କବିଂ ପୁରାଣମନୁଶାସିତାର ମଣୋରଣୀୟାଂ ସମନୁସ୍ମରେଦ୍ଦ୍ୟଃ ।
ସର୍ବସ୍ୟ ଧାତାରମଚିନ୍ତ୍ୟରୂପ ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ ।।୯।।
ପ୍ରୟାଣକାଳେ ମନସା ଚଳେନ
ଭକ୍ତ୍ୟା ଯୁକ୍ତୋ ଯୋଗବଳେନ ଚୈବ ।
ଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍
ସ ତଂ ପରଂ ପୁରୁଷମୁପୈତି ଦିବ୍ୟମ୍ ।।୧୦।।
କବିଂ - ଯିଏ ସବୁ ଜାଣନ୍ତି; ପୁରାଣମ୍ - ପୁରାତନ; ଅନୁଶାସିତାରମ୍ - ନିୟନ୍ତ୍ରଣକାରୀ; ଅଣୋଃ- ଅଣୁର; ଅଣୀୟାଂସମ୍ - ତା’ଠାରୁ କ୍ଷୁଦ୍ରତର, ଅନୁସ୍ମରେତ୍ - ସର୍ବଦା ସ୍ମରଣ କରନ୍ତି; ଯଃ - ଯେ; ସର୍ବସ୍ୟ- ସମସ୍ତଙ୍କର; ଧାତାରଂ - ପାଳନକର୍ତ୍ତା; ଅଚିନ୍ତ୍ୟ - ଅଚିନ୍ତ୍ୟ; (ଯାହା ଚିନ୍ତା - କରି ହେବ ନାହିଁ); ରୁପମ୍ - ରୂପ, (ଆକାର): ଆଦିତ୍ୟ ବର୍ଣ୍ଣଂ - ସୂର୍ଯ୍ୟଙ୍କ ପରି ତେଜୀୟାନ୍; ତମସଃ - ଅନ୍ଧକାରର; ପରସ୍ତାତ୍ - ଉର୍ଦ୍ଧ୍ୱସ୍ଥ; ପ୍ରୟାଣକାଳେ - ମୃତ୍ୟୁ ସମୟରେ; ମନସା - ମନରେ; ଅଚଳେନ - ଅବିଚଳିତ ଭାବରେ; ଭକ୍ତ୍ୟା - ପୂର୍ଣ୍ଣ ଭକ୍ତିରେ; ଯୁକ୍ତଃ - ଯୁକ୍ତ; ଯୋଗବଳେନ - ଯୋଗଶକ୍ତି ବଳରେ; ଚ - ମଧ୍ୟ; ଏବ - ନିଶ୍ଚିତଭାବରେ; ଭ୍ରୁବୋଃ - ଦୁଇ ଭ୍ରୁଲତା ; ମଧ୍ୟେ - ମଧ୍ୟରେ; ପ୍ରାଣମ୍ - ପ୍ରାଣବାୟୁ; ଆବେଶ୍ୟ - ସ୍ଥାପନ କରି; ସମ୍ୟକ୍ - ପୂର୍ଣ୍ଣରୂପେ; ସ - ସେ; ତମ୍ - ତାହା; ପରଂ - ପରମ; ପୁରୁଷମ୍ - ପରମପୁରୁଷ ଭଗବାନ୍; ଉପୈତି - ପ୍ରାପ୍ତ ହୁଏ; ଦିବ୍ୟମ୍ - ଦିବ୍ୟ ।
BG 8.9-10: ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଅଟନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଦ୍ୱାରା ଅଭ୍ୟସ୍ତ ଅବିଚଳିତ ମନରେ, ନିଜର ପ୍ରାଣ (ପ୍ରାଣ ବାୟୁ)କୁ ଦୁଇ ଭ୍ରୁଲତା ମଧ୍ୟରେ ସ୍ଥିର ରଖି, ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ, ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରେ, ସେ ତାଙ୍କୁ ପ୍ରାପ୍ତ କରିଥାଏ ।
କବିଂ ପୁରାଣମନୁଶାସିତାର ମଣୋରଣୀୟାଂ ସମନୁସ୍ମରେଦ୍ଦ୍ୟଃ ।
ସର୍ବସ୍ୟ ଧାତାରମଚିନ୍ତ୍ୟରୂପ ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ ।।୯।।
ପ୍ରୟାଣକାଳେ ମନସା ଚଳେନ
ଭକ୍ତ୍ୟା ଯୁକ୍ତୋ ଯୋଗବଳେନ ଚୈବ ।
ଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍
ସ ତଂ ପରଂ ପୁରୁଷମୁପୈତି ଦିବ୍ୟମ୍ ।।୧୦।।
ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭଗବାନଙ୍କର ଧ୍ୟାନ ଅନେକ ପ୍ରକାରର ହୋଇପାରେ । ଜଣେ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ତାଙ୍କ ପରିକରଙ୍କୁ ଧ୍ୟାନ କରିପାରନ୍ତି । ଭଗବାନଙ୍କ ସହ ସମ୍ବନ୍ଧିତ ଏହିସବୁ ବିଷୟ ଭଗବାନଙ୍କଠାରୁ ପୃଥକ ନୁହନ୍ତି । ଏମାନଙ୍କ ମଧ୍ୟରୁ ଯେ କୌଣସି ଠାରେ ମନକୁ ଲଗାଇଲେ ମନ ଦିବ୍ୟ ଜଗତରେ ପ୍ରବେଶ କରି ଶୁଦ୍ଧ ହୋଇଯାଏ । ସୁତରାଂ,ଆମ ଧ୍ୟାନର ବିଷୟ ଭାବରେ ଆମେ ଏମାନଙ୍କ ମଧ୍ୟରୁ କାହାକୁ ବି ଗ୍ରହଣ କରିପାରିବା । ଏଠାରେ ଭଗବାନଙ୍କର ଆଠଗୋଟି ଗୁଣର ବର୍ଣ୍ଣନା କରାଯାଇଛି, ଯାହାର ଧ୍ୟାନ କରାଯାଇପାରେ ।
କବି ଅର୍ଥ କାବ୍ୟ ରଚୟିତା ଅଥବା ବ୍ୟାପକ ଅର୍ଥରେ ସର୍ବଜ୍ଞ ଅଟେ । ଶ୍ଳୋକ ୭.୨୬ ଅନୁଯାୟୀ, ଭଗବାନ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣନ୍ତି ।
ପୁରାଣ ଅର୍ଥ ଯାହାର ଆରମ୍ଭ ନାହିଁ ଅଥବା ଯିଏ ସର୍ବ ପୁରାତନ । ଭଗବାନ ଉଭୟ ମାୟିକ ଏବଂ ଦିବ୍ୟ ବସ୍ତୁର ଉଦ୍ଗମସ୍ଥଳ ଅଟନ୍ତି, କିନ୍ତୁ ଏପରି କୌଣସି ବସ୍ତୁ ନାହିଁ ଯାହାଠାରୁ ସେ ଉତ୍ପନ୍ନ ହୋଇଥାଆନ୍ତି ବା ଯାହା ତାଙ୍କ ପୂର୍ବରୁ ଥିଲା ।
ଅନୁଶାସିତାରମ୍ ଅର୍ଥ ଶାସକ । ଯେଉଁ ନିୟମ ଅନୁସାରେ ସମଗ୍ର ବ୍ରହ୍ମାଣ୍ଡ ଚାଲେ, ସେହି ସମସ୍ତ ନିୟମର ପ୍ରଣେତା ଭଗବାନ ଅଟନ୍ତି । ସେ ପ୍ରତ୍ୟକ୍ଷ ରୂପରେ ଏହାର ଶାସନ କରନ୍ତି ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା କରାନ୍ତି । ଅତଏବ ସବୁକିଛି ତାଙ୍କ ଶାସନର ପରିସରଭୁକ୍ତ ଅଟେ ।
ଅଣୋରଣୀୟାନ୍ ଅର୍ଥାତ୍ କ୍ଷୁଦ୍ରତମ ଠାରୁ କ୍ଷୁଦ୍ର । ଆତ୍ମା ସ୍ଥୁଳ ପଦାର୍ଥଠାରୁ କ୍ଷୁଦ୍ରତର ଅଟେ ଏବଂ ଯେହେତୁ ଭଗବାନ ଆତ୍ମା ମଧ୍ୟରେ ନିବାସ କରନ୍ତି,ସେ ଆତ୍ମା ଠାରୁ ମଧ୍ୟ କ୍ଷୁଦ୍ର ଅଟନ୍ତି ।
ସର୍ବସ୍ୟ ଧାତା ଅର୍ଥାତ୍ ସମସ୍ତଙ୍କର ଧାରକ, ସମୁଦ୍ର ତରଙ୍ଗମାନଙ୍କୁ ଧାରଣ କରିବା ପରି, ଭଗବାନ ସମଗ୍ର ସୃଷ୍ଟିକୁ ଧାରଣ କରିଥାଆନ୍ତି ।
ଅଚିନ୍ତ୍ୟ ରୂପ ଅର୍ଥାତ୍ ଅଚିନ୍ତନୀୟ ସ୍ୱରୂପ । ଆମର ବୁଦ୍ଧି କେବଳ ମାୟିକ ବସ୍ତୁର ଚିନ୍ତନ କରିପାରେ, ଅଥଚ ଭଗବାନ ଆମ ମାୟିକ କଳ୍ପନାର ଊର୍ଦ୍ଧ୍ୱରେ ସ୍ଥିତ । ତଥାପି, ସେ ଯଦି କୃପା କରି ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଆମର ମନକୁ ଦିବ୍ୟ ଗୁଣଯୁକ୍ତ କରିଦିଅନ୍ତି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେ ବୋଧଗମ୍ୟ ।
ଆଦିତ୍ୟ ବର୍ଣ୍ଣ ଅର୍ଥାତ୍ ସେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ।
ତମସଃ ପରସ୍ତାତ୍ ଅର୍ଥାତ୍ ସେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ମେଘ ଢ଼ାଙ୍କି ହୋଇ ଅସ୍ପଷ୍ଟ ପ୍ରତୀତ ହେଲେ ମଧ୍ୟ ସୂର୍ଯ୍ୟ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ । ସେହିପରି ଭଗବାନ ସଂସାରର ସଂସ୍ପର୍ଶରେ ଆସି ମଧ୍ୟ ମାୟା ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ ।
ଭକ୍ତିରେ ଭଗବାନଙ୍କର ଦିବ୍ୟ ରୂପ, ଗୁଣ, ଲୀଳା ଆଦିରେ ମନକୁ କେନ୍ଦ୍ରିତ କରାଯାଇଥାଏ । ଯେତେବେଳେ କେବଳ ଭକ୍ତି କରାଯାଏ, ତାହାକୁ ଶୁଦ୍ଧ ଭକ୍ତି କୁହାଯାଏ । ଯେତେବେଳେ ଏହାକୁ ଅଷ୍ଟାଙ୍ଗ ଯୋଗ ସହିତ କରାଯାଏ, ତାହାକୁ ‘ଯୋଗମିଶ୍ରା ଭକ୍ତି’ କୁହାଯାଏ । ଦଶମ ଠାରୁ ତ୍ରୟୋଦଶ, ଚାରୋଟି ଶ୍ଳୋକରେ ଶ୍ରୀକୃଷ୍ଣ ଯୋଗମିଶ୍ରା ଭକ୍ତିର ବର୍ଣ୍ଣନା କରିଛନ୍ତି । ଭଗବତ୍ ଗୀତାର ଏକ ସୁନ୍ଦର ବିଶେଷତ୍ୱ ଏହା ଯେ
ଏଥିରେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ସାଧନା ପଦ୍ଧତି ନିରୂପଣ କରାଯାଇ ଥାଏ ଏବଂ ସେଥିପାଇଁ ଏହା ବହୁଜନ ଆଦୃତ ଅଟେ । ପାଶ୍ଚାତ୍ୟ ବିଦ୍ୱାନମାନେ ଯେତେବେଳେ ଜଣେ ଗୁରୁଙ୍କର ବିନା ସହାୟତାରେ ହିନ୍ଦୁ ଶାସ୍ତ୍ରଗୁଡିକ ଅଧ୍ୟୟନ କରନ୍ତି, ସେଥିରେ ବର୍ଣ୍ଣିତ ଭିନ୍ନ ଭିନ୍ନ ମାର୍ଗ, ନିର୍ଦ୍ଦେଶ ଏବଂ ସିଦ୍ଧାନ୍ତ ସେମାନଙ୍କୁ ବିଭ୍ରାନ୍ତ କରି ଦେଇଥାଏ । କିନ୍ତୁ ଏହି ଭିନ୍ନତା ବାସ୍ତବରେ ଏକ ଆଶୀର୍ବାଦ ଅଟେ । କାରଣ ଅନନ୍ତ ଜନ୍ମର ସଂସ୍କାର ବଶତଃ, ଆମ ସମସ୍ତଙ୍କର ସ୍ୱଭାବ ଏବଂ ରୁଚି ଭିନ୍ନ ଭିନ୍ନ ଅଟେ । ଚାରିଜଣ ବ୍ୟକ୍ତି ଯେତେବେଳେ ବସ୍ତ୍ର କିଣିବାକୁ ଯାଆନ୍ତି, ସେମାନେ ଭିନ୍ନ ଭିନ୍ନ ରଙ୍ଗ, ପ୍ରକାର ଏବଂ ଫ୍ୟାସନ୍ର ପୋଷାକ ବାଛିଥାଆନ୍ତି । ଦୋକାନରେ ଯଦି କେବଳ ଗୋଟିଏ ପ୍ରକାରର ବା ଗୋଟିଏ ରଙ୍ଗର ବସ୍ତ୍ର ଥାଆନ୍ତା, ତେବେ ତାହା ପୃଥକ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ଚାହିଦାକୁ ମେଣ୍ଟାଇ ପାରି ନ ଥାଆନ୍ତା । ସେହିପରି ଆଧ୍ୟାତ୍ମିକ ମାର୍ଗରେ, ଲୋକମାନେ ତାଙ୍କର ପୂର୍ବ ଜନ୍ମରେ ବିଭିନ୍ନ ପ୍ରକାରର ସାଧନା କରିଥାଆନ୍ତି । ବୈଦିକ ଶାସ୍ତ୍ରମାନେ ସେହି ସବୁ ଭିନ୍ନତାକୁ ଅଙ୍ଗୀକାର କରିଥାଆନ୍ତି, ଅଥଚ ଭକ୍ତି ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି, ଯାହା ଏକ ସୁତା ସଦୃଶ ସମସ୍ତ ମାର୍ଗକୁ ଏକତ୍ର ଗୁନ୍ଥି ରଖିଥାଏ ।
ଅଷ୍ଟାଙ୍ଗ ଯୋଗରେ, ପ୍ରାଣଶକ୍ତିକୁ ମେରୁଦଣ୍ଡ ସ୍ଥିତ ସୁଷୁମ୍ନାକାଣ୍ଡ ମଧ୍ୟ ଦେଇ ଊର୍ଦ୍ଧ୍ୱଗାମୀ କରାଯାଏ । ଏହାକୁ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନ ବା ତୃତୀୟ ଚକ୍ଷୁ (ଅନ୍ତର୍ଦୃଷ୍ଟି) ର ସ୍ଥାନରେ କେନ୍ଦ୍ରିତ କରାଯାଏ । ତା’ପରେ ପୂର୍ଣ୍ଣ ଭକ୍ତି ସହିତ ପରମାତ୍ମାଙ୍କର ଧ୍ୟାନ କରାଯାଏ ।