’ ପୂର୍ବରୁ, ଏହାର ରୀତିମତ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ମୃତ୍ୟୁ ସମୟରେ ମୁଖ୍ୟତଃ ଯେଉଁ ବିଚାର ଆମ ମନକୁ ଅଧିକାର କରିଥାଏ, ତଦନୁଯାୟୀ ଆମର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ । ଏହାହିଁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହିଛନ୍ତି ।

ବ୍ୟକ୍ତିର ଜୀବନବ୍ୟାପୀ ଅଭ୍ୟାସ ଏବଂ ସଙ୍ଗର ପରିଣାମ ସ୍ୱରୂପ ଯାହାର ଚିନ୍ତନ ଏବଂ ଅନୁଧ୍ୟାନ ସେ ନିରନ୍ତର କରିଥାଏ, ତାହା ହିଁ ତା’ର ଅନ୍ତିମ ବିଚାର ନିର୍ଦ୍ଧାରଣ କରିବା ସ୍ୱାଭାବିକ । ପୁରାଣରେ ମହାରାଜ ଭରତଙ୍କର ଆଖ୍ୟାନ ବର୍ଣ୍ଣନା କରାଯାଇଛି । ସେ ଜଣେ ରାଜା ଥିଲେ । କିନ୍ତୁ ଭଗବତ୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ସେ ରାଜ୍ୟ ତ୍ୟାଗ କରି, ବନରେ ସନ୍ୟାସୀ ଭାବରେ ଜୀବନଯାପନ କରୁଥିଲେ । ଦିନେ ସେ ଗୋଟିଏ ହରିଣକୁ ବାଘର ଗର୍ଜନ ଶୁଣି ପାଣି ମଧ୍ୟକୁ ଡ଼େଇଁ ପଡ଼ିବାର ଦେଖିଲେ । ଅତିଶୟ ଭୟ ଯୋଗୁଁ ଗର୍ଭିଣୀ ମୃଗଟି ଗର୍ଭରୁ ଗୋଟିଏ ଶାବକ ଜନ୍ମ ଲାଭ କରି ପାଣିରେ ଭାସିବାରେ ଲାଗିଲା । ଶାବକଟି ପ୍ରତି ଭରତଙ୍କ ମନରେ ଦୟା ଉତ୍ପନ୍ନ ହେଲା ଏବଂ ସେ ତାକୁ ପାଣିରୁ ଉଦ୍ଧାର କରି ତାଙ୍କ କୁଟୀରକୁ ଆଣି ତା’ର ଲାଳନ ପାଳନ କରିବାକୁ ଲାଗିଲେ । ଅତି ଆଗ୍ରହର ସହିତ ସେ ତାର ଚପଳତାପୂର୍ଣ୍ଣ ଚାଲିକୁ  ନିରୀକ୍ଷଣ କରିବାରେ ଲାଗିଲେ । ସେ ଖାଇବା ପାଇଁ ଘାସ ସଂଗ୍ରହ କରୁଥିଲେ ଏବଂ ତାକୁ ଉଷ୍ମତା ପ୍ରଦାନ ପାଇଁ କୋଳାଗ୍ରତ କରୁଥିଲେ । ଧୀରେ ଧୀରେ ତାଙ୍କର ମନ ଭଗବାନଙ୍କ ଠାରୁ ହଟିଯାଇ ସେହି ହରିଣ ଠାରେ କେନ୍ଦ୍ରିତ ହେବାକୁ ଲାଗିଲା । କ୍ରମଶଃ ସେହି ତନ୍ମୟତା ଏତେ ଗଭୀର ହେଲା ଯେ ଦିନସାରା ତାଙ୍କର ମନ ସେହି ହରିଣର ହିଁ ଚିନ୍ତନ କଲା । ଯେତେବେଳେ ସେ ମୃତ୍ୟୁବରଣ କରିବାକୁ ଯାଉଥିଲେ, ହରିଣଟି ପ୍ରତି ତାଙ୍କର ମମତା ଏବଂ ଚିନ୍ତା ଯୋଗୁଁ, ସେ ତାକୁ ପାଖକୁ ଡ଼ାକିଲେ । ପରିଣାମ ସ୍ୱରୂପ, ପରବର୍ତ୍ତୀ ଜନ୍ମରେ ସେ ମୃଗ ଯୋନିରେ ଜନ୍ମ ଗ୍ରହଣ କଲେ । କିନ୍ତୁ ଯେହେତୁ ସେ ଭଗବତ ସାଧନା କରିଥିଲେ, ପୂର୍ବଜନ୍ମର ସମସ୍ତ ତ୍ରୁଟି ସଂପର୍କରେ ସେ ସଚେତନ ଥିଲେ । ସେଥିପାଇଁ ହରିଣ ହେଲେ ମଧ୍ୟ ସେ ଜଙ୍ଗଲରେ ସାଧୁମାନଙ୍କ ଆଶ୍ରମ ପାଖରେ ରହୁଥିଲେ । ହରିଣ ଶରୀର ତ୍ୟାଗ କରିବା ପରେ ପୁନର୍ବାର ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିଲେ । ଏଥର ସେ ବିଖ୍ୟାତ ସନ୍ଥ ଜଡ଼ଭରତ ହେଲେ ଏବଂ ସାଧନା ସମାପ୍ତ କରି ଭଗବତ ପ୍ରାପ୍ତି କଲେ ।

ଏହି ଶ୍ଲୋକ ପାଠ କରି ଜଣେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ ଯେ ଲକ୍ଷ୍ୟ ପ୍ରାପ୍ତି ପାଇଁ, କେବଳ ମୃତ୍ୟୁ ସମୟରେ ହିଁ ପରମେଶ୍ୱରଙ୍କର ଧ୍ୟାନ କରିବା ଆବଶ୍ୟକ । ଜୀବନ ବ୍ୟାପୀ ପ୍ରସ୍ତୁତି ବିନା ଏହା ପ୍ରାୟତଃ ଅସମ୍ଭବ ଅଟେ । ସ୍କନ୍ଧ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ସମୟରେ ଭଗବାନଙ୍କୁ ମନେ ପକାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ମୃତ୍ୟୁ ଏତେ କଷ୍ଟଦାୟକ ଯେ, ମନ ସ୍ୱାଭାବିକ ଭାବରେ ବ୍ୟକ୍ତିର ସ୍ୱଭାବ ଅନୁରୂପ ବିଚାର ପ୍ରତି ଆକର୍ଷିତ ହୋଇଯାଏ । ମନ ଭଗବାନଙ୍କର ଚିନ୍ତନ କରିବା ପାଇଁ ବ୍ୟକ୍ତିର ଅନ୍ତଃକରଣ ଭଗବାନଙ୍କଠାରେ ସଂଯୁକ୍ତ ରହିବା ଆବଶ୍ୟକ । ଅନ୍ତଃକରଣ ସେହି ଚେତନା ଅଟେ ଯାହା ମନ ଓ ବୁଦ୍ଧି ଦ୍ୱାରା ଭିତରେ ରହିଥାଏ । ଯଦି ଆମେ କୌଣସି ବିଚାରର ବାରମ୍ବାର ଚିନ୍ତନ କରିବା ଦ୍ୱାରା, ତାହା ଆମର ଅନ୍ତଃକରଣରେ ପ୍ରତିଫଳିତ ହୋଇଥାଏ । ତେଣୁ ଏକ ଭଗବତ୍ ଚେତନାଯୁକ୍ତ ଅନ୍ତଃକରଣ ବିକଶିତ କରିବା ପାଇଁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ନିଶ୍ଚିତ ଭାବରେ ଭଗବାନଙ୍କର ସ୍ମରଣ ଏବଂ ଚିନ୍ତନ କରିବା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!