Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 26

ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ ।।୨୬।।

ପତ୍ରଂ - ପତ୍ର; ପୁଷ୍ପଂ -ଫୁଲ; ଫଳଂ -ଫଳ; ତୋୟଂ - ଜଳ; ଯଃ - ଯିଏ; ମେ- ମୋତେ; ଭକ୍ତ୍ୟା - ଭକ୍ତିରେ; ପ୍ରୟଚ୍ଛତି - ଅର୍ପଣ କରେ; ତତ୍ - ତାହା; ଅହଂ - ମୁଁ; ଭକ୍ତି -ଉପହୃତଂ - ଭକ୍ତିରେ ଅର୍ପିତ; ଅଶ୍ନାମି - ଗ୍ରହଣ କରେ; ପ୍ରୟତ ଆତ୍ମନଃ - ଶୁଦ୍ଧ ଚେତନାରେ ଥିବା ବ୍ୟକ୍ତି ।

Translation

BG 9.26: ମୋର ଭକ୍ତ ଯଦି ଶୁଦ୍ଧ ହୃଦୟ ଓ ଭକ୍ତି ସହକାରେ, ମୋତେ କେବଳ ଗୋଟିଏ ପତ୍ର, ଗୋଟିଏ ପୁଷ୍ପ ଏମିତିକି କେବଳ ଜଳ ଅର୍ପଣ କରେ, ତେବେ ମୁଁ ତାହାକୁ ସହର୍ଷ ସ୍ୱୀକାର କରିଥାଏ ।

Commentary

ପରଂବ୍ରହ୍ମଙ୍କୁ ଉପାସନା କରିବାର ଗୁରୁତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହା କରିବା କେତେ ସହଜ ତାହା ବର୍ଣ୍ଣନା କରୁଛନ୍ତି । ଦେବତା ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ, ପୂଜା କରିବା ପାଇଁ ଅନେକ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ପଡିଥାଏ଼ । କିନ୍ତୁ ଶ୍ରଦ୍ଧା ଯୁକ୍ତ ହୃଦୟରେ ଯାହା ବି ଅର୍ପଣ କଲେ, ଭଗବାନ ତାହା ଗ୍ରହଣ କରନ୍ତି । ଯଦି ତୁମ ପାଖରେ କେବଳ ଫଳ ଅଛି ତାକୁ ଭଗବାନଙ୍କୁ ଅର୍ପଣ କର, ସେ ସନ୍ତୁଷ୍ଟ ହୋଇଯିବେ । ଯଦି ଫଳ ଉପଲବ୍ଧ ନୁହେଁ, ତେବେ ପୁଷ୍ପ ଅର୍ପଣ କର । ଯଦି ପୁଷ୍ପ ବି ନାହିଁ ତାହେଲେ ଭଗବାନଙ୍କୁ ପତ୍ରଟିଏ ଅର୍ପଣ କର । ସ୍ନେହର ସହିତ ଅର୍ପଣ କରାଗଲେ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାହାହିଁ ଯଥେଷ୍ଟ । ଯଦି ପତ୍ର ବି ନାହିଁ, ତେବେ ଜଳ ତ ସର୍ବତ୍ର ଉପଲବ୍ଧ, ତାହା ଅର୍ପଣ କର ।  କିନ୍ତୁ ତାହା ଭକ୍ତିରେ ଅର୍ପଣ କରାଯିବା ଆବଶ୍ୟକ । ଭକ୍ତ୍ୟା ଶବ୍ଦ ଏହି ଶ୍ଲୋକର ପ୍ରଥମ ଓ ଦ୍ୱିତୀୟ ପଂକ୍ତିରେ ବ୍ୟବହାର କରାଯାଇଛି । ଭକ୍ତର ଭକ୍ତି ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ, ଅର୍ପିତ ବସ୍ତୁର ମୂଲ୍ୟ ନୁହେଁ ।

ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଭଗବାନଙ୍କ ଦିବ୍ୟ କୃପାମୟ ସ୍ୱଭାବକୁ ପ୍ରକାଶିତ କରିଥାଏ । ଆମେ ଅର୍ପଣ କରୁଥିବା ଦ୍ରବ୍ୟର ମୂଲ୍ୟକୁ ଭଗବାନ  ଗୁରୁତ୍ୱ ଦିଅନ୍ତି ନାହିଁ । ବରଂ, କେତେ ଶ୍ରଦ୍ଧାରେ ଆମେ ତାହା ଅର୍ପଣ କରିଅଛେ, ସର୍ବାଧିକ ମହତ୍ତ୍ୱ ସେ ତାହାକୁ ଦେଇଥାଆନ୍ତି । ହରି ଭକ୍ତି ବିଳାସରେ ଉଲ୍ଲେଖ ଅଛି:

ତୁଳସୀ - ଦଳ - ମାତ୍ରେଣ ଜଲସ୍ୟ ଚୁଲୁକେନ ଚ ।
ବିକ୍ରୀଣୀତେ ସ୍ୱଂ ଆତ୍ମାନମ୍ ଭକ୍ତେଭ୍ୟୋ ଭକ୍ତ ବତ୍ସଳଃ । (୧୧.୨୬୧)

ତୁମେ ଯଦି ହାତ ପାପୁଲିରେ ଧରି ପାରୁଥିବା ମାତ୍ରାର ଜଳରେ ତୁଳସୀ ପତ୍ରଟିଏ ରଖି, ପ୍ରେମପୂର୍ଣ୍ଣ ହୃଦୟରେ ଭଗବାନଙ୍କୁ ଅର୍ପଣ କରିବ, ପ୍ରତିବଦଳରେ ସେ ନିଜକୁ ତୁମ ନିକଟରେ ଅର୍ପଣ କରିଦେବେ, କାରଣ ପ୍ରେମ ଦ୍ୱାରା ସେ ବଶୀଭୂତ ହୋଇ ଥାଆନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା ଯେ ଅନନ୍ତ ବ୍ରହ୍ମାଣ୍ଡର ସ୍ୱାମୀ, ଯିଏ ଅନନ୍ତ ବର୍ଣ୍ଣନାନୀତ ଗୁଣର ଅଧିକାରୀ ଅଟନ୍ତି ଏବଂ ଯାହାର ସଂକଳ୍ପ ମାତ୍ରେ ଅନନ୍ତ ବ୍ରହ୍ମାଣ୍ଡର ସୃଷ୍ଟି ଓ ବିଲୟ ହୋଇଥାଏ, ସେ ପ୍ରେମର ସହିତ ଅର୍ପଣ କରାଯାଉଥିବା ଆମର ନଗଣ୍ୟ ଉପହାରକୁ ମଧ୍ୟ ସ୍ୱୀକାର କରନ୍ତି । ଏଠାରେ ବ୍ୟବହୃତ ଶବ୍ଦଟି ହେଉଛି “ପ୍ରୟତାତ୍ମନଃ”, ଅର୍ଥାତ୍ ବିଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତିର ଅର୍ପଣ ମୁଁ ସ୍ୱୀକାର କରେ ।

ଶ୍ରୀମଦ୍ ଭାଗବତମ୍‌ରେ ମଧ୍ୟ ଭଗବତ୍ ଗୀତାର ଏହି ଶ୍ଲୋକଟି ଅବିକଳ ଭାବରେ ରହିଛି । ସୁଦାମାଙ୍କ ଘରେ ଖୁଦ ଭଜା ଖାଇ ଶ୍ରୀକୃଷ୍ଣ

କହୁଛନ୍ତି:ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତଂ ଅଶ୍ନାମି ପ୍ରୟତାତ୍ମନଃ ।ା   (ଭା. ୧୦.୮୧.୪)

ମୋର ଭକ୍ତ ଯଦି ପ୍ରେମଯୁକ୍ତ ହୋଇ ବିଶୁଦ୍ଧ ମନରେ ମୋତେ ଗୋଟିଏ ପତ୍ର, ପୁଷ୍ପ, ଫଳ,ଏମିତିକି ଜଳ ଅର୍ପଣ କରିଥାଆନ୍ତି, ମୁଁ ତାକୁ ସହର୍ଷ ସ୍ୱୀକାର କରିଥାଏ ।

ଭଗବାନ ଯେତେବେଳେ ଧରା ପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦିବ୍ୟ ଲୀଳାମାନଙ୍କରେ ସେ ଏହିସବୁ ଗୁଣ ପ୍ରକଟ କରିଥାନ୍ତି । ମହାଭାରତ ଯୁଦ୍ଧ ପୂର୍ବରୁ, ଶ୍ରୀକୃଷ୍ଣ ଯେତେବେଳେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସନ୍ଧି ସ୍ଥାପନ କରିବା ଉଦ୍ଦେଶ୍ୟରେ ହସ୍ତିନାପୁରକୁ ଯାଇଥିଲେ, ଦୁଷ୍ଟ ଦୁର୍ଯ୍ୟୋଧନ ଗର୍ବର ସହିତ ତାଙ୍କ ପାଇଁ ଛପନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । କିନ୍ତୁ ଶ୍ରୀକୃଷ୍ଣ ତାଙ୍କର ଆତିଥ୍ୟକୁ ପ୍ରତ୍ୟାଖାନ କରି, ବିଦୁରାଣୀଙ୍କ କୁଟୀରକୁ ଯାଇଥିଲେ, ଯିଏ କି ଆକୁଳ ଚିତ୍ତରେ ତାଙ୍କ ପ୍ରିୟ ଇଷ୍ଟଦେବଙ୍କର ସେବା କରିବାକୁ ପ୍ରତୀକ୍ଷା କରିଥିଲେ । ଭଗବାନ ତାଙ୍କ ଗୃହରେ ପଦାର୍ପଣ କରିବା ଦେଖି ବିଦୁରାଣୀ ଆତ୍ମବିଭୋର ହୋଇଗଲେ । ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବାକୁ ତାଙ୍କ ପାଖରେ କେବଳ କଦଳୀ ହିଁ ଥିଲା । କିନ୍ତୁ ଖୁସିରେ ତାଙ୍କ ବୁଦ୍ଧି ଏପରି ଆତ୍ମହରା ହୋଇଗଲା ଯେ ସେ ଜାଣିପାରିଲେ ନାହିଁ ଫଳଗୁଡ଼ିକୁ ଫୋପାଡ଼ି ସେ ଚୋପାଗୁଡ଼ିକୁ ଶ୍ରୀକୃଷ୍ଣଙ୍କୁ ମୁହଁରେ ଦେଉଛନ୍ତି । ତଥାପି ତାଙ୍କର ଭକ୍ତି ଭାବନାକୁ ଦେଖି, ଶ୍ରୀକୃଷ୍ଣ ଆନନ୍ଦର ସହିତ ସେହି ଚୋପାସବୁ ଖାଇ ଚାଲିଲେ, ସତେ ଯେପରି ସେଗୁଡ଼ିକ ପୃଥିବୀର ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଥିଲା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!